ଦୁଇଟି ନଗରୀର କାହାଣୀ

 

 

 

 

 

 

 

 

 

 

ଦୁଇଟି ନଗରୀର କାହାଣୀ

ଚାର୍ଲସ୍‌ ଡିକେନ୍ସ

ଅନୁବାଦ କରିଛନ୍ତି

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

ଶ୍ରୀଯୁକ୍ତ ବଂଶୀଧର ମହାନ୍ତି,

ପୂଜନୀୟେଷୁ

 

ପରିଚୟ

 

୧୮୧୨ ଖ୍ରୀଷ୍ଟାବ୍ଦରେ ଇଂଲଣ୍ତର ପ୍ରସିଦ୍ଧ ବନ୍ଦର ଫୋର୍ଟ୍ସମାଉଥ୍‍ଠାରେ ଚାର୍ଲସ ଡିକେନ୍ସ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶୈଶବାବସ୍ଥାରେହିଁ ତାଙ୍କ ପିତାଙ୍କର ବନ୍ଦରର ଚାକିରୀ ଛାଡ଼ିଗଲା ଏବଂ ସେ ଲଣ୍ତନକୁ ଜୀବିକା ଅର୍ଜନ ପାଇଁ ଆସିଲେ । ଏଠାରେ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଗଲା, ଏପରିକି ଅଧିକାଂଶ ଦିନେ ସେମାନେ ବେଳାଏ ବି ଖାଇବାକୁ ପାଇଲେ ନାହିଁ ।

 

ଡିକେନ୍ସ ଯେତେବେଳେ ଲେଖନୀ ଧାରଣ କଲେ, ସେତେବେଳେ ଇଂଲଣ୍ତର କଥା ସାହିତ୍ୟରେ ରସିକତା’ ର ସ୍ଥାନ ଖୁବ୍ ଉଚ୍ଚରେ ଥିଲା । ତେଣୁ ସେ ମଧ୍ୟ ସେହି ଚିରାଚରିତ ପଥରେ ଯିବାକୁ ଆରମ୍ଭ କଲେ । ପ୍ରଥମ ଯୌବନରେ ସେ ନିଜ ରଚନା ଧରି ଲୁଚି ଲୁଚି ଯାଇ ମାସିକ ପତ୍ରିକା ଅଫିସରେ ଦେଇ ଆସୁଥିଲେ ଏବଂ ତା’ର ଫଳାଫଳ ପାଇଁ ଅପେକ୍ଷା କରି ରହୁଥିଲେ । ସେତିକି ବେଳୁ ତାଙ୍କ ପ୍ରତିଭାର ପରିଚୟ ମିଳିଥିଲା । ତାଙ୍କୁ ଚବିଶ ବର୍ଷ ବୟସରେ ତାଙ୍କର ବିଶ୍ଵ-ବିଖ୍ୟାତ ବ୍ୟଙ୍ଗ ରଚନା ‘ପିକ୍ଉଇକ୍ ପେପାରସ୍’ ସମଗ୍ର ପୃଥିବୀରେ ଚହଳ ପକାଇ ଦେଇଥିଲା । ଏପରି ସତେଜ ନିର୍ମଳ ରସିକତା’, ମାନବ ଚରିତ୍ରରେ ଅନ୍ତଦୃଷ୍ଟିର ପରିପୂର୍ଣ୍ଣ ବିକାଶ ଏବଂ ସାହିତ୍ୟ ରସ ମଧୁର ରଚନା ଇଂରେଜୀ ସାହିତ୍ୟରେ ପୂର୍ବରୁ ନଥିଲା । ବିରାଟ ପୁସ୍ତକ, ଅଜସ୍ର ଚରିତ୍ର । ମାତ୍ର କୌଣସିଟି ଚରିତ୍ର ପଙ୍ଗୁ ନୁହେଁ କି କେହି ଜନଗହଳ ଭିତରେ ହଜିଯାଆନ୍ତି ନାହିଁ । ବହିଟି ପଢ଼ିସାରିଲେ ମନ ମାଧୁର୍ଯ୍ୟ ରସରେ ପରିପୂର୍ଣ୍ଣ ହୋଇଯାଏ । ବହିଟିର ପ୍ରଥମ ଖଣ୍ତ ମାତ୍ର ଚାରିଶହ ମୁଦ୍ରିତ ହୋଇଥିବା ସ୍ଥଳେ, ତା’ର ପଞ୍ଚଦଶ ଖଣ୍ତର ମୁଦ୍ରଣ ସଂଖ୍ୟା ବୟାଳିଶ ହଜାରକୁ ଉଠିଯାଇଥିଲା ।

 

ତା’ପରେ ଦେଖାଦେଲା ଖଣ୍ତିଏ ଉଦ୍ଦେଶ୍ୟମୂଳକ ସାଧାରଣ ଉପନ୍ୟାସ ‘ଅଲିଭାର ଟୁଇଷ୍ଟ’ । ସେତେବେଳେ ଇଂଲଣ୍ତରେ ଅନାଥାଶ୍ରମ ସମ୍ଵନ୍ଧର ଉଦ୍ଭଟ ଆଇନର ପ୍ରଚଳନ ହେତୁ ଯେଉଁସବୁ ବିୟେଗାନ୍ତ ଘଟଣା ଘଟିଥିଲା, ସେ ତାହା ବିରୁଦ୍ଧରେ କଲମ ଉଠାଇଲେ । ଏହି ପୁସ୍ତକଟି ଇଂରେଜମାନଙ୍କ ପ୍ରାଣରେ ଏମିତି ଆଘାତ ହାଣିଲା ଯେ, ସରକାରଙ୍କୁ ବାଧ୍ୟହୋଇ ସେହିସବୁ ଆଇନ ବଦଳାଇବାବୁ ପଡ଼ିଲା । ଏହା ମଧ୍ୟ ଏକ ଜନପ୍ରିୟ ଛାୟାଚିତ୍ରରେ ପରିଣତ ହୋଇଛି ।

 

‘ନିକୋଲାସ୍‍ ନିକେଲ୍-ବି’ ବାହାରିବାମାତ୍ରେ, ତାହା ଦାବାନଳ ପରି ଚାରିଆଡ଼େ ଖେଳିଗଲା । ସେଥିରେ ଥିଲା ଚିର-ପରିଚିତ ଓ ଚିର-ପୁରାତନ ଲଣ୍ତନର ଚିତ୍ର । ତଥାପି ପାଠକ ମହଲରେ ଧାରଣା ଜନ୍ମିଲା ଯେ, ଲଣ୍ତନରେ ଅନେକ ବିଷୟ ଏହି ପ୍ରଥମେ ସେମାନଙ୍କର ଦୃଷ୍ଟିଗୋଚର ହେଲା ।

 

୧୮୪୦ ଖ୍ରୀଷ୍ଟାବ୍ଦରେ ସେ ‘ମାଷ୍ଟର ହାମ୍‌ଫ୍ରୀଜ କ୍ଳକ’ ନାମରେ ଖଣ୍ତିଏ ପତ୍ରିକା ପ୍ରକାଶ କଲେ । ସେହି ପତ୍ରିକାରେ ଯେତେବେଳେ ତାଙ୍କର କରୁଣ କାହାଣୀ ‘ଓଲ୍ଡ଼ କିଉରିଓସିଟୀ ଶପ୍’ ବାହାରିଲା, ସେତେବେଳେ ତାଙ୍କର ଖ୍ୟାତି ଆମେରିକାକୁ ବ୍ୟାପିଗଲା । ଏହି ପତ୍ରିକାରେ ‘ବାରନାବୀରାଜ’ ମଧ୍ୟ ବାହାରି ଥିଲା । ମାତ୍ର ଏହି ରଚନାଟି ଶେଷ ହୋଇଯିବା କ୍ଷଣି ସେ ପତ୍ରିକା ବନ୍ଦ କରିଦେଲେ ।

 

ତା’ପରେ ସେ ଆମେରିକାକୁ ଯାତ୍ରା କଲେ ଏବଂ ସେଠାରେ ଅପରିମିତ ପ୍ରଶଂସା ଲାଭ କରିଥିଲେ । ଜଣେ ଯୁବକ ସାହିତ୍ୟିକଙ୍କ ପକ୍ଷରେ ଏହା କମ୍ ଗୌରବର କଥା ନୁହେଁ ।

 

ଆମେରିକାରୁ ଫେରି ସେ ‘ଆମେରିକାନ ନୋଟ୍ସ’ ଓ ‘ମାର୍ଟିନ ଚାଜ୍‌ଲଉଇଟ’ ପ୍ରଣୟନ କରିଥିଲେ । କିନ୍ତୁ ଦ୍ଵିତୀୟଟି ବେଶୀ ବିକ୍ରୀ ହୋଇ ନଥିଲା ।

 

ଏହି ସମୟରେ ତାଙ୍କ ଲିଖିତଗୁଡ଼ିକର ଜାଲ୍ ସଂସ୍କରଣ ବାହାରିବାରୁ, ବିଚାରାଳୟରେ କେତେଗୁଡ଼ାଏ ମକଦ୍ଦମା କରି ତାଙ୍କୁ ଏହି କୁପ୍ରଥା ଲୋପ କରିବାକୁ ହୋଇଥିଲା ।

 

କିଛିଦିନ ୟୁରୋପରେ ଭ୍ରମଣ କରି ଦେଶକୁ ଫେରିଆସି ସେ ‘ଡେଭିଡ଼ କପରଫିଲ୍ଡ଼’ ଆରମ୍ଭ କଲେ । ଜନପ୍ରିୟତା’ ରେ ତାହା ତାଙ୍କର ସବୁ ବହିକୁ ଟପିଗଲା, କାରଣ ଏଥିରେ ତାଙ୍କ ନିଜ ଶୈଶବର ଚିତ୍ର ପ୍ରତିଫଳିତ ହୋଇଛି । ସେ ଥରେ କହିଥିଲେ–ମୋର ସବୁଠାରୁ ପ୍ରିୟ ରଚନା ହେଉଛି ‘ଡେଭିଡ଼’ । ମାତ୍ର ‘ଏ ଟେଲ୍ ଅଫ୍ ଟୁ ସିଟିଜ୍’ ନିଃସନ୍ଦେହରେ ଦ୍ଵିତୀୟ ସ୍ଥାନ ପାଇବାର ଯୋଗ୍ୟ ।

 

୧୮୫୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ବଚାରାଳୟର ଅଦ୍ଭୁତ ଓ ନିଷ୍ଠର ବିଚାର ପଦ୍ଧତିକୁ ଆଘାତ କରିବା ପାଇଁ ତାଙ୍କର ‘ବ୍ଳିକ୍-ହାଉସ୍’ ପ୍ରକାଶିତ ହେଲା ।

 

ଏହି ସମୟରେ ସେ ନିଜ ରଚନାରୁ ବିଶେଷ ବିଶେଷ ଅଂଶ ଆବୃତ୍ତ କରି ଅର୍ଥାଗମର ଏକ ନୂତନ ପନ୍ଥା ଆବିଷ୍କାର କଲେ । ଏହାଦ୍ଵାରା ସେ ପ୍ରଚୁର ଅର୍ଥ ଉପାର୍ଜନ କରିବାକୁ ଲାଗିଲେ, ଏପରିକି ଗୋଟିଏ ଗୋଟିଏ ରାତିରେ ସେ ଦୁଇ ବା ଅଢ଼ାଇ ହଜାର ଟଙ୍କା ଆୟ କଲେ । ଦେଶଛାଡ଼ି ସେ ବିଦେଶକୁ ଗଲେ ଏବଂ କେବଳ ଆମେରିକାରେହିଁ ସେ ପ୍ରାୟ ତିନିଲକ୍ଷ ଟଙ୍କା ଉପାର୍ଜନ କରିଥିଲେ । କିନ୍ତୁ ଏହା ଫଳରେ ତାଙ୍କ ଶରୀର ଭାଙ୍ଗିପଡ଼ିବାକୁ ଲାଗିଲା । ପୁଅ ଝିଅଙ୍କର ଭବିଷ୍ୟତ ପାଇଁ ସେ ଆଠ ହଜାର ପାଉଣ୍ତର ଗୋଟିଏ ଆବୃତ୍ତ-ଚୁକ୍ତି ସମ୍ପାଦନ କରିଥିଲେ, ମାତ୍ର ସେ ତାହା ରଖି ପାରିଲେ ନାହିଁ ।

 

‘ଅନ୍‌କମାର୍ସିୟାଲ ଟ୍ରାଭ୍‌ଲ୍‌ର’, ‘ଆଓ୍ୟାର ମ୍ୟୁଚୁୟାଲ ଫ୍ରେଣ୍ତ’ ଓ ‘ଗ୍ରେଟ୍ ଏକ୍ସପେକ୍ଟେସାନ୍ସ’ ହେଉଛି ତାଙ୍କ ଶେଷ ଜୀବନର ରଚନା, ‘ମିଷ୍ଟ୍ରି ଅଫ୍ ଏଡ଼ଉଇନ୍ ଡ୍ରୁଡ଼’ ସେ ଶେଷ କରିପାରି ନଥିଲେ-

 

ତାଙ୍କ ଶେଷ ଜୀବନ ସମ୍ପର୍କରେ ଗୋଟିଏ ମଜା କାହାଣୀ ଅଛି । ମୃତ୍ୟୁପୂର୍ବରୁ ଦିନେ ସେ ଜଣେ ଭଦ୍ରଲୋକଙ୍କ ପାଖରୁ ଖଣ୍ତିଏ ଚିଠି ପାଇଲେ । ସେଥିରେ ଯେ ସେ ଲେଖିଥିଲେ ସେ କାଳେ ପ୍ରଥମ ଜୀବନରେ ଅତି ଦରିଦ୍ର ଥିଲେ, କିନ୍ତୁ ଡିକେନ୍ସଙ୍କ ସାହିତ୍ୟରୁ ଯେଉଁ ଅପୂର୍ବ ପ୍ରେରଣା ଓ ଉଜ୍ଵଳ ଆଦର୍ଶ ସେ ଲାଭ କରିଥିଲେ ତାହାରି ବଳରେ ସେ ଆଜି ଜୀବନଯୁଦ୍ଧରେ ଜୟୀ ହୋଇଛନ୍ତି । ତେଣୁ ତାଙ୍କର ସକଳ ସୌଭାଗ୍ୟର ମୂଳ ଡିକେନ୍ସଙ୍କୁ ସେ କିଛି ଉପହାର ନ ଦେଇ ରହିପାରୁ ନାହାନ୍ତି । ସେହି ଚିଠି ସହିତ ପାଞ୍ଚ ଶହ ପାଉଣ୍ତର ଖଣ୍ତିଏ ନୋଟ ଥିଲା । କିନ୍ତୁ ଡିକେନ୍ସ ବିଚଳିତ ହୋଇଯାଇ, ଟଙ୍କା ଫେରସ୍ତ ଦେଇ ତାଙ୍କୁ ଲେଖିଲେ—ଯଦି ସେ ନିହାତି କିଛି ଉପହାର ଦେବାକୁ ଚାହାନ୍ତି, ତାହାହେଲେ ସେ କୌଣସି ସାମାନ୍ୟ ସ୍ମାରକ ଚିହ୍ନ ପଠାଇପାରନ୍ତି । ସ୍ମାରକ ଉପହାର ବି ଅତିଶୀଘ୍ର ଆସି ପହଞ୍ଚିଗଲା । ଗୋଟିଏ ଚମତ୍କାର କାରୁକାର୍ଯ୍ୟ ଖଚିତ ରୂପା ବାକ୍ସ । ତା’ର ଚାରିକୋଣରେ ଚାରୋଟି ଋତୁର ମୂର୍ତ୍ତି ଖୋଦିତ—ଗ୍ରୀଷ୍ମ, ଶରତ, ହେମନ୍ତ, ବସନ୍ତ, ମାତ୍ର ଶୀତ ନାହିଁ । କିନ୍ତୁ ଏହା ଦେଖି ଡିକେନ୍ସଙ୍କ ମନରେ କେମିତି ଗୋଟାଏ ଭୟ ଜାତ ହେଲା ଯେ, ବୋଧହୁଏ ଆଉ ତାଙ୍କୁ ଶୀତ ଦେଖିବାକୁ ପଡ଼ିବ ନାହିଁ ।

 

ପ୍ରକୃତରେ ତାହାହିଁ ହେଲା । ୧୮୭୦ ଖ୍ରୀଷ୍ଟାବ୍ଦର ଜୁନ ୯ ତା’ରିଖରେ ସେ ସ୍ଵର୍ଗଧାମକୁ ଚାଲିଗଲେ । ମାତ୍ର ଫୁଲମାଳି ଓ ନୟନର ନୀର ଅନବରତ ତାଙ୍କ ସମାଧି ଉପରେ ବର୍ଷିବାକୁ ଲାଗିଲା ।

 

ଖ୍ୟାତିର ଶୀଖରରେ ଆରୋହଣ କରି ବି ଡିକେନ୍ସ ନିଜ ବାଲ୍ୟସ୍ମୃତି ପାଶୋରି ପାରି ନଥିଲେ । ଦରିଦ୍ର, ଦୁର୍ବଳ ଓ ନିଗୃହୀତଙ୍କ ପ୍ରତି ତାଙ୍କର ଅପରିସମ ଶ୍ରଦ୍ଧା ଓ ଅପରିମିତ ସହାନୁଭୂତି ସର୍ବଦା ଜାଗ୍ରତ ଥିଲା । ତାହାହିଁ ତାଙ୍କ ରଚନାରେ ବହୁଳ ଆତ୍ମ ପ୍ରକାଶ କରିଛି ।

 

ଡିକେନ୍ସଙ୍କ ପରେ ଇଂଲଣ୍ତରେ ଅନେକ ଯଶସ୍ଵୀ ଔପନ୍ୟାସିକ ଆବିର୍ଭୂତ ହୋଇଛନ୍ତି । କିନ୍ତୁ କେହି ହେଲେ ଡିକେନ୍ସଙ୍କ ସିଂହାସନ ଅଧିକାର କରିବାକୁ ସମର୍ଥ ହୋଇନାହାନ୍ତି । ତାଙ୍କ ପ୍ରସ୍‍ଙ୍ଗରେ ଇଂଲଣ୍ତର ବିଖ୍ୟାତ ସାହିତ୍ୟିକ ଚେଷ୍ଟାରଟନ ଥରେ କହିଥିଲେ—“ଡିକେନ୍ସଙ୍କର ଅଲୌକିକ ଗୁଣ ହେଉଛି, ତାଙ୍କ କାହାଣୀ-ଯନ୍ତ୍ରର ଚରିତ୍ରାଂଶ ଗୁଡ଼ିକ ନୁହନ୍ତି, ମଣିଷ ମାତ୍ର । ଆମ୍ଭେମାନେ ସେମାନଙ୍କୁ ବିଶ୍ଵାସ କରି ନପାରୁଁ, କିନ୍ତୁ ସେମାନଙ୍କୁ କଳ୍ପନା କରିବାକୁ ଆମେ ବାଧ୍ୟ । ଆମେ କଦାପି ସେମାନଙ୍କୁ ପାଶୋରି ପାରିବୁ ନାହିଁ ।”

 

ଏକ

 

ଅଷ୍ଟାଦଶ ଶତା’ ବ୍ଦୀ । ଢେର ଦିନ ତଳର କଥା । ସେ ସମୟରେ ସାରା ଫରାସୀ ଦେଶରେ ଏକ ପ୍ରଳୟଙ୍କର ଅଗ୍ନି ହୁ-ହୁ ହୋଇ ଜଳୁଛି ।

 

ଫରାସୀ ବିପ୍ଳବ ସମୟ । ଦେଶର ଦୀନତମ ପ୍ରଜାଗଣ ଶାସନ ବିରୁଦ୍ଧରେ ତା’ ତିଉଠି ରାଜା, ରାଣୀ, ରାଜକୁମାର, ରାଜକୁମାରୀ, ରାଜବଂଶର ସମସ୍ତଙ୍କୁ, ଏପରିକି ବଡ଼ଲୋକ ମାତ୍ରେ ସମସ୍ତଙ୍କୁ ବି ଧରିଆଣି ଗିଲୋଟିନରେ ବଳିଦାନ ଦେଉଛନ୍ତି—ବାଳକ, ବୃଦ୍ଧ, ସ୍ତ୍ରୀ, ପୁରୁଷ କାହାରିକୁ ଛାଡ଼ୁ ନାହାନ୍ତି, ଏବଂ ସେହି ରକ୍ତସ୍ରୋତ ସାମନାରେ ଛିଡ଼ାହୋଇ ବିଜୟ ଉଲ୍ଲାସରେ ଚିତ୍କାର କରୁଛନ୍ତି । ଏ ଘଟଣା କଳ୍ପନା କଲା ମାତ୍ରେ ଦେହ ଶିତେଇଉଠେ ଏବଂ ସେ ସମ୍ଵନ୍ଧରେ ଆଉ ବେଶୀ କିଛି ଜାଣିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ କେତେ ଦୂର ଅତ୍ୟାଚାରରେ ଜର୍ଜରିତ ହୋଇ ମଣିଷ ମଣିଷ ଉପରେ ଏଭଳି ବର୍ବର ଭାବରେ ଉନ୍ମତ୍ତ ସବାର ହୋଇପାରେ, ତାହା ଭାବି ଦେଖିଲେ ସେମାନଙ୍କ ଉପରୁ ରାଗ କୁଆଡ଼େ ଆପେ ଆପେ ଦୂର ହୋଇଯାଏ । ଏହା ଅବଶ୍ୟ ସତ, ଅନେକ ନିରପରାଧ ଲୋକଙ୍କୁ ବି ସେମାନେ ହତ୍ୟା କରିଛନ୍ତି, କିନ୍ତୁ ଅନ୍ୟ ଉପାୟ କ’ଣ ଥାଇପାରେ ? ଗୋଟାଏ ସମଗ୍ର ଜାତିର କ୍ରୋଧାନଳ ଯେତେବେଳେ ଜଳି ଉଠିଲା, ସେତେବେଳେ ନିରପରାଧ ଲୋକେ ବି ସେଥିରେ ଜଳିପୋଡ଼ି ମରିବାକୁ ବାଧ୍ୟ । ଦାବାନଳ କ’ଣ କେବେ ନିରୀହ ପକ୍ଷୀଙ୍କ କଥା ବିବେଚନା କରି ବନ ପୋଡ଼ିବାରୁ କ୍ଷାନ୍ତ ହୁଏ ? ଏହି ଆଖ୍ୟାନଟି ସେହିଭଳି ଜଣେ ନିରପରାଧ ଲୋକକୁ କେନ୍ଦ୍ରକରି ଗୁନ୍ଥା ହୋଇଛି । ଏହା ଶୁଣିବା ପରେ ଯେ, କୌଣସି ଲୋକ ଅଭିମତ ଦେବ ଯେ ପ୍ରଚଣ୍ତ ହିଂସା ଓ ଅଜସ୍ର ରକ୍ତପାତ ଜରିଆରେ ଜାତିର ସ୍ଵାଧୀନତା ଅର୍ଜନ କରିବାର ଚେଷ୍ଟା ନକରିବା ବରଂ ଶ୍ରେୟ । ତଦ୍ଦ୍ଵାରା ଦୀର୍ଘସ୍ଥାୟୀ ଶୁଭ ଫଳ ଫଳେ ନାହିଁ । କିନ୍ତୁ ତା’ ପୂର୍ବରୁ ସେତେବେଳକା ଫ୍ରାନ୍ସର ରାଜନୈତିକ ଅବସ୍ଥା ସଙ୍ଗେ ସମ୍ୟକ ପରିଚୟ ଲାଭ କରିବା ଅବଶ୍ୟ ପ୍ରୟୋଜନ ।

 

ବର୍ବନ୍‍ ବଂଶର ଚତୁର୍ଦ୍ଦଶ ଲୁଇ ଓ ପାଞ୍ଚଦଶ ଲୁଇ ଦୀର୍ଘକାଳ ରାଜତ୍ଵ କରିଥିଲେ । ଦୁଇଜଣ କ୍ରମାଗତ ପ୍ରାୟ ଦେଢ଼ଶହ ବର୍ଷ ଯାଏଁ ଫ୍ରାନ୍ସ ଦେଶର ସିଂହାସନ ଅଧିକାର କରି ବସିଥିଲେ । କିନ୍ତୁ ଏହି ଦୀର୍ଘ ସମୟ ଭିତରେ ସେମାନେ ଦେଶର ଉନ୍ନତି ବିଧାନ ପାଇଁ କୌଣସି ଚେଷ୍ଟା କରି ନଥିଲେ । ବାହାରେ ଯେତେବେଳେ ଯୁଦ୍ଧ ବିଗ୍ରହରେ ଦେଶ ଜର୍ଜରିତ ଓ ରାଜକୋଷ ଶୂନ୍ୟ ସେହି ସମୟରେ ସେମାନେ ଆପଣାର ବିଳାସ ଓ ବ୍ୟସନରେ କୋଟି କୋଟି ଟଙ୍କା ଅପବ୍ୟୟ କରୁଥିଲେ । ଦରିଦ୍ର ପ୍ରଜାଙ୍କ ପାଟିରୁ କ୍ଷୁଧାର ଅନ୍ନ କାଢ଼ି ନେଇ ଏବଂ ସେମାନଙ୍କ ମଥା ଉପରେ କର ଉପରେ କରର ଭାର ଲଦି ଦେଇ, ସେମାନଙ୍କର ଅକର୍ମଣ୍ୟ ମନ୍ତ୍ରୀମାନେ ତାଙ୍କୁ ସେହି ଟଙ୍କା ଯୋଗାଇ ଦେଉଥିଲେ । ରାଜାଙ୍କ ଚତୁଃପାର୍ଶ୍ଵରେ ଯେଉଁ ସଭାସଦଗଣ ଥିଲେ, ସେମାନେ ଅନ୍ତଃସାର ଶୂନ୍ୟ ଚାଟୁକାର ମାତ୍ର । ସେମାନେ ସୁଯୋଗ ଉଣ୍ତି ନିଜର ବ୍ୟକ୍ତିଗତ ଐଶ୍ଵର୍ଯ୍ୟର ଅଙ୍କ ବଢ଼ାଇବାରେ ବ୍ୟସ୍ତ । ରାଜ୍ୟର କ୍ଷତିବୃଦ୍ଧି ପାଇଁ ଭାବିବାର ସମୟ ବା ଇଚ୍ଛା ସେମାନଙ୍କର କାହାରି ନଥିଲା । ପ୍ରଜାଗଣ ଦୁଇଶହ ବର୍ଷ ହେଲା ତିଳ ତିଳ କରି ନିଷ୍ପେଷିତ ହେଉଥାନ୍ତି ଏବଂ ଭଗବାନଙ୍କୁ ନିଜର ଦୁଃଖ ଜଣାଉଥାନ୍ତି—ଏମିତି ଭାବରେ ତାଙ୍କର ଦିନ ବିତୁଥିଲା । ପ୍ରତିବାଦ ଜଣାଇବାର ଟିକିଏ ମାତ୍ର ଉପାୟ ନଥିଲା । ସାମାନ୍ୟ ଇଙ୍ଗିତରେ, କେବେବି ସମ୍ପୂର୍ଣ୍ଣ ନିରପରାଧ ହୋଇ ସୁଦ୍ଧା ସନ୍ଦେହର ତା’ ଡ଼ନାରେ ରାଜ୍ୟର ସବୁଠାରୁ ବଳି ଭୟଙ୍କର କାରାଗାର ବ୍ୟାସ୍‍ଟିଲର ସୁକଠିନ ପାଷାଣ ପ୍ରାଚୀର ମଧ୍ୟରେ ଦୀର୍ଘ ଦିନ ଲାଗି ଅଥବା ହୁଏତ ସାରା ଜୀବନ ପାଇଁ ଆବଦ୍ଧ ରହିବାକୁ ହୁଏ । ସେଠାରେ ଗୋଟିଏ ଦିନ ବି ବଞ୍ଚି ରହିବା ଅର୍ଥ ସହସ୍ର ମୃତ୍ୟୁଠାରୁ ଭୟାନକ ।

 

କିନ୍ତୁ ଶେଷରେ ଏପରି ଦିନ ଆସିଲା, ଯେତେବେଳେ ଏହି ବ୍ୟାସ୍‍ଟିଲ୍‌ର ଭୟ ବି ଆଡ଼ ସେମାନଙ୍କୁ ଚୁପ୍ କରି ରଖିପାରିଲା ନାହିଁ । ଦୁର୍ଦ୍ଦାନ୍ତ ଓ ପ୍ରଚଣ୍ତ ଶୀତରେ ଚାରିଆଡ଼ ତୁଷାର-ବୃଷ୍ଟି ମଧ୍ୟରେ ଯେଉଁମାନଙ୍କୁ ନଗ୍ନଦେହରେ ଦିନ ଯାପିବାକୁ ପଡ଼େ, ଯେଉଁମାନଙ୍କ ଆଖି ଆଗରେ ପୁଅ ଝିଅ ସବୁ ଅଖିଆ ଅପିଆ ରହି ରହି ତିଳେ ତିଳେ ଶୁଖି ଶୁଖି ମରନ୍ତି, ଯେଉଁମାନଙ୍କ ନିକଟରେ ସାମାନ୍ୟ ଗୋଟିଏ ସୂତା’ ର ଜାମା, ପୋଡ଼ା ରୁଟି ବା ଖଣ୍ତେ ଶୁଖିଲା କାଠ କୁବେରର ଐଶ୍ଵର୍ଯ୍ୟ ଭଳି ମୂଲ୍ୟବାନ—କେତେ ଦିନ ସେମାନଙ୍କୁ ବ୍ୟାସ୍‍ଟିଲର ଭୟ ଦେଖାଇ ରଖାଯାଇପାରେ ? ସେମାନେ ମରିଗଲା ଭଳି ହୋଇଗଲେ । ଦଳ ଦଳ ହୋଇ ରାଜାଙ୍କ ପାଖକୁ ଯାଇ ଜଣାଇଲେ ଯେ, ସେମାନଙ୍କର କ୍ଷୁଧାର ଅନ୍ନ ସେମାନେ ଚାହାନ୍ତି । ସେମାନଙ୍କର ଦାବି କେବଳ ଖଣ୍ତେ ପୋଡ଼ା ରୁଟି । ଏହା ସେମାନଙ୍କର ଦରକାର ! ସେହି ପ୍ରାର୍ଥନା ଜଣାଇବା ପାଇଁ ବି ସେମାନଙ୍କୁ ବହୁ ନିର୍ଯ୍ୟାତନା ଓ ଲାଞ୍ଛନା ଭୋଗିବାକୁ ପଡ଼ିଲା । ଅନେକ ଲୋକଙ୍କୁ କମାଣ ମୁହଁରେ ପ୍ରାଣ ହରାଇବାକୁ ହେଲା । କିନ୍ତୁ ତେବେ ବି ଫଳ ହେଲା ନାହିଁ । ସେତେବେଳକାର ରାଜା ଷୋଡ଼ଶ ଲୁଇ ଥିଲେ ଦୁର୍ବଳ, ଭଲ ଲୋକ, କିନ୍ତୁ ମହିଷୀ ଓ ସଭାସଦ ଗଣଙ୍କ ହାତରେ ଖେଳନା ମାତ୍ର । ତେଣୁ ଦୁଇ ଶହ ବର୍ଷର ପୁଞ୍ଜୀଭୂତ ଅନ୍ୟାୟର ସାମାନ୍ୟ ପ୍ରତିକାର ବି ତାଙ୍କ ଦ୍ଵାରା ସମ୍ଭବ ହେଲା ନାହିଁ ।

 

ଏହିଥର ଗର୍ତ୍ତର ନିରୀହ ବେଙ୍ଗ ବି ଗର୍ଜନ କରି ଉଠିଲା । ବୁଭୁକ୍ଷୁ ପ୍ରଜାର ଦାବୀ ଅନୁନୟରୁ ଆରମ୍ଭ କରି ଅଗ୍ନିଶିଖାରେ ରୂପାନ୍ତରିତ ହେଲା ଏବଂ ସେହି ଲେଲିହାନ ଅଗ୍ନିଶିଖା ରାଜା, ରାଜବଂଶୀୟ ଅଭିଜାତ ମାତ୍ରକେ ସମସ୍ତଙ୍କୁ ଶେଷରେ ଗ୍ରାସ କରିବାକୁ ଲାଗିଲା । ସେହି ଅଗ୍ନିକୁଣ୍ତରେ ଯେଉଁମାନେ ପୋଡ଼ିଜଳି ଭସ୍ମିଭୂତ ହୋଇଗଲେ ସେମାନେ ସମସ୍ତେ ହୁଏତ ଅପରାଧୀ ନୁହଁନ୍ତି, କିନ୍ତୁ ପିତୃ ପିତା’ ମହଙ୍କର ପାପର ପ୍ରାୟଶ୍ଚିତ ଅନେକ ସମୟରେ ବଂଶଧରମାନଙ୍କୁ କରିବାକୁ ହୁଏ—ଏହି ନିୟମହିଁ ସବୁ ଦେଶରେ ସତ୍ୟ ହୋଇ ଆସୁଛି ।

 

ଉତ୍ପୀଡ଼ିତମାନେ ଯେତେବେଳେ ଉତ୍ପୀଡ଼କ ହୁଅନ୍ତି; ସେତେବେଳେ ତାଙ୍କର ଅତ୍ୟାଚାର ଯେ ଭୀଷଣ ହୋଇ ଉଠିବ ସେଥିରେ ଆଉ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଫ୍ରାନ୍ସ ଦେଶର ବି ଏହାର ଅନ୍ୟଥା ହୋଇ ନାହିଁ । ତହୁଁ ନିରପରାଧ ଲୋକେ ବିପ୍ଳବର ସେହି ବିଭତ୍ସ ଘୂର୍ଣ୍ଣାବର୍ତ୍ତରେ ପ୍ରାଣ ହରାଇଲେ ।

 

ଯେଉଁସବୁ ଅତ୍ୟାଚାରୀ ଜମିଦାର ଓ ରାଜକର୍ମଚାରୀମାନେ ଫରାସୀ ବିପ୍ଳବର ମୂଳ କାରଣ, ସେମାନଙ୍କ ଭିତରେ ମାର୍କୁଇସ୍ ସେଣ୍ଟ ଏଭାରମଣ୍ତ କ୍ଷମତା’ ଓ ପଦ-ମର୍ଯ୍ୟାଦାରେ ଅଗ୍ରଗଣ୍ୟ ଥିଲେ । ସେହି ସମୟରେ ୟୁରୋପର ଅନ୍ୟାନ୍ୟ ଦେଶପରି ଫ୍ରାନ୍ସରେ ବି ଜମିଦାରମାନଙ୍କ ହାତରେ ବହୁତ କ୍ଷମତା’ ଥିଲା, ଇଚ୍ଛା କଲେ ସେମାନେ ପ୍ରଜାମାନଙ୍କ ଉପରେ ଯଥେଷ୍ଟ ଅତ୍ୟାଚାର କରିପାରନ୍ତେ—ଏବଂ ଅଧିକାଂଶହିଁ ତାହା କରନ୍ତି । ଅତିରିକ୍ତ କର ଭାର ସେମାନଙ୍କ ମଥାରେ ଚାପି ଦିଅନ୍ତି ଏବଂ ଯେତେବେଳ ଯାଏ ସେମାନଙ୍କର କ୍ଷୁଧାର ସମ୍ଵଳ ଖଣ୍ତେ ରୁଟି ବି ତାଙ୍କ ପାଖରେ ଅବଶିଷ୍ଟ ଥାଏ, ସେତେବେଳେ ତାହାବି କାଢ଼ିନେଇ ସେହି କର ସେମାନେ ଆଦାୟ କରି ନିଅନ୍ତି । ସେମାନେ ପ୍ରଜାମାନଙ୍କୁ କୁକୁର ବିରାଡ଼ି ପରି ଦେଖନ୍ତି । ବିନା ଦରମାରେ ଖଟାଇବା, ସେମାନଙ୍କ ଭିତରୁ କାହାରିକୁ ମାରି ପକାଇବା ବା ଏପରିକି କୌଣସି ସଂକୋଚର କାରଣ ଦେଖିବାକୁ ପାଆନ୍ତି ନାହିଁ । ମାର୍କୁଇସ୍‍ ଏଭାରମଣ୍ତ ଥିଲେ ଏହି ପ୍ରକୃତିର ଲୋକ—ଆହୁରି ଭୀଷଣ ।

 

ମାର୍କୁଇସ୍‍ ଏଭାରମଣ୍ତ ଦିନେ ତାଙ୍କର କୌଣସି ରୁଗ୍‌ଣ ପ୍ରଜାର ସ୍ତ୍ରୀକୁ ନିଜ ଘରେ ଆଣି ରଖିବାକୁ ଚାହିଥିଲେ। ସେ ବିଚରା ତା’ର ଅସୁସ୍ଥ ସ୍ଵାମୀକୁ ଛାଡ଼ିଯିବାକୁ ଚାହିଲା ନାହିଁ । ତା’ର ଶାସ୍ତି ସ୍ଵରୂପ ମାର୍କୁଇସ୍‍ ଆଦେଶ ଦେଲେ ଯେ, ଏହି ରୁଗ୍‌ଣ ଲୋକଟିକୁ ସାରାଦିନ ଘୋଡ଼ା ବଦଳରେ ଗାଡ଼ିରେ ଜୁଟି ଗାଡ଼ି ଟାଣିବାକୁ ହେବ ଏବଂ ସାରା ରାତି ଥଣ୍ତାରେ ଠିଆ ହୋଇ ବେଙ୍ଗ ଅଡ଼ାଇବାକୁ ପଡ଼ିବ, ଯେମିତିକି ବେଙ୍ଗର ଚିତ୍କାରରେ ନିଦ ନ ଭାଙ୍ଗି ଯାଏ । ଏହି ଅମାନୁଷିକ ଅତ୍ୟାଚାର ଫଳରେ ସେ ଦିନେ ନ ଦିନ ଭିତରେ ମାରା ପଡ଼ିଲା । ମାର୍କୁଇସ୍‍ ତା’ର ସ୍ତ୍ରୀକୁ ଜୋର କରି ନିଜ ଘରକୁ ଧରି ନେଇଗଲେ । ସେହି ମହିଳାଟିର ବାପ ଏହି ଦୁର୍ଘଟଣାର ଧକ୍କା ସମ୍ଭାଳିପାରିଲେ ନାହିଁ, ସେ ବି ମାରା ପଡ଼ିଲେ । ତା’ର ସାନ ଭାଇ ରାଗରେ ଜର ଜର ହୋଇ ଝଗଡ଼ା କରିବାକୁଗଲା । ମାର୍କୁଇସ୍‍ ଏ ସ୍ପର୍ଦ୍ଧା ସହ୍ୟ କରି ନପାରି ତରବାରିର ଏକ ପ୍ରହାରରେ ପିଲାଟିକୁ ଥଣ୍ତା କରିଦେଲେ ।

 

ପିଲାଟି କିନ୍ତୁ ସେତେବେଳେ ମରିଗଲା ନାହିଁ, ଗୁରୁତର ଭାବରେ ଜଖମ ହେଲା । ଏଣେ ଆଉ ଏକ ବିପଦ ଘଟିଲା । ମହିଳାଟି ଶୋକରେ ଏକବାରେ ପାଗଳ ହୋଇଗଲା । ଏ ଅବସ୍ଥାରେ ଡାକ୍ତର ନ ହେଲେ ନ ଚଳେ, ଅଥଚ ଏସବୁ କଥା ଜଣାପଡ଼ିବା ବି ବାଞ୍ଛନୀୟ ନୁହେଁ । ଅନେକ ଭାବିଚିନ୍ତି ସେମାନେ ସ୍ଥିର କଲେ ଯେ, ସହରର ନାମଜାଦା ତରୁଣ ଡାକ୍ତର ମ୍ୟାନେଟକୁ ଡାକିଆଣି ଚିକିତ୍ସା କରାଇବେ । ଭାବିଲେ ଯେ, ପ୍ରଚୁର ଟଙ୍କା ଦେଲେ ମ୍ୟାନେଟ ନିଶ୍ଚୟ କଥାଟା ବାହାରେ ପ୍ରକାଶ କରିବ ନାହିଁ ।

 

ମ୍ୟାନେଟ କିନ୍ତୁ ପିଲାଟିକୁ ଚିକିତ୍ସା କରିବାକୁ ଯାଇ ତା’ ମୁହଁରୁ ସବୁ କଥା ଶୁଣି ଶିହରି ଉଠିଲା । ପିଲାଟି ସାଙ୍ଘାତିକ ଭାବେ ଆହତ ହୋଇଥିଲା, ତେଣୁ ସେ ସେହି ଦିନହିଁ ମରିଗଲା । ତା’ ଭଉଣୀ ପ୍ରାୟ ସାତଟା ଦିନ ସମ୍ପୂର୍ଣ୍ଣ ବିକାରଗ୍ରସ୍ତ ରହିବାପରେ ଯନ୍ତ୍ରଣା ହାତରୁ ପରିତ୍ରାଣ ପାଇଲା-। ମାର୍କୁଇସ ଯେତେବେଳେ ମ୍ୟାନେଟକୁ ଟଙ୍କା ଦେବାକୁ ଗଲା, ମ୍ୟାନେଟ ତାହା ଗ୍ରହଣ କଲା ନାହିଁ-। ଘରକୁ କେଉଟି ଆସି ପ୍ରଧାନମନ୍ତ୍ରୀଙ୍କୁ ସବୁ କଥା ଖୋଲି ଗୋପନରେ ଗୋଟିଏ ଡାକ୍ତର ମ୍ୟାନେଟ ଅବାକ ହୋଇଗଲେ । ପ୍ରଥମ ଆଘାତରେ ଜଡ଼ତା’ କାଟିବାକୁ ତାଙ୍କୁ ସମୟ ଲାଗିଲା-। ତା’ପରେ ସେ ଆକୁଳ ହୋଇ ଉଠିଲେ । ଅନୁନୟ, ବିନୟ, କ୍ଷମା, ପ୍ରାର୍ଥନା ସବୁ କିଛି କଲେ, କିନ୍ତୁ ମୁକ୍ତିର ଆଦେଶ ଆଉ ତାଙ୍କର କୌଣସି ପ୍ରକାରେ ଆସିଲା ନାହିଁ । ଦିନପରେ ଦିନ, ରାତିପରେ ରାତି, ମାସପରେ ମାସ, ସେହି ଅନ୍ଧକାର କାରାଗାରରେ କଟିଗଲା—ନା ପାଇଲେ ସ୍ତ୍ରୀର ଖବର, ନା ପଠାଇ ପାରିଲେ ତାଙ୍କ ନିକଟକୁ ନିଜର କୌଣସି ହେଲେ ସମ୍ଵାଦ । ବାହାରର ସମସ୍ତ ଜଗତ, ଠାରୁ ପୃଥକ୍‍ ହୋଇ ବିଭୀଷିକାମୟ ତମସାଛନ୍ନ କଠିନ ଶୀତଳ କାରାଗାରର ଏକ ନିଭୃତ କକ୍ଷରେ ଏପରି ଭାବରେ ଆତ୍ମୀୟ ସ୍ଵଜନଙ୍କ ନିକଟରୁ ବିନା ଦୋଷରେ ବିଚ୍ଛିନ୍ନ ହୋଇ ଦିନ ପରେ ଦିନ କଟାଇବା କଥା କେବେ ଭାବିପାର ? କୌଣସି ଆଶା ନାହିଁ, ଭରସା ନାହିଁ, ଦ୍ଵିତୀୟ ପ୍ରାଣୀର ମୁହଁ ଦେଖିବାର ବା କାହାରି ସାଙ୍ଗରେ କଥା କହିବାର ଉପାୟ ନାହିଁ, ଏପରିକି ଏହି ନିଦାରୁଣ ଦୁଃଖର ସୀମା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ନାହିଁ—ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଜୀବନ୍ତ ସମାଧି ।

 

କ୍ଷମତା’ ର ଏହିପରି ଅପ-ବ୍ୟବହାରରେ ରାଜଶକ୍ତିର ଏହି ଅବିଶ୍ଵାସୀ ବ୍ୟଭିଚାରରେ ମ୍ୟାନେଟର ସମସ୍ତ ରକ୍ତବିନ୍ଦୁ ମଝିରେ ମଝିରେ ବିଦ୍ରୋହ ହୋଇ ଉଠେ, କିନ୍ତୁ ବୃଥା, ବୃଥା ସବୁ । କିବା ଗୋଟେ ଲୋକର କ୍ଷମତା’ ଯେ, ସେ ପାଷାଣ ପ୍ରାଚୀର ଭାଙ୍ଗି ପକାଇବ ? ଶେଷରେ ତାଙ୍କର ମନେ ହେଲା ଯେ କୌଣସି ଗୋଟେ କାମ ପାଇଲେ ହୁଏତ ସେ ଟିକିଏ ଭୁଲି ରହିପାରିବେ—ଅନେକ ଅନୁନୟ ବିନୟ ପରେ ଅନ୍ତତଃ ସେ ବ୍ୟବସ୍ଥାଟା ହେଲା—କର୍ତ୍ତୃପକ୍ଷ ମୋଚିର ଯନ୍ତ୍ରପାତି ପଠାଇଦେଲେ । ମ୍ୟାନେଟ ଘୋର ସ୍ଵୀକାର କରି ନିଜେ ନିଜେ ମୋଚି କାମ ଶିଖିଲେ । କିନ୍ତୁ ସେଥିରେ ବି ତାଙ୍କର ମନେ ହେଲା ଯେ, ତାଙ୍କର ମାନସିକ ବୃତ୍ତି ଯେପରି କ୍ରମଶଃ ଆଚ୍ଛନ୍ନ ହୋଇ ଆସୁଅଛି, ପାଗଳ ହେବାକୁ ଆଉ ବେଶୀ ଡ଼େରି ନାହିଁ । ସେତେବେଳେ ସେ ପ୍ରାଣପଣେ ଚେଷ୍ଟାକରି କାଗଜ କଲମ ସଂଗ୍ରହ କରି ଆପଣା ଜୀବନର ଏହି ମର୍ମସ୍ପର୍ଶୀ କାହାଣୀ ଲିପିବଦ୍ଧ କଲେ । ପୂର୍ବାପର ସମସ୍ତ ଇତିହାସ ପ୍ରତ୍ୟେକଟି ଟିକିନିଖି ଘଟଣା ସୁଦ୍ଧା ଲେଖିସାରି ଶେଷକୁ ତାଙ୍କର ଏହି ଦୁର୍ଦ୍ଦଶାର ଏକମାତ୍ର କାରଣ ମାର୍କୁଇସ ଏଭାରମଣ୍ତର ବଂଶ ସାରାକୁ ଜ୍ଵଳନ୍ତ ଭାଷାରେ ଅଭିଶାପ ଦେଇ ସେ ରଚନା ସମାପନ କଲେ ଏବଂ କାଗଜଗୁଡ଼ାକ ଗୁଡ଼ାଇଦେଇ ଘରର ଗୋଟେ କ’ଣରେ ପଥର ହଟାଇ ଦେଇ ତା’ ଭିତରେ ଲୁଚାଇ ରଖିଲେ । ତା’ପରେ ନିଜକୁ ଭସାଇଦେଲେ ଆପଣାର ଦୁର୍ଭାଗ୍ୟ ସ୍ରୋତରେ ।

 

ସତରେ, କିଛିଦିନ ପରେ ତାଙ୍କର ଚୈତନ୍ୟ ଆଚ୍ଛନ୍ନ ହୋଇଗଲା । ମନର ସମସ୍ତ ଚିନ୍ତା ଓ ଧାରଣା ଶକ୍ତି ଉପରେ ଆସିଲା ପୂର୍ଣ୍ଣ ଜଡ଼ତା’ । ସେ କିଏ ଏବଂ କାହିଁକି ସେଠାକୁ ଆସିଛନ୍ତି କିଛିହେଲେ ଆଉ ତାଙ୍କର ମନେ ରହିଲା ନାହିଁ । କେବଳ ତାଙ୍କର ବନ୍ଦୀଶାଳାର ନମ୍ଵରଟିହିଁ ରହିଲା ଅଦ୍ଵିତୀୟ ପରିଚୟ ହୋଇ—ନର୍ଥ ଟାଓ୍ୱାରର ଏକଶହ ପାଞ୍ଚ ନମ୍ଵର ।

 

ତିନି

 

ଡାକ୍ତର ମ୍ୟାନେଟଙ୍କ ସ୍ତ୍ରୀଥିଲେ ଜଣେ ଇଂରେଜ ମହିଳା । ସେ ବହୁଦିନ ଧରି ସ୍ଵାମୀଙ୍କୁ ଖୋଜି ଖୋଜି ଯେତେବେଳେ ଜାଣିପାରିଲେ ସ୍ଵାମୀ କେଉଁଠି ଏବଂ ତାଙ୍କର କଅଣ ହେଲା, ସେତେବେଳେ ସେ ବିଶ୍ଵାସ କରିବାକୁ ବାଧ୍ୟ ହେଲେ ଯେ ତାଙ୍କ ସ୍ଵାମୀ ମାରାଯାଇଛନ୍ତି । ସେ ବିଦେଶରେ ଏକା ଆଉ କାହା ଭରସାରେ ରହିଥିବେ ? ଅଗତ ! ସେ ଆଖିରୁ ଲୁହ ଗଡ଼ାଇ ସ୍ଵାମୀଙ୍କ ଜନ୍ମଭୂମି ଇଂଲଣ୍ତକୁ ଫେରି ଆସିଲେ । ସେଠାକୁ ଯାଇ ବି ସେ ବେଶୀ ଦିନ ବଞ୍ଚିଲେ ନାହିଁ, ମ୍ୟାନେଟଙ୍କ ସ୍ମୃତିଚିହ୍ନ ତାଙ୍କ ଶିଶୁକନ୍ୟାଟିକୁ ଛାଡ଼ି ଦେଇ ସେ ସ୍ଵର୍ଗକୁ ଚାଲିଗଲେ । ଝିଅଟି ତା’ ମା’ର ଓ ମାମୁଁଘରୁ ଯାହାକିଛି ସମ୍ପତ୍ତିବାଡ଼ି ପାଇଥିଲା, ତା’ର ତତ୍ତ୍ୱାବଧାନ କରୁଥିଲା ଇଂଲଣ୍ତର ପ୍ରାଚୀନ ଓ ସମ୍ଭ୍ରାନ୍ତ ଟେଲସନ ବ୍ୟାଙ୍କ । ମିସ୍‍ ପ୍ରସ୍‍ ବୋଲି ଗୋଟିଏ ଧାଇ ତାକୁ ମଣିଷ କରିଥିଲା । ତା’ ସଙ୍ଗରେ ଲୁସୀ ରହିଥାଏ ଏବଂ ପଢ଼ାଶୁଣା କରେ । ତା’ ବାପର ଅସ୍ତିତ୍ଵ ବା ଇତିହାସ କିଛି ହେଲେ ସେ ଜାଣେ ନାହିଁ।

 

ଲୁସୀର ବୟସ ଯେତେବେଳେ ଅଠର, ମ୍ୟାନେଟଙ୍କ ବନ୍ଦୀଦଶାର ଅଠର ବର୍ଷ ପରେ ଦିନେ ଲୁସୀ ସମ୍ଵାଦ ପାଇଲା ଯେ, ଟେଲସନ ବ୍ୟାଙ୍କର ମିଷ୍ଟର ଲରୀ ନାମକ ଜଣେ କର୍ମଚାରୀ ସଙ୍ଗେ ଡୋଭାରରେ ଥରେ ତା’ର ଦେଖା ହେବା ପ୍ରୟୋଜନ ଏବଂ ତା’ ସାଙ୍ଗରେ ତାକୁ ଥରେ ପ୍ୟାରିସ୍ ଯିବାକୁ ହେବ । ଅତ୍ୟନ୍ତ ଗୁରୁତର ବ୍ୟାପାର, ଲୁସୀ ଯେପରି ନିଶ୍ଚୟ ଯାଏ ।

 

ଲୁସୀ ଖବର ପାଇବାମାତ୍ରେ ମିସ୍ ପ୍ରସ୍‍କୁ ସାଙ୍ଗରେ ନେଇ ଡୋଭାରରେ ଆସି ପହଞ୍ଚିଲା, ସେଠାରେ ହୋଟେଲରେ ପହଞ୍ଚି ଶୁଣିଲା ମିଷ୍ଟର ଲରୀ ତା’ ଆଗରୁ ଆସି ପହଞ୍ଚିଛନ୍ତି । ମିଷ୍ଟର ଲରୀ ତାକୁ ନିର୍ଜନ ଘରକୁ ନେଇ ଯାଇ ବସାଇ ତାକୁ କ’ଣ କହିଲେ ଜାଣ ? ତା’ର ବାପର ଜୀବନର ଶୋଚନୀୟ ଇତିହାସ । କିପରି ଭାବରେ ନିଶୀଥ ରାତ୍ରରେ ତାଙ୍କୁ ଚାଲିଯିବାକୁ ହୋଇଥିଲା—ତା’ପର ଠାରୁ ସହସ୍ର ଚେଷ୍ଟାରେ ବି ଲୁସୀର ମାଆ ଆଉ ତାଙ୍କ ଖବର ପାଇ ନାହିଁ । ସବୁ କଥା ଖୋଲି କହିସାରି କହିଲେ—ଆମେ ବ୍ୟାଙ୍କର ଲୋକ, ଆମର କାହାରି ନାମ ଧରିବା ଉଚିତ ନୁହେଁ, ଖାଲି ଏତିକି କହି ରଖୁଛି ଯେ, ତାଙ୍କ ନିକଟରେ ଫ୍ରାନ୍ସରେ ପ୍ରାୟ ସବୁ ବଡ଼ ବଡ଼ କାରାଗାରରେ ବନ୍ଦୀ କରି ରଖିବାର ଆଦେଶ-ପତ୍ର ଥାଏ, ଖାଲି ନାମଟି ଲେଖି ଯେ କୌଣସି ଲୋକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେ କାରାଗାରକୁ ପଠାଇପାରନ୍ତି । ଏତେ ବଡ଼ ତା’ର କ୍ଷମତା’ ଯେ ତୁମର ମାଆ ବହୁ ଉଚ୍ଚପଦସ୍ଥ ଲୋକଙ୍କୁ, ଏପରିକି ସ୍ଵୟଂ ମହାରାଜଙ୍କୁ ଧରି ବି ଟିକିଏ ଖବର ପାଆନ୍ତି ନାହିଁ । ନିଜେ ଯେଉଁ ନିଦାରୁଣ ସଂଶୟ ଭିତରେ ଦିନ କଟାଇଛନ୍ତି ପଛରେ ସେହି ସଂଶୟ ତୁମ ବାଲ୍ୟ ଜୀବନକୁ କାଳେ ବିଷାକ୍ତ କରିଦେଇପାରେ, ଏଇଥି ପାଇଁ ସେ ତୁମକୁ ତୁମ ବାପାଙ୍କ ମୃତ୍ୟୁ ଖବର ଜଣାଇଥିଲେ । କିନ୍ତୁ—

 

ମିଷ୍ଟର ଲରୀ ଏହି ପର୍ଯ୍ୟନ୍ତ କହି ଟିକିଏ ଇତସ୍ତତ ହେବାକୁ ଲାଗିଲେ । କିନ୍ତୁ ବିଚରା ଲୁସୀର ସେତେବେଳେ ଶୋଚନୀୟ ଅବସ୍ଥା, ସନ୍ଦେହରେ ଓ ଭୟରେ ତା’ର ଛାତି ଦୁରୁ ଦୁରୁ କମ୍ପୁଛି-। ସେ ଦୁଇ ହାତ ଯୋଡ଼ି କହିଲା—ଜୁହାର ଆପଣଙ୍କ, କି କଥା ଆଉ କହିବାର ଅଛି କୁହନ୍ତୁ-

 

ମିଷ୍ଟର ଲରୀ କହିଲେ, ବର୍ତ୍ତମାନ ଜଣାଯାଇଛି ଯେ ତୁମ ବାବା ବଞ୍ଚିଛନ୍ତି, ତାଙ୍କୁ ବ୍ୟାସ୍‍ଟିଲର କାରାଗାରରୁ ମୁକ୍ତି ଦିଆଯାଇଛି । ଏକ୍ଷଣି ସେ ତାଙ୍କର ପୁରୁଣା ଚାକରର ଘରେ ଆସି ଅଛନ୍ତି । ଅବଶ୍ୟ ତାଙ୍କର ଅନେକ ପରିବର୍ତ୍ତନ ହୋଇଛି । ଯେଉଁ ମଣିଷ ଅଠର ବରଷ ଆଗେ କାରାଗାରରେ ପ୍ରବେଶ କରିଥିଲା, ସେହି ମଣିଷଟି ଆଜି ଆଉ ବାହାରି ଆସି ନାହିଁ । ନା ଦୈହିକ, ନା ମାନସିକ କୌଣସି ସାଦୃଶ୍ୟ ଆଉ ଖୋଜିଲେ ମିଳେ ନାହିଁ । ତେବେ ବି ସେ ତୁମର ବାବା ! ତାଙ୍କର ଏ ଶୋଚନୀୟ ଅବସ୍ଥାରେ ତୁମକୁ ହିଁ ତାଙ୍କ ପାଖରେ ଠିଆ ହେବାକୁ ପଡ଼ିବ । ସେବାରେ, ସହାନୁଭୂତିର, ଭଲ ପାଇବାରେ, ପୁଣି ତାଙ୍କୁ ସୁସ୍ଥ କରିବାରେ ଚେଷ୍ଟା କରିବାକୁ ହେବ—

 

କିନ୍ତୁ ମିଷ୍ଟର ଲରୀର ସବୁ କଥା ଲୁସୀର କାନକୁ ଗଲା ନାହିଁ । ସେ ଅସ୍ଫୁଟ ସ୍ଵରରେ ଥରେ ଦି ଥର ‘ମୋ ବାବା ! ତାଙ୍କ ପ୍ରେତାତ୍ମା କଅଣ ଉଠି ଆସିଲା ? କହି ଅଜ୍ଞାନ ହୋଇ ଢଳି ପଡ଼ିଲା । ବିଚରା ଲରୀ ! ସେ ବ୍ୟସ୍ତ ହୋଇ ଡକାହକା ଆରମ୍ଭ କରି ଦେଲେ । ତାହା ଶୁଣି ହୋଟେଲର ଚାକର ଚାକରାଣୀ ଦଳ ଏବଂ ତାଙ୍କ ଗଛରେ ଲୁସୀର ଧାଇ ମିସ ପ୍ରସ୍‍ ଦୌଡ଼ି ଆସିଲେ ।

 

ମିସ୍ ପ୍ରସ୍‍ର ଚେହେରାଟା ଥିଲା ଯେପରି ଲମ୍ଵାଚୌଡ଼ା ପୁରୁଷ ପରି, ମିଜାଜଟାବି ଥିଲା ସେପରି ରୁକ୍ଷ, ଅତ୍ୟନ୍ତ କର୍କଶ ଭାଷିଣୀ ବଡ଼ ରାଗି ମାଇକିନା ବୋଲି ସମସ୍ତେ ତାକୁ ଭୟ କରନ୍ତି, କିନ୍ତୁ ଏହି ଭଳି ସ୍ତ୍ରୀ ମଣିଷଟି ବି ଲୁସୀ ନିକଟକୁ ଆସିଲେ ନରମ ହୋଇଯାଏ । ତାହାର ଯାହା କିଛି ସ୍ନେହ ଶ୍ରଦ୍ଧା ସବୁ ଏଇ ଝିଅଟି ଉପରେ ଥିଲା । ଆଜି ବି ଘରେ ପ୍ରବେଶ କରି ସେ ଏପରି ଏକ ଧକ୍କା ମିଷ୍ଟର ଲରୀକୁ ମାରିଲା ଯେ, ସେ ଛିଟିକି ଯାଇ ସେପଟ କାନ୍ଥରେ ପଡ଼ିଲେ । ତା’ ପରେ ଚାକର ଚାକରାଣୀ ଦଳକୁ ପ୍ରଚଣ୍ତ ଏକ ଧମକ । ଆଁ କରି ସମସ୍ତେ ବୋକାଙ୍କ ସରି ଠିଆ ହୋଇଛ କାହିଁକି ? ଯାଅ, ଜଲଦି ଦୌଡ଼ି ଯାଇ ପାଣି ଓ ପଙ୍ଖା ନେଇ ଆସ । ମିନିଟିଏ ଯଦି ଡେରି ହୁଏ ତାହାହେଲେ ମଜା ଦେଖାଇଦେବି ।

 

ତତ୍‍କ୍ଷଣାତ୍ ସେମାନେ ଡର ଭୟରେ ସବୁ ଆଣିବାକୁ ଗଲେ । ମିସ୍ ପ୍ରସ୍‍ ଯାଇ ଚଟାଣ ଉପରେ ବସି ପଡ଼ି ଲୁସୀର ମଥାଟି ନିଜ କୋଳରେ ରଖିଲା, ଏବଂ ତା’ପରେ ଆରମ୍ଭ କଲା ଥରେ ମିଷ୍ଟର ଲରୀଙ୍କୁ ଗାଳି ଦେବାକୁ ଆଉ ଥରେ ଲୁସୀକୁ ଆଦର କରିବାକୁ—ବେଅକଲିଆ ମଣିଷ ! ଏଇ ଟିକିଏ ନାକୁ ଦୁଧଖିଆ ଝିଅଟାକୁ ଏପରି ଭାବରେ ଭୟ ନ ଦେଖାଇ କାମର କଥା କୁହାଯାଏ ନାହିଁନା ? ପାଜି ଲୋକ କେଉଁଠିକାର ! ଆହା ଝିଅ ମୋର, ସୁନା ମୋର, ମାଣିକ ମୋର, କେତେ ଭୟ ପାଇଛି ! ବ୍ୟାଙ୍କର ଲୋକ ନା ହାତୀ ! ଲକ୍ଷ୍ମୀଛଡ଼ା, ହତଭାଗା ଲୋକ ।

 

ମିଷ୍ଟର ଲରୀ ଆଉ ଅନ୍ୟ ଉପାୟ ନ ଦେଖି ଧୀରେ ଧୀରେ ଖସିଗଲେ । ସେତେବେଳେ ତାଙ୍କର ସବୁ ଭାବନା ଯାଇ ଏକମାତ୍ର ଆଶଙ୍କା ହେଲା ଯେ ଏହି ମାଇକିନାଟା ସଙ୍ଗରେ ଯିବ ନା କଅଣ ?

 

ଯାହାହେଉ ପରଦିନ ସେମାନେ ନିରାପଦରେ ପ୍ୟାରିସରେ ପହଞ୍ଚିଲେ । ଆଲେକଜାଣ୍ତାର ମ୍ୟାନେଟଙ୍କର ପୁରୁଣା ଚାକର ଡେଫର୍ଜ ସେଣ୍ଟ ଆଣ୍ଟୋୟେନରେ ମଦ ଦୋକାନ କରିଥିଲା । ସେଣ୍ଟ ଆଣ୍ଟେୟେନ ପଡ଼ାଟା ହେଲା ଖୁବ୍ ଦରିଦ୍ର ମାନଙ୍କର । ସର୍ବଦା ଅଭାବ ଅନାଟନରେ ସେମାନଙ୍କର ମନୁଷ୍ୟତ୍ଵ ଏକ ପ୍ରକାର ଲୋପ ପାଇବାକୁ ବସିଥିଲା । ସୁତରାଂ ସେଠାକାର ରାସ୍ତାଗୁଡ଼ାକ ଯେପରି ଅପରିଷ୍କାର ସେହିପରି ଅପରିଚ୍ଛନ୍ନ ହୋଇ ସେଠାକାର ଅଧିବାସୀମାନେ ବି ଥାଆନ୍ତି । ଆଉ ଗୋଳମାଳ ଓ କଳିତକରାଳ କରିବା ଥିଲା ସେଠାରେ ନିତ୍ୟ ନୈମିତ୍ତିକ ଘଟଣା । ଏହିପରି ସେଣ୍ଟ ଆଣ୍ଟୋୟେନରେ ଗୋଟିଏ ପୁରୁଣା ଚାରିତାଲା କୋଠାତଳେ ଥିଲା ଡେଫାର୍ଜର ମଦ ଦୋକାନ । ଡେଫାର୍ଜର ଆଉ ତା’ ସ୍ତ୍ରୀ ଦୋକାନ ଚଳାନ୍ତି ଏବଂ ତଳ ତାଲାରେ ବାସ କରନ୍ତି । ବାକି ଉପରର ଘରଗୁଡ଼ାକ ଖୁଚୁରା ହିସାବରେ ଭଡ଼ା ଦିଅନ୍ତି ।

 

ଫ୍ରାନ୍ସରେ ବିଦ୍ରୋହର ନିଆଁ ଅନେକ ଦିନରୁ କୁହୁଳୁଥିଲା ଏବଂ ସେହି ନିଆଁରେ ଯେଉଁମାନେ ଗୋପନରେ ଇନ୍ଧନ ଯୋଗାଉ ଥିଲେ ତାଙ୍କ ମଧ୍ୟରେ ଡେଫାର୍ଜ ଓ ତା’ର ସ୍ତ୍ରୀ ହେଉଛନ୍ତି ପ୍ରଧାନ । ଡେଫାର୍ଜର ସ୍ତ୍ରୀ ମଦ ଦୋକାନର ଏକ ପାଖରେ ଚୁପ କରି ବସି ଜାଲ ବୁଣୁଥାଏ, କିନ୍ତୁ ତା’ରି ଭିତରେ ସେ ରାଜ୍ୟର ସବୁ ଖବର ରଖୁଥାଏ । ନିଃଶବ୍ଦ ଓ ନୀରବରେ ସେ ଷଡ଼ଯନ୍ତ୍ରର ଜାଲ ବୁଣେ ଏବଂ ଫ୍ରାନ୍ସର ରାଜଶକ୍ତିର ପ୍ରତ୍ୟେକ ଅପକୀର୍ତ୍ତି ଗୁନ୍ଥି ରଖେ, ନିଜ ମଥାରେ-। ବାଲ୍ୟକାଳର ସହସ୍ର ଅତ୍ୟାଚାର, ଯାହା ସେ ନିଜେ ଭୋଗ କରିଛି ଏବଂ ନିଜ ଚାରିପାଖରେ ଭୋଗ କରିବାକୁ ଦେଖିଛି, ତା’ ମନକୁ ପାଷାଣ କଠିନ କରିପକାଇଥିଲା । ତେଣୁ ଏହି ଅସାମାନ୍ୟ ସ୍ତ୍ରୀ ଲୋକଟି ତା’ର ସମସ୍ତ କ୍ଷମତା’ ପ୍ରୟୋଗ କରି ନିର୍ମମ ଭାବରେ ଖାଲି ପ୍ରତିହିଂସାର ନିଆଁ ଜଳାଉଥିଲା । ତାହା ନିକଟରେ କାହାରି ମାର୍ଜନା ନଥିଲା । ଅମୋଘ, ନିଷ୍ଠିର ପ୍ରତିଶୋଧହିଁ ଥିଲା ତା’ର ସାଧନା, କାମନା ।

 

ଡେଫାର୍ଜ ବି ତା’ର ପିଲାବେଳୁ ତା’ ଚାରି ପଟେ ଖାଲି ଉତ୍ପୀଡ଼ନ ଛବିହିଁ ଦେଖିଛି । କିନ୍ତୁ ତେବେ ବି ତା’ର ମନ ସ୍ତ୍ରୀ ପରି କଠିନ ହୋଇପାରି ନାହିଁ । ତାଙ୍କ ଦଳର ଗୁପ୍ତଚରମାନେ ଯେତେବେଳେ ମ୍ୟାନେଟର ମୁକ୍ତି ସମ୍ଵାଦ ଆଣିଦେଲେ, ଡେଫାର୍ଜହିଁ ତାଙ୍କୁ ନେଇ ଆସି ନିଜ ଘରେ ରଖିଲା ଏବଂ ଖୋଜ ଖବର ଦେଇ ଟେଲ୍‍ସନର ବ୍ୟାଙ୍କକୁ ଖବର ପଠାଇଲା । ସୁତରାଂ ମିଷ୍ଟର ଲରୀ ଲୁସୀକୁ ସାଙ୍ଗରେ ଧରି ଖୋଜି ଖୋଜି ଏହି ଡେପାର୍ଜର ମଦ ଦୋକାନରେ ଆସି ଉପସ୍ଥିତ ହେଲେ ।

 

ସେମାନେ ଯେତେବେଳେ ସେଣ୍ଟ-ଆଣ୍ଟୋୟେନରେ, ସେତେବେଳେ ରୀତିମତ ଗୋଳମାଳ ଚାଲିଛି । ଗୋଟିଏ ଗାଡ଼ିରେ ବୋଝାଇ ହୋଇ କେତେ ଗୁଡ଼ା ମଦର ପିପା ଯାଇଥିଲା, ତା’ ଭିତରୁ ଗୋଟିଏ ପିପା ରାସ୍ତାରେ ଖସିପଡ଼ି ଭାଙ୍ଗିଗଲା । ଉଚ୍ଚା ନିଚା ପଥର ରାସ୍ତା, କାଦୁଅ ଓ ଜଞ୍ଜାଳରେ ବୋଝାଇ ହୋଇଥିଲା । ତା’ ଭିତରେ ମଦ ପଡ଼ିଯାଇ ଏକଥରେ କାଦୁଅ ସାଙ୍ଗରେ ମିଶିଗଲା । କିନ୍ତୁ ହେଉ କାଦୁଅ, ମଦ ତ ? ଚାରିଆଡ଼ୁ ହୈଡେକରି ବୁଭୁକ୍ଷୁର ଦଳ ଆସି ପହୁଞ୍ଚିଗଲେ ଏବଂ ଦି ହାତରେ ସେହି କାଦ ଗୋଟାଇ ଖାଇବାକୁ ଲାଗିଲେ । ସେଥିପାଇଁ ତାଙ୍କ ଭିତରେ ଚାଲିଲା ଧରାଧରି, ମରାମରି । କେତେ ଅଭାବରେ ପଡ଼ିଲେ ମଣିଷ ଏପରି ତଳକୁ ଖସି ଆସିପାରେ, ତାହା ବୋଧହୁଏ ସମସ୍ତଙ୍କୁ ଅବିଦିତ ନ ଥିବ ।

 

କଅଣ ଆଉ କରିବେ ? ଏହି ଗୋଳମାଳ ଭିତରେ ମିଷ୍ଟର ଲରୀ ମଦ ଦୋକାନରେ ପହୁଞ୍ଚୁ ଡେଫାର୍ଜକୁ ଚୁପକରି ଗୋଟେ ପାଖକୁ ଡାକି ନେଇଗଲେ ଏବଂ ନିଜର ପରିଚୟ ଦେଇ ତାଙ୍କର ଆସିବାର କାରଣଟା ବି ଜଣାଇଲେ । ଡେଫାର୍ଜ ତାଙ୍କ ସ୍ତ୍ରୀକୁ ଚକ୍ଷୁର ଇଙ୍ଗିତରେ ପହରା ଦେବାକୁ କହି ଲୁସି ଓ ମିଷ୍ଟର ଲରୀକୁ ନେଇ ପଛରେ ଥିବା ଗୋଟେ ଭଙ୍ଗାବୁରା ଜରାଜୀର୍ଣ୍ଣ ସିଡ଼ିରେ ଉପରକୁ ଉଠିଲେ, ତା’ପରେ ଗୋଟେ ତାଲା ଦିଆ ଯାଇଥିବା ଘର ସାମନାକୁ ଯାଇ ସେ ପକେଟରୁ ଗୋଟେ ଚାବିନେନ୍ଥା ବାହାର କଲେ । ମିଷ୍ଟର ଲରୀ ଆଶ୍ଚର୍ଯ୍ୟ ହୋଇ କହିଲେ—ଏବେ ବି ତାଙ୍କୁ ତାଲା ଦେଇ ରଖିଛ ନା କଅଣ ?

 

ଡେଫାର୍ଜ ଥରେ ମିଷ୍ଟର ଲରୀଙ୍କ ମୁହଁ ଆଡ଼କୁ ଚାହିଁ କହିଲା—ଏତେ ଦୀର୍ଘକାଳ ଅନ୍ଧକାର ଘରେ ତାଲା ଭିତରେ ସେ ବାସ କରିଛନ୍ତି ଯେ ଆଜି ଯଦି ତାଲା ନଦେଇ ଚାଲିଯାଏ, ତାହାହେଲେ ସେ ଭୟପାଇ ପାଟିକରି କି ପେ ଅନର୍ଥ କରି ବସିବେ ତା’ର ଠିକ୍ ନାହିଁ ।

 

ଦୁଆର ଖୋଲି ଟିକିଏ ଫାଙ୍କା କରି ଡେଫାର୍ଜ କୌଣସି ପ୍ରକାରେ ପଶିଗଲା, ଏବଂ ତା’ପରେ ସେମାନଙ୍କୁ ଇଙ୍ଗିତ ଦେଲା ଭିତରକୁ ଆସିବା ଲାଗି । ମାନସିକ ଉତ୍ତେଜନାରେ ଲୁସିର ହାତ ଗୋଡ଼ ସେତେବେଳେ ଯେପରି ଅବଶ ହୋଇ ଆସୁଛି । ସେ ଚାଲି ପାରୁ ନାହିଁ ଦେଖି ମିଷ୍ଟର ଲରୀ ତା’କୁ ଏକ ପ୍ରକାର କୋଳରେ ଧରି ଭିତରକୁ ଆସିଲେ । ସେମାନେ ଆସିବା ସଙ୍ଗେ ସଙ୍ଗେ ଡେଫାର୍ଜ ଦୁଆର ବନ୍ଦ କରିଦେଇ ଭିତରଟା ମହାଆଡ଼ମ୍ଵର କରି ତାଲା ଲଟାଇ ଦେଲା ।

 

ଯେଉଁଠି ସେମାନେ ପ୍ରବେଶ କଲେ ତା’କୁ ଘର କହିବା ଆଦୌ ଉଚିତ ନୁହେଁ । କାଠକୁଟା ରଖିବାର ଗୋଟିଏ ଅନ୍ଧକାର କୋଠରୀ । ଗୋଟିଏ ମାତ୍ର ଛୋଟ ଝରକା ଅଛି ଏକ ପାଖରେ । ସେଟା ବି ସବୁ ଖୋଲା ନୁହେଁ । ସେହି ସାମାନ୍ୟ ଯେଉଁ ଆଲୁଅ ଟିକକ ଘରେ ଆସି ପଡ଼ିଛି; ସେଥିରେ କୌଣସି ଜିନିଷ ଦେଖିବାକୁ ଗଲେ କଷ୍ଟକରି ଦେଖିବାକୁ ହୁଏ । ଘରର ଚଟାଣରେ ଗୋଟିଏ ନୀଚା ବେଞ୍ଚ ଉପରେ ଏକ ଶୁଭ୍ରକେଶ ବୃଦ୍ଧ ବସିଥିଲେ । ଅତ୍ୟନ୍ତ ଶୀର୍ଣ୍ଣ, ହାଡ଼ ଜର ଜର କଙ୍କାଳସାର ଦେହ, ଅତି ପୁରାତନ ବିବର୍ଣ୍ଣ ଛିଣ୍ତା କାମିଜ ଓ ପାଇଜାମା ପିନ୍ଧିଛନ୍ତି, ମୁହଁରେ ନିଶ ଦାଢ଼ି, ଲମ୍ଵା ଲମ୍ଵା ବାଳ ଯେପରି ପ୍ରେତାତ୍ମାର ମୂର୍ତ୍ତି । ବୃଦ୍ଧ ସାମନାକୁ ଝୁଙ୍କି ପଡ଼ି ଏକ ମନରେ ଗୋଟେ ଜୋତା ତିଆରି କରୁଥିଲେ, ବେଞ୍ଚ ଉପରେ, ତଳେ ଗୋଡ଼ କତିରେ, କେତେ ଗୁଡ଼ାଏ ଚମଡ଼ାର ଖଣ୍ତ ବିଶେଷ ଓ ଯନ୍ତ୍ରପାତି ଇତସ୍ତତ ହୋଇ ପଡ଼ିଥିଲା । ଏକ ମନରେ ଦେହ ନୁଆଁଇ ସେ କାମ କରିବାରେ ଲାଗିଥିଲେ । ଏତେଗୁଡ଼ାଏ ଲୋକ ଯେ ଘରେ ପଶିଲେଣି ତାହା ସେ ଶୁଣିବାକୁ ବି ପାଇଲେ ନାହିଁ ।

 

ଡେଫର୍ଜ ତାଙ୍କୁ ଟିକିଏ ଦୂରରେ ରଖି ନିକଟକୁ ଆଗେଇଗଲା, ଏବଂ କହିଲା— ଶୁଣୁଛନ୍ତି-? ଝରକାଟା ଟିକିଏ ବେଶୀ ଖୋଲିଦେବି ?

 

ବୃଦ୍ଧ ହାତ ବଢ଼ାଇ ଅତ୍ୟନ୍ତ ଅସହାୟ ଭାବରେ ଥରେ ଚାରିଆଡ଼କୁ ଚାହିଁଲେ । ଶବ୍ଦଟା କେଉଁଠୁ ଆସୁଛି, ଯେପରି ସେତକ ବୁଝିବାକୁ ବି ତାଙ୍କୁ ଟିକିଏ ସମୟ ଲାଗିଲା, ତା’ପରେ ପ୍ରଶ୍ନକର୍ତ୍ତାଙ୍କ ମୁହଁଆଡ଼କୁ ଶୂନ୍ୟଦୃଷ୍ଟିରେ ଅନାଇ ସେ କହିଲେ—ଖୋଲିଦେବି ? ଦିଅ ।

 

ଡେଫାର୍ଜ ପଚାରିଲା—ଆଖିକୁ ଲାଗିବ ନାହିଁ ? ଆଲୁଅ ସହ୍ୟ ହେବ ତ ? ଗୋଟେ କ୍ଷୀଣ, ଅତି କ୍ଷୀଣ, ଯେପରି ଅସ୍ଫୁଟ ଆର୍ତ୍ତନାଦ ପରି ଦୀର୍ଘଶ୍ଵାସ ପକାଇ ବୃଦ୍ଧ ଜବାବ ଦେଲେ—ଖୋଲିଦେଲେ ସହ୍ୟ କରିବାକୁହିଁ ହେବ ! କଅଣ କରିବି—

 

ତା’ପରେ ସେ ପୁଣି ଝୁଙ୍କି ପଡ଼ଲେ ନିଜ କାମରେ । ବୃଦ୍ଧଙ୍କ କଣ୍ଠସ୍ଵର ବି କ୍ଷୀଣ । ଯେଉଁଲୋକ ବହୁଦିନ ପୃଥିବୀର ଆଲୋକ, ପୃଥିବୀର କୋଳାହଳ, ମନୁଷ୍ୟର କଣ୍ଠସ୍ଵରରୁ ବଞ୍ଚିତ ଥିଲା, ସେ ଲୋକ ନିକଟରେ ଅତି କ୍ଷୀଣ ଶବ୍ଦ ବି କୋଳାହଳ ବୋଲି ମନେ ହେଲା । ମନୁଷ୍ୟର ଗଳାର ଆବାଜ ପାଇ ବି ଯେ ସେ ଚମକି ଉଠିଲେ, ତା’ର ବି ବୋଧ ହୁଏ ଏହାହିଁ କାରଣ ।

 

ଆଉ କେତେ ମିନିଟ ପରେ ଡେଫାର୍ଜ କହିଲା—ଶୁଣୁଛନ୍ତି, ଏମାନେ ସମସ୍ତେ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ ଆସିଛନ୍ତି ଯେ !

 

ପୁଣି କିଛିକ୍ଷଣ ଇତସ୍ତତଃ କରି ବୃଦ୍ଧ ମୁହଁଟେକି ଅସହାୟ ଭାବରେ ଚାହିଁଲେ । ତା’ପରେ ଅସ୍ଫୁଟ ସ୍ଵରରେ ସେ କହିଲେ—ମୋତେ କଅଣ କିଛି କହିଲ?

 

ହୁଁ, ଏମାନେ ଆପଣଙ୍କ କାମ ଦେଖିବାକୁ ଚାହାନ୍ତି । କି ଜୋତା ଅଛି ଦେଖାନ୍ତୁ ନା ।

 

ମନୁଷ୍ୟତ୍ଵର ଏହି ଶୋକବହ ଦୁର୍ଦ୍ଦଶାରେ ମିଷ୍ଟର ଲରୀଙ୍କ ଚକ୍ଷୁରେ ଜଳ ଭରି ଆସିଥିଲା-। ତେବେ ସେ ବ୍ୟାଙ୍କର ଲୋକ କି ନା, କାମ ତାଙ୍କର ସମସ୍ତଙ୍କ ଉପରେ । ସେ ଆଗେଇ ଆସି ପଟେ ଜୋତା ହାତରେ ଉଠାଇ ନେଲେ ।

 

ଡେଫାର୍ଜ କହିଲା—କି ରକମ ଜୋତା ଏହାକୁ ଟିକିଏ ବୁଝାଇ ଦିଅ ।

 

ଅନେକ କ୍ଷଣ ଚୁପ ରହି ସ୍ଵପ୍ନରୁ ଉଠିଲା ଭଳି ବୃଦ୍ଧ କହିଲେ—କଅଣ କହିଲ ମୋର ମନେ ନାହିଁ, କଅଣ କରିବାକୁ ହେବ ?

 

ଡେଫାର୍ଜ କହିଲା—ଜୋତାଟା ଭଲ କି ମନ୍ଦ ଟିକିଏ ବୁଝାଇଦେବେ ନାହି ?

 

ବୃଦ୍ଧ ସେତେବେଳେ କେତେକ ପରିମାଣରେ ଅଭ୍ୟାସବଶତଃ କହିଗଲେ—ମହିଳାଙ୍କ ଜୋତା, ଏ ହେଲା ଆଜି କାଲିକା ଫେସନ । ମୁଁ ଅବଶ୍ୟ ନିଜେ ଦେଖି ନାହିଁ, ତେବେ ନମୁନା ପରି କରିଛି । ଖୁବ୍ ମଜଭୁତ୍‍ ।

 

କଥା କହିବା ସମୟରେ ଯେପରି ଟିକିଏ କ୍ଷୀଣ ଗର୍ବର ଭାବ ବୃଦ୍ଧଙ୍କ ଶୀର୍ଣ୍ଣ ବିବର୍ଣ୍ଣ ମୁହଁରେ ଫୁଟି ଉଠିଲା । ତା’ପରେ ପୁଣି ସେ ମଥାତଳକୁ କଲେ । ମିଷ୍ଟର ଲରୀ ପ୍ରଶ୍ନ କଲେ—ଆପଣ କଅଣ ବରାବର ଜୋତା ତିଆରି କରନ୍ତି ?

 

ମୁଁ ? ନା । ମୁଁ ଏଠାକୁ ଆସି ଶିଖିଛି । ନିଜେ ନିଜେ ଶିଖିଛି । କହୁଁ କହୁଁ ରହିଯାଇ ମଥାତଳକୁ କରି ସେ କହିଲେ । ତା’ପରେ ପୁଣି କିଛିକ୍ଷଣ ପରେ ନିଜେ ମଥାଟେକି ମିଷ୍ଟର ଲରୀଙ୍କ ଆଡ଼କୁ ଅନାଇଁ ଯେପରି ଚମକି ଉଠିଲେ ଏବଂ ତା’ପରେ ଆଗ କଥାଉ ଖିଅ ଧରି କହିଲେ—ସେମାନଙ୍କୁ ଢେରି କହି ବୋଲି ଏ କାମ କରିବାର ଅନୁମତି ପାଇଥିଲି ।

 

ମିଷ୍ଟର ଲରୀ ଜୋତାଟା ପକାଇଦେଇ କହିଲେ—ଆଚ୍ଛା ଡାକ୍ତର ମ୍ୟାନେଟ ମୋତେ କଅଣ ଆପଣଙ୍କର ଟିକିଏ ବି ମନେପଡ଼େ ନାହିଁ ?

 

ମ୍ୟାନେଟ ଅନେକ ସମୟ ଶୂନ୍ୟଦୃଷ୍ଟିରେ ତାଙ୍କ ମୁହଁରେ ଚାହିଁ କହିଲେ—ମାନେ ? କିଜାଣି ! ସେ ଅନେକ ଦିନର କଥା । କାହିଁ କିଛି ତ ମନେ ପଡ଼ୁ ନାହିଁ ।

 

ଆପଣଙ୍କ ନାମ କଅଣ ମନେ ଅଛି ?

 

ମୋ ନାମ ? ନାମ ଜାଣିବାକୁ ଚାହୁଁଛନ୍ତି ?

 

ହଁ, ଆପଣଙ୍କ ନାମ ।

 

ମୁଁ ନର୍ଥ ଟାଓ୍ୟାରର ୧୦୫ ନମ୍ଵର କୟଦୀ ।

 

ମିଷ୍ଟର ଲରୀ ତତ୍‍କ୍ଷଣାତ୍ ଡେଫାର୍ଜର ଗୋଟିଏ ହାତଧରି କହିଲେ, ଏହା ଆଡ଼କୁ ଅନାଇ ଦେଖନ୍ତୁ ତ । ଏହାକୁ କଅଣ ଆପଣଙ୍କର ମନେପଡ଼େ ନାହିଁ? ସେହି ପୁରୁଣା ଚାକର, ଆପଣଙ୍କ ବ୍ୟାଙ୍କର କର୍ମଚାରୀ, ପୁରୁଣା ଦିନର କୌଣସି କଥା କଅଣ ମନେପଡ଼େ ନାହିଁ ? ଭଲ କରି ଚାହାଁନ୍ତୁ, ଚାହିଁ ଦେଖନ୍ତୁ ତ ।

 

ବହୁ ବହୁ ଯୁଗର ଆରପାରିରୁ ଯେପରି ଗୋଟିଏ ତୀକ୍ଷ୍‌ଣ ବୁଦ୍ଧି, ଚିନ୍ତା ଶକ୍ତିର ଛାୟା ଧୀରେ ଧୀରେ ସେହି ବିହ୍ଵଳ ମୁଖ ଉପରେ ଫୁଟି ଉଠିଲା । କିଛିକ୍ଷଣ ଯେପରି ମନ ଭିତରେ ଗୋଟାଏ କି ସ୍ପଷ୍ଟ ଧାରଣାର ଚେଷ୍ଟା ଚାଲିଲା । ପୁଣି ପରକ୍ଷଣରେ ଟିକିଏ ଟିକିଏ କରି ସେ ଭାବଟା ମିଳାଇଗଲା । କିନ୍ତୁ ସେହି ଅଳ୍ପ ସମୟ ଟିକକ ମଧ୍ୟରେ ମିଷ୍ଟର ଲରୀଙ୍କର ଅନେକ ଦିନ ଆଗର ଡାକ୍ତର ମ୍ୟାନେଟଙ୍କୁ ଚିହ୍ନିନେବାକୁ ଡେରିହେଲା ନାହିଁ । ଯେପରି ବୃଦ୍ଧଙ୍କର ଏହି ଜୀର୍ଣ୍ଣ କଙ୍କାଳ ମଧ୍ୟରେ କ୍ଷଣକାଳ ପାଇଁ ମ୍ୟାନେଟଙ୍କର ଆତ୍ମାର ସଞ୍ଚାର ହେଲା ।

 

ଲୁସୀ ଏତେବେଳ ଯାଏ ଗୋଟିଏ କୋଣରେ ଠିଆହୋଇ ନୀରବରେ ଅଶ୍ରୁପାତ କରୁଥିଲା । ସେ ଏଥର ଡାକ୍ତର ମ୍ୟାନେଟଙ୍କର ଖୁବ୍ ନିକଟରେ ଆସି ଠିଆହେଲା ।

 

ଡେଫାର୍ଜ ବୁଝିଲା ଯେ, ଏଥର ଆଉ ସେମାନଙ୍କର କିଛି କରିବାର ନାହିଁ । ଉପଯୁକ୍ତ ଚିକିତ୍ସକ ଆସିଛି । ସେ ମିଷ୍ଟର ଲରୀଙ୍କୁ ନେଇ ଦୂରକୁ ଘୁଞ୍ଚିଗଲା । ଡାକ୍ତର ମ୍ୟାନେଟ ମୁଣ୍ତତଳକୁ ପୋତି କାମ କରି ଯାଉଥିଲେ । ସହସା ଚମଡ଼ା କଟା ଗୋଟେ ଛୁରୀର ଦରକାର ହେବାରୁ ତଳୁ ଉଠାଇନେବାକୁ ଯାଇ ତାଙ୍କ ଚକ୍ଷୁ ପଡ଼ିଲା ଲୁସୀ ଆଡ଼େ । ସେ ଟିକିଏ ରହିଯାଇ ଆସ୍ତେ ଆସ୍ତେ ଚକ୍ଷୁ ଉଠାଇ ଲୁସୀର ମୁହଁଆଡ଼େ ଚାହିଁ ଚମକି ଉଠିଲେ । ଶିଶିର ସିକ୍ତ ଶତଦଲ ପରି ସୁନ୍ଦର ଝିଅଟି ସଜଳ ଚକ୍ଷୁରେ ତାଙ୍କଆଡ଼କୁ ଚାହିଁ ଠିଆହୋଇଛି । ଏ ଦୃଶ୍ୟ ବୃଦ୍ଧଙ୍କ ନିକଟରେ ଏତେ ଅସ୍ଵାଭାବିକ ଯେ ସେ ଯେପରି କ୍ରମଶ ଭୀତ ହୋଇପଡ଼ିଲେ ଅର୍ଦ୍ଧସ୍ଫୁଟ ଅଥଚ ଆର୍ତ୍ତସ୍ଵରରେ ପ୍ରଶ୍ନ କଲେ ସେ—ଏ, ଏସବୁ କଅଣ ?

 

ଲୁସୀ ସେ କଥାର ଜବାବ ନଦେଇ ଆହୁରି କତିରେ, ତା’ପରେ ଏକବାରେ ତାଙ୍କ ପାଖରେ ଆସି ବସିପଡ଼ିଲା । ଡାକ୍ତର ମ୍ୟାନେଟ ଯେତେବେଳେ ସଭୟରେ ଟିକିଏ ଘୁଞ୍ଚିଗଲେ, ସେତେବେଳେ ଲୁସୀ ଆସ୍ତେ ଆସ୍ତେ ତାଙ୍କ କାନ୍ଧ ଉପରେ ହାତ ରଖିଲା । ସେ କିୟତ୍‍ ପରିମାଣରେ ହତଭମ୍ଵ ହୋଇ ତା’ ମୁହଁଆଡ଼କୁ ଚାହିଁ ବସିରହି ଲୁସୀର ହାତଟା କାନ୍ଧ ଉପରୁ ଖସାଇଦେଲେ । ତା’ପରେ କମ୍ପିତ ହାତରେ ବୁକୁ ଭିତରୁ ଟିକିଏ ମନିଆ କନାରେ ବନ୍ଧା ହୋଇଥିବା ଗୋଟିଏ ଛୋଟ ପୁଟୁଳି ସେ ବାହାର କଲେ । ଶୀଘ୍ର ଶୀଘ୍ର ସେହି ପୁଟୁଳିଟି ଖୋଲନ୍ତେ ତା’ ଭିତରୁ ବାହାରିଲା ପ୍ରାୟ ଦୁଇ ତିନିଟା କାହା ମୁଣ୍ତର କେଶ । ସେହି କେଶ ଅତି ସନ୍ତର୍ପଣରେ ହାତରେ ଉଠାଇ ନେଇ ଲୁସୀର କେଶ ସହିତ କିଛିକ୍ଷଣ ମିଳାଇ ଦେଖି ସେ ଲୁସୀର ମୁହଁଆଡ଼କୁ ଚାହିଁ କହିଲେ—ସେହି କେଶ ଏକତାରେ ଏକ । କିନ୍ତୁ ଏହା କିପରି ହେଲା ?—ତୁ କଅଣ ସେହି ?—ନା—ତାହା ବା କିପରି ହେବ ? ସେ ଯେ ଅନେକ ଦିନ ତଳର କଥା ।

 

ତା’ପରେ କେତେକ ପରିମାଣରେ ଯେପରି ଆପଣା ମନେ ମନେ କହି ଚାଲିଲେ ସେ, ସେ ଦିନ ରାତିରେ ଯେତେବେଳେ ବାହାରି ଆସେ, ସେତେବେଳେ ସେ ଢେର ସମୟ ମୋ କାନ୍ଧ ଉପରେ ମଥାରଖି ଠିଆ ହୋଇଥିଲା । ମୋତେ ଆସିବାକୁ ନିଷେଧ କରିଥିଲା । କିନ୍ତୁ ମୁଁ ଶୁଣିଲି ନାହିଁ । ତା’ପରେ ଯେତେବେଳେ ନର୍ଥ ଟାଓ୍ୟାରରୁ ଆସିଲି, ସେତେବେଳେ ଦେଖିଲି ଏହି କେତୋଟି ତା’ର ମଥାର କେଶ ମୋ ଜାମା ହାତରେ ଲାଗି ଯାଇଛି । ଏହି କେତୋଟି କେଶ ତା’ର ସ୍ମୃତି ଚିହ୍ନ ରୂପେ ମୁଁ ତା’ଠାରୁ ଚାହିଁ ନେଇଥିଲି ଭିକ୍ଷା ସ୍ଵରୂପ । କିନ୍ତୁ ତୁ କଅଣ ସେହି ଲୋକ ? ନା, ନା, ତୁ ଯେ ପିଲା ଲୋକ, ଆଉ ସେ ହେଲା ଅନେକ ଦିନର କଥା । ସେ ମୋର ବନ୍ଦୀ ଦଶା ଆଗର କଥା । ବହୁ ଦିନ, ବହୁ ବର୍ଷ ଆଗର କଥା । ସେତେବେଳେ ମୁଁ ବୃଦ୍ଧ ହୋଇ ନାହିଁ । ସେତେବେଳେ ମୋର ବି ଯୌବନ ଥିଲା ।

 

ଲୁସୀ ଆଉ ରହିପାରିଲା ନାହିଁ । ସେ ଦୁଇ ହାତ ବଢ଼ାଇ ଅସହାୟ ଦୁର୍ବଳ ବୃଦ୍ଧର ମଥାଟା ନିଜ ଛାତିଆଡ଼କୁ ଟାଣିନେଲା । ତା’ର ରେଶମ ଭଳି ସୁନେଲି କେଶ ସହିତ ବୃଦ୍ଧର ପକ୍ଵକେଶ ମିଶିଗଲା, ଯେପରି ଆଶାହୀନ ଆନନ୍ଦହୀନ ଜୀବନ ମଧ୍ୟରେ ସ୍ଵାଧୀନତାର ସୂର୍ଯ୍ୟାଲୋକ ଆସି ପଡ଼ିଗଲା । ଲୁସୀ ତାଙ୍କୁ ଛୋଟ ପିଲାଟି ଭଳି ବୁକୁ ମଧ୍ୟରେ ଚାପିଧରି ତାଙ୍କ କାନରେ କେତେ କଅଣ ସାନ୍ତ୍ଵନାର କଥା ଶୁଣାଇବାକୁ ଲାଗିଲା । ସେହି ମଧୁର ଅଥଚ କରୁଣ କଣ୍ଠସ୍ଵରରେ ସେହି ନିଦାରୁଣ ବୁକୁଫଟା ସାନ୍ତ୍ଵନାର ବାଣୀରେ ଅର୍ଦ୍ଧୋନ୍ମଦ ବୃଦ୍ଧଙ୍କର ଅର ମିଳାଇ ଯାଇ ତାଙ୍କର ବହୁଦିନର ଶୁଷ୍କ ଚକ୍ଷୁରୁ ଦୁଇକୂଳ ବହି ଜଳଝରି ପଡ଼ିବାକୁ ଲାଗିଲା । ବହୁଦିନ ପରେ ବାପ ଓ ଝିଅର ଏହି ସକରୁଣ ମିଳନର ମର୍ମନ୍ତୁଦ ଦୃଶ୍ୟରେ ଘରେ ଉପସ୍ଥିତ ଆଉ ଦୁଇଜଣଙ୍କ ଚକ୍ଷୁ-ବି ସଜଳ ହୋଇଉଠିଲା ।

 

ବହୁକ୍ଷଣ କାନ୍ଦି କାନ୍ଦି ଶାନ୍ତ ହୋଇ ବୃଦ୍ଧ ଘୁମେଇ ପଡ଼ିଲେ । ତାଙ୍କ ମଥା ମାଟିତଳେ ଝୁଙ୍କିପଡ଼ିଲା, ଆଉ କ୍ରମେ ସେ ଚଟାଣରେ ଶୋଇପଡ଼ିଲେ । ଲୁସୀ ବି ତାଙ୍କ ସାଙ୍ଗରେ ମାଟିରେ ଶୋଇଲା । ତା’ ହାତ ଉପରେ ବୃଦ୍ଧଙ୍କର ମଥାଟା ରଖି ଆଉ ଗୋଟିଏ ହାତରେ ତାଙ୍କ ମଥାରେ ହାତ ଉପରେ ବୃଦ୍ଧଙ୍କର ମଥାଟା ରଖି ଆଉ ଗୋଟିଏ ହାତରେ ତାଙ୍କ ମଥାରେ ହାତ ବୁଲାଉ ବୁଲାଉ ଲୁସୀ କହିଲା—ଯଦି ସମ୍ଭବ ହୁଏ, ଆପଣମାନେ ଏକ୍ଷଣି ଯାତ୍ରାର ଆୟୋଜନ କରନ୍ତୁ । ମୁଁ ଏକବାରେ ଏଠାରୁ ଏହାଙ୍କୁ ନେଇଯିବାକୁ ଚାହେଁ ।

 

ମିଷ୍ଟର ଲରୀ କହିଲେ କିନ୍ତୁ ଏହି ଅବସ୍ଥାରେ କଅଣ ୟାଙ୍କୁ ନେଇଯାଇ ହେବ ?

 

ଲୁସୀ କହିଲା— ହେବ ହେବ । ମୁଁ ଠିକ୍ ୟାଙ୍କୁ ନେଇଯିବି । କିନ୍ତୁ

 

ଯେଉଁଠି ସେ ଏତେ ଦୁଃଖ, ଏତେ ବେଦନା ପାଇଛନ୍ତି, ସେଠାରେ ମୁଁ ଦିନକ ପାଇଁ ବି ତାଙ୍କୁ ଆଉ ରଖିବାକୁ ଚାହେନା ।

 

ଡେଫାର୍ଜ କହିଲା—ତାଙ୍କ ପକ୍ଷରେ ଏଠାରେ ରହିବା ବି ଖୁବ୍ ନିରାପଦ ନୁହେଁ । ଯେତେ ଶୀଘ୍ର ଯାଇପାରନ୍ତି, ତେତେ ମଙ୍ଗଳ ।

 

ମିଷ୍ଟର ଲରୀ ସେତେବେଳେ ଡେଫାର୍ଜ ସାଙ୍ଗରେ ଘୋଡ଼ାଗାଡ଼ି ବ୍ୟବସ୍ଥା କରିବାକୁ ବାହାରିଗଲେ । ସବୁ ସଜିଲ କରି ଯେତେବେଳେ ସେମାନେ ଫେରିଆସିଲେ, ସେତେବେଳକୁ ଡାକ୍ତର ମ୍ୟାନେଟଙ୍କର ନିଦ ଭାଙ୍ଗିଗଲାଣି । ଲୁସୀ ଆସ୍ତେ ଆସ୍ତେ ତାଙ୍କୁ ନେଇ ବାହାରି ଆସିଲା । ସେ ପଦିଏ କଥା ବି-କହିଲେ ନାହିଁ । କେଉଁଠାକୁ ଯାଉଛନ୍ତି ସେ ବିଷୟରେ କୌଣସି ପ୍ରଶ୍ନ ବି ସେ ପଚାରିଲେ ନାହିଁ । ସ୍ଵପ୍ନାବିଷ୍ଟ ଭଳି ଏକାନ୍ତ ନିର୍ଭୟରେ ଲୁସୀର କାନ୍ଧରେ ଭରାଦେଇ ବାହାରିଆସି ସେ ଗାଡ଼ିରେ ବସିଲେ ।

 

ଡେଫାର୍ଜ ସହରର ଶେଷମୁଣ୍ତ ଯାଏ ସେମାନଙ୍କ ସାଙ୍ଗରେ ଗଲା । ଯେତେବେଳେ ବୁଝିଲା ଯେ, ଆଉ ବିଶେଷ ଆଶଙ୍କାର କାରଣ ନାହିଁ, ସେତେବେଳେ ସେ ତାଙ୍କ ନିକଟରୁ ବିଦାୟ ନେଇ ଫେରିଗଲା ।

 

ଗାଡ଼ିରେ ଚଢ଼ି ଲୁସୀ ପଚାରିଲା—ଏଠାକୁ ଆସିବା କଥା କ’ଣ ଏଥର ଆପଣଙ୍କର ମନେ ପଡ଼ୁଛି ?

 

ବୃଦ୍ଧ ଅସହାୟ ଭାବରେ ଚାରିଆଡ଼କୁ ଚାହିଁ ନିଜମନକୁ କହିଲେ—ଅନେକ ଦିନର କଥା, ବହୁ ଦିନ ହେଲା । ତା’ପରେ ବିଡ଼ିବିଡ଼ି କରି ଆହୁରି କେତେ ଥର ନର୍ଥ ଟାଓ୍ୟାରର ଏକ ଶହ ପାଞ୍ଚ ନମ୍ଵର କହି ସେ ଚୁପ୍ ରହିଲେ ।

 

ମ୍ୟାଡ଼ାମ୍ ଡେଫାର୍ଜ ସେମାନଙ୍କ ଯାତ୍ରା ମସୟ ଯାଏ ଠିଆହୋଇ ରାସ୍ତା ପାଖଟା ପହରା ଦେଉଥିଲା । ସେ ଥରେ ହେଲେ ବି ମୁହଁ ଉଠାଇଲା ନାହିଁ କି କେଉଁଆଡ଼େ ବି ଚାହିଁଲା ନାହିଁ । ସେହି ସମୟରେ କେବଳ ନୀରବରେ ଠିଆ ହୋଇ ସେ ଜାଲ ବୁଣିବାକୁ ଲାଗିଲା । ସେହି ଜାଲର ପ୍ରତି ଗଣ୍ଠିରେ ଏହିପରି କେତେ ଯେ ମର୍ମନ୍ତୁଦ ଘଟଣାର ଇତିହାସ ଗୁପ୍ତ ରହିଛି, ତାହା ଏକମାତ୍ର ସେହିହିଁ ଜାଣେ ।

 

ଚାରି

 

ଡାକ୍ତର ମ୍ୟାନେଟ ଯେଉଁଦିନ ବନ୍ଦୀ ହେଲେ, ତା’ ଆଗଦିନ ମାର୍କୁଇସ ଏଭାରମଣ୍ତଙ୍କ ସ୍ତ୍ରୀ ତାଙ୍କ ସାଙ୍ଗରେ ଦେଖା କରିବାକୁ ଆସିଥିଲେ । ଏଭାରମଣ୍ତ ଓ ତାଙ୍କ ଭାଇ ଯଦିଚ ଭାରି ବଦ୍‍ ପ୍ରକୃତିର ଲୋକ ଥିଲେ, ତାଙ୍କ ସ୍ତ୍ରୀ କିନ୍ତୁ ପ୍ରକୃତରେ ଖୁବ୍ ଭଲ ଲୋକ । ତାଙ୍କର ଗୋଟିଏ ମାତ୍ର ପୁଅ ଯେପରି ବାପ ଦାଦିଙ୍କର ସ୍ଵଭାବ ନ ପାଏ, ଏଥିପାଇଁ ସେ ସର୍ବଦା ଶଙ୍କିତ ଥିଲେ । ତାଙ୍କର ଐକାନ୍ତିକ ଚେଷ୍ଟା ଶେଷ ପର୍ଯ୍ୟନ୍ତ ସଫଳ ହୋଇଥିଲା । ଏଭାରମଣ୍ତ ପ୍ରଭୃତିଙ୍କର ଦୂଷିତ ବାୟୁମଣ୍ତଳ ଭିତରେ ମଣିଷ ହେଲେ ବି ତାଙ୍କ ପୁଅ ଚାର୍ଲସ୍‍ ପ୍ରକୃତରେ ମଣିଷ ହୋଇଥିଲା ।

 

ଏଭାରମଣ୍ତଙ୍କ ସ୍ତ୍ରୀ ଅଳ୍ପ ବୟସରେ ମାରା ଗଲେ । ସେତେବେଳେ ଚାର୍ଲସର ବୟସ ବେଶୀ ନୁହେଁ । ଏଭାରମଣ୍ତଙ୍କ ଭାଇ ଥିଲେ ଯମଜ । ସେ ଚାର୍ଲସର ବାବାଙ୍କ ଅବର୍ତ୍ତମାନରେ ମାର୍କୁ ଇସଙ୍କ ଗାଦିରେ ବସିଲେ । ସେ ଥିଲେ ଆହୁରି ଖରାପ । ସହସ୍ର ଉପାୟରେ ପ୍ରଜାଙ୍କୁ ପୀଡ଼ନ କରି ସେ ଟଙ୍କା ଆଦାୟ କରନ୍ତି ଏବଂ ସେହି ଟଙ୍କା ଅପରିମିତ ବିଳାସରେ ଓ ନାନା ପ୍ରକାର ଦୁଷ୍କାର୍ଯ୍ୟରେ ଅପବ୍ୟୟ କରନ୍ତି । ଚାର୍ଲସରଙ୍କ ବିବେକ ଏ ବ୍ୟବହାର ସ୍ଵୀକାର କରିବାକୁ ଚାହିଲା ନାହିଁ । ସେ ପୈତୃକ ବିଷୟର ଆଶା, ତାଙ୍କ ଦେଶ ଓ ପିତୃ-ପିତାମହଙ୍କ ବାସଭବନ ସଙ୍ଗେ ସଙ୍ଗେ ତ୍ୟାଗକରି ଲଣ୍ତନ ଚାଲିଗଲେ ଏବଂ ସେଠାକୁ ଯାଇ ନିଜ ପରିଶ୍ରମରେ ଜୀବିକା ଉପାର୍ଜନ ପାଇଁ ଚେଷ୍ଟା କରିବାକୁ ଲାଗିଲେ । ଘୃଣାରେ ଓ ଲଜ୍ୟାରେ ସେ ପୈତୃକ ନାମଟା ବି ତ୍ୟାଗ କଲେ ଏବଂ ଲଣ୍ତନକୁ ଆସି ଚାର୍ଲସ ଡାର୍ଣ୍ଣେ ନାମ ଗ୍ରହଣ କଲେ ।

 

କିନ୍ତୁ ସମୁଦ୍ର ପାର ହୋଇ ବି ତାଙ୍କ କାନରେ ବର୍ତ୍ତମାନ ମାର୍କୁ ଇସଙ୍କ କୁ-କୀର୍ତ୍ତିର କାହାଣୀ ଆସି ପହଞ୍ଚିଲା ଏବଂ ସମୟ ସମୟରେ ଅମାନୁଷିକ ଅତ୍ୟାଚାରରୁ ଅସହାୟ ପ୍ରଜାମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ନକରି ମଧ୍ୟ ରହିପାରିଲେ ନାହିଁ । ସୁତରାଂ ଲୁଚିକରି ତାଙ୍କୁ ଦୁଇଚାରି ଦିନ ଫ୍ରାନ୍ସକୁ ଫେରିଆସିବାକୁ ପଡ଼ିଲା । ଡାକ୍ତର ମ୍ୟାନେଟଙ୍କୁ ନେଇ ଲୁସୀ ଯେଉଁଦିନ ଲଣ୍ତନ ଫେରୁଛି ସେହି ଦିନ ଚାର୍ଲସ ବି ଏପରି ଗୋଟିଏ ବ୍ୟାପାରରେ ପ୍ୟାରୀକୁ ଆସିଥିଲେ ଏବଂ ଏହି ଏକା ଜାହାଜରେ ସେ ଲଣ୍ତନ ଫେରୁଥିଲେ ।

 

ଦୁର୍ଯ୍ୟୋଗର ରାତି । ତା’ପରେ ଜାହାଜଟି ଛୋଟ ଜରାଜୀର୍ଣ୍ଣ । ଏ ଅବସ୍ଥାରେ ଲୁସୀ ତା’ର ଅର୍ଦ୍ଧ-ଅଚୈତନ୍ୟ ବାବାକୁ ନେଇ ଜାହାଜରେ ଚଢ଼ି ବଡ଼ ବିପଦରେ ପଡ଼ିଥିଲା । ତା’ର ଅବସ୍ଥା ଦେଖି ଡାର୍ଣ୍ଣେ ଆସି ବାହାର ଡେକରେ ଗୋଟେ ବେଞ୍ଚ ଉପରେ ବୃଦ୍ଧଙ୍କୁ ଶୁଆଇବାର ବ୍ୟବସ୍ଥା କରିଦେଲେ । ଏବଂ ନାନା ପ୍ରକାର ଗପସପ କରି ଲୁସୀକୁ ଆଶ୍ଵାସନା ଦେଲେ ।

 

ତା’ପରେ ଆଉ ଦୁଇ ଚାରି ଥର ଏମାନଙ୍କର ଦେଖାଶୁଣା ହେଲା । କିନ୍ତୁ ଘନିଷ୍ଠ ପରିଚୟ ହେଲାବେଳକୁ ଜନ୍ ବାର୍ସାଦ୍‍ ବୋଲି ଜଣେ ଗୁପ୍ତଚରର ଚକ୍ରାନ୍ତରେ ଚାର୍ଲସ ଡାର୍ଣ୍ଣେଙ୍କ ନାମରେ ରାଜବିଦ୍ରୋହର ଅଭିଯୋଗ ଅଣାହେଲା ଏବଂ ଲୁସୀ, ତା’ର ବାବା ଓ ମିଷ୍ଟର ଲରୀଙ୍କୁ ସାକ୍ଷୀ ମଣାହେଲା ।

 

ସେତେବେଳେ ଆମେରିକାର ବିଦେଶୀ ପ୍ରଜାମାନେ ଇଂଲଣ୍ତ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି ଏବଂ ଫ୍ରାନ୍ସର ରାଜଶକ୍ତି ବିଦ୍ରୋହୀମାନଙ୍କୁ ସାହାଯ୍ୟ କରୁଛି । ଯେଉଁ ଦେଶର ପ୍ରଜାମାନେ ଚରମ ଦୁର୍ଦ୍ଦଶାଗ୍ରସ୍ତ ସେ ଦେଶର ରାଜା ଅପର ଦେଶର ପ୍ରଜାଙ୍କୁ ସ୍ଵାଧୀନତା ଯୁଦ୍ଧରେ ସାହାଯ୍ୟ କରୁଛନ୍ତି । ଯାହା ହେଉ ଡର୍ଣ୍ଣେଙ୍କ ବିରୁଦ୍ଧରେ ଅଭିଯୋଗ ହେଲା ଯେ, ସେ ପ୍ରକୃତରେ ଫରାସୀ ଲୋକ, ଫରାସୀ ଦେଶର ରାଜା ଲୁଇଙ୍କ ଆଦେଶର ସେ ଇଂଲଣ୍ତରେ ଅଛନ୍ତି । ବାର୍ସାଦ୍‍ ଏଠାରୁ ଏପକ୍ଷର ଗୁପ୍ତ ସମ୍ଵାଦ ସଂଗ୍ରହ କରି ନେଇଯାଇ ଫରାସୀ ସରକାରକୁ ଜଣାଇ ଆସେ । ବାର୍ସାଦ୍‍ର ସମ୍ଵାଦ ବିକ୍ରୟ କରିବା ପେଷା, ବିକ୍ରୟ କରିବା ଭଳି ସମ୍ଵାଦ ନ ପାଇଲେ ପେଟପାଇଁ ମଧ୍ୟ ସେ ସମ୍ଵାଦ ସୃଷ୍ଟି କରିପାରେ । ଏ କ୍ଷେତ୍ରରେ—ଚାର୍ଲସଙ୍କ ଗୋପନ ଯାତାୟତକୁ ଭିତ୍ତିକରି ସେ ଅଭିଯୋଗଟି ଗଢ଼ିଥିଲେ—

 

ଅଭିଯୋଗ ଗୁରୁତର । ସାକ୍ଷୀ ଅନେକ ଆସିଲେ । ତା’ ଭିତରେ ବାପର ହାତଧରି ବିଚାରୀ ଲୁସୀ ବି ଆସିଲା ସାକ୍ଷ୍ୟ ଦେବାକୁ । ବାର୍ସାଦ୍‍ର ଦଳର ଜଣେ ଲୋକ ନିଜର କଳ୍ପିତ ଦୁଃଖକଷ୍ଟର ଫର୍ଦ ପେଶ୍ କରି କହିଲା ଚାର୍ଲସ ପାଖରେ ସେ ଚାକିରୀ କରିଥିଲା । ଚାରିମାସ ଚାକିରୀ କରି, ଅଦାଲତରେ ହଲପ ନେଇ ସେ କହିଲା ଯେ, ଚାର୍ଲସ ଡାର୍ଣ୍ଣେଙ୍କ ପରି ପାଷାଣ୍ତ ରାଜଦ୍ରୋହୀ ଆଉ କେହି ନାହିଁ । ବାର୍ସାଦ୍‍ ବି ଶପଥ କରି ଜଣାଇଲା ଯେ, ଚାର୍ଲସଙ୍କ ପ୍ରତି ତା’ର ବ୍ୟକ୍ତିଗତ କ୍ରୋଧର କୌଣସି କାରଣ ନାହିଁ ଏବଂ ମିଥ୍ୟା ସାକ୍ଷ୍ୟଦେଇ କୌଣସି ଲାଭ ବି ନାହିଁ, କେବଳ ମାତ୍ର ଦେଶଦ୍ରୋହୀତାର ଶାସ୍ତି ଦେବାଲାଗି ତା’ର ଏତେ ପରିଶ୍ରମ । ଏମାନଙ୍କ ପରେ ପାଳି ପଡ଼ିଲା ଲୁସୀର, ସେ ସଜଳ ଚକ୍ଷୁରେ ଉଠିଆସି କାଠଗଡ଼ାରେ ଠିଆ ହେଲା । ଚାର୍ଲସଙ୍କ ବିରୁଦ୍ଧରେ କହିବାର କିଛି ନଥିଲା । କିନ୍ତୁ ତେବେ ବି ମିଛକଥା କିପରି କହନ୍ତା ? ପାଞ୍ଚବର୍ଷ ପୂର୍ବେ ଏକ ନିଶୀଥ ରାତ୍ରରେ ଚାର୍ଲସ ଯେ ସେମାନଙ୍କ ସଙ୍ଗେ ଏକ ଜାହାଜରେ ଇଂଲଣ୍ତକୁ ଫେରିଥିଲେ ଏବଂ ତାଙ୍କ ସଙ୍ଗେ ଦୁଇଜଣ ଲୋକ ଥିଲେ, ସେହି ଦୁଇଜଣଙ୍କ ସାଙ୍ଗରେ ସେ ଗୋପନରେ କଥା କହିଥିଲେ ଏ ସବୁ କଥା ତା’କୁ ଖୋଲି କହିବାକୁ ପଡ଼ିଥିଲା ।

 

ଲୁସୀ ପରେ ଡାକ୍ତର ମ୍ୟାନେଟ । ସେ ଏକ୍ଷଣି ପ୍ରକୃତିସ୍ଥ, କିନ୍ତୁ ତାଙ୍କର ସେ ଅର୍ଦ୍ଧୋନ୍ମତ ଅବସ୍ଥାର କଥା କିଛିହେଲେ ମନେ ନାହିଁ । ସେ କଥା ସେ ବ୍ୟକ୍ତ କଲେ । ଯାହାହେଉ ଯେତିକି ସାକ୍ଷ୍ୟ ନିଆଗଲା ଡାର୍ଣ୍ଣେଙ୍କୁ ଫାଶିଖୁଣ୍ଟରେ ଝୁଲାଇବା ଲାଗି ତାହା ଯଥେଷ୍ଟ । ଇତିମଧ୍ୟରେ ଗୋଟିଏ ଅଘଟଣ ନ ଘଟିଥିଲେ, ସେ ନିଶ୍ଚୟ ଝୁଲିଥାଆନ୍ତେ ।

 

ଚାର୍ଲସଙ୍କ ପକ୍ଷରୁ ଯେଉଁ ଓକିଲ ନିଯୁକ୍ତ ହୋଇଥିଲେ, ସେ ହେଉଛନ୍ତି ମିଷ୍ଟର ଷ୍ଟ୍ରାଇଭରଙ୍କର ସିଡ଼୍‍ନି କାର୍ଟନ ନାମକ ଜଣେ ସହକାରୀ । ସିଡ଼୍‍ନି ଓକିଲାତି କରୁଥିଲେ ସତ କିନ୍ତୁ ତାହା ନାମକୁ ମାତ୍ର । ସେ ନିଜେ ବ୍ୟବସାୟ କରୁ ନଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଦାଲତକୁ ଆସି ଷ୍ଟ୍ରାଇଭରଙ୍କ ନିକଟରେ ଚୂପ ହୋଇ ବସି ସେ ଅଦାଲତ ଘରର ଛାତ ଉପରକୁ ଚାହିଁ ବସିଥାନ୍ତି, ଆଉ ଯେତିକି ସମୟ ଅଦାଲତର ବାହାରେ ଥାଆନ୍ତି କେବଳ ମଦ ଖାଆନ୍ତି । ଷ୍ଟ୍ରାଇଭର ପ୍ରବୀଣ ଓକିଲ ଥିଲେ, ଯେପରି ତାର୍କିକ ସେହିପରି ଦୁଃସାହାସୀ ମଧ୍ୟ, କିନ୍ତୁ ତାଙ୍କର ଜଣେ ବଡ଼ ଓକିଲ ହେବା ଭଳି କିଛି ରୁଣ ନଥିଲା । ଆଇନର ଜଟିଳ ମୀମାଂସା ସୂକ୍ଷ୍ମାତିସୂକ୍ଷ୍ମ ଆଇନର ଫାଙ୍କ ଏହି ସବୁ ଷ୍ଟ୍ରାଇଭର ଜାଣିନଥିଲେ । କିନ୍ତୁ ସିଡ଼୍‍ନିଙ୍କ ସହିତ ତାଙ୍କର ଆଳାପ ହେବା ଦିନଠାରୁ ସମସ୍ତେ ଅବାକ୍‍ ହୋଇ ଦେଖିଲେ ଯେ, ଷ୍ଟ୍ରାଇଭରଙ୍କର ଖ୍ୟାତି ଏବଂ ପ୍ରସାର କିପରି ହୂ-ହୂ ହୋଇ ବଢ଼ିଯାଉଛି । ଷ୍ଟ୍ରାଇଭର ଯେଉଁ କେସ ହାତକୁ ନିଅନ୍ତି; ସେଥିସହିତ ସିଡ଼୍‍ନି କାର୍ଟନ ମଧ୍ୟ ଥାଆନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ଯେଉଁ କେସର ମୀମାଂସା ଷ୍ଟ୍ରାଇଭରଙ୍କ ମଥାରେ ପଶେ ନାହିଁ, ରାତି ନ ପାହୁଣୁ ତାହା ତାଙ୍କ ନିକଟରେ ଜଳପରି ନିର୍ମଳ ହୋଇଯାଏ । ଆଉ ତାଙ୍କର ଏହି ବିପୁଳ ଖ୍ୟାତିର ଖୋରାକ ଯୋଗାଉଥିଲେ ସମସ୍ତଙ୍କର ଉପେକ୍ଷିତ, ସମସ୍ତଙ୍କଠାରୁ ଅକମଣ୍ୟ ଆଇନଜୀବି ସିଡ଼୍‍ନି । ଦୁଇଜଣ ପ୍ରଚୁର ମଦ ଖାଆନ୍ତି । ପ୍ରତ୍ୟେହ ରାତିରେ ଷ୍ଟ୍ରାଇଭରଙ୍କ ଘରକୁ ଯାଇ ସିଡ଼୍‍ନି ତାଙ୍କର କାଗଜପତ୍ର ଦେଖି କେସ୍‍ ସଜାଡ଼ି ଦିଅନ୍ତି, ଜବାବ ଲେଖି ଦିଅନ୍ତି, ଆଉ ଷ୍ଟ୍ରାଇଭର କେବଳ ତାଙ୍କ କତିରେ ବସି ରାତିସାରା ତାଙ୍କୁ ମଦ ଯୋଗାଇ ଦିଅନ୍ତି । ପ୍ରଥମେ ପ୍ରଥମେ ସମସ୍ତେ ଅବାକ୍ ହୋଇ ଭାବିଲେ ଯେ, କିପରି ଷ୍ଟ୍ରାଇଭର୍‍ ଏହି ଜଟିଳ ବ୍ୟାପାର ଗୁଡ଼ିକର ମୀମାଂସା କରନ୍ତି ଏବଂ ସିଡ଼୍‍ନିଙ୍କ ଭଳି ଅକର୍ମଣ୍ୟ ଲୋକ ସହିତ ତାଙ୍କର ବା ଏତେ ଘନିଷ୍ଠତା କାହିଁକି ? କିନ୍ତୁ କ୍ରମେ ଯେତେବେଳେ ସେମାନେ ବ୍ୟାପାରଟି ବୁଝିପାରିଲେ ସେତେବେଳେ ସେମାନେ ଏହି ଦୁଇଜଣଙ୍କର ନାମକରଣ କରିଲେ ।

ମଣିଷ ପରିଶ୍ରମ କରେ ଅର୍ଥ ପାଇଁ, ଖ୍ୟାତି ପାଇଁ । କିନ୍ତୁ ଅର୍ଥ କୁହ ବା ଖ୍ୟାତି କୁହ, ସେଥିରେ ମଣିଷର ପ୍ରୟୋଜନ କେତେ ଟିକିଏ ? ଯେଉଁମାନଙ୍କୁ ଆମେ ଭଲ ପାଉ, ବା ଯେଉଁ ଆତ୍ମୀୟ ସ୍ଵଜନମାନେ ଆମମାନଙ୍କୁ ଭଲପାଆନ୍ତି, ସେମାନଙ୍କର ମୁଖ ଚାହିଁ ଆମ୍ଭମାନଙ୍କର ଯେତେ କିଛି ପରଶ୍ରମ, ଯେତେ କିଛି ବଡ଼ ହେବାର ଚେଷ୍ଟା ତ ? ଏହି ସଂସାରରେ ସିଡ଼୍‍ନିଙ୍କର ଆପଣାର ବୋଲି କେହି ନଥିଲେ । ବାପ, ମାଆ ଭାଇ, ଭଉଣୀ,ସ୍ତ୍ରୀ ପୁତ୍ର କେହି ନଥିଲା ।

ଶାସନ କରିବା, ଭଲ ପାଇବା କିମ୍ଵା ଉତ୍ସାହ ଦେବା ଭଳି ଲୋକ ମଧ୍ୟ କେହି ତାଙ୍କର ନଥିଲା । କିଏ ତାଙ୍କୁ ଉତ୍ସାହ ଦେବ ? ଜୀବନର କଠିନ ଯୁଦ୍ଧରେ ସେ କାହାର ମୁଖ ଚାହିଁ, କି ଆଶାରେ ଲଢ଼ାଇ କରିବେ ?

କେବଳ ଏହି କାରଣରୁ ସେ ଜାଣି ଜାଣି ନିଜର ଜୀବନକୁ ନଷ୍ଟ କରିଦେଇଥିଲେ ଏବଂ ସେହି ବ୍ୟର୍ଥ ଜୀବନର ବେଦନାକୁ ଭୁଲିଯିବା ପାଇଁ ସେ ଦିନରାତି ମଦ ଭିତରେ ବୁଡ଼ି ରହୁଥିଲେ । କିନ୍ତୁ ତଥାପି ପ୍ରକୃତରେ ଯେ, ମହତ୍‍ ସେ ଯେତେ ତଳେ ପଡ଼ିଥାଉନା କାହିଁକି ତା’ର ମହତ୍‌ ଗୁଣ କଦାପି ଆଦୌ ନଷ୍ଟ ହୋଇଯାଏ ନାହିଁ । ସିଡ଼୍‍ନି କଅଣ କେବେ ହେଲେ ଉଚ୍ଚଆଶାର ସ୍ଵପ୍ନ ଦେଖୁ ନଥିଲେ ? ହୁଏତ ସେହି ଆଶା ସୁନାର ଡେଣା ମେଲାଇ ତାଙ୍କ ଆଗରେ ଆସି ମଝିରେ ମଝିରେ ଠିଆ ହୁଏ, କିନ୍ତୁ କିଏ ତାଙ୍କର ସେ ସ୍ଵପ୍ନ ସାର୍ଥକ କରିବ ? ଏପରି ଲୋକ, ଯେ ପ୍ରକୃତରେ ତାଙ୍କୁ ଭଲ ପାଏ, ତାଙ୍କୁ ବଡ଼ ହୋଇ ଦେଖିବାକୁ ଚାହେଁ ଏବଂ ତାଙ୍କୁ ବଡ଼ ମଧ୍ୟ କରିପାରେ, ତାଙ୍କ ଜୀବନରେ କେହି କେବେ ଆସିଲେ ନାହିଁ । ସିଡ଼୍‍ନିଙ୍କ ଭିତରେ କେତେ ବଡ଼ ମହତ୍ଵର ବୀଜ ଛପି ରହିଥିଲା ତାହା ସମସ୍ତେ ବୁଝିପାରିବେ, ଯେତେବେଳେ ଦେଖିବେ ଯେ କେତେ ପରିମାଣରେ ଭଲପାଇବା ଓ ଆତ୍ମତ୍ୟାଗ ଏହି ଅକର୍ମଣ୍ୟ ବ୍ୟର୍ଥ ଜୀବନ ଲୋକଟି ଦ୍ଵାରାହିଁ ସମ୍ଭବ ହୋଇଥିଲା ।

ଚାର୍ଲସ ଡାର୍ଣ୍ଣେଙ୍କର କଥା ! ଷ୍ଟ୍ରାଇଭର ଯେତେବେଳେ କୌଣସିମତେ ଥଳକୂଳ ପାଉନଥିଲେ, ଚାର୍ଲସଙ୍କ ଅଦୃଷ୍ଟରେ ଫାଶିହିଁ ଅବସମ୍ଭାବୀ ବୋଲି ମନେହେଉଥିଲା, ସେତେବେଳେ ସିଡ଼୍‍ନି ସହସା କଅଣ ଭାବି ଖଣ୍ତିଏ କାଗଜରେ କଅଣ ଲେଖି ଷ୍ଟ୍ରାଇଭରଙ୍କ ଆଡ଼କୁ ବଢ଼ାଇଦେଲେ-। ସେତେବେଳେ ଜଣେ ସରକାର ପକ୍ଷର ସାକ୍ଷୀର ଜେରା ହେଉଥିଲା । ତାକୁ ଜେରା କରୁ କରୁ ଷ୍ଟ୍ରାଇଭର କାଗଜ ଖଣ୍ତିକ ଦେଖିପାରିଲେ ଏବଂ ତାଙ୍କର ମୁଖମଣ୍ତଳ ହଠାତ୍ ଉଜ୍ଜ୍ଵଳ ହୋଇଗଲା-। ସହସା ସେ ସାକ୍ଷୀଆଡ଼କୁ ବୁଲିପଡ଼ି ପଚାରିଲେ, ଆଚ୍ଛା ତୁମେ ଠିକ୍ ଚିହ୍ନିପାରୁଛ ଯେ ଏହି ଲୋକଟି ସେଦିନ ରାତିରେ ଜାହାଜରେ ଫ୍ରାନ୍ସକୁ ଫେରୁଥିଲା ।

ଦେଖ, ଭଲକରି ଚାହିଁ ଦେଖ ?

ସାକ୍ଷୀ ଥରେ ଆଡ଼କୁ ଚାହିଁ କହିଲା—ମୁଁ ଭଲ କରି ଦେଖିଛି ।

ଭୁଲ ହେବାର କୌଣସି ସମ୍ଭାବନା ନାହିଁ ?

ନା ।

 

ଆଚ୍ଛା ଏକ୍ଷଣି ମୋର ଏହି ବନ୍ଧୁଟିଙ୍କ ଆଡ଼କୁ ଥରେ ଚାହିଁ ଦେଖତ । ଏହାଙ୍କୁ ଦେଖିଥିଲ ନା ଆସାମୀକୁ ଦେଖିଥିଲ, ହଲପ କରି କହି ପାରିବ ?

 

ଷ୍ଟ୍ରାଇଭର ଆଙ୍ଗୁଳି ବଢ଼ାଇ ସିଡ଼୍‍ନିଙ୍କୁ ଦେଖାଇଦେଲେ । ସାକ୍ଷୀ ଏତେବେଳ ଯାଏ ଯେଉଁ ଭଳି ନିଶ୍ଚିନ୍ତ ଭାବରେ ଜେରୀର ଜବାବ ଦେଉଥିଲା, ସିଡ଼୍‍ନିଙ୍କ ଆଡ଼କୁ ଥରେ ଚାହିଁ ଦେବା ମାତ୍ରେ ତାହା କୁଆଡ଼େ ଉଭାଇ ଗଲା । ସେ ବିସ୍ମୟରେ ସ୍ତବ୍ଧ ହୋଇ ଚାହିଁ ରହିଲା । ସେତେବେଳେ ଅଦାଲତ ସାରା ସବୁ ଲୋକେ ପ୍ରଥମ ଥର ପାଇଁ ଲକ୍ଷ୍ୟ କଲେ ଆସାମୀ ସହିତ ଓକିଲଙ୍କର ଅଦ୍ଭୁତ ସାଦୃଶ୍ୟ ଏବଂ ଚମକି ପଡ଼ିଲେ ।

 

ଷ୍ଟ୍ରାଇଭର ଟିକିଏ ମୁଚୁକି ହସି ମହାମାନ୍ୟ ଅଦାଲତଙ୍କ ନିକଟରେ ସିଡ଼ିନଙ୍କୁ ତାଙ୍କର ପରଚୁଲା ଖୋଲି ପକାଇବା ପାଇଁ କହିବାକୁ ଅନୁମତି ଚାହିଁଲେ । ବିଚାରପତି ଭ୍ରୂକୁଞ୍ଚିତ କରି କହିଲେ, ତାହାହେଲେ ଆପଣ କ’ଣ କହିବାକୁ ଚାହାଁନ୍ତି ଯେ ଆପଣଙ୍କର ବନ୍ଧୁହିଁ ଆସାମୀ ?

 

ନା ତାହା ଅବଶ୍ୟ ମୁଁ କହିବାକୁ ଚାହେଁନା । ମୁଁ କେବଳ ଏତିକି କହିବାକୁ ଚାହେଁ ଯେ, ଯେଉଁ ଭୁଲ୍‍ ଜଣକ ପକ୍ଷରେ ହୋଇପାରେ, ତାହା ପୁଣି ଆଉଜଣକ ପକ୍ଷରେ ହୋଇପାରେ ତ ? ଏହିପରି ସାଦୃଶ୍ୟ ଯେ ଆଉ କାହା ସହିତ ଯେ ନ ଥାଇପାରେ ତା’ର ବା ପ୍ରମାଣ କ’ଣ ?

 

ଅଗତ୍ୟ ବିଚାରପତି ଅତ୍ୟନ୍ତ ଅପ୍ରସନ୍ନ ମୁଖରେ ସିଡ଼୍‍ନିଙ୍କୁ ପରଚୁଲା ଖୋଲି ପକାଇବା ପାଇଁ ଅନୁମତି ଦେଲେ । ସିଡ଼୍‍ନି ପ୍ରଶାନ୍ତ ମୁଖରେ ଠିଆହୋଇ ପରଚୁଲା ଖୋଲିପକାଇ ଅଦାଲତ ଉପରକୁ ଚାହିଁ ରହିଲେ । ସାଦୃଶ୍ୟ ଯେ କିଭଳି ଅଦ୍ଭୁତ, ତାହା ଏଥର ସମସ୍ତେ ଆହୁରି ବେଶି ବୁଝିପାରିଲେ । ବିଚରା ବାସାଦଙ୍କର ଏମିତି ସଜା ହୋଇଥିବା ମାମଲା ଏକା ଚୋଟରେ ଭୂମିସାତ୍ ହୋଇଗଲା । ଜୁରୀମାନେ ସମସ୍ତେ ଏକମତ ହୋଇ ଚାର୍ଲସ ଡାର୍ଣ୍ଣେଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କଲେ ।

 

ଚାର୍ଲସ ମୁକ୍ତ ହୋଇ ଓଲ୍ଡ଼ ବେଲିର ଅନ୍ଧକାର ବିଚାର ଗୃହରେ ବାହାରି ଆସି ମୁକ୍ତ ପ୍ରାଙ୍ଗଣରେ ଠିଆ ହେଲେ । ସେଠାରେ ଡାକ୍ତର ମାନେଟ, ଲୁସୀ, ମିଷ୍ଟର ଲରୀ, ଷ୍ଟ୍ରାଇଭର ଏବଂ ସିଡ଼୍‍ନି ସମସ୍ତେ ତାଙ୍କୁ ଘେରି ଚାରିପଟେ ଠିଆ ହେଲେ । ଲୁସୀରହିଁ ଆନନ୍ଦ ସବୁଠାରୁ ବେଶୀ, କାରଣ ବିଚରା ଚାର୍ଲସଙ୍କ ପାଇଁ ତା’ର ଏତେ ଭୟ ହୋଇଥିଲା ଯେ, ବିଚାର ଭିତରେ ଥରେ ସେ ମୂର୍ଚ୍ଛିତ ହୋଇପଡ଼ିଥିଲା । ଷ୍ଟ୍ରାଇଭର ତାଙ୍କ ସ୍ଵଭାବ ଅନୁସାରେ ପାଟିକରି ଯାଉଥିଲେ, ଆଉ ଡାକ୍ତର ମ୍ୟାନେଟ, ଚାର୍ଲସ ଡାର୍ଣ୍ଣେଙ୍କ ମୁଖଆଡ଼କୁ ନିର୍ନିମେଷ ନୟନରେ ଅନାଇ ଉପରେ ଠିଆହୋଇ କଳିଗୋଳ କରୁଥିଲେ, ମାର୍କୁ ଇସଙ୍କ ଗଡ଼ୁଆନ ଗାଡ଼ିଟାକୁ ଟିକିଏ ନ ରୋକି ବା ସେମାନଙ୍କୁ ବଞ୍ଚାଇବା ପାଇଁ ଆଦୌ ଚେଷ୍ଟା ନକରି ପୂର୍ଣ୍ଣ ବେଗରେ ଗାଡ଼ିଚଳାଇ ଦେଲା । ସେମାନଙ୍କର ବୋଧହୁଏ ବିଶ୍ଵାସ ଥିଲା ଯେ ମାର୍କୁ ଇସଙ୍କ ଗାଡ଼ି ଚଲିବା ପାଇଁ ରାସ୍ତାର ସୃଷ୍ଟି ଏବଂ ଯେଉଁ ଲୋକମାନେ ନିର୍ବୋଧ ଭାବରେ ଭିଡ଼କରି ଅନର୍ଥକ ସେହି ରାସ୍ତା ବନ୍ଦ କରିଦିଅନ୍ତି, ସେମାନଙ୍କର ମରିବାହିଁ ଉଚିତ୍‍ ! ଫଳରେ, ଯେଉଁମାନେ ବଡ଼ ଥିଲେ ସେମାନେ କୌଣସି ପ୍ରକାରେ ସେମାନଙ୍କର ଜୀବନ ରକ୍ଷା କରିପାରିଲେ, କିନ୍ତୁ ଗୋଟିଏ ବାଳକ ଯାଇ ଏକବାରେ ଚକ ତଳେ ପଡ଼ିଗଲା ।

 

ଗାଡ଼ି ଠିଆ ହୋଇଗଲା । ସମସ୍ତ ଜନତା ହାହାକାର ରବ କରିବାକୁ ଲାଗିଲା । ପିଲାଟିର ବାପ ସେଠାରେ ଥିଲା । ସେ ବିଚରା ଛାତିଫଟା ଚିତ୍କାର କରୁ କରୁ ପାଗଳ ହୋଇ ତଳେ ପଡ଼ିଗଲା ।

 

ଅତି ସନ୍ତର୍ପଣରେ ମାର୍କୁ ଇସ ଗାଡ଼ିର ଝରକା ବାଟେ ମୁହଁ ବଢ଼ାଇ, ଭ୍ରୂକୁଞ୍ଚିତ କରି ପଚାରିଲେ—କ’ଣ ହୋଇଛି ? ଏତେ ଗୋଳମାଳ କାହିଁକି ?

 

ମାର୍କୁ ଇସ ମୁହଁ ବଢ଼ାଇବା ଦେଖି, ବହୁ ଦିନର ଅଭ୍ୟାସ ହେତୁ ଜନତା ସ୍ଥିର ହୋଇଯାଇଥିଲା । ସେମାନଙ୍କ ଭିତରୁ ଜଣେ ଅଭିବାଦନ ଜଣାଇ ଭୟରେ ତାଙ୍କୁ ଜବାବ ଦେଲା–ଗୋଟିଏ ପିଲା ହଜୁର, ଗୋଟିଲା ପିଲା, ହଜୁରଙ୍କ ଗାଡ଼ି ତଳେ ଚାପା ପଡ଼ିଯାଇଛି ।

 

ମରିଯାଇଛି ?

 

ହଁ, ହଜୁର !

 

ହେଲେ, ଲୋକଟା ଏତେ ପାଟି କରୁଛି କାହିଁକି ? ତା’ରି ପିଲା ବୋଧହୁଏ ?

 

ସେହି ଲୋକଟି ପ୍ରଥମେ ମନେ କରିଥିଲା ଯେ ତା’ ପୁଅର ପ୍ରାଣ ବୋଧହୁଏ ଏକ୍ଷଣି ଅଛି । କିନ୍ତୁ ହଲାହଲି କରି ସେ ଯେତେବେଳେ ବୁଝିଲା ଯେ ସେ ଏକବାରେ ମାରା ଯାଇଛି, ସେତେବେଳେ ସେ ଦୌଡ଼ି ଆସି ଗାଡ଼ି ଆଗରେ ଠିଆ ହୋଇ ଆର୍ତ୍ତନାଦ କରିବାକୁ ଲାଗିଲା—ମରି ଯାଇଛି, ପୁଅ ମୋର ମରି ଯାଇଛି !

 

ଅତି ଅପ୍ରସନ୍ନ ବଦନରେ ମାର୍କୁ ଇସ କହିଲେ—କୃତାର୍ଥ ହୋଇଛି ! ପିଲାଛୁଆ ଗୁଡ଼ାକ ଟିକିଏ ସମ୍ଵାଳି ରଖିପାରୁ ନାହିଁ ? ଯଦି ମୋର ମୂଲ୍ୟବାନ୍ ଘୋଡ଼ା ଆଜି ଜଖମ ହୋଇଯାଇଥାନ୍ତା-? ହେଲା କି ନାହିଁ, ତାହା ବା କିଏ ଜାଣେ ?

 

ତା’ପରେ ତାଙ୍କ ପାଖରେ ଥୁଆ ହୋଇଥିବା ଗୋଟିଏ ଟଙ୍କାର ଥଳି ଉଠାଇ ନେଇ, ତାହା ଭିତରୁ ଗୋଟିଏ ମୋହର ବାହାର କରି, ସେ ସେହି ଲୋକଟି ଆଡ଼କୁ ଲକ୍ଷ୍ୟ କରି ଫିଙ୍ଗି ଦେଲେ । ତା’ପରେ ଗାଡ଼ି ଚଳେଇବା ପାଇଁ ସେ ଗାଡ଼ୁଆନକୁ ଆଦେଶ ଦେଲେ । କିନ୍ତୁ ସେହି ଲୋକଟି କିଞ୍ଚତ ବିହ୍ଵଳ ଭାବରେ ତାଙ୍କ ଆଡ଼କୁ ଚାହିଣ ରହି, ପୁଣି ଯାଇ ପିଲାଟିର ମୃତ ଦେହ ଉପରେ କଚାଡ଼ି ହୋଇ ପଡ଼ିଗଲା ।

 

କିନ୍ତୁ ଚାରିଆଡ଼େ ଜନତା ଏତେବେଳେ ଯାଏ ନୀରବରେ ଠିଆହୋଇ ରହିଥିଲା । ଏତେବଡ଼ ଅମାନୁଷିକ ବ୍ୟାପାରର କୌଣସି ପ୍ରତିବାଦ ବି ସେମାନଙ୍କ ତୁଣ୍ତରୁ ବାହାରୁ ନ ଥିଲା, ଏପରିକି ଗୋଟିଏ ମୋହର ଦ୍ଵାରା ମାର୍କୁ ଇସ ସେହି ପୁତ୍ର—ଶୋକାକୁଳ ଲୋକଟିକୁ କେତେ ଦୂର ଅପମାନ ଦେଲେ, ତାହା ବି ସେମାନେ ବୁଝିପାରୁ ନଥିଲେ । ଏଥର ସେମାନଙ୍କ ଭିତରୁ କିଏ ଜଣେ ବାହାରି ଆସି ଲୋକଟି ପାଖରେ ଠିଆ ହୋଇ ତାକୁ ସାନ୍ତ୍ଵନା ଦେଇ କହିଲେ ଭାଇ, କାନ୍ଦିଲେ ଆଉ କ’ଣ ହେବ, ଏହା ଦ୍ଵାରା ବରଂ ତା’ର କିଛି ଭଲ ହେଲା । ବଞ୍ଚିରହିଲେ ସେ ତିଳେ ତିଳେ ଶୁଖି ଶୁଖି ତୋ ଆଖି ଆଗରେ ମରିଥାନ୍ତା, ତାହାତ ତୋତେ ସହ୍ୟ କରିବାକୁ ହୋଇଥାନ୍ତା ? ତାହା ଅପେକ୍ଷା ଏହି ଏକ ମୂହୁର୍ତ୍ତରେ ସବୁ ଶେଷ ହୋଇଗଲା, କିଛି ଜାଣିପାରିଲୁ ନାହିଁ, ଏତ ବରଂ ଖୁବ ଭଲ ହୋଇଛି । ବଞ୍ଚି ରହିଥିଲେ, ତୁ ତାକୁ ଖାଇବାକୁ ଦେଇ ପାରିଥାନ୍ତୁ ?

 

ମାର୍କୁ ଇସଙ୍କର ଦୃଷ୍ଟି ଏଥର ପ୍ରସନ୍ନ ହୋଇଗଲା । ସେ ବକ୍ତାକୁ ଡାକି କହିଲେ—ବାଃ, ତୁ ର ତ ଚମତ୍କାର ବୁଦ୍ଧି ଅଛି, ମୁଁ ଦେଖି ପାରୁଛି । ଦର୍ଶନରେ ଖୁବ୍ ଭଲ ଦଖଲ ଅଛି, ସ୍ଵୀକାର କରିବାକୁ ହେବ ନିଶ୍ଚୟ । ହେ ଦାର୍ଶନିକ ମହାଶୟ, ତୁମ ନାମ କ’ଣ ଜାଣି ପାରେକି ? ତୁମେ କ’ଣ କର ?

 

ଲୋକଟି ପ୍ରଶାନ୍ତ ଦୃଷ୍ଟିରେ ମାର୍କୁ ଇସଙ୍କ ମୁହଁଆଡ଼କୁ ଅନାଇ କହିଲା—ମୋ ନାମ ଡେଫାର୍ଜ ସେଣ୍ଟ-ଆଣ୍ଟୋନୟରେ ମୋର ଗୋଟିଏ ମଦ ଦୋକାନ ଅଛି ।

 

ତା’ ଆଡ଼କୁ ଆଉ ଗୋଟିଏ ମୋହର ଫିଙ୍ଗିଦେଇ ମାର୍କୁ ଇସ କହିଲେ—ଭଲ, ଭଲ । ଚାଲ, ଗାଡ଼ି ଛାଡ଼ ।

 

ସମସ୍ତେ ଦୁଇ ପାଖକୁ ଘୁଞ୍ଚି ଯାଇ ଗାଡ଼ି ପାଇଁ ବାଟ ଛାଡ଼ିଦେଲେ । ଗାଡ଼ି ଛାଡ଼ିବାକୁ ବସିଛି, ଠକ୍ ସେହି ସମୟରେ କ’ଣ ଗୋଟାଏ ଗାଡ଼ିର ଝରକା ବାଟେ ଆସି ମାର୍କୁ ଇସଙ୍କର ଦେହ ଉପରେ ଛକ୍ କରି ପଡ଼ିଗଲା । ତତ୍‍କ୍ଷଣାତ୍ ମାର୍କୁ ଇସ ଜିନିଷଟା ଉଠାଇ ନେଇ ଦେଖିଲେ, ସେଟା ତାଙ୍କରି ମୋହର । ଝରକା ବାଟେ ମୁହଁ ଗଳାଇ ସେ ଦେଖିଲେ ଯେ ଇତି ମଧ୍ୟରେ ଡେଫାର୍ଜ ଅଦୃଶ୍ୟ ହୋଇଯାଇଛି । କ୍ରୋଧରେ ତାଙ୍କ ମୁହଁ ଓ ଆଖି ଲାଲ ହୋଇଗଲା, ଏବଂ ସେ କହିଲେ, ବଦମାସଟାକୁ ପାଇଲେ ଏଇଠି ଫାଶି କାଠରେ ଝୁଲାଇ ଦିଅନ୍ତି । ମେ ସାଙ୍ଗରେ ଚାଲାକି କରିବାର ମଜାଟା ସାଙ୍ଗେ ସାଙ୍ଗେ ପାଇ ଯାଆନ୍ତା ।

 

ଯାହାହେଉ ବକ୍ତା ଯେତେବେଳେ ନ ମିଳିଲା, ସେତେବେଳେ ବାଧ୍ୟ ହୋଇ ଗାଡ଼ି ଛାଡ଼ିବାକୁ ପଡ଼ିଲା । ସନ୍ଧ୍ୟାବେଳକୁ ଗାଡ଼ି ଯାଇ ମାର୍କୁ ଇସ ଘରେ ପହଞ୍ଚିଗଲା । ତାଙ୍କ ଘରେ ଗୋଡ଼ ଦେବା କ୍ଷଣି ମାର୍କୁ ଇସ ଅନୁସନ୍ଧାନ କରିବାକୁ ଲାଗିଲେ ଯେ, ତାଙ୍କର ଭାଇର ପୁଅ ଚାର୍ଲସ ଆସିଛି କି ନାହିଁ । ଯେତେବେଳେ ସେ ଶୁଣିଲେ ଯେ, ସେ ଆସି ନାହିଁ, ସେତେବେଳେ ନିର୍ଦ୍ଦେଶ ଦେଲେ—ଆସିବାମାତ୍ରେ ଯେମିତି ତାଙ୍କୁ ଖବର ଦିଆଯାଏ । ତା’ପରେ ଲୁଗାପଟା ବଦଳାଇ ବିଶ୍ରାମ କରିବା ପାଇଁ ସେ ନିଜ ଘରକୁ ଚାଲିଗଲେ ।

 

ମାର୍କୁଇସଙ୍କର ଅନେକ ଗୁଡ଼ିଏ ଚାକର ଥିଲେ । କୋକୋ ଖାଇବା, ଚାହା ପିଇବା, ଲୁଗାପଟା ବଦଳାଇବା ପ୍ରଭୃତି ପ୍ରତ୍ୟେକ କାମ ପାଇଁ ତାଙ୍କର ଚାରି ପାଞ୍ଚ ଜଣ ଲେଖାଏଁ ଚାକର ଦରକାର ହୁଅନ୍ତି ଏବଂ ଦଳେ ଚାକର କଦାପି ଦୁଇ ପ୍ରକାର କାମ କରନ୍ତି ନାହିଁ ।

 

ଲୁଗାପଟା ବଦଳାଇବା ସମୟରେ ସେହି ଅସଂଖ୍ୟ ଚାକରଙ୍କ ଭିତରୁ ଜଣେ ଆସି ତାଙ୍କୁ ଜଣାଇଲା ଯେ, ସନ୍ଧ୍ୟାବେଳେ ଜଣେ ଲୋକକୁ ବଗିଚା ଭିତରେ ସନ୍ଦେହଜନକ ଭାବରେ ଘୁରିବୁଲୁଥିବାର ଦେଖାଗଲା, କିନ୍ତୁ ତାକୁ ଧରିପାରିବା ଆଗରୁ ସେ ପଳାଇଗଲା । ଏହା ଶୁଣି ସେମାନଙ୍କର କାର୍ଯ୍ୟରେ ଅବହେଳା ପାଇଁ ମାର୍କୁ ଇସ ସେମାନଙ୍କୁ ଖୁବ ଗାଳି ଫଜିତ୍ ଦେଲେ ଏବଂ ହୁକୁମ ଦେଲେ ଯେ ଏଥର ଦେଖିବାମାତ୍ରେ ଯେମିତି ତାକୁ ଧରି ଶୂଳୀରେ ବସାଇ ଦିଆଯାଏ । କିନ୍ତୁ ସେଥିରେ ବି ତାଙ୍କର ଭୟ ଦୂର ହେଲା ନାହିଁ । ତେଣୁ ଚାକରମାନଙ୍କ ଦ୍ଵାରା ସେ ନିଜର ଶୋଇବା ଘର, ଲାଇବ୍ରେରୀ ପ୍ରଭୃତି ଭଲ ଭାବରେ ତଲାସ କରାଇଲେ, ଏବେ ସୁଦ୍ଧା କେହି ସେଠାରେ ଲୁଚି ରହିଛି କି ନା ଜାଣିବା ପାଇଁ ।

 

ରାତିରେ ଖାଇବା ଆଗରୁ ଚାର୍ଲସ ଆସି ପହଞ୍ଚିଲେ । ଚାର୍ଲସଙ୍କୁ ଆସିବା ପାଇଁ ସେ ଲେଖିଥିଲେ । ସେ ଆସିଲେ, ତାଙ୍କୁ ଆଉଥରେ ତା’ର ବର୍ତ୍ତମାନ ଜୀବନଯାତ୍ରାର ପ୍ରଣାଳୀ ପରିବର୍ତ୍ତନ କରିବା ପାଇଁ ସେ ଅନୁରୋଧ କରିବେ, ଅର୍ଥାତ୍ ତାଙ୍କର ଇଚ୍ଛା ସେ ଆସି ତାଙ୍କ କତିରେ ରହୁ । କିନ୍ତୁ ମନ ଭିତରେ ତାଙ୍କର ଆଉ ଗୋଟିଏ ଉଦ୍ଦେଶ୍ୟ ଥିଲା, ଯଦି ରାଜସଭାରେ ତାଙ୍କର ପୂର୍ବ ପ୍ରତିପତ୍ତି ପୁଣି ଫେରିଆସେ, ତାହା ହେଲେ ସେ ଚାର୍ଲସକୁ ଅନୁରୋଧ ପରିବର୍ତ୍ତେ ଆଦେଶ କରିବେ, ନଚେତ୍ ବ୍ୟାସ୍‍ଟିଲ !

 

ଚାର୍ଲସଙ୍କୁ ରାଜି କରାଯାଇ ପାରିଲା ନାହିଁ । ବରଂ ସେ ମଧ୍ୟ ମାର୍କୁ ଇସଙ୍କୁ ତାଙ୍କର ବର୍ତ୍ତମାନ ଜୀବନଯାତ୍ରାର ଧରଣ ବଦଳାଇ ଭଲ ହେବା ପାଇଁ ଆଉଥରେ ତାଙ୍କୁ ଅନୁରୋଧ ଜଣାଇଲା । ତା’ ମାଆ ମୃତ୍ୟୁ ସମୟରେ ତାକୁ ସଜଳ ନୟନରେ ଅନୁରୋଧ କରିଯାଇଥିଲା, ସେ ଯେମିତି ଭଲ ହୁଏ । ଆଉ ସେ ଯେମିତି ତା’ ବଂଶଦ୍ଵାରା କୃତ ଦୁଷ୍କାର୍ଯ୍ୟର ପ୍ରତିକାର କରେ । କିନ୍ତୁ ବିଚରା, ସେ କ’ଣ କରିପାରିବ ? ତା’ ଦାଦାଙ୍କୁ ସେ ବହୁବାର ଅନୁରୋଧ କରିଛି । ମାତ୍ର ନୟନର ନୀରରେ ସିକ୍ତ ଅନୁନୟରେ ବିଗଳିତ ଭଳି ମନ ତା’ ଦାଦାର ନାହିଁ । କୌଣସି ମତେ ତାଙ୍କୁ ନିଜ ପଥରୁ ବିଚଳିତ କରିହେବ ନାହିଁ ।

 

ସେହିଦିନ ରାତିରେ ଚାର୍ଲସ ବହୁ ଯୁକ୍ତି ଦେଖାଇ ତାଙ୍କୁ ବୁଝାଇବାକୁ ଲାଗିଲା । ଶେଷରେ ସେ କହିଲା—ଏକ୍ଷଣି ବି ସମୟ ଅଛି, ବର୍ତ୍ତମାନ ଫେରି ଆସନ୍ତୁ, ନ ହେଲେ ଏହି ବଂଶର ଆଉ ରକ୍ଷା ନାହିଁ ।

 

କିନ୍ତୁ ମାର୍କୁ ଇସଙ୍କର ସେହି ଏକ କଥା—ଯେଉଁ ଭାବରେ ଆଜନ୍ମ କଟାଇ ଆସିଛି, ସେହି ଭାବରେ ଅବଶିଷ୍ଟ ଜୀବନଟା ବି କଟାଇବି, ଏବଂ ଏକ୍ଷଣି ଅନ୍ୟ ଭାବରେ ଜୀବନ ଆରମ୍ଭ କରିବାର ମଧ୍ୟ ଆଉ ସମୟ ନାହିଁ ।

 

ଚାର୍ଳସ ଦୀର୍ଘଶ୍ଵାସ ପକାଇ ବିଦାୟ ନେଲା ।

 

ମାର୍କୁ ଇସ ମଧ୍ୟ ନାନା ପ୍ରକାର ପ୍ରସାଧନ ଶେଷକରି ଶୋଇବାକୁ ଗଲେ । କିନ୍ତୁ ସେହି ନିଦ୍ରାହିଁ ତାଙ୍କର ଶେଷ ନିଦ୍ରା ।

 

ତା’ ର ପରଦିନ ସକାଳେ ସମସ୍ତେ ଉଠି ଦେଖିଲେ, ମାର୍କୁ ଇସ ମରିପଡ଼ିଛନ୍ତି । କେହି ତାଙ୍କ ଭକ୍ଷରେ ଅମୂଳ ଗୋଟାଏ ଛୁରା ବସାଇଦେଇ ଯାଇଛି । ଛୁରା ସାଙ୍ଗରେ ଖଣ୍ତିଏ କାଗଜ ଲାଗିଥିଲା । ସେଥିରେ ଲେଖା ଥିଲା—“ଯାଅ, ତୁରନ୍ତ ନରକ ଆଗେଇ ଯାଅ ।”

 

ଜଣାଗଲା, ଆଜି ନରକ ପୁରୀରେ ଉତ୍ସବ ଆରମ୍ଭ ହୋଇ ଯାଇଛି । ସେମାନଙ୍କର ବହୁ ଦିନର ଆକାଙ୍‍କ୍ଷିତ ଅତିଥି ଆଜି ସେଠାରେ ଉପସ୍ଥିତ !

 

ଛଅ

 

ଯେତେ ଦିନ ଗଡ଼ିଯିବାକୁ ଲାଗିଲା, ଲୁସୀ ସହିତ ଚାର୍ଲସର ପରିଚୟ ବି ସେତେ ଘନିଷ୍ଠ ହେବାକୁ ବସିଲା । ଏହା ଏତେ ଅଧିକ ପରିମାଣର ହେଲା ଯେ, ଚାର୍ଲସକୁ ଦେଖିଲା କ୍ଷଣି ମିସ୍ ପ୍ରସ୍ ରାଗରେ ଜଳିଯାଉଥିଲା । ତା’ ଝିଅକୁ କାଳେ କେହି ନେଇଯିବେ, ଏହା ତା’ର ଦୁଶ୍ଚିନ୍ତାର କାରଣ ଥିଲା । ଦିନେ ସେ ମିଷ୍ଟାର ଲରୀଙ୍କୁ ଖୋଲାଖୋଲି ଭାବରେ ଜଣାଇଦେଲା ଯେ, ଯଦି ଏହିପରି ଦଳେ ଦଳେ ଲୋକ ନିତି ତାଙ୍କ ଘରକୁ ଆସନ୍ତି, ତାହାହେଲେ ସେ ଦିନେ କିଛି ଅନର୍ଥ ଭିଆଇବ ।

 

ଦଳେ ଦଳେ ଲୋକର ଅର୍ଥ ମୋଟେ ଚାରି ଜଣ—ଚାର୍ଲସ, ସିଡିନି, ଷ୍ଟ୍ରାଇଭାର ଓ ବୃଦ୍ଧ ମିଷ୍ଟାର ଲରୀ । କିନ୍ତୁ ସେଥିରେ ବି ମିସ୍ ପ୍ରସ୍‍ର ମନରେ ତା’ ଝିଅ ପାଇଁ ଦୁର୍ଭାବନାର ସୀମା ନ ଥିଲା ।

 

ଦିନେ ସନ୍ଧ୍ୟାବେଳେ ଚାର୍ଲସ ଡ଼ାକ୍ତର ମ୍ୟାନେଟଙ୍କ ଘରକୁ ଯାଇ ଦେଖିଲା, ଲୁସୀ ଓ ମିସ୍ ପ୍ରସ୍ କେଉଁଠାରୁ ଯାଇଛନ୍ତି, କୌଣସି ଅତିଥି ଉପସ୍ଥିତ ନାହାନ୍ତି, ଏବଂ ଡ଼ାକ୍ତର ଏକା ବସି କ’ଣ ଖଣ୍ଡିଏ ବହି ପଢ଼ୁଛନ୍ତି । ପ୍ରାଥମିକ କୁଶଳ ସମ୍ଭାଷଣ ପରେ ଚାର୍ଲସ କଥାଟା ପକାଇଲା । ସେ ଆରମ୍ଭ କଲା—ଦେଖନ୍ତୁ, ଗୋଟିଏ କଥା ଆପଣଙ୍କୁ ଜଣାଇବାକୁ ଚାହେଁ । କଥାଟା ବହୁ ଦିନ ହେଲା କହିବି କହିବି ବୋଲି ମନରେ ଆଣୁଛି, କିନ୍ତୁ ମୋର ଭରସା ଆଦୌ କୁଳାଉ ନାହିଁ ।

 

ଡାକ୍ତର ମ୍ୟାନେଟ ଟିକିଏ ନୀରବ ରହି ପ୍ରଶାନ୍ତ ଭାବରେ ପ୍ରଶ୍ନ କଲେ—କଥାଟା କ’ଣ ଲୁସୀ ବିଷୟରେ ?

 

ଚାର୍ଲସ ମଥା ହଲାଇ କହିଲା—ହିଁ ।

 

ତାହାହେଲେ ସେହି କଥା ନ କହିଲେ ହିଁ ଭଲ ହେବ ।

 

ଚାର୍ଲସ ଆବେଗମୟ କଣ୍ଠରେ କହିଲା କିନ୍ତୁ କହିବା ଯେ ମୋର ନିହାତି ପ୍ରୟୋଜନ । ମୁଁ ଯେ ତାକୁ ପ୍ରକୃତରେ ଭଲ ପାଏ, ତାକୁ ବିବାହ କରିବାକୁ ଚାହେଁ । ମୋର ସମସ୍ତ ଜୀବନ ପ୍ରାଣ ଦ୍ଵାରା ଯେ ମୁଁ ତାକୁ ସୁଖୀ କରିବାକୁ ଚାହେଁ । ଆପଣ ମୋ କଥା ଅବିଶ୍ଵାସ କରିବେ ନାହିଁ । ବିଶ୍ଵାସ କରନ୍ତୁ, ପ୍ରକୃତରେ ମୁଁ ତାକୁ ମୋ ପ୍ରାଣ ଠାରୁ ବଳି ଭଲ ପାଏ । ତା’ର କୌଣସି ଆସମ୍ମାନ ମୋ ଦ୍ଵାରା ହେବନାହିଁ ।

 

କିଛି କ୍ଷଣ ନିଶବ୍ଦ ବସି ରହି ମ୍ୟାନେଟ କହିଲେ—ମୁଁ ତୁମକୁ ବିଶ୍ଵାସ କରେ ।

 

ଚାର୍ଲସ ସେହି ସ୍ଵରରେ କହିବାକୁ ଲାଗିଲା–ଦେଖନ୍ତୁ, ଆପଣ ଆପଣଙ୍କୁ ସ୍ତ୍ରୀଙ୍କୁ ଭଲ ପାଆନ୍ତି, ସେହି କଥା ମନେ କରି–

 

ସହସା ଆର୍ତ୍ତକଣ୍ଠରେ ଡ଼ାକ୍ତର କହି ପକାଇଲେ—ଚୁପ୍ କର, ଚୁପ୍‍ କର, ସେ କଥା କୁହ ନାହିଁ, ସେ କଥା ମୋତେ ମନେ କରାଇ ଦିଅ ନାହିଁ ।

 

ଟିକିଏ ଅପ୍ରସ୍ତୁତ ହୋଇ ଚାର୍ଲସ ଆରମ୍ଭ କଲା—ଲୁସୀ ଯେ ଆପଣଙ୍କ ନିକଟରେ କେତେ ପ୍ରିୟ ମୁଁ ତାହା ଜାଣେ । ଆପଣଙ୍କ ଜୀବନରେ ସେ ଯେ ଏକାନ୍ତ ପ୍ରୟୋଜନୀୟ, ମୁଁ ତାହା ବି ଜାଣେ । ସେ ଏକା ଧାରରେ ଆପଣଙ୍କର କନ୍ୟା, ଆପଣଙ୍କର ଜନନୀ । କିନ୍ତୁ ଏ କଥା ଆଦୌ ଭାବନ୍ତୁ ନାହିଁ ଯେ ବିବାହ ପରେ ତାକୁ ଆପଣଙ୍କ ନିକଟରୁ ଦୂରକୁ ନେଇ ଚାଲିଯିବି । ମୋର ବାପ ନାହିଁ, ଆପଣ ମୋର ବାପା ହେବେ । ଆମେ ତିନି ଜଣ ସ୍ନେହର ଏକ ନୀଡ଼ ରଚନା କରିବା, ସେଥିରେ ଆପଣମାନଙ୍କର ବନ୍ଧନ ଆହୁରି ଦୃଢ଼ ହେବ ।

 

ଆଉ କିଛିକ୍ଷଣ ନୀରବ ରହି ଡ଼ାକ୍ତର ମ୍ୟାନେଟ ଅର୍ଦ୍ଧସ୍ଫୁଟ ସ୍ଵରରେ କହିଲେ—ମୁଁ ସେ କଥା ବିଶ୍ଵାସ କରେ, ଚାର୍ଲସ । କିନ୍ତୁ ଲୁସୀକୁ କ’ଣ ଏ କଥା କହିଛ?

 

ନା ।

 

ଏହି ବିଷୟରେ ତାକୁ କେବେ କୌଣସି ଚିଠିପତ୍ର ଦେଇଛ ?

ନା ।

 

ଧନ୍ୟବାଦ । ଯଦି ଲୁସୀ ପ୍ରକୃତରେ ତୁମକୁ ବିବାହ କରିବାକୁ ଚାହେଁ, ମୁଁ ତା’ ସୁଖର ପଥରେ ଆଦୌ ଅନ୍ତରାୟ ହେବି ନାହିଁ, ଏହା ତୁମେ ଜାଣି ରଖ ।

 

ତାହାହେଲେ ଏଥିରେ ଆପଣଙ୍କର ମତ ଆଛି ତ ? ମୁଁ ଏଥର ତା’ ମତ ଜାଣିପାରେ ?

 

ପାର ।

 

ଠିଆ ହୋଇପଡ଼ି ଚାର୍ଲସ ଟିକିଏ ଇତସ୍ତତଃ ହୋଇ କହିଲା, ଦେଖନ୍ତୁ, ଗୋଟିଏ କଥା ଆପଣଙ୍କୁ ଜଣାଇବା ମୋର ନିହାତି ଦରକାର, ତାହା ଆଉ କିଛି ନୁହେଁ, ମୋର ପରିଚୟ ମାତ୍ର । ମୁଁ ବି ଆପଣଙ୍କ ପରି ଫରାସୀ ଦେଶର ଲୋକ । ଆପଣଙ୍କ ପରି ନିଜ ଇଚ୍ଛାରେ ନିର୍ବାସନ ବାଛି ନେଇଛି । ମୋର ଅସଲ ନାମ ହେଲା—

 

ସହସା ଉଠିପଡ଼ି ତା’ ହାତ ଚାପିଧରି ଡ଼ାକ୍ତର କହି ପକାଇଲେ, ନା, ନା, ତୁମର ପରିଚୟ ମୋତେ ଶୁଣାଅ ନାହିଁ ।

 

ଚାର୍ଲସ କହିଲା—କିନ୍ତୁ ମୋତେ ଯେ ଶିଣାଇବାକୁ ହେବ । ତା’ ନ ହେଲେ ଯେ ଚଳିବ ନାହିଁ ।

 

ଉତ୍ତେଜିତ ଭାବରେ ଡ଼ାକ୍ତର କହିଲେ—କିନ୍ତୁ ଆଜି ନୁହେଁ, ଆଜି ନୁହେଁ, ଅନେକ ଦିନ ପରେ, କିମ୍ଵା ଯଦି ପ୍ରକୃତରେ ଲୁସୀ ତୁମକୁ ପସନ୍ଦ କରେ ଏବଂ ତୁମ ଦୁହିଁଙ୍କର ବିବାହ ହୁଏ, ତାହାହେଲେ ସେହି ବିବାହ ଦିନ ମୋତେ ଶୁଣାଅ, ଅବଶ୍ୟ ବିବାହ ହୁଏ, ତାହାହେଲେ ସେହି ବିବାହ ଦିନ ମୋତେ ଶୁଣାଅ, ଅବଶ୍ୟ ବିବାହ ପରେ । ଏହି ଅନୁରୋଧ ତୁମକୁ ନିଶ୍ଚୟ ରଖିବାକୁ ପଡ଼ିବ ।

 

କିଛିକ୍ଷଣ ବିସ୍ମିତ ଭାବରେ ତାଙ୍କ ମୁହଁଆଡ଼କୁ ଅନାଇ ରହି, ଗୋଟିଏ ଦୀର୍ଘଶ୍ଵାସ ପକାଇ ଚାର୍ଲସ କହିଲା—ଆଚ୍ଛା, ତାହାହିଁ ହେବ, ଆପଣଙ୍କ କଥା ରହିଲା ।

 

ଚାର୍ଲସ ବାହାରିଯିବା ପରେ, ଡାକ୍ତର ମ୍ୟାନେଟ ବହୁତ ସମୟ ସ୍ଥିରହୋଇ ବସି ରହିଲେ—ଏତେ ସ୍ଥିର ଯେ ସେହି ସମୟରେ ଦେଖିଲେ ତାଙ୍କୁ ପାଷାଣ ମୂର୍ତ୍ତି ବୋଲି ମନେ ହେବ ।

 

କ୍ରମେ କ୍ରମେ ସନ୍ଧ୍ୟାର ଅନ୍ଧକାର ମାଡ଼ିଆସିଲା । ଗୋଧୂଳିର ଅସ୍ପଷ୍ଟତା ଘୁଞ୍ଚିଯାଇ ସେହି ଅନ୍ଧକାର ନିବିଡ଼ ହୋଇଗଲା । ତଥାପି ଡାକ୍ତରଙ୍କ ଚେତନା ନାହିଁ ।

 

ବହୁଦିନ ପୂର୍ବେ ଜଣେ ଅର୍ଦ୍ଧୋନ୍ମାଦ ବ୍ୟାସ୍‍ଟିଲର ଅନ୍ଧକାର କାରାକକ୍ଷରେ ବସି ଏଭର୍ମଣ୍ତମାନଙ୍କୁ ଅଭିଶାପ ଦେଉଥିଲା । ଆଜି ସେହି ଉନ୍ମାଦ ସାଙ୍ଗରେ ସ୍ନେହଶୀଳ ପିତାର ଦ୍ଵନ୍ଦ୍ଵ ଲାଗିଛି, କିଏ ଏହାର ସମାଧାନ କରିବ ?

 

ବହୁ, ବହୁତ ସମୟ ପରେ, ଡାକ୍ତର ମ୍ୟାନେଟ ଉଠି ଠିଆ ହେଲେ, ନିଜର କମ୍ପିତ ହାତରେ ବତି ଜଳାଇ ଆପଣା ଶୋଇବା ଘରକୁ ଗଲେ, ଏବଂ ତା’ପରେ ଅନେକ ଦିନ ତଳେ ବ୍ୟବହୃତ ଯେଉଁ ଚରମ ଦୁଃଖର ସ୍ମୃତିଚିହ୍ନକୁ ସେ ସାଗରକୂଳରୁ ନିଜ ସଙ୍ଗରେ ଗୋଟାଇ ଆଣିଥିଲେ, ସେହି ସବୁ ଯନ୍ତ୍ରପାତି ବାହାର କରି ଆଣି ବହୁକାଳ ପରେ ପୁଣି ଜୋତ ତିଆରି କରିବାକୁ ବସିଲେ ।

 

ଲୁସୀ ଫେରିଆସି ତଳ ତାଲାରେ ତା’ ବାବଙ୍କୁ ଦେଖିବାକୁ ନପାଇ ବିସ୍ମିତ ହୋଇ ଏ ଘରେ ସେ ଘରେ ଖୋଜି ବୁଲିବାକୁ ଲାଗିଲା । ତା’ ପରେ ଶୋଇବା ଘରୁ ଖଟ୍-ଖାଟ୍ ଆବାଜ ଆସୁଥିବା ଶୁଣି, ସେଠାକୁ ଯାଇ ଦୁଆର ବାହାରେ ଠିଆହୋଇ ସେ ଯାହା ଦେଖିଲା, ସେଥିରେ ତା’ ଛାତି ଭିତରଟା ଯେମିତି କାକର ହୋଇଗଲା । ଏତେ ଦିନର ଯତ୍ନ, ଚେଷ୍ଟା, ସବୁ କ ବିଫଳ ହେଲା ? ତାହାହେଲେ ତା’ ବାବା କ’ଣ ପୁଣି ପାଗଳ ହୋଇଗଲେ ?

 

ସେ ଗୋଟିଏ ସୋଫା ଉପରେ କଚାଡ଼ି ହୋଇପଡ଼ି କାନ୍ଦିବାକୁ ଲାଗିଲା । ତା’ର କ୍ରନ୍ଦନର ଶବ୍ଦ କାନରେ ବାଜିବାକ୍ଷଣି ଡାକ୍ତର ମ୍ୟାନେଟ ଯନ୍ତ୍ରପାତି ଥୋଇଦେଇ କାନ ଡେରି ବସି ରହିଲେ ।

 

କ୍ରମେ କ୍ରମେ ତାଙ୍କର ଉଦ୍ଭ୍ରାନ୍ତ ଦୃଷ୍ଟି ପୁଣି ଧୀରେ ଧୀରେ ଶାନ୍ତି ହୋଇ ଆସିଲା । ସେ ଯନ୍ତ୍ରପାତି ରଖି ଦେଇ, ନିଜ କୋଠରୀରୁ ବାହାରି ଆସ ଲୁସୀ କତିରେ ବସିଲେ ।

 

ସାତ

 

କିନ୍ତୁ ସିଡ଼୍‍ନି, କାର୍ଟନର ଦିନ ସେହିପରି ଏକା ଭାବରେ କଟୁଥିଲା—ସେହିପରି ଆଶାହୀନ, ଉଦ୍ଦେଶ୍ୟହୀନ ଭାବରେ, ସେହିପରି ନିସ୍ତେଜ ଅକର୍ମଣ୍ୟତା ଭିତରେ, ଏବଂ ସେହିପରି ଦିନ ରାତି ମଦ୍ୟପାନ ଭିତରେ ।

 

କିନ୍ତୁ ତା’ର ସେହି ନିରାସକ୍ତ ଉଦାସୀନ ଜୀବନରେ ଗୋଟାଏ ପରିବର୍ତ୍ତନ ଆସିଛି । ତାହା ହେଉଛ ଲୁସୀ ପ୍ରତି ତା’ର ଆସକ୍ତି ।

 

ପ୍ରାୟ ସବୁବେଳେ ସେ ଡାକ୍ତରଙ୍କ ଘରକୁ ଯାଉ ନଥିଲା, ଏବଂ ଯେତେବେଳେ ବି ଯାଉଥିଲା କାହାରି ସହିତ ଭଲ ଭାବରେ କଥାବାର୍ତ୍ତା କରୁ ନଥିଲା । କିନ୍ତୁ ନିତି ରାତିରେ, ଦିନ ପରେ ଦିନ ସେ ଅନ୍ଧକାରରେ ଡାକ୍ତର ମ୍ୟାନେଟଙ୍କର କୋଠା ଆଗରେ ଟହଲ ମାରୁଥିଲା, ମନକୁ ମନ ରାତ୍ରି ଜାଗରଣ ତ ତା’ର ସ୍ଵଭାବ ଭିତରେ ଯାଇ ଠିଆ ହୋଇଥିଲା । ତଥାପି ଯେତିକି ପରିମାଣରେ ତାକୁ ନିଦ୍ରା ହେଉଥିଲା, ସେତିକି ମଧ୍ୟ ସେ ଏକାବାରେ ତ୍ୟାଗ କଲା ।

 

ଏହିପରି ଭାବରେ ବହୁତ ଦିନ ବିତିବା ପରେ, ଦିନେ ସିଡ଼୍‍ନି ସହସା ଡାକ୍ତର ମ୍ୟାନେଟଙ୍କ ଘରେ ଆସି ପଶିଗଲା । ସେତେବେଳେ ଡାକ୍ତର ଘରେ ନଥିଲେ, ଲୁସୀ ଏକା ବସି ସିଲାଇ କରୁଥିଲା ।

 

ହଠାତ୍ ତାକୁ ଦେଖିପାରି ଲୁସୀ ଚମକିପଡ଼ି ତାକୁ ପଚାରିଲା,ଆପଣଙ୍କ ଦେହ ଭଲ ନାହିଁ କି ? ଶରୀର ଏତେ ଖରାପ ଦିଶୁଛି କାହିଁକି !

 

ଏକ ମ୍ଳାନ ହସର ରେଖା ଖେଳାଇ, ସିଡ଼୍‍ନି କହିଲା—ଶରୀର ? ମୋ ଭଳି ହତଭାଗାର ଶରୀର ତ ଭଲ ରହିବାହିଁ ଆଶ୍ଚର୍ଯ୍ୟ !

 

ମଥା ତଳକୁ ନୁଆଇଁ ଲୁସୀ କହିଲା—ଯଦି ଏହାକୁ ଖରାପ ବୋଲି ଜାଣିଥାଆନ୍ତି ତାହାହେଲେ ଛାଡ଼ି ଦିଅନ୍ତୁ ନା, ବର୍ତ୍ତମାନ ବି ତ ସମୟ ଅଛି ।

 

ଦୀର୍ଘନିଶ୍ଵାସ ଛାଡ଼ି ସିଡ଼୍‍ନି ଜବାବ ଦେଲା—ହୁଏତ ବର୍ତ୍ତମାନ ବି ସମୟ ଅଛି, କିନ୍ତୁ କାହିଁକି ? କ’ଣ ମୋର ଅଛି, କେଉଁ ଆଶାରେ ବା ମୁଁ ଭଲ ହେବି, ଆଉ କେଉଁ ଆଶାରେ ମୁଁ ନୂଆ କରି ଜୀବନଟାକୁ ପୁଣି ଗଢ଼ିବାକୁ ଚେଷ୍ଟା କରିବି ?

 

ଲୁସୀ କାତର କଣ୍ଠରେ କହିଲା—ତୁମର ଏମିତି କ’ଣ କେହି ନାହିଁ । ଯାହା ପାଇଁ ନିଜର ବଞ୍ଚି ରହିବା ଏକାନ୍ତ ପ୍ରୟୋଜନ ?

 

ସ୍ଥିର ଦୃଷ୍ଟିରେ ଲୁସୀ ଆଡ଼କୁ ଚାହିଁ ସିଡ଼୍‍ନି କହିଲା—ଅଛି । ଯଦି ସେ ମୋ ଜୀବନର ଦାୟିତ୍ଵ ବହନ କରେ, ତାହାହେଲେ ମୋ ଅନ୍ଧକାର ଜୀବନରେ ପୁଣି ଆଲୋକ ଜଳି ଉଠିବ ଏବଂ ତା’ରି ମୁହଁକୁ ଅନାଇ ମୁଁ ପୁଣି ଭଲ ହୋଇପାରେ । କିନ୍ତୁ ତାହା କ’ଣ ମୋ ପକ୍ଷରେ ଦୁରାଶା ନୁହେଁ କି ?

 

ସିଡ଼୍‍ନି ଯେ ଲୁସୀର କଥାହିଁ କହୁଛି, ଲୁସୀର ତାହା ବୁଝିବାକୁ ଆଦୌ ବାକି ରହିଲା ନାହିଁ । ସେ କିଞ୍ଚିତ ନ ମୁଖରେ ବସି ରହି କହିଲା—ଯଦି ସେହିପରି ଭାବରେ ତୁମକୁ ସାହାଯ୍ୟ ନ କରିପାରେ, ଅନ୍ୟ କୌଣସି ଭାବରେ କରିବା କ’ଣ ସମ୍ଭବ ନୁହେଁ ? ମୁଁ ତୁମକୁ ମୋର ବିଶେଷ ବନ୍ଧୁ ବୋଲି ମନେ କରେ । ପ୍ରକୃତରେ ମୁଁ ତୁମ ପାଇଁ ଅତିଶୟ ଦୁଃଖିତ ।

 

ସିଡ଼୍‍ନି ଗୋଟାଏ ଦୀର୍ଘଶ୍ଵାସ ଛାଡ଼ି କହିଲା—ମୁଁ ଜାଣେ ଯେ, ମୋ ଭଳି ଜଣେ ହତଭାଗାକୁ ଘୃଣା ନ କରିବାହିଁ ତୁମପକ୍ଷରେ ସ୍ଵାଭାବିକ ନୁହେଁ । ଆଜି ତୁମେ ଯେ ମୋତେ ଦୟା କର, ମୋ ପାଇଁ ଦୁଃଖିତ, ଏତିକି ମାତ୍ର ମେ ନିକଟରେ କେତେ ବଡ଼ ସାନ୍ତ୍ଵନା ! ମୁଁ ଜାଣିଥିଲି ଯେ ଏହା ମୋ ନିକଟରେ ଦୁରାଶା । ତେଣୁ ଏତେ ଦିନ ହେଲା ତୁମକୁ କୌଣସି କଥା କହି ନାହିଁ । ଏବଂ ଆଉ କେବେବି କହିବି ନାହିଁ, ସେ ବିଷୟରେ ତୁମେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ରହିପାର ।

 

ଲୁସୀ ବ୍ୟାକୁଳ ଭାବରେ କହିଲା—ନା, ନା, ମୁଁ ତୁମକୁ ଘୃଣା କରିବି କାହିଁକି ? କିନ୍ତୁ ତୁମର ଫେରି ଆସିବାର କ’ଣ ଅନ୍ୟ କୌଣସି ଉପାୟ ନାହିଁ ? ଯଦି ମୋ ପରି ତୁମର ସାନ ଭଉଣୀଟିଏ ଥାଆନ୍ତା, ତାହା ହେଲେ ତା’ରି କଥାରେ କ’ଣ ତୁମେ ଫେରି ଆସନ୍ତ ନାହିଁ ।

 

ଟିକିଏ ହସି ସିଡ଼୍‍ନି ଜବାବ ଦେଲା—ଏହାହିଁ ତ ମୋର ନିୟତି, ମିସ୍ ମ୍ୟାନେଟ । ଏହିପରି ଭାବରେ ମୋ ଜୀବନ ଟିକିଏ ଟିକିଏ ହୋଇ ଆହୁରି ବେଶୀ ଅଧଃପତନର ବାଟକୁ ଖସିଯିବ । ଅବଶେଷରେ ଦିନେ ସମସ୍ତଙ୍କ ଅଜ୍ଞାତସାରରେ, ସକଳ ପ୍ରକାର ଅବଜ୍ଞାର ଅନ୍ତରାଳରେ ଦିନେ ମିଳାଇ ଯିବ । କେହି ସେଥିପାଇଁ ଦୁଃଖ କରିବେ ନାହିଁ, କେହି ମଧ୍ୟ ତା’ର ଖବର ରଖିବେ ନାହିଁ । କିନ୍ତୁ ତୁମେ ଯେ ମୋ ପ୍ରତି ଦୟା ଦେଖାଉଛି, ଏହା ମୁଁ କେବେ ହେଲେ ପାଶୋରି ପାରିବି ନାହିଁ । ସେଥିପାଇଁ ମୁଁ ତୁମକୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । କିନ୍ତୁ ଗୋଟିଏ କଥା, ମୋ ପାଇଁ କଦାପି ଦୁଃଖ କରିବ ନାହିଁ । କାରଣ ମୁଁ ତୁମ ଦୁଃଖର ଆଦୌ ଉପଯୁକ୍ତ ନୁହେଁ ।

 

ସଜଳ ନୟନରେ ତା’ ଆଡ଼କୁ ଅନାଇ ଲୁସୀ ଠିଆ ହୋଇ ରହିଲା ! କି ଜବାବ ବା ସେ ତାକୁ ଆଉ ଦେବ ?

 

ବିଦାୟ ନେବା ପୂର୍ବରୁ ସିଡ଼୍‍ନି ଆଉଥରେ ତାକୁ କହିଲା—ମୋ ପାଇଁ ଆଖିରୁ ଲୋତକ ଗଡ଼ାଇବ ନାହିଁ । ମୁଁ ? ହୁଏତ ମୁଁ ଆଉ ଦୁଇଘଣ୍ଟା ପରେ କୌଣସି ନୀଚ ସ୍ଥାନରେ, ନୀଚ ସଂସର୍ଗରେ ବୁଡ଼ିଯିବ । କିନ୍ତୁ ମୋର ଗୋଟିଏ ମିନତି ତୁମକୁ । ମୁଁ ତୁମକୁ ଯେଉଁକଥା ଜଣାଇଲି, ତାହା କେବଳ ତୁମରି ପାଇଁ । ତୁମେ ଆଉ କାହାରିକୁ ତାହା ଜଣାଇବ ନାହିଁ । ମୋ ବେଦନା ମୁଁ ତୁମ ଅନ୍ତରର ନିଭୃତ କୋଣରେ ପହୁଞ୍ଚାଇ ଦେଇ ପାରିଛି, ଏତିକି ମାତ୍ର ମୋର ଏକ ବିରାଟ ସାନ୍ତ୍ଵନା । ସେହି କଥା ଆଉ କାହାରି କାନରେ ବାଜିଲେ, ମୋର ଏହି ପରମ ମୂହୁର୍ତ୍ତଟିର ମୂଲ୍ୟ ନଷ୍ଟ ହୋଇଯିବ । ତା’ର ସ୍ଥାନ କେବଳ ତୁମ ମନ ଭିତରେ ରହିଲା, ଏତିକି ମାତ୍ର କ’ଣ ମୁଁ ଆଶା କରି ନପାରେ ?

 

ଲୁସୀ କହିଲା—ତୁମେ ଯାହା କହିଲ, ତାହା ତୁମରି ନିଜ କଥା । ମୁ କାହିଁକି ତାହା ଆଉ କାହାକୁ କହିବାକୁ ଯିବି ? ସେହି ବିଷୟରେ ତୁମେ ନିଶ୍ଚିନ୍ତ ରୁହ ।

 

ଧନ୍ୟବାଦ ! ହଁ, ଆଉ ଗୋଟିଏ କଥା । ବହୁ ଦିନ, ବହୁ ଦିନ ପରେ, ଯେତେବେଳେ ସ୍ଵାମୀ ପୁତ୍ର କନ୍ୟାକୁ ଧରି ତୁମର ସୁଖର ସଂସାର ଆନନ୍ଦରେ ପରିପୂର୍ଣ୍ଣ ହୋଇଯିବ, ଯେତେବେଳେ ଛୋଟ ଛୋଟ ସୁନ୍ଦର ମୁହଁଗୁଡ଼ିଏ ତୁମକୁ ଚାରି ଦିଗରୁ ଘେରି ରଖିବେ, ସେତେବେଳେ ମଝିରେ ମଝିରେ ଦୟା କରି ଅନ୍ତତଃ ମୂହୁର୍ତ୍ତକ ପାଇଁ ବି ଏହି ହତଭାଗାକୁ ସ୍ମରଣ କରିବା ପାଇଁ ଯେମିତି ତୁମେ ଭୁଲି ନଯାଅ । ଏତିକି ମାତ୍ର ତୁମକୁ ମନେ ରଖିବାକୁ ହେବ ଯେ, ପୃଥିବୀର ଯେଉଁଠି ଓ ଯେଉଁ ଅବସ୍ଥାରେ ଥାଉ ନା କାହିଁକି, ଏମିତି ଜଣେ ଅଛି, ଯେ ତୁମର ଓ ତୁମର ଯେଉଁମାନେ ପ୍ରିୟମାନଙ୍କ ପାଇଁ ନିଃସଙ୍କୋଚରେ, ଅମ୍ଳାନ ବଦନରେ ନିଜ ଜୀବନର ଶେଷ ରକ୍ତବିନ୍ଦୁ ଟିକକ ମଧ୍ୟ ବ୍ୟୟ କରିବାକୁ ତିଳେମାତ୍ର କୁଣ୍ଠିତ ନୁହେଁ । ହେଉ, ଆଜି ତାହାହେଲେ ଯାଉଛି । ଭଗବାନ ତୁମର ମଙ୍ଗଳ କରନ୍ତୁ ।

 

ସିଡ଼୍‍ନି ଘରୁ ବାହାରିଗଲା ।

 

ବିଚରା ଲୁସୀ ସେହି ସ୍ଥାନରେ ଠିଆହୋଇ ତା’ରି ପାଇଁ ନିରବରେ ତା’ ନୟନରୁ ଲୋତକ ଢାଳିବାକୁ ଲାଗିଲା ।

 

ଆଠ

 

ଲୁସୀ ସହିତ ଚାର୍ଲସର ବିବାହ ସ୍ଥିର ହୋଇଗଲା, ଏବଂ କ୍ରମେ କ୍ରମେ ସେହି ଦିନ ମଧ୍ୟ ନିକଟେଇ ଆସିବାକୁ ଲାଗିଲା ।

 

ମିଷ୍ଟର ଲରୀ ଅତି ମୂଲ୍ୟବାନ ଉପହାର ସବୁ ଆଣିଲେ । ଲୁସୀକୁ ନାନା ପ୍ରକାର ଅଶ୍ଵାସ ଦେବାକୁ ଲାଗିଲେ, ଏବଂ ମଝିରେ ମଝିରେ ଆନନ୍ଦାଶ୍ରୁ ପୋଛିବାକୁ ଲାଗିଲେ । ଆଜି ଆଉ ମିସ୍ ପ୍ରସ୍‍ଙ୍କ ପାଖରୁ ଧମକ ଖାଇବାର ଭୟ ନାହିଁ । କାରଣ ତା’ ଆଖି ମଧ୍ୟ ଆଜି ସଜଳ । ତା’ ଛଡ଼ା ଝିଅର ବିବାହ କାର୍ଯ୍ୟର ବ୍ୟବସ୍ଥାରେ ସେ ବ୍ୟସ୍ତ ।

 

ବିବାହ ଦିନ ସକାଳେ ଚାର୍ଲସର ପରିଚୟ ଦେବାର କଥା । ମ୍ୟାନେଟ ସେହି ବିଷୟ ପାଶୋରି ଦେବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା ଚାର୍ଲସ ତାହା ଭୁଲିନଥିଲା, କାରଣ ପରିଚୟ ଗୋପନ ରଖି ବିବାହ କରିବା ତା’ ମତରେ ଜୁଆଚୋରୀ ଛଡ଼ା ଅନ୍ୟ କିଛି ନୁହେଁ ।

 

ସୁତରାଂ ଏଣେ ସମସ୍ତେ ଯେତେବେଳେ ବିବାହର ଆୟୋଜନରେ ବ୍ୟସ୍ତ, ଡାକ୍ତର ମ୍ୟାନେଟ ଚାର୍ଲସକୁ ଧରି ତାଙ୍କ ଲାଇବ୍ରେରୀ ଘରେଯାଇ ପ୍ରବେଶ କଲେ । ପ୍ରବେଶ ସମୟରେ ତାଙ୍କ ମୁହଁ ପ୍ରଶାନ୍ତ ଥିଲା, କିନ୍ତୁ ଲାଇବ୍ରେରୀରୁ ପ୍ରସ୍ଥାନ ସମୟରେ ତାଙ୍କ ମୁହଁ ପାଉଁଶ ପରି ସାଦା ହୋଇଯାଇଥିଲା । ଏବଂ ହାତଗୋଡ଼ କିଞ୍ଚିତ ପରିମାଣରେ କମ୍ପୁଥିଲା ।

 

ଏକ ସଙ୍ଗରେ ଯେଉଁ ବଂଶକୁ ସେ ପ୍ରତି ଦିନ ଓ ପ୍ରତି ମୂହୁର୍ତ୍ତରେ ଅଭିଶାପ ଦେଉଥିଲେ, ଯେଉଁ ବଂଶ ତାଙ୍କର ଅପରିସୀମ ଦୁଃଖର ମୂଳକାରଣ, ଯେଉଁ ବଂଶ ବିନା ଅପରାଧରେ ତାଙ୍କର ସାରା ଜୀବନ ବ୍ୟର୍ଥ କରିଦେଇଥିଲା, ଏବଂ ସବୁଠାରୁ ବଡ଼ କଥା, ଅନେକ ଚେଷ୍ଟା କରିବି ଯେଉଁ ବଂଶକୁ ସେ ଆଜି କ୍ଷମା କରିପାରି ନାହାନ୍ତି, ସେହି ବଂଶର ଏକମାତ୍ର ଉତ୍ତରାଧିକାରୀର ହାତରେ ତାଙ୍କ ନୟନର ମଣି, ତାଙ୍କର ଏକମାତ୍ର କନ୍ୟା, ତାଙ୍କର ସର୍ବସ୍ଵକୁ ଟେକି ଦେବାକୁ ହେବ !

 

ତଥାପି ସେ ଧୀର ସ୍ଥିର ଚିତ୍ତରେ ସବୁ କଥା ଶୁଣିଲେ ଏବଂ ଆପାଣା ଅନ୍ତରର ସବୁ ବିରୁଦ୍ଧ ଭାବକୁ ସଞ୍ଜତ କରି ଗମ୍ଭୀର ଭାବରେ ସମ୍ମତି ପ୍ରଦାନ କଲେ । ଯେଉଁ କନ୍ୟା ତାଙ୍କ ଜୀବନର ଏକମାତ୍ର ଅବଲମ୍ଵନ, ସେ ଯଦି ସୁଖୀ ହୁଏତ ହେଉ, ସେଥିରେ ସେ ବା କାହିଁକି ଅନ୍ତରାୟ ହେବାକୁ ଯିବେ ? ତା’ର ସୁଖ-ସମ୍ଭୋଗ ଠାରୁ କ’ଣ ତାଙ୍କ ନିଜର ପ୍ରତିଶୋଧ ତୃଷା ବଡ଼ ହେବ ? କଦାପି ନୁହେଁ ।

 

କନ୍ୟା ସମ୍ପ୍ରଦାନ ଶେଷ ହୋଇଗଲା । ସଜଳ ନୟନରେ ଡାକ୍ତର ମ୍ୟାନେଟଙ୍କ ଠାରୁ ବିଦାୟ ନେଇ, ଲୁସୀ ପନ୍ଦର ଦିନ ପାଇଁ ସ୍ଵାମୀଙ୍କ ସାଙ୍ଗରେ ବିଦେଶକୁ ଗଲା । ମିଷ୍ଟର ଲରୀ ଓ ମିସ୍ ପ୍ରସ୍‍ଙ୍କ ଉପରେ ଡାକ୍ତରଙ୍କୁ ଦେଖାଶୁଣା କରିବା ଭାର ରହିଲା । ମିଷ୍ଟର ଲରୀ ଲୁସୀକୁ ଆଶ୍ଵାସନା ଦେଇ କହିଲେ—ଯେତେବେଳେ ଯାଏ ମୁଁ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ-

 

କିନ୍ତୁ ଲୁସୀ ପ୍ରଭୃତି ଚାଲିଯିବା ପରେ ଡାକ୍ତରଙ୍କର ମାନସିକ ଅବସ୍ଥାର କଥା ଭାବି, ତାଙ୍କୁ କିଛି ସମୟ ପାଇଁ ଏକା ରଖି, ମିଷ୍ଟର ଲରୀ ଦୁଇଘଣ୍ଟା ଲାଗି ଅଫିସକୁ ଗଲେ । କିନ୍ତୁ ସେ ଯେତେବେଳେ ଫେରି ଆସିଲେ ସେତେବେଳେ ଦେଖିଲେ ଯେ ମିସ୍ ପ୍ରସ୍‍ ସିଡ଼ୀ ପାଖରେ ଠିଆହୋଇ କାନ୍ଦୁଛନ୍ତି । ତାଙ୍କ ମୁହଁ ଶୁଖିଯାଇ ଏଡ଼ିକି ଟିକିଏ ହୋଇଯାଇଛି ।

 

ଏପରି ଅସମ୍ଭବ ବ୍ୟାପାରରେ ବିସ୍ମିତ ହୋଇ ମିଷ୍ଟର ଲରୀ କାରଣ ପଚାରିବାରୁ, ସେ କେବଳ ଆଙ୍ଗୁଳିରେ ଡାକ୍ତରଙ୍କ ଘରଟା ଆଡ଼କୁ ଦେଖାଇ ଦେଲେ । ମିଷ୍ଟର ଲରୀ ଯାଇ ଦେଖିଲେ ଯେ ଡ଼ାକ୍ତର ମ୍ୟାନେଟଙ୍କର ପୂର୍ବ ଉନ୍ମାଦ ଦଶା ପୁଣି ପୁରାପୁରି ଫେରି ଆସିଛି । ତାଙ୍କର ଦୃଷ୍ଟି ଉଦ୍ଭ୍ରାନ୍ତ, ବିହ୍ଵଳ, ଦେହର ଜାମା ଖୋଲା ଏବଂ ପୂର୍ବ ପରି ସେ ପୁଣି ଆଗକୁ ନଇଁପଡ଼ି ଜୋତା ସିଲାଇ କରୁଛନ୍ତି । ମିଷ୍ଟର ଲରୀ ଅତିଶୟ ବିପନ୍ନ ହୋଇପଡ଼ିଲେ, ତାଙ୍କୁ ତେକେ ଡକା ଡକି କଲେ, ଏବଂ କେତେ କଥା ମଧ୍ୟ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ଡାକ୍ତର ତାଙ୍କୁ ଚିହ୍ନିପାରିଲେ ନାହିଁ ।

 

ଲୁସୀକୁ ଯେତେବେଳେ ସେ ନିଶ୍ଚିନ୍ତ ହେବାକୁ କହିଛନ୍ତି, ସେପରି ସ୍ଥଳେ ବର୍ତ୍ତମାନ ଏ ସମ୍ଵାଦ ବା ତାକୁ କିପରି ଦେବେ ? ଶେଷରେ ମିସ୍ ପ୍ରସ୍‍ଙ୍କ ସହିତ ପରାମର୍ଶ କରି ସ୍ଥିର ହେଲା ଯେ ଏ କ୍ଷଣି ସେମାନଙ୍କୁ କୌଣସି କଥା ଜଣାଇବାର ପ୍ରୟୋଜନ ନାହିଁ । କିନ୍ତୁ ଡାକ୍ତରଙ୍କ ରୋଗୀ ଓ ବନ୍ଧୁ-ବାନ୍ଧବମାନଙ୍କୁ ଜଣାଇ ଦିଆଗଲା ଯେ ତାଙ୍କ ଶରୀର ଖୁବ୍ ଖରାପ ଏବଂ ସେ ବର୍ତ୍ତମାନ ଶଯ୍ୟାଶାୟୀ ହୋଇ ରହିଛନ୍ତି ।

 

ସେ ନଅ ଦିନ ଓ ନଅ ରାତି ଡାକ୍ତରଙ୍କ କତିରେ ରହିଲେ, ତାଙ୍କୁ କଡ଼େ କଡ଼େ ଜଗି ବସିଲେ, ତାଙ୍କୁ ନାନା ପ୍ରକାର ସାନ୍ତ୍ଵନା ଦେଇ ଓ ଭୁଲାଇ ପ୍ରକୃତିସ୍ଥ କରାଇବାକୁ ଚେଷ୍ଟା କଲେ । କିନ୍ତୁ କୌଣସିଥିରେ କିଛି ଫଳ ହେଲା ନାହିଁ ।

 

ନବମ ଦିନ ରାତିରେ ମିଷ୍ଟର ଲରୀ ପରିଶ୍ରାନ୍ତ ହୋଇ ଟିକିଏ ଶୋଇ ପଡ଼ିଥିଲେ । ଉଠିପଡ଼ିବା ମାତ୍ରେ ସେ ଦେଖିଲେ ଯେ ଡାକ୍ତର ପ୍ରକୃତିସ୍ଥ ହୋଇଛନ୍ତି ଏବଂ ତାଙ୍କ ଭିତରେ ଉନ୍ମତ୍ତତାର ଚିହ୍ନ ସୁଦ୍ଧା ନାହିଁ । ମିଷ୍ଟର ଲରୀ ତାଙ୍କର ଏ ଅବସ୍ଥାର କାରଣ ବି ତାଙ୍କୁ ଆଦୌ ପଚାରିଲେ ନାହିଁ । ଏହି ପ୍ରସ୍‍ଙ୍ଗରେ ସେ ବିଶେଷ କୌଣସି କଥା ବି ପକାଇଲେ ନାହିଁ । କେବଳ ଦିନେ ଡାକ୍ତରଙ୍କ ଅନୁପସ୍ଥିତ ସମୟରେ ତାଙ୍କର ସେହି ଦୁଃଖମୟ ଦିନର ସ୍ମୃତି, ମୋଚିର ସାଜ—ସରଞ୍ଜାମ ଗୁଡ଼ିକ ନଷ୍ଟ କରିଦେଲେ ।

 

ଲୁସୀ ଓ ଚାର୍ଲ ଯେତେବେଳେ ଫେରି ଆସିଲେ, ସେତେବେଳେ ସେମାନେ ଏହିସବୁ କଥା କିଛି ଜାଣିପାରିଲେ ନାହିଁ । ପିତୃସ୍ନେହ ସହିତ ମନୁଷ୍ୟର ସହଜାତ ବିଦ୍ଵେଷର ଯେ କି ଭୀଷଣ ଯୁଦ୍ଧ ଏହି କେତେ ଦିନ ହୋଇଗଲା ଏବଂ ଏକମାତ୍ର ତା’ରି ମୁଖ ଚାହି ଲୁସୀର ବାବା ଯେ କି ଆତ୍ମତ୍ୟାଗ କଲେ ତାହା ଲୁସୀ ମଧ୍ୟ ଘୁଣାକ୍ଷରରେ ବି ଜାଣିପାରିଲା ନାହିଁ ।

 

ଯାହାହେଉ, ବର୍ତ୍ତମାନ ତିନିଜଣ ମିଳିମିଶି ସୁଖର ନୀଡ଼ ବାନ୍ଧିଲେ । ନ୍ୟାୟ ଉପାୟରେ ପରିଶ୍ରମ କରି ଚାର୍ଲସ ଯାହା ରୋଜଗାର କରୁଥିଲେ, ସେ କିମ୍ଵା ଲୁସୀ ତାହାଠାରୁ ଅଧିକ କିଛି ଚାହୁ ନଥିଲେ ।

 

ଚାର୍ଲସ ନିର୍ଦ୍ଦେଶ ଦେଇଥିଲେ, ତାଙ୍କ ପୈତୃକ ସମ୍ପତ୍ତିର ସମସ୍ତ ଆୟ ଯେମିତି ପ୍ରଜାମାନଙ୍କ ମଙ୍ଗଳରେ ବ୍ୟୟ କରାହୁଏ ।

 

ସିଡ଼ିନ୍‌ ପ୍ରାୟ ଅନେକ ସମୟରେ ସେମାନଙ୍କ ଘରକୁ ଆସୁଥିଲା । ପ୍ରଥମେ ଚାର୍ଲସ ତାକୁ ଘରେ ପୁରାଇବାକୁ ଚାହୁ ନଥିଲେ । କିନ୍ତୁ ଦିନେ ଲୁସୀ ତା’ ସ୍ଵାମୀକୁ ନିଭୃତରେ ଡାକି କହିଲା–ଦେଖ, ଏହି ଲୋକଟି ସହିତ ତୁମେ କଦାପି ଅସଦ୍ ବ୍ୟବହାର କର ନାହିଁ । ମୁଁ ଜାଣେ ବାହାରେ ସେ ଯେମିତି ଜଣାଯାଏ, ସେଇଟା ତା’ର ଅସଲ ପରିଚୟ ନୁହେଁ । ତା’ ବାହାରର ଏହି ଦୈନ୍ୟର ଅନ୍ତରାଳରେ କେତେ ବଡ଼ ସମ୍ପଦ ତା’ ମନ ଭିତରେ ଲୁଚି ରହିଛି, ତାହା କେବଳ ମୁଁ ଜାଣେ-। ତାହା ମୁଁ କିମିତି ଜାଣିଲି, ସେ କଥା ମୋତେ ପ୍ରଶ୍ନ କର ନାହିଁ । ମୁଁ କହିପାରିବି ନାହିଁ । ତଥାପି ଜାଣେ, ଏବଂ ଜାଣି ନିଶ୍ଚିତ ମଧ୍ୟ ଅଛି ।

 

ସେହି ଦିନରୁ ଚାର୍ଲସ ତାକୁ ଯଥେଷ୍ଟ ସମ୍ମାନ ଦେବାର ତ୍ରୁଟି କଲେ ନାହିଁ । ସିଡ଼ିନ ମଧ୍ୟ ସେହି ସମ୍ମାନର ଯଥେଷ୍ଟ ମର୍ଯ୍ୟଦା ରକ୍ଷା କରିଥିଲା । ଯେତେବେଳେ ସେ ତାଙ୍କ ଘରକୁ ଆସୁଥିଲା, ସେତେବେଳେ ସେ କଦାପି ଅପ୍ରକୃତିସ୍ଥ ଅବସ୍ଥାରେ ଆସୁ ନଥିଲା ।

 

ଏହିପରି ଭାବରେ ଗୋଟି ଗୋଟି ହୋଇ ଛଅଟି ବର୍ଷ ବିତିଗଲା । ଲୁସୀର ବି ଝିଅଟିଏ ଓ ପୁଅଟିଏ ହେଲା । ଡାକ୍ତର ମ୍ୟାନେଟ, ସିଡ଼ିନ କାର୍ଟନ, ମିଷ୍ଟର ଲରୀ ଓ ମିସ୍ ପ୍ରସ୍‍ର ସ୍ନେହରେ ସେମାନେ ମଣିଷ ହେବାକୁ ଲାଗିଲେ । ଗୋଟିଏ କଥାରେ କହିବାକୁ ଗଲେ, ଯେତେଦୂର ସୁଖର ସଂସାର ମଣିଷ ଆଶା ଓ କଳ୍ପନା କରିପାରେ, ତାହା ଏମାନେ ଲାଭ କରିଥିଲେ ।

 

କିନ୍ତୁ ବର୍ତ୍ତମାନ ସେମାନଙ୍କ କଥା ଉପରେ ସହସା ଆଜି ପଡ଼ିଲା ବିଧାତାଙ୍କର ବଜ୍ର—ଯେମିତି ଆକସ୍ମିକ, ସେମିତି ଅମୋଘ !

 

ନଅ

 

ନିଆଁ ଧୀରେ ଧୀରେ କୁହୁଳୁ ଥିଲା । ଯେତେବେଳେ ତାହା ଜଳି ଉଠିଲା, ଚାହୁଁ ଚାହୁଁ ପ୍ରଳୟଙ୍କର ମୂର୍ତ୍ତି ଧାରଣ କରି ତାହା ବହୁ ଦୂରକୁ ବ୍ୟାପିଗଲା ।

 

ଡେଫାର୍ଜ ଓ ତା’ର ସ୍ତ୍ରୀ ଏହି ନିଆଁ ଜଳାଉଥିଲେ । ସେଣ୍ଟଆଣ୍ଟୋୟେନର ବୁଭୁକ୍ଷୁ ଦରିଦ୍ରଙ୍କ ଦଳ ପ୍ରଥମେ ଭୟରେ ଏମାନଙ୍କ ପତାକା ତଳେ ଆସି ଠୁଳ ହେଉଥିଲେ । କିନ୍ତୁ ତା’ପରେ ଏମାନେ ଧୀରେ ଧୀରେ ସେମାନଙ୍କୁ ତତାଇଦେଲେ । ଅସହାୟ ଦରିଦଙ୍କ ଉପରେ ଯେଉଁଠି ଯେତେ ଅତ୍ୟାଚାର ଓ ଆନାଚାର ଘଟୁଥିଲା, ସେହି ଘଟଣା ଗୁଡ଼ିକର ଇତିହାସ ସେମାନଙ୍କୁ ଶୁଣାଇବାର ଦାୟୀତ୍ଵ ନେଉଥିଲା ନିଜେ ଡେଫାର୍ଜ ।

 

ବହୁ ଦିନର ଭୟକୁ କଠିନ କୁଠାରାଘାତରେ ଚୁରମାର କରି ଦିଆଗଲା । ତା’ର ସେହି ସାଙ୍କେତିକ ଉପାୟରେ ଡେଫାର୍ଜର ସ୍ତ୍ରୀ ତାଙ୍କ ନିଜ ଦଳର ଲୋକଙ୍କୁ ଏବଂ ଦଳର ପ୍ରତ୍ୟେକ ଶତ୍ରୁକୁ ତା’ ଜାଲ ଭିତରେ ଛନ୍ଦି ରଖିବାକୁ ଲାଗିଲା । କେବଳ ସେତିକି ନୁହେଁ, ରାଜାଙ୍କର ଗୁପ୍ତଚରମାନଙ୍କ ହାତରୁ ଜନତାକୁ ରକ୍ଷା କରିବା ଭାର ମଧ୍ୟ ତା’ ଉପରେ ନ୍ୟସ୍ତ ଥିଲା ।

 

ଏଣେ ଅତ୍ୟାଚାର ମଧ୍ୟ ବନ୍ଦ ହୋଇ ନଥିଲା । ମାତ୍ର ଖାଦ୍ୟ କେଉଁଠି ନ ଥିଲା । ସେହି ଖାଦ୍ୟ ସଂଗ୍ରହର ଉପାୟ ବି କେହି ବତାଇଦେଇ ପାରୁନଥିଲେ । ଅଥଚ ଶୋଷଣର ସ୍ରୋତ ଅବିରତ ବହି ଚାଲିଛି । ଶାସକଙ୍କର ତ ଅର୍ଥ ଏକାନ୍ତ ପ୍ରୟୋଜନୀୟ ।

 

ଦିନେ ଡେଫାର୍ଜ ସେମାନଙ୍କୁ ବୁଝାଇ ଦେଲା—ଆଉ କେଉଁଥିପାଇଁ ସେମାନଙ୍କର ଏତେ ଭୟ ? କି ମାୟା ବା ସେମାନଙ୍କର ଅଛି ? ପ୍ରାଣର ମୋହ ? ଜୀବନ ତ ସେମାନଙ୍କର ଅନାହାରରେ ବାହାରି ଯିବାକୁ ବସିଛି ।

 

ସେହି କଥା ସେମାନେ ବୁଝିଲେ । ପୁରୁଷମାନେ ଦଳ ଦଳ ହୋଇ ଆସି ଡେଫାର୍ଜର ଦଳରେ ଯୋଗଦେଲେ ଏବଂ ନାରୀମାନେ ଆସି ରୁଣ୍ତ ହେଲେ ତା’ ସ୍ତ୍ରୀର ପତାକା ତଳେ । ଠେଙ୍ଗାବାଡ଼ି କୋଡ଼ିକୁରାଢୀ, ଦା-ହାତୁଡ଼ି, ଯେ ଯାହା ପାଇଲା ଧରି ଆସି ହାଜର ହେଲା । ସେୟାହିଁ ହେଲା ସେମାନଙ୍କର ଅସ୍ତ୍ରଶସ୍ତ୍ର ।

 

ସେମାନଙ୍କର ପ୍ରଥମ ଲକ୍ଷ୍ୟଲ ହେଲା ବ୍ୟାସ୍‍ଟିଲ । ସମସ୍ତେ ଜାଣିଥିଲେ, ବ୍ୟାସ୍‍ଟିଲ ଥିଲା ଅପରାଜେୟ, ଭୟଙ୍କର । ଏହି ବ୍ୟାସ୍‍ଟିଲର ଭୟହିଁ ଏତେ କାଳ ହେଲା ବିଦ୍ରୋହୀମାନଙ୍କୁ ଶାସନ କରି ଆସିଛି । ଏହି ବ୍ୟାସ୍‍ଟିଲହିଁ ରାଜ-ଶକ୍ତିର ସବୁଠାରୁ ବଡ଼ ଅସ୍ତ୍ର ଥିଲା । ବ୍ୟାସ୍‍ଟିଲ କେବେ ଜୟ କରାଯାଇପାରେ, ଏହା ଅବିଶ୍ଵାସ୍ୟ ଥିଲା । ଏହି ବିଷୟ ବି ସେମାନଙ୍କର କଳ୍ପନା-ଶକ୍ତିର ବାହାରେ ଥିଲା । ବ୍ୟାସ୍‍ଟିଲର ପ୍ରାଚୀର ଦୁର୍ଭେଦ୍ୟ, ତା’ର ଶକ୍ତି ଅକ୍ଷୟ ।

 

କିନ୍ତୁ ଏହି ବ୍ୟାସ୍‍ଟିଲ ମଧ୍ୟ ଦିନେ ଦୁର୍ବଳ ହୋଇପଡ଼ିଲା । ଏବଂ ମୁମୁର୍ଷୁ ପ୍ରଜାମାନଙ୍କ ନିକଟରେ ଆତ୍ମସମର୍ପଣ କଲା । କମାଣ, ବନ୍ଧୁକ, ଏବଂ ବ୍ୟାସ୍‍ଟିଲର ଦୁର୍ଲ୍ଲଘ୍ୟଂ ପରିଖା ଓ ଦୁର୍ଭେଦ୍ୟ ପ୍ରାଚୀର ଏମାନଙ୍କୁ ଅଟକାଇ ରଖିପାରିଲା ନାହିଁ । ବିଶାଳ ଏ ଭୟଙ୍କର ବ୍ୟାସ୍‍ଟିଲକୁ ଭାଙ୍ଗିଚୁରି ଏବଂ ନିଆଁ ଲଗାଇ ଏମାନେ ଧ୍ଵଂସ ବିଧ୍ଵଂସ କରିଦେଲେ—ତାହାର ସତ୍ତା ବି ରହିଲା ନାହିଁ । ଏତେ ଦିନେ ଫ୍ରାନ୍ସର ରାଜଶକ୍ତିର ସୁବିଶାଳ ପ୍ରତୀକ ବିଲୁପ୍ତ ହୋଇଗଲା ।

 

ସେହି ଦିନ ଯେଉଁ ନିଆଁ ବ୍ୟାସ୍‍ଟିଲରେ ଲାଗିଲା, ତାହା ଆଉ ଲିଭିଲା ନାହିଁ । ସାରା ଦେଶର ଚାରିଆଡ଼େ ହତ୍ୟା, ଅଗ୍ନିକାଣ୍ତ ପ୍ରଭୃତି ଘଟିବାକୁ ଲାଗିଲା । ଦେଶର ଲୋକମାନେ ହେଲେ ଦେଶର ମାଲିକ । ସେମାନଙ୍କର ନାମ ହେଲା ନାଗରୀକ, ଏବଂ ସେମାନଙ୍କର ମନ୍ତ୍ର ହେଲା ସାମ୍ୟ, ସ୍ଵାଧୀନତା ଓ ଭାତୃଭାବ !

 

ଅଶିକ୍ଷିତ ଦରିଦ୍ରମାନଙ୍କ ହାତରେ ସହସା ଅସୀମ କ୍ଷମତା ପଡ଼ିଲେ, ସେହି କ୍ଷମତାର ଯେ ଅପବ୍ୟବହାର ନ ହେବ, ଏଥିରେ ଆଉ ସନ୍ଦେହ କ’ଣ ଅଛି ? ଏହି କ୍ଷେତ୍ରରେ ମଧ୍ୟ ତା’ର ଅନ୍ୟଥା ହେଲା ନାହିଁ ।

 

ଦେଶର ଯେତେ ଜମିଦାର ଓ ରାଜ-ପୁରୁଷଙ୍କର ବଂଶ ଥିଲେ, ସେମାନେ ସମସ୍ତେ ଓ ସେମାନଙ୍କର ଆତ୍ମୀୟ-ସ୍ଵଜନମାନେ ମଧ୍ୟ ବିନା ବିଚାରରେ ପ୍ରାଣ ହରାଇଲେ । ହୁଏତ ସେମାନଙ୍କ ଭିତରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ଓ ନିରପରାଧ ଲୋକମାନେ ବି ଥିଲେ । କିନ୍ତୁ କିଏ ସେମାନଙ୍କର ବିଚାର କରିବି ? ଉନ୍ମତ୍ତ ଜନତା ଚାହେଁ ସେମାନଙ୍କର ରକ୍ତ—ଅତ୍ୟାଚାରୀମାନଙ୍କର ରକ୍ତହିଁ ସେମାନଙ୍କର ବର୍ତ୍ତମାନ ଏକମାତ୍ର କାମ୍ୟ !

 

ମାର୍କୁ ଇସ ଏଭାରମଣ୍ତଙ୍କର ବିରାଟ ପ୍ରସାଦ ମଧ୍ୟ ଭସ୍ମାବଶେଷରେ ପରିଣତ ହେଲା । ତାଙ୍କ ଉପରେ ତ ସେମାନଙ୍କର ରାଗ କମ୍ ନୁହେଁ ଆଉ ବିଚରା ଗେବେଲ—ଯେ ଏତେଦିନ ହେଲା ଚାର୍ଲସର ନିର୍ଦ୍ଦେଶ ଅନୁସାରେ ପ୍ରଜାମାନଙ୍କ ନିକଟରୁ ଖଜଣା ବାବଦକୁ କାଣି କଉଡ଼ିଟିଏ ନ ନେଇ, ସମ୍ପତ୍ତି ବିକି ରାଜ-ସରକାରଙ୍କୁ ରାଜସ୍ଵ ଦେଉଥିଲା, ତାକୁ ବି ସେମାନେ ଧରିନେଇଗଲେ ।

 

ତାକୁ ପଚରାଗଲା—ତୋ ମୁନିବ କେଉଁଠି ଅଛି କହ, ନି ହେଲେ ତୋର ଆଉ ରକ୍ଷା ନାହିଁ ।

 

ସେ ନାନା ପ୍ରକାର ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା । ଚାର୍ଲସ ତାଙ୍କ ପୂର୍ବ ପୁରୁଷମାନଙ୍କ ଭଳି ନୁହଁ । ସେମାନଙ୍କର ଭଲପାଇଁ ସେ ସାରା ଜୀବନ ଚେଷ୍ଟା କରିଛି । ସେ କେବେ ହେଲେ ତା’ ଜୀବନରେ ସେମାନଙ୍କର ଅର୍ଥ ନେଇ ନାହିଁ । ବରଂ ପୈତୃକ ସମ୍ପତ୍ତି ବିକ୍ରିକରି ସେ ସରକାରଙ୍କୁ ରାଜସ୍ଵ ଦେଇ ଆସୁଛି ।

 

କିନ୍ତୁ କିଏ କାହା କଥା ଶୁଣୁଛି ? ସେମାନେ ଏଭାରମଣ୍ତକୁ ଚାହାନ୍ତି । ସେହି ଅଭିଶପ୍ତ ଘୃଣିତ ବଂଶର ବହୁ ଅତ୍ୟାଚାର ସେମାନେ ସହ୍ୟ କରିଛନ୍ତି । ଏଥର ପ୍ରତିଶୋଧର ବେଳ ଆସି ପହଞ୍ଚିଛି ।

 

ସେହି ପ୍ରତିଶୋଧରୁ କ’ଣ ସେମାନେ ବଞ୍ଚିତ ହେବେ ? କଦାପି ନୁହେଁ !

 

ପ୍ରାଣର ମାୟାହିଁ ମଣିଷର ସବୁଠାରୁ ବଡ଼ । ତେଣୁ ଗେବଲ ବି ବଞ୍ଚିବା ପାଇଁ କାହିଁକି ଚେଷ୍ଟା ନ କରିବ ? ସେ ସବୁ ବିଷୟ ଖୋଲା ଖୋଲି ବାବରେ ଖଣ୍ତିଏ ଚିଠିରେ ଲେଖି ଚାର୍ଲସ ପାଖକୁ ପଠାଇଦେଲା, ଏବଂ ଜଣାଇଲା ଯେ ସେ ନ ଆସିଲେ ତା’ର ଆଉ ରକ୍ଷା ନାହିଁ ।

 

ଦଶ

 

ପ୍ୟାରିସ ନଗରୀରେ ଟେଲସନ ବ୍ୟାଙ୍କର ଯେଉଁ ଶାଖା ଥିଲା, ସେଠାରୁ ଉଦ୍‌ବେଗଜନକ ସମ୍ବାଦ ଆସୁଥିଲା । ସେଠାରେ ମହା ଗୋଳମାଳ, ଅବିଳମ୍ବେ ସେଠାକୁ ଜଣେ କେହି ଦରକାର । ତେଣୁ ଆଦେଶ ହେଲା ମିଷ୍ଟର ଲରୀଙ୍କୁ ସେଥିପାଇଁ ପ୍ରସ୍ତୁତ ହେବାକୁ ହେବ ।

 

ଯିବା ଆଗରୁ ମିଷ୍ଟର ଲରୀ ବିଦାୟ ନେବା ପାଇଁ ଲୁସୀ ପ୍ରଭୃତିଙ୍କ ପାଖକୁ ଗଲେ । ସେମାନଙ୍କୁ ଦେଖାସାକ୍ଷାତ୍‍ କରି ଓ ସେମାନଙ୍କ ସହିତ ଆବଶ୍ୟକୀୟ କଥାବାର୍ତ୍ତା କରି, ସେ ଚାଲିଯାଇଛନ୍ତି, ଏତିକିବେଳେ ଚାର୍ଲସ ତାଙ୍କୁ ତା’ ପାଖକୁ ଡାକି ନେଇ ଅତି ଗୋପନରେ ପଚାରିଲେ–ପ୍ୟାରିସରେ ପହଞ୍ଚି ମୋର ଗୋଟିଏ ଉପକାର କରିପାରିବେ ?

 

ମିଷ୍ଟର ଲରୀ ଜାବାବ ଦେଲେ–ନିଶ୍ଚୟ, ସମ୍ଭବ ହେଲେ କାହିଁକି ବା ନ କରିପାରିବି ?

 

ଚାର୍ଲସ ଆରମ୍ଭ କଲା–କାମଟା ଅବଶ୍ୟ କଠିନ । ଗେବର ନାମକ ଜଣେ ବନ୍ଦୀ ପାଖକୁ କୌଣସିମତେ ଗୋଟିଏ ଖବର ପାଠାଇବାକୁ ହେବ । ଖବରଟା ଅବଶ୍ୟ ସେମିତି କିଛି ଗୁରୁତର ନୁହେଁ । ତାକୁ କେବଳ କହିବେ ଯେ ତୋ ଚିଠି ଯଥାସ୍ଥାନରେ ପହଞ୍ଚିଛି ଏବଂ ସେ ବି ଆସୁଛି । ସେ ପଚାରିଲେ–କେବଳ ଏତିକି ? କେବେ କିମ୍ବା କିଏ, ଏସବୁ କିଛି କହିବାକୁ ହେବ ନାହିଁ ?

 

ଚାର୍ଲସ ତତ୍‍କ୍ଷଣାତ୍ କହିଲା–ନା ।

 

ତହୁ ମିଷ୍ଟର ଲରୀ କହିଲେ–ହଉ, ମୁଁ ଏତିକି ନିଶ୍ଚୟ କରିପାରିବି । ଏହା କହି ସେ ବାହାରିଗଲେ ।

 

ସେହି ରାତିରେ ଏକା ବସି ଚାର୍ଲସ ଦୁଇଖଣ୍ଡ ଚିଠି ଲେଖିଲା । ଖଣ୍ଡିଏ ଲୁସୀକୁ ଏବଂ ଆଉ ଖଣ୍ଡିଏ ତା’ ବାବାଙ୍କୁ । ଲୁସୀକୁ ସବୁ କଥା ଖୋଲି ଲେଖି, ଏ କ୍ଷେତ୍ରରେ ତା’ର ଯିବା ଛଡ଼ା ଯେ ଅନ୍ୟ କୌଣସି ଉପାୟ ନାହିଁ, ସେ ବିଷୟ ବୁଝାଇ ଏବଂ ସେ ଯେ ଅତି ଶୀଘ୍ର ଫେରିଯାଉଛି, ଏହି ଆଶ୍ୱାସନା ଦେଇ ସେ ଚିଠି ଶେଷ କଲା । ସେ ମ୍ୟାନେଟଙ୍କୁ କେବଳ ଜଣାଇଲା-କଠିନ କର୍ତ୍ତବ୍ୟର ଅନୁରୋଧରେ ତାକୁ ଯିବାକୁ ପଡ଼ୁଛି । ତେଣୁ ସେ ଯେଉଁ କେତେ ଦିନ ଏଠାରେ ଅନୁପସ୍ଥିତ ରହିବ, ସେହି କେତେ ଦିନ ସେ ଯେମିତି ଲୁସୀକୁ ନଜରରେ ରଖନ୍ତି ।

 

ଚିଠି ଦୁଇଖଣ୍ଡ ଲଫାପାରେ ବନ୍ଦ କରି ଏବଂ ତାକୁ ଟେବୁଲ ଉପରେ ଥୋଇଦେଇ, ଗଭୀର ରାତିରେ କାହାରିକୁ ନ ଜଣାଇ ଚାର୍ଲସ ଘରୁ ବାହାରିପଡ଼ିଲା ।

 

ଲୁସୀ ଜାଣିଥିଲେ ତାକୁ ବାଧା ଦେଇଥାନ୍ତା । ଅଥଚ ଏଣେ ତା’ରି ପାଇଁ ଜଣେ ଲୋକ ଅକାରଣେ ବିପନ୍ନ । ଏହା ଜାଣି ବି ସେ କିପରି ନୀରବ ହୋଇ ବସି ରହିବ ? ତାହାଛଡ଼ା, ତା’ର ବିଶ୍ୱାସ ଥିଲା, ସେ ଯେତେବେଳେ ପ୍ରକୃତରେ କିଛି ଅନ୍ୟାୟ କରିନାହିଁ, ସେତେବେଳେ ତା’ର କି ବିପଦ ଘଟିପାରେ ? ପ୍ରଜାମାନଙ୍କୁ ବିଷୟଟା ଖୋଲାଖୋଲି ଭାବଲେ ବୁଝାଇଦେଲେ, ସେମାନେ ନିଶ୍ଚୟ ତା’ କଥା ଶୁଣିବେ । କିନ୍ତୁ ହାୟରେ ଚାର୍ଲସ ! ସେ ଗୋଟିଏ କଥା ଭାବି ଦେଖି ନାହିଁ ଯେ ତା’ର ଓ ତା’ ପ୍ରଜାମାନଙ୍କ ଭିତରେ ତା’ ପିତୃ ପିତାମହଙ୍କର ପର୍ବତ ଆକାରରେ ପାପମୁଖ ବ୍ୟାଦାନ କରିଠିଆ ହୋଇରହିଛି । ତାହା ଲଙ୍ଘନ କଲେ ସିନା ସେ ପ୍ରଜାମାନଙ୍କ ହୃଦୟ ସିଂହାସନରେ ଯାଇ ବସିବ ।

 

ଏଗାର

 

କ୍ୟାଲେରେ ପହଞ୍ଚି, ପ୍ୟାରିସର ରାସ୍ତାଆଡ଼କୁ ମୁହଁ କରିବା ବେଳେ ଚାର୍ଲସ ବୁଝିପାରିଲା ଯେ, ସେ କାର୍ଯ୍ୟଟା ଯେତେ ସହଜ ବୋଲି ଭାବିଥିଲା ପ୍ରକୃତରେ ତାହା ସେତେ ସହଜ ନୁହେଁ । ପ୍ୟାରିସରୁ ଯିବା ସମୟରେ କେହି ତାକୁ ଅବଶ୍ୟ ବାଟରେ ବାଧାଦେବେ ନାହିଁ, କିନ୍ତୁ ସେ ନିଶ୍ଚିନ୍ତ ରୂପେ ହୃଦୟଙ୍ଗମ କରିପାରିଲା ଯେ, ଫେରିବାବେଳେ ତାକୁ ନା ନା କଠିନ ବାଧା ଅତିକ୍ରମ କରିବାକୁ ପଡ଼ିବ । ଏହି ଅଳ୍ପ ସମୟ ମଧ୍ୟରେ ତା’ ଦେଶ ତଥା ଦେଶବାସୀଙ୍କର ଯେଉଁ ଅଦ୍ଭୁତପୂର୍ବ ପରିବର୍ତ୍ତନ ହୋଇଥିଲା, ସେ ତାହା ଦେଖି ଖାଲି ବିସ୍ମିତ ହେଲା ନାହିଁ, ଭୟଭୀତ ମଧ୍ୟ ହୋଇଗଲା-। ତାକୁ ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ଭୀଷଣ ବିପଦ ତା’ ମଥା ଉପରେ ଝୁଳିଛି ।

 

ରାତିରେ ସେ ପ୍ୟାରିସ ନିକଟରେ ଗୋଟିଏ ଧର୍ମଶାଳରେ ଆଶ୍ରୟ ନେଲା. ପଥଶ୍ରମ ଫଳରେ ଅତି କ୍ଳାନ୍ତ ହୋଇଥିବାରୁ ସେ ଶୋଇପଡ଼ିଲା । କିନ୍ତୁ ସେ ଦୁଇଟି ଘଣ୍ଟା ନିଦ୍ରା ଯାଇଛି କି ନାହିଁ, ଧର୍ମଶାଳାର ମାଲିକ ଓ କେତେଜଣ ଜାତୀୟ ସୈନ୍ୟ ତାକୁ ଉଠାଇ ଜଣାଇଦେଲେ ଯେ, ଏହିକ୍ଷଣି ତାକୁ ପ୍ୟାରିସକୁ ଯିବାକୁ ହେବ ଏବଂ ତାହା ସାଙ୍ଗରେ ଦଳେ ପହରାବାଲା ଦିଆଯିବ । ମାତ୍ର ପହରାବାଲାଙ୍କର ଖର୍ଚ୍ଚ । ତାକୁ ଦେବାକୁ ହେବ ।

 

ଚାର୍ଲସ ଏହାର ସାମାନ୍ୟ ପ୍ରତିବାଦ ଜଣାଇଥିଲା, କିନ୍ତୁ ସେଥିରେ ହିତ ଅପେକ୍ଷା ଅହିତର ସମ୍ଭାବନା ବେଶୀ ଜାଣିପାରି ଆଉ କିଛି କହିଲା ନାହିଁ । କିଛି ଦୂର ଯାଇ ସେ ବୁଝିପାରିଲା, ତା’ ଆଗମନର ବାର୍ତ୍ତା ଇତି ମଧ୍ୟରେ ଦେଶରେ ବ୍ୟାପି ଯାଇଛି । ସେ ଦେଖିଲା, ତାକୁ ଗାଳି ଗୁଲଜ ଦେବା ପାଇଁ ଏବଂ ସମ୍ଭବ ହେଲେ ତାକୁ ମାଡ଼ ଦେବା ପାଇଁ ରାସ୍ତାକଡ଼ରେ କ୍ରୁଦ୍ଧ ଜନତା ଠିଆ ହୋଇଥିଲା । ସେତେବେଳେ ସେ ମନେ ମନେ ଭାବିଲା, ଜାତୀୟ ସୈନ୍ୟମାନଙ୍କୁ ସାଙ୍ଗରେ ଆଣି ସେ ଭଲ କରିଛି ।

 

ପ୍ୟାରିସରେ ପହଞ୍ଚିବା ମାତ୍ରେ ତାକୁ ‘ଲାଫୋର୍ସ’ ର କାରାଗାରରେ ବନ୍ଦୀ କରାଗଲା । ଡେଫାର୍ଜ ତାକୁ ସନାକ୍ତ କଲା । ତା’ର ଅପରାଧ, ସେ ବଡ଼ ଲୋକ ଏବଂ ଦେଶ ଛାଡ଼ି ବାହାରକୁ ଚାଲିଯାଇଥିଲା ।

 

ସେତେବେଳେ ରାଜ୍ୟରେ ପୁରା ପୁରି ଅରାଜକ ଅବସ୍ଥା । ଜାତୀୟ ମନ୍ତ୍ରୀସଭା ଦୈନିକ ଶହେ ଦୁଇ ଶହ ଲେଖାଏଁ ନୂଆ ଆଇନ ପ୍ରଣୟନ କରୁଥିଲା । ସେହି ଆଇନର ଗୋଟିଏ ଧାରା ଅନୁଯାୟୀ ଚାର୍ଲସର ବିଚାର ହେବ, ଏହା ତାକୁ ଜଣାଇଦିଆଗଲା ।

 

ଡେଫାର୍ଜ କେବଳ ତାକୁ ଥରେ ନିଭୃତକୁ ଡାକି କହିଲା–ଏଠାକୁ ଆସିବା ଲାଗି ତୁମକୁ ଏକ୍ଷଣି କିଏ ଦୁର୍ବୁଦ୍ଧି ଦେଲା ? ତୁମେ କ’ଣ ଜାଣ ନାହିଁ ଯେ ଏଠାକୁ ଆସିବା ଅର୍ଥ ନିଶ୍ଚିତ ମୃତ୍ୟୁ ?

 

ଚାର୍ଲସ ଜବାବ ଦେଲା–ଗେବଲକୁ ମୁକ୍ତ କରିବା ପାଇଁ ମୁଁ ଏଠାକୁ ଆସିଥିଲି । ଏପରି ଅବସ୍ଥା ଉପୁଜିବ, ଏ କଥା ବା ମୁଁ ଜାଣିବି କିପରି ।

 

ଖୁବ୍ ଭଲ୍ କରିଛ, ଏକ୍ଷଣି ଏଠାରେ ମର !

 

ଦୁଇଟି ନଗରୀର କାହାଣୀ

ବାର

 

ସେହିଦିନ ସନ୍ଧ୍ୟାବେଳେ ମିଷ୍ଟର ଲରୀ ପ୍ୟାରିସରେ ତାଙ୍କ ଅଫିସ ଘରେ ବସି ବାହାରେ ଉନ୍ମତ୍ତ ଜନତାର କୋଳାହଳ ଶୁଣୁଥିଲେ ଏବଂ ଭାବୁଥିଲେ, ଭାଗ୍ୟକୁ ମୋର କେହି ଜଣାଶୁଣା ଲୋକ ଏହି ଆବର୍ତ୍ତରେ ପଡ଼ି ନାହିଁ, ନ ହେଲେ କି ଅଡ଼ୁଆରେ ପଡ଼ିବାକୁ ହୋଇଥାନ୍ତା !

 

ଯେଉଁ କୋଠାରେ ତାଙ୍କ ଅଫିସ-ଘର, ସେହି କୋଠାର ଅନ୍ୟ ଅଂଶଗୁଡ଼ିକୁ ଭାଙ୍ଗି ଚୁରି ଓ ଲୁଟି ତରାଜ କରି ଗୁଣ୍ଡାମାନେ ଧ୍ୱଂସସ୍ତୁପରେ ପରିଣତ କରିଛନ୍ତି । କେବଳ ବ୍ୟାଙ୍କଟି ଗୋଟିଏ ବିଲାତି ପ୍ରତିଷ୍ଠାନ ହୋଇଥିବାରୁ, ତା’ ଅଫିସଟା ଧ୍ୱଂସ ମୂଳକ ଆକ୍ରମଣରୁ ରକ୍ଷାପାଇଛି । କିନ୍ତୁ ଅଫିସ ରକ୍ଷାପାଇ ବି କେଉଁ ଲାଭ ଅଛି ? ଯେଉଁ ମାନଙ୍କର ହିସାବ ପତ୍ର, ଟଙ୍କା-କଉଡ଼ି ଓ କାଗଜପତ୍ର ସେମାନେ ସାବଧାନରେ ରଖିଛନ୍ତି, ସେମାନେ କାହାନ୍ତି ? ସେମାନଙ୍କ ଭିତରୁ ଅଧିକାଂଶ ଆଜି ଏମିତି ସ୍ଥାନକୁ ଚାଲିଯାଇଛନ୍ତି, ଯେଉଁଠାରୁ ଫେରିଆସି ବ୍ୟାଙ୍କ ସହିତ ହିସାବ ନିକାଶ କରିବା ସେମାନଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ । ସେହିସବୁ ହିସାବର ବା କି ଅବସ୍ଥା ହେବ ଏବଂ ଏହି ଦେଶର ଅବସ୍ଥା କି ଆକାର ଧାରଣ କରିବ, ଏହିପରି କେତେ ସବୁ ଆକାଶ ପାତାଳ କଥା ମିଷ୍ଟର ଲରୀ ଭାବୁଥିଲେ । ଏମିତି ସମୟରେ ତାଙ୍କ ଅଫିସ ଦୁଆର ମୁହଁରେ କିଏ ଧକ୍କା ମାରିଲା ।

 

ମିଷ୍ଟର ଲରୀ ବିସ୍ମିତ ହେଲେ । ଏତେ ରାତିରେ କିଏ ତାଙ୍କ ଦୁଆରେ ଧକ୍କା ମାରିଲା ? ସେହି ବିସ୍ମୟ ଆହୁରି ବଢ଼ିଗଲା, ଯେତେବେଳେ ଟିକିଏ ପରେ ଦୁଆର ଖୋଲି ଡାକ୍ତର ମ୍ୟାନେଟ ଓ ଲୁସୀ ଘରେ ପ୍ରବେଶ କଲେ ।

 

ମିଷ୍ଟର ଲରୀ ଆଶ୍ଚର୍ଯ୍ୟ ହୋଇ କହିଲେ–ଏ କ’ଣ ଡାକ୍ତର, ଆପଣ ? ଲୁସୀ, ତୁମେ ବି-?

 

ଡାକ୍ତର ମ୍ୟାନେଟଙ୍କ ମୁଖ ମଣ୍ଡଳରେ ଟିକିଏ ମଳିନ ହସ ଦେଖାଗଲା । ମାତ୍ର ଲୁସୀ କହି ପକାଇଲା – ଚାର୍ଲସ କ’ଣ ? କ’ଣ ହୋଇଛି ?

 

ଲୁସୀ ଜବାବ ଦେଲା–ସେ ଏଠାକୁ ଆସିଥିଲେ, ଧରା ପଡ଼ିଛନ୍ତି ।

 

ସେ ଆଶ୍ଚର୍ଯ୍ୟ ହୋଇ କହିଲେ–ଏଁ, ଚାର୍ଲସ ଧରା ପଡ଼ିଛି ! କ’ଣ କହୁଛ ?

 

ହଁ, ଜଣକୁ ଗିଲୋଟିନରୁ ବଞ୍ଚାଇବା ଲାଗି ସେ ଏଠାକୁ ଆସିଥିଲେ, ଧରା ପଡ଼ିଗଲେ ।

 

କିଛିକ୍ଷଣ ସ୍ତମ୍ଭୀତ ହୋଇଯାଇ, ଠିଆ ହୋଇ ରହି ମିଷ୍ଟର ଲରୀ ପଚାରିଲେ–ସେ କେଉଁଠି ଅଛି, ତୁମେ ଜାଣ ?

 

ଲୁସୀ ଜଣାଇଲା–ଲାପୋର୍ସର କାରାଗାରରେ ।

 

ମିଷ୍ଟର ଲରୀ ଦୀର୍ଘଶ୍ୱାସ ପକାଇ କେବଳ କହିଲେ–ସର୍ବନାଶ !

 

ଏତିକି ବେଳେ ବାହାରେ କୋଳାହଳ ଖୁବ୍ ବଢ଼ିଗଲା । ଡାକ୍ତର ମ୍ୟାନେଟ ଝରକା ଆଡ଼କୁ ଆଗେଇ ଯାଉଁ ଯାଉଁ କହିଲେ, ଏତେ ଗୋଳମାଳ କାହିଁକି ?

 

ବ୍ୟାକୁଳ ହୋଇ ମିଷ୍ଟର ଲରୀ କହିଲେ–ଡାକ୍ତର ମ୍ୟାନେଟ ଯାଆନ୍ତୁ ନାହିଁ, ସେ ଆଡ଼କୁ ଯାଆନ୍ତୁ ନାହିଁ । ଆପଣଙ୍କ ଜୀବନ ଉପରକୁ ବିପଦ ଆସିପାରେ ।

 

ଡାକ୍ତର ମ୍ୟାନେଟ ଗୋଟିଏ ହାତରେ ଝରକା ଖୋଲୁ ଖୋଲୁ କହିଲେ–ଆପଣ ଜାଣନ୍ତି ନାହିଁ ମିଷ୍ଟର ଲରୀ, ମୋ ଦେହରେ ହାତ ଦେହ ବା ମୋର କିଛି କ୍ଷତି କରିବ, ଏପରି କୌଣସି ଲୋକ ଏ ଦେଶରେ ନାହିଁ । ମୁଁ କୋଡ଼ିଏ ବର୍ଷ ବ୍ୟାସଟିଲରେ କଟାଇଛି । ତାହାହିଁ ମୋର ସବୁଠାରୁ ବଡ଼ ଛାଡ଼ପତ୍ର । ଯେ ଥରେ ସେହି କଥା ଶୁଣିବ, ସେ ମୋଆଡ଼କୁ ସସମ୍ଭ୍ରମରେ ଚାହିବ, ଆଉ ମୋତେ ପୂଜା କରିବ । ଏଠାକାର ଲୋକଙ୍କୁ ବଶ କରିବା ପାଇଁ ମୋତେ ଯାଦୁବିଦ୍ୟା ଜଣା ଅଛି ।

 

ଡାକ୍ତର ମ୍ୟାନେଟ ଝରକା ଖୋଲି ବାହାରକୁ ଅନାଇବା ମାତ୍ରେ ଶିହରି ଉଠିଲେ । ସେତେବେଳେ ବାହାରେ ରୀତିମତ ନାରକୀୟ ବ୍ୟାପାର ଚାଲିଛି । ଗୋଟିଏ ପ୍ରକାଣ୍ଡ ଶାଣ ଦିଆ ପଥରକୁ ଦୁଇ ଜଣ ଯମଦୂତ ଭଳି ଲୋକ ମିଶି ଅନବରତ ଘୂରାଉଥାନ୍ତି ଏବଂ ବିପୁଳ ଜନତା ଭିତରେ ଯାହା ହାତରେ ଯେଉଁ ଅସ୍ତ୍ର ଅଛି, ଯଥା ଛୁରୀ ବଲମ, କୋଡ଼ି, ତାକୁ ସବୁ ସେଥିରେ ଶାଣ ଦେଉଛନ୍ତି । ସମଗ୍ର ବ୍ୟାପାରଟି ଭିତିରୁ ଏମିତି ଗୋଟାଏ ବିକଟ ଜିଙ୍ଘାସା ପ୍ରକାଶ ପାଉଛି, ସମସ୍ତଙ୍କ ମୁହଁରେ ଆଖିରେ ଏମିତି ଗୋଟାଏ ଲୋଲୁପ ଶୋଣିତ ତୃଷା ଦେଖାଯାଉଛି, ଏବଂ ସେମାନଙ୍କର ଉଲ୍ଲାସ ଏମିତି ଏକ ପୈଶାଚିକ ଆକାର ଧରଣ କରିଛି ଯେ, ସେହିଆଡ଼କୁ ଦୃଷ୍ଟି ଯିବାମାତ୍ରେ ମଥା ଘୁରି ଯାଉଛି ଏବଂ ତା’ ଭିତରେ ସବୁ ଗୋଳମାଳ ହୋଇ ଯାଉଛି ।

 

ମିଷ୍ଟର ଲରୀ ଲୁସୀକୁ କହିଲେ ମାଆ ଏ ତୁମର ଅଗ୍ନି ପରୀକ୍ଷା । ତୁମକୁ ଏକାନ୍ତ ଭାବରେ ଧୈର୍ଯ୍ୟ ଧରି ରହିବାକୁ ହେବ ଏବଂ ମନରେ ଖୁବ୍ ଦୃଢ଼ତା ଆଣିବାକୁ ହେବ । ଯଦି କେବେ ତୁମର ଧୈର୍ଯ୍ୟର ପରୀକ୍ଷା ଦେବାକୁ ସମୟ ଆସେ ତ ତାହା ଏକ୍ଷଣି ଆସିଛି । ମୁଁ ଓ ତୁମ ବାବା ଚାର୍ଲସ ପାଇଁ ସବୁବେଳେ ବ୍ୟସ୍ତ ରହିବୁ । ତୁମ ଆଡ଼କୁ ଟିକିଏ ଦୃଷ୍ଟି ଦେବା ପାଇଁ ଆମର ସମୟ ରହିବ ନାହିଁ । ତେଣୁ ଏହି ସମୟରେ ଯଦି ତୁମେ ବିନ୍ଦୁମାତ୍ର ଅଧୀରତା ପ୍ରକାଶ କର, ତାହାହେଲେ ସବୁ ସର୍ବନାଶ ହେବ ।

 

ଲୁସୀ ଶାନ୍ତସ୍ୱରରେ କହିଲା–ମୋପାଇଁ ତିଳେମାତ୍ର ଚିନ୍ତା କରନ୍ତୁ ନାହିଁ । ଆପଣମାନେ କେବଳ ଚାର୍ଲସଙ୍କୁ ବଞ୍ଚାନ୍ତୁ । ମୁଁ ଠିକ୍ ରହିଥିବି, ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ ।

 

ସେ ଧୀରେ ଧୀରେ ଘରୁ ବାହାରିଗଲା । ତା’ପରେ ମିଷ୍ଟର ଲରୀ ଡାକ୍ତର ମାନେଟଙ୍କ ଆଡ଼କୁ ମୁହଁ ବୁଲାଇ କହିଲେ–ଡାକ୍ତର ମ୍ୟାନେଟ, ଆପଣ ଯାହା କହିଲେ ତାହା ଯଦି ପ୍ରକୃତରେ ସତ ହୋଇଥାଏ, ଏବଂ ଯଦି ସେମାନଙ୍କ ଉପରେ ଆପଣଙ୍କର କୌଣସି ପ୍ରକାର ପ୍ରଭାବ ଥାଏ, ତାହାହେଲେ ସେହି ପ୍ରଭାବ ପ୍ରୟୋଗ କରିବାର ଦିନ ବର୍ତ୍ତମାନ ଆସିଛି । ତିଳେମାତ୍ର ଆଉ ବିଳମ୍ବ କରିବେ ନାହିଁ । ହୁଏତ ଅଜଣାରେ ଆଜି ଏତେ ବିଳମ୍ବ ହୋଇଗଲା । ଯଦି ଚାର୍ଲସକୁ ବଞ୍ଚାଇପାରିବେ ବୋଲି ମନେ କରୁଛନ୍ତି ତାହାହେଲେ ଆପଣ ଏକ୍ଷଣି ଯାଆନ୍ତୁ । ତା’ ନ ହେଲେ କୌଣସି ଇନ୍ଦ୍ରଜାଲ ମଧ୍ୟ ତାକୁ ମୃତ୍ୟୁ ନିକଟରୁ ଛଡ଼ାଇ ଆଣିପାରିବ ନାହିଁ ।

 

ଡାକ୍ତର ମ୍ୟାନେଟ ନିଃଶବ୍ଦରେ ମଥାରୁ ଟୋପିଟା ଖୋଲି ପକାଇ ଧୀରେ ଧୀରେ ବାହାରିଗଲେ ।

 

ରାଜବନ୍ଦୀର ସ୍ତ୍ରୀକୁ ଓ ତା’ କନ୍ୟାକୁ ବ୍ୟାଙ୍କ ଭିତରେ ରଖିଲେ ବ୍ୟାଙ୍କର କୌଣସି ଅନିଷ୍ଟ ଘଟିପାରେ ଭାବି, ସହରର ଅପେକ୍ଷାକୃତ ନିର୍ଜନ ଅଂଶରେ ଗୋଟିଏ ବସାଘର ଠିକ୍ କରି ମିଷ୍ଟର ଲରୀ ତା’ପରଦିନ ସକାଳେ ଲୁସୀ ଓ ତା’ ଝିଅକୁ ନେଇ ସେଠାରେ ରଖିଦେଇ ଆସିଲେ । ସେମାନଙ୍କର ତତ୍ତ୍ୱ ନେବା ପାଇଁ ମିସ୍ ପ୍ରସ୍‍ ଓ ବ୍ୟାଙ୍କର୍‍ ଚାକର ଜେରୀ ସେଠାରେ ରହିଲେ ।

 

କିନ୍ତୁ ଡାକ୍ତର ମ୍ୟାନେଟ କାହାନ୍ତି ? ଅନେକ ସମୟ ଯାଏ ତାଙ୍କର କୌଣସି ଖବର ନ ପାଇ, ମିଷ୍ଟର ଲରୀ ମନେ ମନେ ଶଙ୍କିତ ହୋଇ ବସିପଡ଼ିଛନ୍ତି, ଏହି ସମୟରେ ଡେଫାର୍ଜ ତାଙ୍କଠାରୁ ଖଣ୍ଡିଏ ଚିଠି ନେଇ ଆସି ଉପସ୍ଥିତ ହେଲା ।

 

ସେହି ଚିଠିରେ ଲେଖା ଥିଲା-ଚାର୍ଲସ ଏ ଯାଏ ନିରାପଦ ଅଛି । ଆଜି ଏକ୍ଷଣି ତାକୁ ଏକା ଛାଡ଼ିଯିବା ସମ୍ଭବ ନୁହେଁ । ପତ୍ରବାହକ ହାତରେ ଚାର୍ଲସ ଖଣ୍ଡିଏ ଚିଠି ଦେଇଛି । ତା’ ସ୍ତ୍ରୀ ସହିତ ଏହାକୁ ଦେଖା କରାଇଦେବେ ।

 

ଡେଫାର୍ଜକୁ ଦେଖି ମିଷ୍ଟର ଲରୀ ଚିହ୍ନିପାରିଲେ । କିନ୍ତୁ ତା’ର ଭାବଭଙ୍ଗୀ ଯଏମିତି ଅସ୍ୱାଭାବିକ ବୋଧ ହେଲା । ଯାହାହେଉ, ତାଙ୍କୁ ସାଙ୍ଗରେ ଧରି ମିଷ୍ଟର ଲରୀ ଲୁସୀର ଘରଆଡ଼କୁ ବାହାରି ପଡ଼ିଲେ । ରାସ୍ତାରେ ଡେଫାର୍ଜର ସ୍ତ୍ରୀ ଓ ଆଉ ଜଣେ ସ୍ତ୍ରୀ ଲେକ ଅପେକ୍ଷା କରିଥିଲେ । ସେମାନେ ମଧ୍ୟ ଏମାନଙ୍କ ସାଙ୍ଗରେ ଗଲେ । ଏହି ସ୍ତ୍ରୀ ଲୋକଟି ଡେଫାର୍ଜର ଦକ୍ଷିଣ ହାତ ଥିଲେ । ଏବଂ ତା’ର ନିଷ୍ଠୁରତା ପ୍ରାୟ ଡେଫାର୍ଜର ସ୍ତ୍ରୀର ନିର୍ଦ୍ଦୟତା ପରି ବିଖ୍ୟାତ ଥିଲା । ସେଥିପାଇଁ ସେଣ୍ଟ ଆଣ୍ଟୋୟେନର ଲୋକମାନେ ତା’ର ନାମ ପ୍ରତିହିଂସା ରଖିଥିଲେ ।

 

ମିଷ୍ଟର ଲରୀ ବିସ୍ମିତ ହୋଇ ପଚାରିଲେ–ଏମାନେ ବି ଯିବେ ନା କ’ଣ ?

 

ଡେଫାର୍ଜ କହିଲା–ହଁ,ଏମାନଙ୍କ ସାଙ୍ଗରେ ପରିଚୟ ହୋଇ ଯିବାଟା ବରଂ ଭଲ । ଭବିଷ୍ୟତରେ ତାହା କାମରେ ଲାଗିପାରେ ।

 

ଏଥର ଡେଫାର୍ଜର କଣ୍ଠ-ସ୍ୱରଟା ମିଷ୍ଟର ଲରୀଙ୍କ କାନରେ କେମିତି ଅଦ୍ ଭୁତ ପ୍ରକାର ଶୁଣାଗଲା । ସେ ଯେମିତି ଜୋର କରି କଥା କହୁଛି, ନିଜ ଇଚ୍ଛା ବିରୁଦ୍ଧରେ ମଣିଷ ମିଛ କଥା କହିବାକୁ ଗଲେ ଯେମିତି ଶୁଣାଯାଏ । କିନ୍ତୁ ଆଉ ସେ କିଛି କଥା ନ କହି, ସେମାନଙ୍କୁ ସାଙ୍ଗରେ ଧରି ଲୁସୀର ଘରକୁ ଗଲେ ଏବଂ ତାକୁ ଏମାନଙ୍କ ସହିତ ପରିଚୟ କରାଇ ଦେଲେ ।

 

ଚାର୍ଲସର ଚିଠି ମାତ୍ର ଦୁଇ ଧାଡ଼ି–ସେ ଭଲ ଅଛି ଏବଂ ଖୁବ୍‍ ସମ୍ଭବତଃ ମ୍ୟାନେଟଙ୍କ ଦୟାରୁ ମୁକ୍ତି ପାଇବ ।

 

ଚିଠିଟି ପଢ଼ା ସରିବାରୁ ମିଷ୍ଟର ଲରୀ ଲୁସୀକୁ କହିଲେ–ତୁମ ଝିଅକୁ ଆଣି ଦେଖାଇଦିଅ-। ରାସ୍ତାଘାଟରେ ତ ଏକ୍ଷଣି ବରାବର ବିପଦ ଲାଗି ରହିଛି । ଏଠାରେ ଡେଫାର୍ଜଙ୍କ ସ୍ତ୍ରୀର ଆସାଧାରଣ ପ୍ରତିପତ୍ତି । ତେଣୁ ତୁମ୍ଭମାନଙ୍କର ମୁହଁସବୁ ତାଙ୍କର ଚିହ୍ନା ଥିଲେ, ବିପଦ ବେଳେ ତୁମେ ବଞ୍ଚିଯାଇ ପାରିବ ।

 

ମିସ୍ ପ୍ରସ୍‍ ମଧ୍ୟ ବାହାରି ଆସିଲେ । କିନ୍ତୁ ଡେଫାର୍ଜର ସ୍ତ୍ରୀ ତା’ ଆଡ଼କୁ ବିଟିକିଏ ଅନାଇଲା ନାହିଁ । ସେ ଲୁସୀ ଓ ତା’ ଝିଅ ଉପରେ ଆଖି ବୁଲାଉଁ ବୁଲାଉଁ କହିଲା–ଏହି ତାହାହେଲେ ଚାର୍ଲସ ସ୍ତ୍ରୀ ଓ ତା’ ଝିଅ ! ହେଉ, ମୋର ଦେଖା ହୋଇଗଲା । ଆଉ ଭୁଲ ହେବ ନାହିଁ ।

 

ତା’ ର କଣ୍ଠସ୍ୱର ଏପରି ନିର୍ମମ ଓ କଠାନ ଶୁଣାଗଲା ଯେ ଲୁସୀ ସଭୟରେ ତା’ ଆଡ଼କୁ ଅନାଇ ଦୁଇହାତ ଯୋଡ଼ି ତାକୁ କହିଲା, ଏହାରି ମୁହଁକୁ ଚାହିଁ ତୁମେ ମୋ ସ୍ୱାମୀକୁ ରକ୍ଷା କରିବା ପାଇଁ ଚେଷ୍ଟା କର । ଧାରୁଆ ଛୁରୀ ଭଳି କଠିନ ତୀକ୍ଷ୍‍ଣ ଦୃଷ୍ଟିରେ ତା’ ଆଡ଼କୁ ଅନାଇ ଡେଫର୍ଜର ସ୍ତ୍ରୀ କହିଲା–ଚାର୍ଲସ ପୁଅ ଝିଅଙ୍କ ପାଇଁ ଆମର ତିଳେ ହେଲେ ଦୁର୍ଭାବନା ନାହିଁ । ଆମ୍ଭମାନଙ୍କର ଚିନ୍ତା କେବଳ ତୁମ ବାବାଙ୍କର ଝିଅଟି ପାଇଁ ।

 

ଏଥର ଲୁସୀର ଆଖିରୁ ଲୁହ ଗଡ଼ି ପଡ଼ିଲା । ସେ ଆଣ୍ଠେଇ ପଡ଼ି ସଜଳ ନୟନରେ କହିଲା–ତାହାହେଲେ ତାଙ୍କ ସ୍ତ୍ରୀ ମୁହଁକୁ ଚାହିଁ ତାଙ୍କୁ ରକ୍ଷାକର । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତା’ ଛଡ଼ା ତୁମେ ମଧ୍ୟ ନାରୀ । ନାରୀ ଓ ଜନନୀର କି ଦୁଃଖ, ତୁମେ ତାହା ସହଜରେ ଜାଣି ପାରିବ ।

 

ପୁଣି ସେହି ଦୃଷ୍ଟି ଓ ନିର୍ମମ କଣ୍ଠସ୍ୱର ତୁମ ଆଗରୁ ତୁମ ପରି ବହୁ ସ୍ତ୍ରୀଙ୍କର ସ୍ୱାମୀ ସମ୍ପୂର୍ଣ୍ଣ ନିପରା । ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେତେବେଳେ ସେମାନଙ୍କ ସ୍ତ୍ରୀ ଓ ପୁଅ ଝିଅଙ୍କର ମୁହଁ ତ କେହି ଚାହିଁ ନଥିଲା ! ଜ୍ଞାନ ହେବାରୁ ଦେଖୁଛି, ଚାରିଆଡ଼େ ହଜାର ହଜାର ସ୍ତ୍ରୀଙ୍କର ଆଖିର ଲୁହ, ସେମାନଙ୍କର ହାହାକାର । କାହିଁ ସେମାନଙ୍କ ମୁହଁ ତ କେହି ଚାହିଁ ନାହାନ୍ତି ? ସେମାନଙ୍କର ମୁଖକୁ ଅନାଇ କେହି ତ କୌଣସି ନାୟ ବିଚାରର କଥା ଭାବି ନାହାନ୍ତି ? ତାହାହେଲେ ଆଜି ତୁମ ମୁହଁକୁ ଚାହିଁ ତୁମ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିବି, ଏହା ବା ତୁମେ କିପରି ଭାବୁଛ ? ଲକ୍ଷ ଲକ୍ଷ ନାରୀଙ୍କର ଆଖିର ଲୁହ ନିକଟରେ ତୁମ ଆଖିର ଲୁହର ବା ମୂଲ୍ୟ କେତେ ଟିକିଏ ? ଲକ୍ଷ ଲକ୍ଷ ଜନନୀଙ୍କର ପୁତ୍ରଶୋକ ନିକଟରେ ତୁମ ଦୁଃଖର ବା ମୂଲ୍ୟ କେତେ ଟିକିଏ ?

 

ତା’ପରେ ଟିକିଏ ରହିଯାଇ ଡେଫାର୍ଜର ସ୍ତ୍ରୀ କହିଲା-ତୁମ ସ୍ୱାମୀ କ’ଣ ଲେଖିଛି ? ତୁମ ବାବାଙ୍କର ପ୍ରତିପତ୍ତି କଥା କ’ଣ ଲେଖିଛି ପରା ?

 

ଭୟରେ ଲୁସୀ ଜବାବ ଦେଲା–ସେ ଲେଖିଛନ୍ତି ଯେ, ତୁମ ବାବାଙ୍କର ଏଠାରେ ଯଥେଷ୍ଟ ପ୍ରତିପତ୍ତି ଅଛି, ହୁଏତ ତାଙ୍କରି ଚେଷ୍ଟାରେ ମୁଁ ରକ୍ଷା ପାଇଯାଇ ପାରେ ।

 

ଡେଫାର୍ଜର ସ୍ତ୍ରୀ ଶୁଖିଲା କଣ୍ଠରେ କହିଲା–ତାହାହେଲେ ଆଉ କ’ଣ ? ତୁମ ବାବାହିଁ ଏକ୍ଷଣି ତାକୁ ବଞ୍ଚାଇବେ ! ଚାଲ ଆମେ ଯିବା ।

 

ସେମାନେ ଚାଲିଗଲେ ସତ । କିନ୍ତି ସେମାନଙ୍କର କଥାବାର୍ତ୍ତା ଶୁଣି ଲୁସୀର ମନରେ ଆତଙ୍କ ଭରିଗଲା ।

 

ମିଷ୍ଟର ଲରୀ ସେ କଥା ବୁଝିପାରି, ତା’ ହାତ ଧରି ତାକୁ ଟାଣିନେଇ କହିଲେ–ଭୟ କାହିଁକି ? ସବୁ ଠିକ୍ ହୋଇଯିବ । କିଛି ଚିନ୍ତାକର ନାହିଁ ।

 

କିନ୍ତୁ ନିଜ ଲୋକ ଭିତରେ ମିଷ୍ଟର ଲରୀ ମଧ୍ୟ ବିଶେଷ ଭରସା ପାଇଲେ ନାହିଁ । ସେମାନଙ୍କର କଥାବାର୍ତ୍ତା ଓ ସେମାନଙ୍କର ଭାବଭଙ୍ଗୀ ଯେଉଁ ଭୟାବହ ଅମଙ୍ଗଳର ସୂଚନାର ଛାୟା ଏମାନଙ୍କ ମନ ଉପରେ ଦେଇଗଲା, ତାହା ସହଜରେ ଲିଭିଗଲା ନାହିଁ ।

 

ତେର

 

ଡାକ୍ତର ମ୍ୟାନେଟଙ୍କର ଦୀର୍ଘ କାରା ଜୀବନ ଏତେଦିନ ଯାଏଁ ଲୋକମାନଙ୍କ ନିକଟରେ ଖାଲି ଗୋଟାଏ ଶୋକାବହ ଘଟଣା ହୋଇ ରହିଥିଲା । ସେଥିପାଇଁ ସେ ଲୋକମାନଙ୍କ ନିକଟରୁ କେବଳ ସହାନଭୂତି ଓ ଅନୁକମ୍ପା ପାଇଥିଲେ । କିନ୍ତୁ ଆଜି ସେହି ବନ୍ଦୀ ଦଶା ପକ୍ଷରେ ଏକ ଅନିର୍ବାଚନୀୟ ଆଶୀର୍ବାଦରେ ପରିଣତ ହୋଇଗଲା । ଏବଂ ଏକ ନୂତନ ଶକ୍ତି ଆଣିଦେଲା । ଯେଉଁଠଆରେ ଅନ୍ୟମାନଙ୍କର ଶକ୍ତି ଦୁର୍ବଳ, ସେଠାରେ ତାଙ୍କର ସେହି ବିଗତ ଦିନର ଦୁଃଖ ଅସୀମ କ୍ଷମତା ଓ ଆଶ୍ଚର୍ଯ୍ୟ ପ୍ରତିପତ୍ତି ଆଣିଦେଲା । ସେହି ଶକ୍ତିର ସମ୍ବାଦ ପାଇ ଡାକ୍ତର ମ୍ୟାନଟ ଯେମିତି ଜଣେ ନୂଆ ମଣିଷ ହୋଇଗଲେ । ପୂର୍ବର ସେହି ନିରୀହ ଦୁର୍ବଳ ମଣିଷଟି ସ୍ଥାନରେ ଜଣେ କର୍ମଠ ଓ ତୀକ୍ଷ୍‌ଣଧୀ ବ୍ୟକ୍ତି ଦେଖାଗଲା । ସେ ଏକା ଶହ ହୋଇ ଚାର୍ଲସର ମକଦ୍ଦମା ତଦବିର କରିବାକୁ ଲାଗିଲେ । ତା’ ଛଡ଼ା ସେ ସମସ୍ତଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲେ । ଏବଂ କାହାକୁ କ’ଣ କରିବାକୁ ହେବ ତାହା ମଧ୍ୟ ନିର୍ଦ୍ଦେଶ ଦେବାକୁ ଲାଗିଲେ ।

 

ଅବଶେଷରେ ଚାର୍ଲସର ମକଦ୍ଦମାର ଦିନ ଆସଲା । ତା’ ବିରୁଦ୍ଧରେ ଅଭିଯୋଗ ଯେ, ସେ ସ୍ୱଦେଶ ତ୍ୟାଗୀ, ଏବଂ ଦେଶ ତ୍ୟାଗର ଶାସ୍ତି ଲାଗି ଚରମ ଦଣ୍ଡ । ଜାତୀୟ ମହାବିଚାରାଳୟ ଆଗକୁ ଆସାମୀ ଚାର୍ଲସ ଏଭାରମଣ୍ଡକୁ ଅଣା ହେଲା । ସେତେବେଳେ ବିଚାର ସଭା ଅଜସ୍ତୀ ଲୋକରେ ଲୋକାରାଣ୍ୟ । ସେମାନେ ଚାର୍ଲସକୁ ଦେଖିବା ମାତ୍ରେ ଚିତ୍କାର କରିବାକୁ ଲାଗିଲେ–ତାକୁ ମାରି ପକାଅ, ତାକୁ କାଟି ପକାଅ ଏଭାରମଣ୍ଡ ବଂଶକୁ ନିର୍ମୂଳ କରି ପକାଅ ।

 

ଘଣ୍ଟି ବଜାଇ ବିଚାରପତି ସମସ୍ତଙ୍କ ନୀରବ ହେବାକୁ ଆଦେଶଦେଲେ ଏବଂ ତା’ପରେ ଚାର୍ଲସକୁ କହିଲେ–ସ୍ୱଦେଶ ତ୍ୟାଗୀ ଏଭାରମଣ୍ଡ, ତୁମର କ’ଣ କହିବାକୁ ଅଛି କୁହ ।

 

ଚାର୍ଲସ ଉଠି ଠିଆ ହୋଇ କହିଲା–ମୋର ପ୍ରଥମ କଥା ହେଉଛି ଯେ, ମୁଁ ଆଦୌ ସ୍ୱଦେଶ ତ୍ୟାଗୀ ନୁହେଁ, କାରଣ ତାହା ହୋଇଥିଲେ ମୁଁ ନିଜ ଇଚ୍ଛାରେ ପୁଣି ମୋ ନିଜ ଦେଶକୁ ଫେରିଆସି ନଥାନ୍ତି ।

 

ତାହାହେଲେ ତୁମେ ଏତେ ଦିନ ଇଂଲଣ୍ଡରେ କାହିଁକି ଥିଲ ? ଆହୁରି ଆଗରୁ ଫେରି ଆସିଲ ନାହିଁ କାହିଁକି ?

 

ଫେରି ଆସିଥିଲେ ମୁଁ କ’ଣ ଖାଇ ଏଠାରେ ରହିଥାଆନ୍ତି ? ସେଠାରେ ମୁଁ ଇଂରେଜ ପୁଅ ଝିଅଙ୍କୁ ଫରାସୀ ଭାଷା ଶିଖାଇ ଜୀବିକା ଅର୍ଜନ କରୁଥିଲି । ଏଠାକାର ଯାହା କିଛି ପୈତୃକ ସମ୍ପତ୍ତି ମୋର ଥିଲା, ମୁଁ ସେ ସବୁ ଦେଶବାସୀଙ୍କ ନିକଟରେ ଅର୍ପଣ କରି ଦେଇ ନିସମ୍ବଳ ହୋଇଯାଇଛି ।

 

ଏତେବେଳେ ଜନତା ଭିତରେ ଗୋଟାଏ ପ୍ରଶଂସାସୂଚକ ଗୁଞ୍ଜନ ଉଠିଲା ।

 

ବିଚାରପତି କହିଲେ–କିନ୍ତୁ ତୁମେ ତ ଜଣେ ଇଂରେଜ ମହିଳାଙ୍କୁ ବିବାହ କରିଛ !

 

ଇଂଲଣ୍ଡରେ ବିବାହ ହୋଇଛି ସତ, ମାତ୍ର ଇଂରେଜ ମହିଳାକୁ ନୁହେଁ । ଫରାସୀ ମହିଳାକୁ ମୁଁ ବିବାହ କରିଛି ।

 

ବିଚାରପତି ପଚାରିଲେ–ସେ କିଏ, ଏବଂ କାହାର ଝିଅ ?

 

ଚାର୍ଲସ ଜବାବ ଦେଲା–ଲୁସୀ ମ୍ୟାନେଟ । ଡାକ୍ତର ଆଲେକଜାଣ୍ଡର ମ୍ୟାନେଟଙ୍କର ଝିଅ ।

 

ଚାର୍ଲସ ଅଙ୍ଗୁଳି ନିର୍ଦ୍ଦେଶ କରି ଡାକ୍ତରଙ୍କୁ ଦେଖାଇ ଦେବାରୁ ଚାରିଆଡ଼େ ଡାକ୍ତରଙ୍କର ଜୟଧ୍ୱନି ଶୁଣାଗଲା । ଜଣେ ଦୁଇଜଣ ବି ଆଖିରୁ ଲୁହ ପୋଛିଲେ । ଯେଉଁ ଜନତା କିଛିକ୍ଷଣ ପୂର୍ବରୁ ଚାର୍ଲସକୁ ଖଣ୍ଡ ଖଣ୍ଡ କରି କାଟି ପକାଇବାକୁ ଚାହୁଥିଲା, ତାହା ବର୍ତ୍ତମାନ ତାକୁ ଆଲିଙ୍ଗନ କରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା ।

 

ବିଚାରପତି ପୁଣି ସମସ୍ତଙ୍କୁ ନୀରବ ହେବାକୁ ଅନୁରୋଧ କରି ତାକୁ ପଚାରିଲେ–ତୁମର ଆଉ କିଛି ସାକ୍ଷୀ ପ୍ରମାଣ ଅଛି ?

 

ମୁଁ ଯେ ସ୍ୱେଚ୍ଛାରେ ମୋର ଜଣେ ବିପନ୍ନ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଏଠାକୁ ଫେରି ଆସିଛି, ତା’ର ପ୍ରମାଣ ଧର୍ମାବତାରଙ୍କ ଟେବୁଲ ଉପରେ ଅଛି । ତାହା ଗେବଲର ଚିଠି । ସେହି ଚିଠିଟି ମୋ ପାଖରେ ଥିଲା । ଯେତେବେଳେ ମୁଁ ପଡ଼ିଲି, ସେତେବେଳେ ସେହି ଚିଠିଟି ମୋଠାରୁ କାଢ଼ି ନିଆହେଲା । ତା’ଛଡ଼ା, ଗେବଲକୁ ପଚାରିଲେ ମୋ କଥାର ସତ୍ୟାସତ୍ୟ ବୁଝି ପାରିବେ ।

 

ତତ୍‍କ୍ଷଣାତ୍ ବିଚାରପତି ଗେବଲକୁ ଡାକିଲେ । ଚାର୍ଲସ ଧରାପଡ଼ିବା ପରେ ଗେବଲକୁ ଛାଡ଼ିଦିଆ ହୋଇଥିଲା । ସେ ବିଚାରପତିଙ୍କ ଆଗକୁ ଆସି ପ୍ରଜାମାନଙ୍କ ଲାଗି ଚାର୍ଲସର ଆତ୍ମତ୍ୟାଗ ବିଷୟ ଏବଂ ତାକୁ ବଞ୍ଚାଇବା ପାଇଁ ନିଜର ବିପଦ ବରଣ କଥା ସବୁ ଖୋଲି କହିଲା । ତା’ପରେ ଡାକ୍ତରଙ୍କୁ ଡକା ହେଲା ।

 

ଡାକ୍ତର ମ୍ୟାନେଟ ତାଙ୍କର ସେହି କାରାଗାରର ନିଦାରୁଣ ଦୁଃଖର ବିଷୟ ଉଲ୍ଲେଖ ଜବାନବନ୍ଦୀ ଆରମ୍ଭ କଲେ । ତା’ପରେ କିପରି ଭାବରେ ସେହି ଅର୍ଦ୍ଧୋନ୍ମଦ ଅବସ୍ଥାରେ ଏକ ଘୋରତର ଦୁର୍ଯ୍ୟୋଗ ରାତିରେ ଚାର୍ଲସର ସେମାନଙ୍କ ସହିତ ପ୍ରଥମ ପରିଚୟ ହେଲା, କିପରି ଚାର୍ଲସ ବିରୁଦ୍ଧରେ ଆମେରିକାର ସାଧାରଣତନ୍ତ୍ର ସହିତ ଷଡ଼ଯନ୍ତ୍ରର ଅପରାଧ ଇଂଲଣ୍ଡର ରାଜଦ୍ୱାରରେ ଆଭିଯୋଗ ଅଣାଯାଇଥିଲା ଏବଂ ସେଥିପାଇଁ ତା’ର ଜୀବନ ଗୁରୁତର ଭାବରେ ବିପନ୍ନ ହୋଇଥିଲା, ଲୁସୀ ସହିତ କିପରି ତା’ର ଘନିଷ୍ଠତା ବଢ଼ିବାକୁ ଲାଗିଲା, କିପରି ତା’ର ସଚ୍ଚରିତ୍ରତା, ନିଷ୍ଠା ଓ ଆତ୍ମତ୍ୟାଗର ପରିଚୟ ପାଇ ସେ ଲୁସୀ ସହିତ ତାକୁ ବିବାହ ଦେଲେ ଏବଂ ସେ କିପରି ଐକାନ୍ତିକ ସେବାଦ୍ୱାରା ତାଙ୍କ ବୃଦ୍ଧ ବୟସରେ ଶାନ୍ତିର କାରଣ ହୋଇଛି, ସେହିସବୁ କଥା ସେ ଗୋଟି ଗୋଟି କରି ବିଚାରପତିଙ୍କ ନିକଟରେ କମ୍ପିତ କଣ୍ଠରେ ବର୍ଣ୍ଣନା କଲେ । ଅବଶେଷରେ, ଚାର୍ଲସର ସାଧାରଣତନ୍ତ୍ର ପ୍ରତି ପ୍ରୀତି ଫଳରେ ତା’ର ଜୀବନ ଯେ ବିପନ୍ନ ହେବାକୁ ବସିଥିଲା, ସେହି କଥାର ସମର୍ଥନ ପାଇଁ ମିଷ୍ଟର ଲରୀଙ୍କୁ ସାକ୍ଷୀ ମାନି ସମବେତ ଜନତାର ହର୍ଷଧ୍ୱନି ଭିତରେ ଡାକ୍ତର ବସି ପଡ଼ିଲେ ।

 

ସଙ୍ଗେ ସଙ୍ଗେ ଜୁରୀମାନଙ୍କର ଭୋଟ ନିଆଗଲା । ସମସ୍ତେ ଚାର୍ଲସକୁ ଏକ ବାକ୍ୟରେ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କଲେ ।

 

ତା’ ପରେ ଜନତାର ବିପୁଳ ଜୟଧ୍ୱନି ଆରମ୍ଭ ହେଲା ଏବଂ ସମସ୍ତେ ଏକ ସାଙ୍ଗେ ଚାର୍ଲସକୁ ଆଲିଙ୍ଗନ କରିବାକୁ ଚେଷ୍ଟା କଲେ । କିଛିକ୍ଷଣ ଆଗରୁ ଯେଉଁମାନେ ତା’ ରକ୍ତ ପାଇଁ ଲୋଲୁପ ଓ ଉଦ୍‍ଗ୍ରୀବ ହୋଇ ପଡ଼ିଥିଲେ, ଏକ୍ଷଣି ସେମାନେ ତା’ରି ପାଇଁ ଆଖଇରୁ ଲୁହ ଗଡ଼ାଇବାକୁ ଲାଗିଲେ । ଏଥିକେ ଚାର୍ଲସର ଜୀବନ ଯିବା ଉପରେ । କିନ୍ତୁ ମିଷ୍ଟର ଲରୀ ଓ ଡାକ୍ତର ମ୍ୟାନେଟ କୌଣସି ପ୍ରକାରେ ତାକୁ ସେଠାରୁ ବାହାର କରିନେଇ ବସାକୁ ଫେରିଗଲେ । ମାତ୍ର ଏମାନେ ସମସ୍ତେ ଯେତେ ସହଜରେ ଫେରିପାରିଲେ, ଡାକ୍ତର ନିଜେ ସେତେ ସହଜରେ ପାରିଲେ ନାହିଁ । ଫାଟକର ବାହାରେ ଗୋଡ଼ ପକାଇବା କ୍ଷଣି ସମସ୍ତେ ମିଶି ଜୋର କରି ତାଙ୍କୁ ଗୋଟିଏ ଚୌକିରେ ବସାଇ ଚୌକିର ପଛପଟରେ ଗୋଟିଏ ଜାତୀୟ ପତାକା ବାନ୍ଧି ଦେଇ ତାଙ୍କୁ ବହି ନେଇ ଚାଲିଲେ । ମଣିଷଙ୍କ କାନ୍ଧ ଉପରେ ଚଢ଼ିବା ପାଇଁ ତାଙ୍କର ଘୋର ଆପତ୍ତି ଥିଲା । କିନ୍ତୁ ସେତେବେଳେ କିଏ କାହା କଥା ଶୁଣୁଛି ? ସେମାନେ ତାଙ୍କୁ ନିଶ୍ଚୟ ନେଇଯିବେ । ଶେଷରେ ସେମାନଙ୍କ ହାତରେ ପରିତ୍ରାଣ ପାଇ ତିନି ଜଣ ଯାକ ଧଇଁ ସଇଁ ହୋଇ ଘରେ ପହଞ୍ଚିଲେ ।

 

ଲୁସୀ ଚାର୍ଲସକୁ ଦେଖି ପ୍ରଥମେ ମୂର୍ଚ୍ଛିତା ହୋଇଗଲା । ତା’ପରେ ତା’ର ଜ୍ଞାନ ସେହି ସର୍ବଶକ୍ତିମାନ୍ ଈଶ୍ୱରଙ୍କୁ ଧନ୍ୟବାଦ ଦଣାଇଲେ । ତାଙ୍କରରି ଦୟାରୁହିଁ ଏହି ଅସମ୍ଭବ ସମ୍ଭବ ହୋଇପାରିଲା ।

 

ପ୍ରାର୍ଥନା ଶେଷକରି ଚାର୍ଲସ ଲୁସୀକୁ କହିଲା–ଲୁସୀ, ତୁମେ ତୁମ ବାବାଙ୍କୁ ଧନ୍ୟାବାଦ ଦିଅ । ଫ୍ରାନ୍ସ ଦେଶରେ ତାଙ୍କ ଛଡ଼ା ଆଉ ଏମିତି ଜଣେ ହେଲେ ଲୋକ ନାହିଁ, ମୋତେ ଆଜି ବଞ୍ଚାଇପାରିଥାନ୍ତା ।

 

ଲୁସୀ ସଜଳ ନୟନରେ ତା’ ବାବାଙ୍କ ପାଖକୁ ଗଲା । ସେ ତା’ ମଥାଟା ସସ୍ନେହରେ ନିଜ ବକ୍ଷ ଉପରକୁ ଟାଣିନେଲା, ଠିକ ଯେମିତି ଅନେକ ବର୍ଷ ତଳେ ଲୁସୀ ତାଙ୍କ ମଥା ନିଜ ବକ୍ଷ ଉପରେ ଚାପିଧରି ଥିଲା । ଆଜି ଏତେ ଦିନ ସେ ଝିଅର ଋଣ ପରିଶୋଧ କରିପାରିଲେ । ଗର୍ବ ଓ ଆନନ୍ଦରେ ତାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇଗଲା । ସେ ଲୁସୀର ଆଖିର ଲୁହ ପୋଛି ଦେଇ କହିଲେ–ଛି, ଆଉ ଭୟ କ’ଣ ମାଆ, ମୁଁ ତ ତାକୁ ବଞ୍ଚାଇ ଫେରାଇ ଆଣିଛି ! ଆଉ ତୋର ଭୟ କ’ଣ ? ଆଉ ବା ଭୟ କ’ଣ ! ବୃଦ୍ଧଙ୍କର କଣ୍ଠସ୍ୱର ପବନରେ ସମ୍ପୂର୍ଣ୍ଣ ଭାବରେ ମିଳାଇ ଯିବା ପୂର୍ବରୁ ସିଡ଼ିରେ କାହାର ପଦ ଶବ୍ଦ ଶୁଣାଗଲା । ଯେମିତି କେତେଜଣ ଲୋକ ଉପରକୁ ଆସୁଛନ୍ତି-ସେମାନଙ୍କର ପାଦଶବ୍ଦରେ ଯେମିତି କ’ଣ ଏକ ଅମଙ୍ଗଳର ଆଭାସ !

 

ଭୟରେ ଲୁସୀର ମୁଖ ପାଂଶୁଳ ବର୍ଣ୍ଣ ଧାରଣ କଲା । ସେହିଆଡ଼କୁ ଅନାଇ ମ୍ୟନେଟ କହିଲେ–ଭୟ କ’ଣ? ତୋତେ ପୁଣି ଡର ଲାଗୁଛି ? କହିଛି ନା, ଭୟରେ କାରଣ ସବୁ ମେଣ୍ଟିଯାଇଛି ? ହଉ, ମୁଁ ଦୁଆର ଖୋଲି ଦେଖୁଛି କିଏ ଆସିଲା ।

 

ଦୁଆର ଖୋଲି ଦେବାରୁ ଦେଖାଗଲା, ସାଧାରଣତନ୍ତ୍ରର କେତେଜଣ ପ୍ରହରୀ ଛିଡ଼ା ହୋଇଛନ୍ତି ।

 

ସେମାନଙ୍କ ଭିତରୁ ଜଣେ ପଚାରିଲା-ନାଗରିକ ଏଭାରମଣ୍ଡ କାହାର ନାମ ?

 

ଚାର୍ଲସ ଜବାବ ଦେଲା–ମୋ ନାମ ।

 

ସେ ପୁଣି କହିଲା–ହଁ, ପ୍ରକୃତରେ ତୁମେ । ଆଜି ବିଚାର ବେଳେ ମୁଁ ଉପସ୍ଥିତ ଥିଲି । ତୁମକୁ ଦେଖିଛି । ନାଗରିକ ଏଭାରମଣ୍ଡ ସାଧାରଣତନ୍ତ୍ର ନାମରେ ମୁଁ ପୁଣି ତୁମକୁ ବନ୍ଦୀ କଲି । ତୁମକୁ ଆମ୍ଭମାନଙ୍କ ସାଙ୍ଗରେ ଯିବାକୁ ହେବ ।

 

ଚାର୍ଲସ ବିବର୍ଣ୍ଣ ମୁଖରେ ଅସ୍ଫୁଟ କଣ୍ଠରେ ପଚାରିଲା–କାରଣ କ’ଣ ଜାଣିପାରେ କି ?

 

ଉତ୍ତର ମିଳିଲା–କାଲି ତାହା ଶୁଣବାକୁ ପାଇବ । କାଲି ତୁମର ବିଚାର ହେବ । ବର୍ତ୍ତମାନ ତୁମକୁ ସିଧା ହାଜତକୁ ନେଇଯିବୁ ।

 

ଡାକ୍ତର ମ୍ୟାନେଟ ଏତେବେଳେ ଯାଏ ପଥର ମୂର୍ତ୍ତି ଭଳି ନୀରବରେ ଠିଆ ହୋଇଥିଲେ-। ହାଜତକୁ ନେଇଯିବା କଥା ତାଙ୍କ କାନରେ ପଡ଼ିବାମାତ୍ରେ ସେ ଯେମିତି ଚମକି ପଡ଼ିଲେ, ଏବଂ ଆଗକୁ ଚାଲିଆସି ସେହି ବ୍ୟକ୍ତିଟିକୁ ପଚାରିଲେ–ତାକୁ ତ ତୁମେ ଚିହ୍ନିଛ ବୋଲି କହୁଛ, ମୋତେ ଚିହ୍ନିଛ ନା ?

 

ହଁ, ଚିହ୍ନିଛି ,ଆପଣ ଡାକ୍ତର ମ୍ୟାନେଟ ।

 

ମୋତେ କହିପାରିବ ଏହାର ମାନେ କ’ଣ ?

 

ସେ ସେମିତି ଟିକିଏ ଅନିଚ୍ଛା ସତ୍ତ୍ୱେ କହିଲା–ସେଣ୍ଟ ଆଣ୍ଟୋୟେନଠାରୁ ତାଙ୍କ ନାମରେ ଅଭିଯୋଗ ଆସିଛି । ଗୁରୁତର ଅଭିଯୋଗ ।

 

ଅଭିଯୋଗ କ’ଣ ଜାଣିପାରେ କି ?

 

ନା ତାହା କହିପାରିବି ନାହିଁ ।

 

ଡାକ୍ତର ମ୍ୟାନେଟ ଆକୁଳ ଭାବରେ କହିଲେ–କିଏ ଅଭିଯୋଗ ଆଣିଛି, ତାହା ବି କ’ଣ ତୁମେ କହିପାରିବ ନାହିଁ ?

 

ସେ ଆଉ ଜଣେ ଲୋକକୁ ଦେଖାଇ ଦେଇ କହିଲା–ଏହି ସେଣ୍ଟ ଆଣ୍ଟୋୟେନରେ ଥାଏ, ଏ ଜାଣେ ।

 

ସେହି ଲୋକଟି କହିଲା–ତିନି ଜଣ ତା’ ନାମରେ ଅଭିଯୋଗ ଆଣିଛନ୍ତି । ଜେଣ ଡେଫାର୍ଜ ଆଉ ଜଣେ ତା’ ସ୍ତ୍ରୀ ।

 

ଡାକ୍ତର ମ୍ୟାନେଟ୍ ପଚାରିଲେ–ଆଉ ଜଣେ କିଏ ?

 

ସେ କିଛିକ୍ଷଣ ଅଦ୍ଭୁତ ଦୃଷ୍ଟିରେ ଡାକ୍ତରଙ୍କ ଆଡ଼େ ତା’ ହିଁ ରହି କହିଲା–ଆପଣ ଜାଣିବାକୁ ଚାହୁଛନ୍ତି ?

 

ହଁ, ମୁଁ–ଡାକ୍ତର ଜାବାବ ଦେଲେ ।

 

କାଲି ଜାଣିପାରିବେ, ତା’ ନାମ ଆଜି କହିପାରିବି ନାହିଁ ।

 

ଚାର୍ଲସକୁ ନେଇ, ସେମାନ ଚାଲିଗଲେ । ଡାକ୍ତର ମ୍ୟାନେଟ ଶୂନ୍ୟ ଓ ବିହ୍ୱଳ ଦୃଷ୍ଟିରେ ଲୁସୀ ଆଡ଼କୁ ଅନାଇ ଠିଆ ହୋଇ ରହିଲେ ।

 

ଚଉଦ

 

ବଜାର କରିସାରି ଫେରିବା ବେଳେ, ଗୋଟିଏ ମଦ ଦୋକାନ ଆଗରେ ପହଞ୍ଚିବା କ୍ଷଣି ମିସ୍ ପ୍ରସ୍ ହଠାତ୍ ଦୋକାନ ଭିତରକୁ ଚାହିଁଦେଲା । ତିନି ଚାରି ଜଣ ଲୋକ ଦୋକାନ ସାମନାରେ ବସି ମଦ ପିଉଥିଲେ । ସେମାନଙ୍କ ଭିତରୁ ଜଣକୁ ଦେଖି ମିସ୍ ପ୍ରସ୍ ହଠାତ୍ ଡାକ ଛାଡ଼ିଲା–ଆରେ ସଲୋମନ୍‍ ଯେ ! ବଞ୍ଚି ରହିଛୁ ନା ? ଏତେ ଦିନ ଯାଏଁ କେଉଁଠି ଥିଲୁ ।

 

ସଲୋମନ୍‍ ବୋଲି ଯାହାକୁ ଡକା ହେଲା, ତା’ ମୁଖ ସେତେବେଳକୁ ଶୁଖିଗଲାଣି । ସେ ତତ୍‍କ୍ଷଣାତ୍ ଉଠିପଡ଼ି ତା’ ପାଖକୁ ଆସି କହିଲା–ତୋର କ’ଣ ହୋଇଛି କି ? ଏତେ ପାଟିଗୋଳ କରୁଛୁ କାହିଁକି ?

 

ମିସ୍ ପ୍ରସ୍ କହିଲା–ପାଟିଗୋଳ କରିବି ନାହିଁ ? ପାଞ୍ଚଟା ନୁହେଁ, ସାତଟା ନୁହେଁ, ଧାଇଁ ଧାଇଁ ଗୋଟିଏ ବୋଲି ଭାଇ, ସେ ବି ଏତେ ଦିନ ହେଲା କୁଆଡ଼େ ଫେରାର ହୋଇଛି !

 

ଚୁପ୍ ଚୁପ ! ତୁ ମୋତେ ମାରି ପକାଇବୁ ଦେଖୁଛି । ଏ ଆଡ଼କୁ ଆ, ଏ ଆଡ଼କୁ ଆ । ତୋ ଗୋଡ଼ ଧରୁଛି ଭଲା, ଆସ୍ତେ ଆସ୍ତେ କଥା କହ ।

 

ଜେରୀ ଏତେବେଳ ଯାଏଁ ଚୁପ୍ ହୋଇ ଏମାନଙ୍କର ଢଙ୍ଗଢାଙ୍ଗ ଦେଖୁଥିଲା । ସେ ବି ଅବାକ୍ ହୋଇଯାଇ ମିସ୍ ପ୍ରସ୍‍କୁ ପଚାରିଲା–ଏ ଗୁଣବନ୍ତ କିଏ କହିଲ, ତୁମର ଭାଇ ? ତାହାହେଲେ ତୁମ ନାମଟା କ’ଣ ହେଲା ହେ ବାବୁ ? ଜନ୍‍ ସଲୋମନ୍‍ ନା ସଲୋମନ୍‍ ଜନ୍‍ ?

 

ସଲୋମନ୍‍ ବିସ୍ମିତ ହୋଇ ପଚାରିଲା–ତା’ ମାନେ ?

 

ତା’ ମାନେ, ତୁମକୁ ଏହା ଆଗରୁ କେଉଁଠି ଦେଖିଛି । କିନ୍ତୁ ସେତେବେଳେ ତୁମେ ସଲୋମନ୍‍ ଥିଲ ନାହିଁ । ଜନ୍‍ ଖାଲି ଜନ୍‍, ନା କ’ଣ ତାହା ଠିକ୍ ମନେ କରିପାରୁ ନାହିଁ ।

 

ପଛରୁ କିଏ ଜଣେ କହି ପକାଇଲା–ଜନ ବାର୍ସାଦ୍‍ !

 

ଠିକ୍, ଠିକ୍, ଜନ୍‍ ବାର୍ସାଦ୍‍ ! ଓଲ୍‍ଡ-ବେରୀର ଅଦାଲତରେ ମୁଁ ତୁମକୁ ଦେଖିଛି । ଆଦୌ ଭୁଲ୍‌ ହେବାର ନୁହେଁ ।

 

କିନ୍ତୁ ବିସ୍ମୟଟା ସେଥିପାଇଁ ନୁହେଁ । ବିସ୍ମୟଟା ହେଉଛି, ଯେ ପଛରେ ଆସି ନିଶବ୍ଦରେ ଠିଆ ହୋଇଛି ତାକୁ ଦେଖି । ସେ ଆଉ କେହି ନୁହେଁ, ସିଡନି କର୍ଟନ ! ମିସ୍ ପ୍ରସ୍‍ର ସପ୍ରଶ୍ନ ଦୃଷ୍ଟିର ଜବାରେ ସେ କହିଲେ–ମୁଁ କାଲି ଆସି ପହଞ୍ଚିଛି ଏବଂ ମିଷ୍ଟର ଲରାଙ୍କ ଘରେ ରହୁଛି । ତୁମ୍ଭେମାନଙ୍କ ସାଙ୍ଗରେ ମୁଁ ଦେଖା କରିନାହିଁ, କାରଣ ଏହି ସମୟରେ ଦେଖା ନ କରିବାହିଁ ବରଂ ଭଲ ।

 

ଜନ୍‍ ବାର୍ସାଦ୍‍ର ସେତେବେଳେ ଚୈତନ୍ୟ ଉଦୟ ହେଲା । ସେ କହିଲା–ମୋ ନାମ ତ ଜନ୍‍ ବାର୍ସାଦ୍‍ ନୁହେଁ । ଆପଣ ଭୁଲ୍ କରୁଛନ୍ତି ।

 

ସିଡ୍‍ନି ଯେମିତି ନିତାନ୍ତ ନିସ୍ପୃହ ଓ ନିରାସକ୍ତ ଭାବରେ ଅନ୍ୟ ଦିଗକୁ ଚାହିଁ କହିଲେ–ମୋର ତିଳେମାତ୍ର ଭୁଲ ହୋଇ ନାହିଁ । ଆଜି ଦିନସାରା ମୁଁ ତୁମ ପଛେ ପଛେ ବୁଲୁଛି । ଜେଲ୍‍ଖାନା ଦୁଆର ମୁହଁରେ, ସାଧାରଣତନ୍ତ୍ର ପୋଲିସ ଥାନାରେ ଓ ମଦ ଦୋକାନରେ ତୁମର ନୂଆ ନୂଆ ରୂପର ବିକାଶ ସବୁ ମୁଁ ଦେଖିଛି । ମାତ୍ର ତୁମର ଡରି ଯିବାର କୌଣସି କାରଣ ନାହିଁ । ତୁମକୁ ମୋର ଏକାନ୍ତ ଲୋଡ଼ା । ତୁମକୁ ମୋ ସାଙ୍ଗରେ ଥରେ ଆସିବାକୁ ହେବ ।

 

ପ୍ରଥମେ କିଞ୍ଚିତ୍‍ ମୃଦୁ ଆପତ୍ତି କରି ଏବଂ ଶେଷରେ ଆପତ୍ତି କରିବା ନିଷ୍ପଳ ଜାଣି, ସେ ଅଗତ୍ୟ ରାଜି ହେଲା । ମିସ୍ ପ୍ରସ୍ ବି ଆଉ ବେଶୀ ଆପତ୍ତି କଲା ନାହିଁ, କାରଣ ସିଡ଼୍‍ନିଙ୍କର ହାବଭାବ ଦେଖି ସେ ବୁଝି ପାରିଲା ଯେ ପ୍ରୟୋଜନଟା ନିଶ୍ଚୟ ଗୁରୁତର ।

 

ସିଡ଼୍‍ନି ଜନ୍‍ ବାର୍ସାଦ୍‍କୁ ଘେନି ସିଧା ମିଷ୍ଟର ଲରୀଙ୍କ ବ୍ୟାଙ୍କରେ ଆସି ପହଞ୍ଚିଲେ । ବାର୍ସାଦ୍‍କୁ ଦେଖି ମିଷ୍ଟର ଲରୀ ଚିହ୍ନିପାରିଲେ । ସେ ଯେତେବେଳେ ଶୁଣିଲେ ଯେ, ବାର୍ସାଦ୍‍ହିଁ ମିସ୍ ପ୍ରସ୍‍ର ଭାଇ, ସେତେବେଳେ ସେ ଚମକି ପଡ଼ିଲେ । ପ୍ରଥମ ପରିଚୟଟା ସାରି ଆଉ କୌଣସି ମାତ୍ର ଭୂମିକା ନ ବାଢ଼ି ସିଡ଼୍‍ନି କହିଲେ–ଚାର୍ଲସ ପୁଣି ଧରାପଡ଼ିଛି ।

 

ମିଷ୍ଟର ଲରୀ ଆଶ୍ଚର୍ଯ୍ୟ ହୋଇ ଡେଇଁପଡ଼ି କହିଲେ–କ’ଣ କହୁଛ । ମୁଁ ଯେ ଏହି ଘଣ୍ଟକ ଆଗରୁ ସେଠାରୁ ଫେରୁଛି ।

 

ବାର୍ସାଦ୍‍ ଆଡ଼କୁ ଆଙ୍ଗୁଳି ଦେଖାଇଦେଇ ସିଡ଼୍‍ନି କହିଲେ–ଏହାରି ପାଖରୁ କିଛିକ୍ଷଣ ଆଗରୁ ଖବର ପାଇଲି ଯେ ଚାର୍ଲସର ବିରୁଦ୍ଧରେ ଏକ ବିରାଟ ଷଡ଼ଯନ୍ତ୍ର ହୋଇଛି ଏବଂ ତାକୁ ଗିରଫ କରିବା ପାଇଁ ଲୋକ ପଠାଯାଇଛି । ଏତେବେଳକୁ କାମଟି ନିଶ୍ଚୟ ନିର୍ବିଘ୍ନରେ ସୁସମ୍ପନ୍ନ ହୋଇଯାଇଥିବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ଏହି ଲୋକଟି ଏଠାରେ ଗୋଇନ୍ଦାଗିରି କରେ । ଏମାନଙ୍କ ଭିତରେ କଥୋପକଥନରୁ ମୁଁ ଏହାଶୁଣି ପାରିଛି । ସୁତରାଂ ଏ ସମ୍ବାଦ ସତ । ମିଷ୍ଟର ଲରୀ ପାଂଶୁଳ ମୁଖରେ କହିଲେ–କିନ୍ତୁ ଡାକ୍ତର ! ଡାକ୍ତର କ’ଣ କହୁଛନ୍ତି ?

 

ସିଡ଼୍‍ନି କହିଲେ–ଡାକ୍ତର ତ ତାକୁ ଥରେ ବଞ୍ଚାଇଲେ । କିନ୍ତୁ ଏଥର ସେ ବୋଧହୁଏ କିଛି ବିଶେଷ ସୁବିଧା କରିପାରିବେ ନାହିଁ । ଏ ବିଷୟରେ ମୋର କେମିତି ସନ୍ଦେହ ଜାତ ହେଉଛି । ଯାହାହେଉ, ତାଙ୍କ ଚେଷ୍ଟା ସେ କରୁଥାନ୍ତୁ । ମାତ୍ର ସେହି ଚେଷ୍ଟା ସଫଳ ହେବ ନାହିଁ ଜାଣି ମୁଁ ଅନ୍ୟଦିଗରୁ ଚେଷ୍ଟା କରିବାକୁ ଯାଉଛି ।

 

ସିଡ଼୍‍ନିଙ୍କର ଦୃଢ଼ କଣ୍ଠସ୍ୱର ଶୁଣି ଏବଂ ତାଙ୍କର ଏହି କର୍ମତତ୍ପରତା ଦେଖି ମିଷ୍ଟର ଲରୀ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ । ଏ ଯେମିତି ପୂର୍ବର ସିଡ଼୍‍ନି ନୁହନ୍ତି, ଆଉ ଜଣେ ଲୋକ ବର୍ତ୍ତମାନ-!

 

ବାର୍ସାଦ୍‍ ଆଡ଼କୁ ବୁଲିପଡ଼ି ସିଡ଼୍‍ନି କହିଲେ–ଶୁଣ, ବର୍ତ୍ତମାନ ତୁମେ ମୋ ହାତମୁଠାରେ ଅଛ । ତୁମେ ଇଂରେଜ ସରକାରଙ୍କର ଗୋଇନ୍ଦା ଏବଂ ଜାତିରେ ମଧ୍ୟ ଇଂରେଜ । ଅଥଚ ନାମ ଓ ଜାତି ବଦଳାଇ ତୁମେ ଏଠାରେ ଗୋଇନ୍ଦଗିରି କରୁଛ । ଯଦି ଏହି ସମ୍ବାଦଟି ମୁଁ କାହାରିକୁ ଡାକି ଶୁଣାଇ ଦିଏଁ, ତାହାହେଲେ ତୁମର କି ଅବସ୍ଥା ହେବ ବୁଝି ପାରୁଛ ତ ? ସିଧା ସଳଖ ଗିଲୋଟିନ ଉପରକୁ । କେହି ତୁମର ରକ୍ଷା କରି ପାରିବେ ନାହିଁ ।

 

ବାର୍ସାଦ୍‍ର ମୁହଁ ଶୁଖି କଳା ପଡ଼ିଯାଇଥିଲା । ସେ ମଥା ହଲାଇ କହିଲା–ମୁଁ ସେ କଥା ସ୍ୱୀକାର କରୁଛି ।

 

ସିଡ଼୍‍ନି କହିଲେ–ଖାଲି ସେତିକି ନୁହେଁ । ଥାନାରେ ହାଜତର ଯେଉଁ ପ୍ରହରୀଟି ତୁମ ସାଙ୍ଗରେ କଥା କହୁଥିଲା, ତାକୁବି ମୁଁ ଚିହ୍ନିପାରିଛି । ସେ ମଧ୍ୟ ତୁମ ଦଳର ଲୋକ । ତା’ର ନାମ ହେଉଛି ରୋଜାର କ୍ଲାଇ ।

 

ପ୍ରଥମେ ବାର୍ସାଦ୍‍ ଧପା ଦେବାକୁ ଚେଷ୍ଟା କଲା ଯେ, ରୋଜାର ମରିଯାଇଛି । କିନ୍ତୁ ସେ ଯେତେବେଳେ ଦେଖିଲା ଯେ ତା’ ବୁଦ୍ଧି ଖାଟିଲା ନାହିଁ, ତେଣୁ ସେ ଅସହାୟ ଭାବରେ କହିଲା–ଆଚ୍ଛା, ମୋତେ କ’ଣ କରିବାକୁ ହେବ, ଆଦେଶ ଦିଅନ୍ତୁ ।

 

ସିଡ଼୍‍ନି ତାକୁ ପଚାରିଲେ–ହାଜତ ଭିତରକୁ ତୁମର ଯାତାୟାତ ଅଛି ନା ? ସମୟ ସମୟରେ ତୁମେ ପ୍ରହରୀର କାମ କର ନା ?

 

ତାହା କରେ ସତ । କିନ୍ତୁ ପଳାଇବା ପାଇଁ କୌଣସି ଚେଷ୍ଟା ମୋ ଦ୍ୱାରା ହେବ ନାହିଁ । ତାହା ଅପେକ୍ଷା ଆପଣ ମୋର ଯେଉଁ ଅନିଷ୍ଟ କରିବେ, ତା’ର ଗୁରୁତ୍ୱ କମ୍ !

 

ସିଡ଼୍‍ନି ଟିକିଏ ସ୍ମିତ ହସ ଖେଳାଇ କହିଲେ–ଓ, ଏତିକିବେଳୁ ଏତେ ବ୍ୟସ୍ତ କାହିକିଁ ? ପଳାଇବା କଥା ତୁମକୁ କିଏ କହୁଛି ? ଚାଲ ନା ଆର ଘରକୁ । ମୋର ଯାହା କହିବାର କଥା, ମୁଁ ତୁମକୁ କହିବି ।

 

ବାର୍ସାଦ୍‍କୁ ଧରି ସିଡ଼୍‍ନି ପାଖ ଘରକୁ ଯାଇ ସେଠାରେ ଅନେକ ସମୟ ଯାଏ ବସି ତା’ ସହିତ କ’ଣ ସବୁ ଗୁପ୍ତ ପରାମର୍ଶ କଲେ । ତା’ ପରେ ତାକୁ ବିଦାୟ ଦେଇ ସେ ମିଷ୍ଟର ଲରୀଙ୍କ ପାଖକୁ ଫେରି ଆସିଲେ । ମିଷ୍ଟର ଲରୀ ତାଙ୍କର ମତଲବଟା କ’ଣ, ତାହା ବୁଝିପାରିଲେ ନାହିଁ । ସେହି ବିଷୟ ବି ସେ ତାଙ୍କୁ ଆଦୌ ପଚାରିଲେ ନାହିଁ । ସିଡ଼୍‍ନି ତାଙ୍କୁ ପଚାରିଲେ–ଆପଣ ବର୍ତ୍ତମାନ ସେଠାକୁ ଯିବେ ତ ?

 

ମିଷ୍ଟର ଲରୀ ଉତ୍ତର ଦେଲେ–ନିଶ୍ଚୟ । କିନ୍ତୁ ତୁମେ ?

 

ମୁଁ ରାସ୍ତାରେ ଟିକିଏ ଘୁରି ବୁଲିବି । ଚାଲନ୍ତୁ, ଆପଣଙ୍କୁ ଟିକିଏ ବାଟେଇଦେଇ ଆସେ ।

 

କିନ୍ତୁ ସିଡ଼୍‍ନି ଆଦୌ ହଲ୍‍ଚଲ୍‍ ହେଲେ ନାହିଁ । ଅଗ୍ନିକୁଣ୍ଡ ପାଖରେ କିଛି ସମୟ ସ୍ଥିର ଭାବରେ ଠିଆହୋଇ ସେ ସହସା ପଚାରିଲେ–ଆଚ୍ଛା ମିଷ୍ଟର ଲରୀ, ଆପଣଙ୍କୁ କେତେ ବୟସ ?

 

ମିଷ୍ଟର ଲରୀ ଜବାବ ଦେଲେ–ମୋର ଅଠସ୍ତରି ଚାଲିଛି ।

 

ଏ, ଅଠସ୍ତରି ! ଖୁବ ଦୀର୍ଘ ଦିନ ତ ! ଏତେଗୁଡ଼ାଏ ବର୍ଷ କ’ଣ ଖାଲି କାମକୁ ଧରିପଡ଼ି ରହିଛନ୍ତି ?

 

ତାହା ଏକ ପ୍ରକାର ସତ । ଅତି ପିଲାଟି ଦିନରୁ ଏହି ବ୍ୟବସାୟରେ ପ୍ରବେଶ କରିଛି । ତା’ ପରେ ଗୋଟିଏ ଦିନ ବି ଏଥିରୁ ଛୁଟି ମିଳି ନାହିଁ । ଆଉ କୌଣସିଆଡ଼େ ଫେରି ଚାହିଁବାକୁ ମଧ୍ୟ ମୁଁ ତିଳେ ହେଲେ ଅବସର ପାଇ ନାହିଁ ।

 

ସିଡ଼୍‍ନି ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ ଆପଣଙ୍କର ଜୀବନ ସାର୍ଥକ । ଜୀବନର ସନ୍ଧ୍ୟା ସମୟରେ ଯେତେବେଳେ ଆପଣ ପଛକୁ ଫେରି ଚାହିଁବେ, ସେତେବେଳେ ଦେଖିବେ ଯେ ତା’ ଭିତରେ ଅନୁତାପ କରିବା ଭଳି କି ଲଜ୍ଜା ପାଇବା ଭଳି କିଛି ନାହିଁ । କିନ୍ତୁ ମୋର ? କ’ଣ ଅଛି ମୋ ଜୀବନରେ ? କାହାର କେତେ କାମରେ ବା ମୁଁ ଲାଗି ପାରିଛି ? ଗୌରବ ପାଇବା ଭଳି କି ଭବିଷ୍ୟତ ଜୀବନରେ ମନେ ରଖିବା ଭଳି ଗୋଟିଏ ଦିନ ବି ମୋ ଜୀବନରେ ଏ ଅବଧି ଆସିଲା ନାହିଁ ।

 

ଆଉ କିଛି ସମୟ ନିଆଁଆଡ଼କୁ ଆନାଇ ଠିଆହୋଇ ରହି, ସେ ପୁଣିଗୋଟିଏ ନିଃଶ୍ୱାସ ତ୍ୟାଗ କରି କହିଲେ–ଚାଲନ୍ତୁ, ବାହାରି ପଡ଼ିବା ।

 

ପନ୍ଦର

 

ତା’ପର ଦିନ ସିଡ଼୍‍ନି ମଧ୍ୟ ବିଚାରସଭାରେ ଉପସ୍ଥିତ ଥିଲେ । କିନ୍ତୁ ସେ ଡାକ୍ତର ମ୍ୟାନେଟ କିମ୍ବା ଲୁସୀ ସହିତ ଭିତରକୁ ଗଲେ ନାହିଁ । ସାଧାରଣ ଦର୍ଶକଙ୍କ ଭିତରେ ଗୋଟିଏ ପାଖରେ ଯାଇ ସେ ବସିଲେ । ସଭା ଲୋକାରଣ୍ୟ ହୋଇଗଲା । ଜନସାଧାରଣଙ୍କ ଭିତରେ ଖବର ଖେଳିଯାଇଥିଲା ଯେ, ଆଜି ବିଚାରରେ କିଛି ଅନନ୍ୟସାଧାରଣ ଘଟଣା ଘଟିବ ।

 

ବିଚାରପତିମାନେ ନିଜ ନିଜ ଆସନ ଗ୍ରହଣ କରି ଅତିକଷ୍ଟରେ ଗୋଳମାଳ ବନ୍ଦ କରିବାକୁ ସମର୍ଥ ହେଲେ । ତା’ପରେ ସେମାନେ ପଚାରିଲେ–ଏଭାରମଣ୍ଡଙ୍କ ବିରୁଦ୍ଧରେ କେଉଁମାନେ ଅଭିଯୋଗ ଆଣିଛନ୍ତି ?

 

ସରକାରଙ୍କ ପକ୍ଷରୁ ଜଣେ ଜବାବ ଦେଲା–ତିନିଜଣ ଅଭିଯୋଗ ଆଣିଛନ୍ତି । ଜଣେ ଡେଫାର୍ଜ, ଦ୍ୱିତୀୟ ଜଣକ ତା’ର ସ୍ତ୍ରୀ, ଆଉ ତୃତୀୟ-

 

ସମସ୍ତେ ପ୍ରଥମ ଦୁଇଟି ନାମ ଜାଣିଥିଲେ । ତୃତୀୟ ବ୍ୟକ୍ତିଟିର ନାମ କେହି ଜାଣି ନଥିଲେ । ତେଣୁ ସମସ୍ତେ ତାହା ଶୁଣିବା ପାଇଁ ଅଧୀର ଆଗ୍ରହରେ ଆଗକୁ ଚାଲି ଆସିଲେ । ସେମାନଙ୍କର ସାଗ୍ରହ କୌତୂହଳ ଭିତରେ ବକ୍ତା ତୃତୀୟ ବ୍ୟକ୍ତିଟିର ନାମ ଉଚ୍ଚାରଣ କଲା ତୃତୀୟ ଅଭିଯୋଗକାରୀ ହେଉଛନ୍ତି ଆମର ଶ୍ରଦ୍ଧାସ୍ପଦ ଡାକ୍ତର ଆଲେକଜାଣ୍ଡାର ମ୍ୟାନେଟ ।

 

ଅଦାଲତ ସାରା ଲୋକମାନଙ୍କର ନିରତିଶୟ ବିସ୍ମୟ ଭିତରେ ଡାକ୍ତର ମ୍ୟାନେଟ କମ୍ପୁ କମ୍ପୁ ଉଠି ଠିଆ ହୋଇ କହିଲେ–ଏ ଏକବାରେ ମିଛ । ଏ ମିଛ, ନାଗରିକ ଜୁରୀ । ମୋ ଝିଅ ମୋ ନିଜ ପ୍ରାଣଠାରୁ ବି ପ୍ରିୟ । ତା’ର ସ୍ୱାମୀ ବିରୁଦ୍ଧରେ ମୁଁ ଅଭିଯୋଗ ଆଣିବି ? ଏହା ଜାଲ୍, ଏ ଅତି ନୀଚ ଷଡ଼ଯନ୍ତ୍ର ।

 

ବିଚାରପତି କଠିନ ସ୍ୱରରେ କହିଲେ–ଡାକ୍ତର ମ୍ୟାନେଟ ! ଆପଣ ଭୁଲି ଯାଉଛନ୍ତି ଯେ ଫ୍ରାନ୍ସରେ ଯେଉଁ ମାନେ ପ୍ରକୃତ ସନ୍ତାନ ସେମାନଙ୍କ ନିକଟରେ ସାଧାରଣତନ୍ତ୍ରଠାରୁ ଅଧିକ ପ୍ରିୟ ଆଉ କିଛି ନଥାଏ । ସେହି ସାଧାରଣତନ୍ତ୍ର ପାଇଁ ଆବଶ୍ୟକ ହେଲେ ନିଜର ଆଉ ଯାହା କିଛି ପ୍ରିୟ ଜିନିଷ ଅଛି, ସବୁ ଉତ୍ସର୍ଗ କରିବାକୁ ହେବ ।

 

ଡାକ୍ତର ଅଗତ୍ୟ ବସି ପଡ଼ିଲେ । ସେତେବେଳେ ବି ସେ କୌଣସିମତେ ବୁଝିପାରୁ ନଥିଲେ ଯେ, ଏହା କିପରି ସମ୍ଭବ ହେଲା, ଏବଂ ଏମାନେ ବି ଏମିତି କ’ଣ କହୁଛନ୍ତି !

 

ତା’ ପରେ ବିଚାରପତି ଡେଫର୍ଜକୁ ଡାକିଲେ । ସେ ଆସି କାଠଗଡ଼ାରେ ଛିଡ଼ା ହେବାରୁ, ତାକୁ ପଚାରିଲେ–ତୁମର ସ୍ତ୍ରୀ କାହିଁ ?

 

ଡେଫାର୍ଜ ତା’ ସ୍ତ୍ରୀକୁ ଦେଖାଇ କହିଲା–ଏହି ଯେ !

 

ତହୁଁ ବିଚାରପତି ତାକୁ କହିଲେ-ବ୍ୟାସଟିଲର ପତନ ସମୟରେ ତୁମେ ଦୁଇଜଣ ଖୁବ ସାହାଯ୍ୟ କରିଥିଲ ନା ?

 

ଦର୍ଶକମାନେ ଏ ପ୍ରଶ୍ନର ଜବାବ ଦେଲେ । ସମସ୍ତେ ମିଳି ହୋ ହୋ କରି ଡେଫାର୍ଜର ଜୟଧ୍ୱନି କଲେ । ଡେଫାର୍ଜ ? ସେ ତ ଏକା ସବୁ ।

 

ବ୍ୟାସଟିଲର ପତନ ବିଷୟରେ ସେ ଯାହା ଜାଣେ ତାହା ବର୍ଣ୍ଣନା କରିବାକୁ ବିଚାରପତିମାନେ ଡେଫାର୍ଜକୁ ଆଦେଶ ଦେଲେ ।

 

ଏହିଥର ଏକ ଅତି ଅଦ୍ଭୁତ ଘଟନାର ବିବୃତି ଆରମ୍ବ ହେଲା । ସେହି ବିବୃତିଟି ଯେମିତି ବିଚିତ୍ର, ସେମିତି ଭୟଙ୍କର ।

 

ଡେଫାର୍ଜର ମନ ଭିତରେ ବରାବର ଗୋଟାଏ ସନ୍ଦେହ ଥିଲା ଯେ, ବିନା ବିଚାରରେ ଏତେ ଦୀର୍ଘକାଳ ଡାକ୍ତରଙ୍କୁ ବନ୍ଦୀକରି ରଖିବାର କାରଣ ସେ ନିଶ୍ଚୟ ଜାଣନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜର ଜ୍ଞାନ ହରାଇବା ପୂର୍ବରୁ ନିଶ୍ଚୟ ଏହି କଥା କେଉଁଠି ଲିପିବଦ୍ଧ କରି ରଖିଛନ୍ତି । ତେଣୁ ଯେତେବେଳେ ବ୍ୟାସଟିଲ ଭଙ୍ଗାଗଲା, ସେତେବେଳେ ଡେଫାର୍ଜ ନିଜେ ଖୋଳି ଖୋଳି ନର୍ଥ ଟାୱାରର ଶହେ ପାଞ୍ଚ ନମ୍ବର କୋଠରୀରେ ଯାଇ ଉପସ୍ଥିତ ହେଲା ଏବଂ କାନ୍ଥରେ ଖଣ୍ଡିଏ ପଥର ଉପରେ ଏ, ଏମ, ନାମ ଲେଖାଥିବା ଦେଖି, ସେହି ପଥରଟି ଉଠାଇ ଦେଇ ଡାକ୍ତରଙ୍କର ନିଜ ହାତରେ ଲିଖିତ ଜବାନବନ୍ଦୀଟା ଉଦ୍ଧାର କଲା । ସେହି ଜବାନବନ୍ଦୀଟି ସେ ଜୁରୀମାନଙ୍କ ନିକଟରେ ଏହା ଆଗରୁ ପେଶ୍‍ କରିଛି, ଏବଂ ସେହି ଜବାନବନ୍ଦୀର ହାତଲେଖା ଯେ ଡାକ୍ତର ମ୍ୟାନେଟଙ୍କର, ସେହି ବିଷୟରେ ସତ୍ୟତା ସମ୍ବନ୍ଧରେ ସେ ନିଜେ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ଅଛି ।

 

ଡାକ୍ତର ମ୍ୟାନେଟ ଏତେବେଳେ ଯାଏ ବିସ୍ମିତ ଉଦ୍ଭ୍ରାନ୍ତ ଦୃଷ୍ଟିରେ ଚାହିଁ ବସି ରହିଥିଲେ । ଏଥର ସେ ଦୁଇ ହାତରେ ମୁହଁ ଢାଙ୍କି ବସିଲେ । ସେତେବେଳେ ବୃଦ୍ଧଙ୍କର ମନର ଅବସ୍ଥା ଯାହା, ତାହା କହି ବୁଝାଇହେବ ନାହିଁ ।

 

ବିଚାରପତିଙ୍କ ଆଦେଶ ଅନୁଯାୟୀ, ଜଣେ ସେହି ଲେଖା କାଗଜ ଗୁଡ଼ିକ ପଢ଼ି ଯିବାକୁ ଲାଗିଲା । ସମସ୍ତ ଜନତା ନିସ୍ତବ୍ଧ ହୋଇ ତାହା ଶୁଣିବାକୁ ଲାଗିଲେ । ବହୁଦିନ ତଳର ସେହି ମର୍ମନ୍ତୁଦ କାହାଣୀ, ଅମାନୁଷିକ ଅତ୍ୟାଚାରର ସେହି ବିଭତ୍ସ ବିବରଣୀ ଶୁଣୁ ଶୁଣୁ ସମସ୍ତେ ଯେମିତି କିଛି ସମୟ ପାଇଁ ସ୍ତମ୍ଭୀତ ହୋଇଗଲେ ।

 

ଡାକ୍ତର ମ୍ୟାନେଟ କୌଣସି କଥା ବାଦ ଦେଇନଥିଲେ । କିପରି ଭାବରେ ନଦୀକୂଳରୁ ଅକସ୍ମାତ୍‍ ତାଙ୍କୁ ରୋଗୀ ଦେଖିବା ପାଇଁ ନିଆ ହୋଇଥିଲା, ସେଠାରେ ପହଞ୍ଚିବା କ୍ଷଣି ଝିଅଟିର ଉନ୍ମାଦ ଦଶା ଓ ପିଲାଟିର ଆହତ ଅବସ୍ଥାର ଚିକିତ୍ସା କରିବା ପାଇଁ କୁହାଗଲା, ତା’ପରେ କିପରି ଭାବରେ ଗୋପନ କରିବାକୁ ଚେଷ୍ଟା ହେବା ସତ୍ତ୍ୱେ ସେ ଏଭାରମଣ୍ଡମାନଙ୍କୁ ଚିହ୍ନିପାରିଲେ, ତା’ପରେ ଆହତ ବାଳକଟିର ମୁହଁରୁ ଘଟନାର ବିବରଣୀ ଶୁଣିପାରିଲେ, କିପରି ଭାବରେ ତାଙ୍କରି କୋଳରେ ପିଲାଟି ମାରାଗଲା ଏବଂ ତା’ର ଦୁଇଦିନ ପରେ ଝିଅଟି ମଧ୍ୟ, କିପରି ଭାବରେ ସେ ସେମାନଙ୍କର ଅର୍ଥ ପ୍ରତ୍ୟାଖ୍ୟାନ କରି ନିଜ ଘରକୁ ବାହୁଡ଼ି ଗଲେ, ଏବଂ ବିବେକ ତାଙ୍କୁ କୌଣସି ମତେ ସ୍ଥିର କରିବାକୁ ଦେଲା ନାହିଁ ବୋଲି ସେ ଗୋପନରେ ମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଲେ । ତା’ପରେ ଏଭାରମଣ୍ଡଙ୍କ ସ୍ତ୍ରୀ, ଅର୍ଥାତ୍ ଚାର୍ଲସର ମାଆଙ୍କ ସାଙ୍ଗରେ ତାଙ୍କର ଦେଖାହେବାର ବିବରଣୀ, କିପରି ଭାବରେ ଶେଷ ଅବଧି ତାଙ୍କୁ ଭୁଲାଇ ଘରୁ ବାହାର କରି ନେଇ ଅନନ୍ତ କାଳ ପାଇଁ ତାଙ୍କୁ କାରାରୁଦ୍ଧ କରା ହେଲା–ଏହାର ପ୍ରତ୍ୟେକ କାହାଣୀ ସେ ଜ୍ୱଳନ୍ତ ଓ ମର୍ମସ୍ପର୍ଶୀ ଭାଷାରେ ଲିପିବଦ୍ଧ କରିଛନ୍ତି । ପରିଶେଷରେ ତାଙ୍କର ନିଦାରୁଣ ଶୋକାବହ ଅବସ୍ଥା ବର୍ଣ୍ଣନା କରି ସେ ଏଭାରମଣ୍ଡମାନଙ୍କୁ ଅଭିଶାପ ଦେଇଛନ୍ତି । କେବଳ ସେମାନେ ନୁହନ୍ତି, ସେମାନଙ୍କର ଆତ୍ମୀୟ ସ୍ୱଜନ ସରିଜନ, ସେମାନଙ୍କର ବିନ୍ଦୁଏ ରକ୍ତ ଯେଉଁଠାରେ ଅଛି ଓ ସେମାନଙ୍କର ସଂଶ୍ରବରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ମଧ୍ୟ ସେ ଅଭିଶାପ ଦେଇଛନ୍ତି । ସେମାନେ ଯେମିତି କଦାପି ଶାନ୍ତି ନ ପାଆନ୍ତି, ସେ ନିଜେ ଯେମିତି ଜଳିପୋଡ଼ି ହେଉଛନ୍ତି ସେହି ଜ୍ୱଳା ଇହ କାଳରେ ଓ ପର କାଳରେ ଯେମିତି ସେମାନଙ୍କୁ ବେଢ଼ି ରହିଥାଏ, ଏବଂ ମୃତ୍ୟୁ ପରେ ସେମାନଙ୍କର ଆତ୍ମା ଯେମିତି ଈଶ୍ୱରଙ୍କର କ୍ଷମା ଓ ଆଶୀର୍ବାଦରୁ ଚିରକାଳ ପାଇଁ ବଞ୍ଚିତ ହୁଏ ।

 

ସୁଦୀର୍ଘ ଜବାନବନ୍ଦୀ ଶେଷ ହେବା ସଙ୍ଗେ ସଙ୍ଗେ ସେହି ବିକ୍ଷୁବ୍ଧ ଜନତା ଗର୍ଜି ଉଠିଲା । ସେହି ଗର୍ଜନର ଏକମାତ୍ର ଅର୍ଥ ଏବଂ ତା’ରି ଜରିଆରେ ଏକମାତ୍ର ଇଚ୍ଛା ପ୍ରକାଶିତ ହେଲା–ରକ୍ତ ଚାହୁ, ରକ୍ତ ନ ହେଲେ ଏ ନିଆଁ ଲିଭିବ ନାହିଁ ।

 

ସେହି ସୁବିପୁଳ କ୍ରୋଧାଗ୍ନିରୁ ସେତେବେଳେ ଚାର୍ଲସକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବିଡ଼ମ୍ବନା । ଫ୍ରାନ୍ସରେ ଏମିତି ଶକ୍ତିମାନ କେହି ନାହିଁ, ଯେ ଏହି ଗର୍ଜନ ଉପରେ ତା’ର କଣ୍ଠ ସ୍ୱର ଜାହିର କରିପାରେ ।

 

ଅବଶେଷରେ ରାୟ ଦିଆଗଲା–ପ୍ରାଣଦଣ୍ଡ ହେବ, ଏବଂ ତାହା କାଲି ।

 

ଷୋହଳ

 

ଯେଉଁ ବାଳକ ଓ ବାଳିକାଟିର ମୃତ୍ୟୁଶଯ୍ୟାରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡାକି ନିଆଯାଇଥିଲା, ସେମାନଙ୍କର ଆଉ ସାନ ଭଉଣୀଟିଏ ଥିଲା । ଜମିଦାରଙ୍କର ଅତ୍ୟାଚାର କ୍ରମେ ରୁଦ୍ରମୂର୍ତ୍ତି ଧାରଣ କରୁଛି ଦେଖି, ସେମାନେ ସେହି ଭଉଣୀଟିକୁ ଆଗରୁ ତାଙ୍କ ମାମୁ ଘରେ ରଖିଦେଇ ଆସିଥିଲେ । ସେହି ଝିଅଟିର ନାମ ଥେରେସି –ସେ ହେଉଛି ଡେଫାର୍ଜର ସ୍ତ୍ରୀ । ତା’ ବାପ, ଭାଇ, ଭଉଣୀ ଓ ଭିଣୋଇ ଉପରେ ସେହି ନିଦାରୁଣ ଅତ୍ୟାଚାର କଥା ସେ କେବେ ହେଲେ ପାଶୋରି ନାହିଁ । ଏହି ଦୀର୍ଘକାଳ ଧରି ସେ ସେହି ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ସାଧନା କରିଛି । ବ୍ୟାସଟିଲ ଯେଉଁ ଦିନ ଧ୍ୱଂସ ହେଲା, ସେହି ଗଭୀର ରାତିରେ ସ୍ୱାମୀ, ସ୍ତ୍ରୀ ଦୁହେଁ ବସି ଯେତେବେଳେ ଡାକ୍ତର ମ୍ୟାନେଟଙ୍କର ଚିଠି ପଢ଼ିଲେ, ସେତେବେଳେ ଥେରେସ ପୁଣି ଥରେ ନୂତନ ପ୍ରତିଜ୍ଞା କଲା ଯେ ସେ ସେହି ବଂଶର ଏକ ବିନ୍ଦୁ ରକ୍ତ ବି ପୃଥିବୀ ବକ୍ଷରେ ରହିବାକୁ ଦେବ ନାହିଁ ।

 

ଏହି ଥେରେସ, ଡେଫାର୍ଜ ଭିତରେ ଦୟା, ମାୟା ଓ ମନୁଷ୍ୟତ୍ୱ କିଛି ଆଉ ଅବଶିଷ୍ଟ ନ ଥିଲା । କଠିନ, ନିଷ୍ଠୁର ମନ ଓ ଅମୋଘ ଇଚ୍ଛା–ଶକ୍ତି ଘେନି ସେ ଗୋଟିଏ ମାତ୍ର ଫଳ ପାଇଁ ତପସ୍ୟା ସାଧନ କରୁଥିଲା–ତାହା କେବଳ ପ୍ରତିହିଂସା ପାଇଁ । ତା’ର କଦାପି ଭୁଲ୍ ହୁଏ ନାହିଁ ଏବଂ ସେ କୌଣସି ମତେ ବିଚଳିତ ହୁଏ ନାହିଁ । ତେଣୁ ଯେତେବେଳେ ଚାର୍ଲସର ପ୍ରାଣଦଣ୍ଡ ଆଦେଶ ଦିଆଗଲା, ସେ ଉଠି ଠିଆ ହୋଇ ପଡ଼ି ତୀକ୍ଷ୍‍ଣ ଧାର କ୍ଷୁର ପରି ଏକ ବିଦ୍ରୂପର ହସ ହସି ଅର୍ଦ୍ଧସ୍ଫୁଟ ସ୍ୱରରେ କହିଲା କି–ଡାକ୍ତର, ଏହି ଥର ବଞ୍ଚାଅ ନା !

 

ହାଜତକୁ ଘେନିଯିବା ପୂର୍ବରୁ, ଲୁସୀକୁ ଦୁଇ ମିନିଟ୍ ପାଇଁ ଚାର୍ଲସ ପାଖକୁ ଯିବାକୁ ଦିଆଗଲା । ଲୁସୀ ତା’ ବକ୍ଷ ଉପରେ ମଥାରଖି ଆକୁଳ ଭାବରେ କାନ୍ଦିବାକୁ ଲାଗିଲା ଏବଂ ଚାର୍ଲସ ତାକୁ ନା ନା ଭାବରେ ସାନ୍ତ୍ୱନା ଦେବାକୁ ଲାଗିଲା । ଡାକ୍ତର ମ୍ୟାନେଟ କ୍ଷମା ପ୍ରାର୍ଥନା କରିବା ପାଇଁ ଚାର୍ଲସ ପାଖକୁ ଗଲେ । କିନ୍ତୁ ଚାର୍ଲସ ତତ୍‍କ୍ଷଣାତ ତାଙ୍କ ହାତ ଧରିପକାଇ ତାଙ୍କୁ ନିଷେଧ କରି କହିଲା–ଆଜି ମୋର ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା କଥା । ଏକ୍ଷଣି ବୁଝିପାରୁଛି ଯେ, ଯେତେବେଳେ ଆପଣ ମୋର ପରିଚୟ ସନ୍ଦେହ କରିଥିଲେ ଏବଂ ନିଶ୍ଚିନ୍ତ ଭାବରେ ଜାଣିପାରିଥିଲେ, ସେତେବଳେ ଆପଣଙ୍କୁ ନିଜ ମନ ସହିତ କି ପ୍ରଚଣ୍ଡ ଯୁଦ୍ଧ କରିବାକୁ ପାଉ ନଥିଲା-! ଆମ ମୁହଁକୁ ଚାହିଁ ଆପଣଙ୍କୁ କେତେ ସହ୍ୟ କରିବାକୁ ହୋଇ ନଥିଲା ! କିନ୍ତୁ ମୋର ନିୟତି ଏହା, ମୋ ପୂର୍ବପୁରୁଷମାନଙ୍କର ପାପର ଅବଶ୍ୟମ୍ଭାବୀ ଫଳ ଏହା । ଆପଣ ତ ସେଥିପାଇଁ ଦାୟୀ ନୁହନ୍ତି-! ଆପଣ ଲୁସୀକୁ ଦେଖିବେ, ଏତିକି ମାତ୍ର ମୋର ଆପଣଙ୍କୁ ଅନୁରୋଧ, ଆଉ ପାରନ୍ତି ତ ମୋତେ କ୍ଷମା କରିବେ, କାରଣ ଆପଣଙ୍କର ଶେଷ ବୟସରେ ମୁହିଁ ଆପଣଙ୍କର ଦୁଃଖର କାରଣ ଥିଲି-

 

ସିଡ଼୍‍ନି ଗୋଟିଏ ପାଖରେ ଠିଆହୋଇ ଏମାନଙ୍କର ଏହି କରୁଣ ବିଦାୟ ଦୃଶ୍ୟ ଦେଖୁଥିଲେ । ଯେତେବେଳେ ସେମାନେ ଚାର୍ଲସକୁ ଜୋର କରି ଜେଲଖାନାକୁ ନେଇଗଲେ, ସେତେବେଳେ ଲୁସୀକୁ ମୂର୍ଚ୍ଛିତା ହୋଇପଡ଼ିଯିବା ଦେଖି ସେ ତତ୍‍କ୍ଷଣାତ୍ ଆଗକୁ ଯାଇ ତାକୁ ଧରିପକାଇଲେ । ତା’ପରେ ତାକୁ ନେଇଯାଇ ଖଣ୍ଡିଏ ଗାଡ଼ି ଭିତରେ ବସାଇଦେଇ ମିଷ୍ଟର ଲରୀ ଓ ଡାକ୍ତର ମ୍ୟାନେଟଙ୍କୁ ସେଥିରେ ବଢ଼ିବାକୁ କହିଲେ । ନିଜେ କଚୁଆନ ପାଖରେ ବସି ସେ ବସାକୁ ଫେରି ଆସିଲେ ।

 

ଲୁସୀ ସେତେବେଳେ ଅଜ୍ଞାନ ହୋଇପଡ଼ି ରହିଥିଲା । ସିଡ଼୍‍ନି ତାକୁ କାଖେଇ ଉପରକୁ ନେଇଗଲେ । ମିସ୍ ପ୍ରସ୍ ଓ ଲୁସୀର ଝିଅ ଲୁସୀର ଛାତି ଉପରେ ପଡ଼ି କାନ୍ଦିବାକୁ ଲାଗିଲେ । ଏହି ହୃଦୟ ବିଦାରକ ଦୃଶ୍ୟରେ ମିଷ୍ଟର ଲରୀଙ୍କର ନୟନ ବି ସଜଳ ହୋଇଗଲା । ସିଡ଼୍‍ନି କେବଳ ଅସ୍ଫୁଟ ସ୍ୱରରେ କହିଲେ–ଥାଉ, ଥାଉ ଯେତେ ଅଜ୍ଞାନ ହୋଇ ରହିବ, ସେତେ ଭଲ ।

 

ତା’ପରେ ଏକ ଦୃଷ୍ଟିରେ ଲୁସୀ ଆଡ଼କୁ ଚାହିଁରହି ସେ ଥରେ ନଇଁପଡ଼ି ସସ୍ନେହରେ ତା’ ମଥା ଉପରେ ଗୋଟିଏ ଚୁମ୍ବନ ଦେଲେ । ତା’ ପରେ ଅତି ମୃଦୁ ସ୍ୱରରେ ସେ ଥରେ ତା’ କାନ କତିରେ କହିଲେ-ଯାହାକୁ ତୁ ଭଲ ପାଉଁ, ତାକୁ ମୁଁ ତୋତେ ଫେରାଇ ଆଣି ଦେବି ।

 

ଡାକ୍ତର ମ୍ୟାନେଟ୍ ଗୋଟିଏ ପାଖରେ ନୀରବରେ ମୁଁ ଢାଙ୍କି ଠିଆ ହୋଇଥିଲେ । ସିଡ଼୍‍ନି ତାଙ୍କ ପାଖକୁ ଆସି କହିଲେ–ଡାକ୍ତର ମ୍ୟାନେଟ କାଲି ଯାଏଁ ଏଠାରେ ଆପଣଙ୍କର ଯଥେଷ୍ଟ ପ୍ରଭାବ ଥିଲା । ଆଜି ବି ବୋଧହୁଏ ତାହା ଏକବାରେ ନଷ୍ଟ ହୋଇଯାଇ ନାହିଁ । ଥରେମାତ୍ର ଚେଷ୍ଟାକରି ଦେଖନ୍ତୁ ନା, ଯଦି କିଛି ହୋଇପାରେ ।

 

ଡାକ୍ତର ଭଗ୍ନକଣ୍ଠରେ କହିଲେ–କାଲିଯାଏଁ ସେମାନେ ମୋତେ ଏହିସବୁ କଥା କହି ନାହାନ୍ତି । ସେମାନେ କହିଥିଲେ ଯେ ଚାର୍ଲସର ଆଉ କୌଣସି ଭୟ ନାହିଁ । ମୁଁ ଆଉ କ’ଣ କରିବି-?

 

ଆଉଥରେ ଶେଷ ଚେଷ୍ଟା କରିବେ ନାହିଁ ?

 

ଡାକ୍ତର ମ୍ୟାନେଟ୍ ମଥା ହଲାଇ କହିଲେ–ମୁଁ ଏକ୍ଷଣି ଥରେ ଯିବି । ଯେଉଁମାନେ ଏହାର ମୂଳ, ସେହିମାନଙ୍କୁ ନିକଟକୁ ଯିବି । ଦେଖେ, ଯଦି କିଛି କରାଯାଇପାରେ ।

 

ଡାକ୍ତର ବିହାରିଯିବା ପରେ ମିଷ୍ଟର ଲରୀ ବିଷଣ୍ଣ ମୁଖରେ ପଚାରିଲେ–ଆପଣ କ’ଣ ମନେ କରନ୍ତି ଯେ, କୌଣସି ଆଶା ଅଛି ? ମୋର ତ ତାହା ମନେ ହୁଏ ନାହିଁ !

 

ସିଡ଼୍‍ନି କହିଲେ–ମୋର ବି ତ ମନେ ହୁଏ ନାହିଁ । ତଥାପି ଚେଷ୍ଟା କରି ଦେଖିବାରେ ଦୋଷ କ’ଣ ? ତା’ ଛଡ଼ା ଏହାପରେ ଲୁସୀ ଆଉ କହିପାରିବ ନାହିଁ ଯେ ତା’ ସ୍ୱାମୀର ପ୍ରାଣରକ୍ଷା ପାଇଁ କେହି ଚେଷ୍ଟା ସୁଦ୍ଧା କଲେ ନାହିଁ । ହଁ, ତାହା ସତ !

 

ସତର

 

ବହୁତବେଳ ଯାଏଁ ରାସ୍ତାଘାଟରେ ବୁଲି ସନ୍ଧ୍ୟା ହୋଇଯିବାରୁ ସିଡ଼୍‍ନି ମଦ ଖାଇବା ଛଳନାରେ ଡେଫାର୍ଜର ଦୋକାନରେ ପ୍ରବେଶ କଲେ । ତାଙ୍କ ଚେହେରା ସହିତ ଚାର୍ଲସର ଯେ ସାଦୃଶ୍ୟ ଅଛି, ଏହା ଦେଖାଇ ଦେବାହିଁ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । କିନ୍ତୁ ଦୈବ ଯୋଗୁଁ ସେଠାରେ ପ୍ରବେଶ କରିବା ଦ୍ୱାରା ଆଉ ଗୋଟିଏ ବଡ଼ ଧରଣର କାମ ହେଲା । ସାଦୃଶ୍ୟ ଦେଖାଇବାର କାରଣ ଏହା ଯେ, ପରେ ପ୍ରୟୋଜନ ହେଲେ ଯେମିତି ଲୋକମାନେ ଚାର୍ଲସକୁ ସିଡ଼୍‍ନି ବୋଲି ମନେ କରନ୍ତି ।

 

ଯେଉଁ କେତେ ଦିନ ହେଲା ସିଡ଼୍‍ନି ପ୍ୟାରିସରେ ଅଛନ୍ତି, ଦିନେ ହେଲେ ବି ସେ ମଦ ଛୁଇଁ ନାହାନ୍ତି । ଆଜି ବି ସେ ଦୋକାନରେ ପ୍ରବେଶ କରି ନାମକୁ ମାତ୍ର ଟିକିଏ ମଦ ଚାଖିଲେ । ସେ ଯେତେବେଳେ ପ୍ରବେଶ କଲେ ସେତେବେଳେ ଡେଫାର୍ଜ, ତା’ର ସ୍ତ୍ରୀ ଅରେସି ଭେନ୍‍ଜେନସ୍ ଓ ଆଉ ଦୁଇଜଣ ଲୋକ ବସି କ’ଣ ସବୁ ପରାମର୍ଶ କରୁଥିଲେ । ଏମାନଙ୍କ ଛଡ଼ା ଦୋକାନରେ ଆଉ ବିଶେଷ କେହି ନ ଥିଲେ । ଥୋରେସି ତାଙ୍କୁ ଦେଖି ପ୍ରଥମେ ଚମକି ପଡ଼ିଲା, ଏବଂ ନିଜେ ଆଗକୁ ଆସି ମଦ ଦେବାର ଛଳନା କରି ଆଳାପ ଆରମ୍ଭ କରିଦେଲା । କିନ୍ତୁ ସିଡ଼୍‍ନି ଏମିତି ଇଂରେଜୀମିଶା ଭାଷା କହିବାକୁ ଲାଗିଲେ ଯେ, ଅଳ୍ପକଥା କହିବା ପରେ ଥେରେସି ବୁଝିପାରିଲା ଯେ, ଲୋକଟି ଏକବାରେ ଇଂରେଜୀ । ତହୁଁ ସେ ନିଶ୍ଚନ୍ତ ହୋଇ ଫେରିଯାଇ ପୁଣି ସେମାନଙ୍କର ଆଲୋଚନା ଆରମ୍ଭ କଲା ।

 

ଲୁସୀ ଓ ତା’ ପିଲାମାନଙ୍କ ବିଷୟରେ କଥାବାର୍ତ୍ତା ଚାଲିଥିଲା । ଥେରେସିର ଇଚ୍ଛା, ଚାର୍ଲସର ମୃତ୍ୟୁ ହୋଇଯିବାମାତ୍ରେ ସେ ନିଜେ ଲୁସୀ ନାମରେ ମିଥ୍ୟା ଅଭିଯୋଗ ଆଣିବ । ତା’ ଅପରାଧ ହେଉଛି, ସେ ଚାର୍ଲସକୁ ନେଇ ପଳାଇଯିବା ପାଇଁ ଷଡ଼ଯନ୍ତ୍ର ଥିଲା । ତା’ର ମିଥ୍ୟା ସାକ୍ଷୀ ବି ସେ ଯୋଗାଡ଼ କରିଛି । କିନ୍ତୁ ଡେଫାର୍ଜ ଏଥିରେ ବାଧା ଦେଉଥିଲା । ଡାକ୍ତର ମ୍ୟାନେଟଙ୍କ ବିଷୟ ବିବେଚନା କରିବା ପାଇଁ ସେ ତାକୁ ବାରମ୍ବାର ଅନୁରୋଧ କରୁଥିଲା । ବୃଦ୍ଧ ଢେର୍ ଦୁଃଖ ପାଇଛନ୍ତି । ପୁଣି ତାଙ୍କୁ ଏତେ ବଡ଼ ଆଘାତ ଦେବା କ’ଣ ଉଚିତ୍ ?

 

ଥେରେସି ଅସହିଷ୍ଣୁ ଭାବରେ କହିଲା–ଡାକ୍ତରଙ୍କୁ ବାଦ୍‍ ଦେବାକୁ ଚାହତ ଦିଅ । ସେ ବୁଢ଼ା ମଲା କି ବଞ୍ଚିଲା, ସେଥିରେ ମୁଁ ମଥା ଖେଳାଇବାକୁ ଚାହେଁ ନାହିଁ । କିନ୍ତୁ ତା’ ଝିଅ ଓ ନାତି ନାତୁଣୀ ଯେ ଏଭାରମଣ୍ଡର ସ୍ତ୍ରୀ ଓ ପୁଅ ଝିଅ, ଏହ ମୁଁ ଆଦୌ ଭୁଲିପାରିବି ନାହିଁ । ସେହି ବଂଶର ବିନ୍ଦୁଏ ରକ୍ତ ବି ଯେଉଁଠଆରେ ଅଛି, ତାହାଙ୍କୁ ଉଚ୍ଛେଦ କରିବି !

 

ସିଡ଼୍‍ନି ଅତି ଅନ୍ୟମନସ୍କ ଭବାବରେ ମଦ ଖାଇବାର ଛଳନା କରି ସବୁକଥା ଶୁଣୁଥିଲେ-। ସେ ଯେତେବେଳେ ଦେଖିଲେ ଯେ ସେଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସମସ୍ତେ ଥେରେସି ସହିତ ଏକମତ, ସେତେବେଳେ ଆଉ ଅଧିକ ବିଳମ୍ବ ନ କରି ସେ ଦାମ ଦେଇସାରି ବାହାରି ଆସିଲେ । ଆମାନଙ୍କର ପଳାଇବାର ବ୍ୟବସ୍ଥା କରିବାକୁ ହେବ, ଏବଂ ତାହା କାଲି-। ଆଉ ବିଳମ୍ବ କଲେ ଚଳିବ ନାହିଁ ।

 

ଡାକ୍ତର ମ୍ୟାନେଟଙ୍କ ଘରକୁ ଫେରି ଆସି ସିଡ଼୍‍ନି ଦେଖିଲେ ଯେ, ସେଠାରେ ଇତି ମଧ୍ୟରେ ଆଉ ଗୋଟିଏ ଶୋଚନୀୟ କାଣ୍ଡ ଘଟିଛି । ସମ୍ପୂର୍ଣ୍ଣ ଉନ୍ମତ୍ତ ଅବସ୍ଥାରେ ଡାକ୍ତର ଘରକୁ ଫେରି ଆସିଛନ୍ତି । ପୂର୍ବର ସେହି ଅସହାୟ ଦୃଷ୍ଟି, ସେହି ଦୁର୍ବଳ ଦେହ ଏବଂ ଏକବାରେ ସେହି ଉନ୍ମାଦ ଅବସ୍ଥା । ସେ ଅନବରତ କେବଳ ଜୋତା ର ହାତ-ହତିଆର ସବୁ ଖୋଜି ବୁଲୁଛନ୍ତି, ଆଉ କହୁଛନ୍ତି–ମୋର ଯନ୍ତ୍ରପାତି, ମୋ ଯନ୍ତ୍ରପାତିସବୁ ଦିଅ ନା ! ଯନ୍ତ୍ରପାତି ନ ପାଇଲେ କାମ କେମିତି କରିବି ? କାଲି ଭିତରେ ଜୋତା ଯୋଡ଼ାକ ଶେଷକରି ଦେବାକୁ ହେବ ଯେ !

 

ଜାମଟା ସେ ଦେହରୁ କାଢ଼ି ଛଡ଼ାଇ ଗୋଟାଏ କୋଣରେ ଫିଙ୍ଗିଦେଇଥିଲେ । ସେଟା ଉଠାଇବାକୁ ଯାଇ ସିଡ଼୍‍ନି ଗୋଟାଏ ଜିନିଷ ତା’ ଭିତରୁ ପାଇଲେ । ସେଟା ଆଉ କିଛି ନୁହେଁ–ଡାକ୍ତର ମ୍ୟାନେଟ, ଲୁସୀ ଓ ତା’ ଝିଅର ଲଣ୍ଡନକୁ ଫେରିଯିବା ପାଇଁ ଛାଡ଼ପତ୍ର । ସେଥିରେ ଦିନକ ଆଗର ମୋହର ବସିଛି । କେତେବେଳେ ଯେ କ’ଣ ଭାବି ସେ ତାହା ଲେଖାଇ ନେଇଥିଲେ, ଡାକ୍ତର ମ୍ୟାନେଟ ହିଁ ତାହା ଜାଣିଥିଲେ । କିନ୍ତୁ ସିଡ଼୍‍ନିଙ୍କ ନିକଟରେ ତାହା ଦୈବପ୍ରେରଣା ବୋଲି ମନେ ହେଲା ।

 

ସେ ସଂକ୍ଷେପରେ ମିଷ୍ଟର ଲରୀଙ୍କ ଆଗରେ ଡେଫାର୍ଜର କାର୍ଯ୍ୟକଳାପ ବର୍ଣ୍ଣନା କରି କହିଲେ–ଆଉ ବିଳମ୍ବ କରିବା ପାଇଁ ସମୟ ନାହିଁ । ସେମାନଙ୍କ କଥାବାର୍ତ୍ତାରୁ ଅବଶ୍ୟ ଯାହା ମନେ ହେଲା, ଚାର୍ଲସର ପ୍ରାଣଦଣ୍ଡ ପୂର୍ବରୁ ସେମାନେ କିଛି କରିବେ ନାହିଁ । କିନ୍ତୁ ସେ ମତଲବ ଓଲଟିଯିବାକୁ ବ କେତେ ସମୟ ? ଆପଣ ପରା କହିଥିଲେ ଯେ ଆପଣଙ୍କର ଏଠାରେ କାମ ଶେଷ ହୋଇ ଯାଇଛି ?

 

ମିଷ୍ଟର ଲରୀ ମଥା ହଲାଇ କହିଲେ–ହଁ, ମୋର ଛାଡ଼ପତ୍ର ନେବା ବି ଶେଷ ହୋଇଯାଇଛି ।

 

ତାହାହେଲେ ଆଉ ତିଳେ ମାତ୍ର ବିଳମ୍ବ କରନ୍ତୁ ନାହିଁ । କାଲି ଦିପହରେ ଯେମିତି ଚାଲିଯାଇ ପାରନ୍ତି, ସେହି ବ୍ୟବସ୍ଥା କରି ରଖନ୍ତୁ । ଘୋଡ଼ାଗାଡ଼ିରେ ଆପଣମାନେ ବସିଥିବେ, ଠିକ୍ ଦ୍ୱିପହରେ ମୁଁ ଆସିବି । ମୁଁ ଆସି ପହଞ୍ଚିବା ମାତ୍ରେ ଗାଡ଼ି ଛାଡ଼ିଦେବ, ଯେମିତି ଟିକିଏ ହେଲେ ବିଳମ୍ବ ନ ହୁଏ ।

 

ମିଷ୍ଟର ଲରୀ କହିଲେ–ହଉ, ତାହାହି ହେବ । ଆପଣ ନ ଆସିବା ଯାଏ ଆମ୍ଭେମାନେ ଅପେକ୍ଷା କରିଥିବୁ ତ ?

 

ହଁ, କିନ୍ତୁ ଖୁବ୍ ସାବଧାନ । ମୁଁ ଆସିଲେ ଯେମିତି ଆଉ ତିଳେ ମାତ୍ର ବିଳମ୍ବ ନ ହୁଏ, କୌଣସି କାରଣ ହେତୁ ମଧ୍ୟ । ସେତେବେଳେ ଅପେକ୍ଷା କରିବା ପାଇଁ ଯେତେ ବଡ଼ କାରଣ ଥାଉ ପଛକେ, କୌଣସି ମତେ ତାହା କରିବେ ନାହିଁ । କାରଣ ଜଣକ ପାଇଁ ସମସ୍ତେ ମାରା ଯିବେ । ହୁଏତ ସେ ଜଣକୁ ବି ବଞ୍ଚାଇପାରିବ ନାହିଁ । ଯଦି ଲୁସୀ ଆପତ୍ତି କରେ ତ ତାକୁ କହିବେ ଯେ ଏହାହିଁ ତା’ ସ୍ୱାମୀର ଇଚ୍ଛା, ଏକାନ୍ତ ଅନୁରୋଧ । ତାହାହେଲେ ସେ ରାଜି ହୋଇଯିବ । ଆଉ ମ୍ୟାନେଟ ତ ବର୍ତ୍ତମାନ ଉନ୍ମାଦ । ଲୁସୀ ତାକୁ ଯାହା କରିବାକୁ କହିବ, ସେ ବୋଧହୁଏ ତାହା କରିବେ ।

 

ମିଷ୍ଟର ଲରୀ ମଥା ହଲାଇ ଖାଲି ଜଣାଇଲେ ଯେ ତାହାହିଁ ହେବ । ସିଡ଼୍‍ନିଙ୍କର ଏତେ କର୍ମତତ୍ପରତା ସେ କେବେ ଦେଖି ନ ଥିଲେ । ଆଜି ଏହା ଦେଖି ସେ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ-। କ୍ରମେ କ୍ରମେ ସିଡ଼୍‍ନିଙ୍କର ଉପରେ ତାଙ୍କର ବିଶ୍ୱାସ ମଧ୍ୟ ବଢ଼ୁଥିଲା ।

 

ସିଡ଼୍‍ନି ପୁଣି କହିଲେ–ଆପଣଙ୍କ କର୍ମ-ଦକ୍ଷତା ଉପରେ ମୋର ଆସ୍ଥା ଅଛି । ମୁଁ ନିଶ୍ଚିନ୍ତ ରହିଥିବି । କିନ୍ତୁ ଆପଣ ମୋ କଥା ନିଶ୍ଚୟ ମନେ ରଖିବେ । କୌଣସି କାରଣ ହେତୁ ଆପଣମାନଙ୍କର ଯାତ୍ରା ଯେମିତି ବନ୍ଦ ନ ହୁଏ !

 

ମିଷ୍ଟର ଲରୀ କହିଲେ–ଆପଣଙ୍କ କଥା ମୋର ମନେ ରହିବ ।

 

ମିଷ୍ଟର ଲରୀ କହିଲେ–ଆପଣଙ୍କ କଥା ମୋର ମନେ ରହିବ । ଆପଣ ଯାହା କହିଲେ, ତା’ର କୌଣସିଟା ଯେମିତି ଅନ୍ୟଥା ନ ହୁଏ, ତା’ର ମୁଁ ଯଥାର୍ଥ ବ୍ୟବସ୍ଥା କରିବି ।

 

ତହୁଁ ସିଡ଼୍‍ନି ଛାଡ଼ପତ୍ର ଖଣ୍ଡିକ ବାହାରକରି ମିଷ୍ଟର ଲରୀଙ୍କ ହାତରେ ଦେଇ କହିଲେ ଏଟା ଆପଣ ନିଜ ପାଖରେ ରଖି ଥାଆନ୍ତୁ । ମିଷ୍ଟର ଲରୀ ବିସ୍ମିତ ହୋଇ ପଚାରିଲେ–କାହିଁକି ? ଆପଣ ଆସିବେ ପରା !

 

ସିଡ଼୍‍ନି କହିଲେ–କିଏ ଜାଣେ, ଏକ୍ଷଣି ଅନେକ ସ୍ଥାନରେ ବୁଲିବାକୁ ହେବ, ଏଟା ହଜିଗଲେ ବଡ଼ ଅଡ଼ୁଆରେ ପଡ଼ିବାକୁ ହେବ । ଆପଣ ନିଜ ପାଖରେ ତାହା ରଖିଥାନ୍ତୁ ।

 

ଛାଡ଼ପତ୍ର ଖଣ୍ଡିକ ତାଙ୍କ ହାତରେ ଦେଇ ସିଡ଼୍‍ନି ଟୋପିଟା ଧରି ରାସ୍ତା ଉପରକୁ ଚାଲିଗଲେ । ନୀରବରେ କେତେ ମୁହୂର୍ତ୍ତ ସେହି କୋଠାଆଡ଼କୁ ଚାହିଁରହି ଥରେ ତାକୁ ତାଙ୍କର ଶେଷ ଆଶୀର୍ବାଦ ଜଣାଇ, ସେ ନିଜ କାମରେ ଚାଲିଗଲେ ।

 

ଅଠର

 

ଆଗ ଦିନ ଚାର୍ଲସ ତିନି ଖଣ୍ଡି ଚିଠି ଲୁସୀ, ଡାକ୍ତର ମ୍ୟାନେଟ ଓ ମିଷ୍ଟର ଲରୀଙ୍କ ପାଖକୁ ଲେଖି ରଖିଥିଲା । ତେଣୁ ତା’ ପର ଦିନ ସକାଳୁ କେବଳ ମୃତ୍ୟୁର ପ୍ରତୀକ୍ଷା କରିବା ଛଡ଼ା ତା’ର ଆଉ କୌଣସି କାମ ନଥିଲା ।

 

ସେହିଦିନ ତିନିଟା ବେଳକୁ ଗିଲୋଟିନର ସମୟ ନିର୍ଦ୍ଦିଷ୍ଟ ହୋଇଥିଲା । ସେହି ନିର୍ଦ୍ଧାରିତ ସମୟ ଦେଢ଼ ଘଣ୍ଟା ବାକି ଅଛି, ଚାର୍ଲସ ତା’ କାରାକକ୍ଷର ବାହାରେ କାହାର ପଦଧ୍ୱନି ଶୁଣିବାକୁ ପାଇଲା । ଟିକିଏ ପରେ ଦୁଆର ଖୋଲିଗଲା ଏବଂ ସିଡ଼୍‍ନି କାର୍ଟନ ଭିତରେ ପ୍ରବେଶ କଲେ । ପ୍ରବେଶ କରିବା ସଙ୍ଗେ ସଙ୍ଗେ କାରାଗାରର ଦୁଆର ପୁଣି ସଶବ୍ଦରେ ବନ୍ଦ ହୋଇଗଲା ।

 

ଚାର୍ଲସର ବିସ୍ମୟ ଲକ୍ଷ୍ୟ କରିପାରି ସିଡ଼୍‍ନି ଟିକିଏ ହସି ତାକୁ କହିଲେ–ମୋତେ ଦେଖିବା ଆଶା ଆଦୌ କରି ନଥିଲ ନା ?

 

ଚାର୍ଲସ ଜବାବ ଦେଲା–ନା । କିନ୍ତୁ ତୁମେ ଧରାପଡ଼ି ନାହଁ ତ ?

 

ସିଡ଼୍‍ନି କହିଲେ–ନା, ମୁଁ ଧରାପଡ଼ି ନାହିଁ । ଏଠାର ଜଣେ ପ୍ରହରୀ ସହିତ ମୋର ବିଶେଷ ଭାବ ଅଛି । ସେ ମୋତେ ଏହା ଭିତରକୁ ନେଇ ଆସିଛି । ମୁଁ ଲୁସୀଠାରୁ ଗୋଟିଏ ଶେଷ ଅନୁରୋଧ ଘେନି ଏଠାକୁ ଆଜି ଆସିଛି ।

 

ଲୁସୀର ନାମ ଶୁଣିବାମାତ୍ରେ ଚାର୍ଲସର ମୁଖମଣ୍ଡଳରେ ବେଦନାର ଛାୟା ପଡ଼ିଗଲା । ସେ ବ୍ୟସ୍ତ ହୋଇ ପଚାରିଲା–କି ଅନୁରୋଧ ?

 

ସିଡ଼୍‍ନି ପାଖକୁ ଆସି ନିଜ ଜୋତାଟା ଖୋଲୁ ଖୋଲୁ କହିଲେ, କେବଳ ଅନୁରୋଧ ନୁହେଁ, ମିନତି ମଧ୍ୟ । ତୁମକୁ ଏହା ରଖିବାକୁ ହେବ, ନ ହେଲେ ସେ ମର୍ମାନ୍ତିକ ଦୁଃଖ ଲାଭ କରିବ-। ତୁମେ ମୋର ଏହି ଜୋତା ଓ ପୋଷାକ ପିନ୍ଧି, ଏବଂ ମୋତେ ତୁମର ଜୋତା ଓ ପୋଷାକ ଦିଅ-

 

ଚାର୍ଲସ କହିଲା–ତୁମେ କ’ଣ ପାଗଳ ହେଲ ! ନା, ନା, ସେମିତି ପାଗଳାମି କର ନାହିଁ, ସିଡ଼୍‍ନି । ଏଠାରୁ ପଳାୟନ ଅସମ୍ଭବ, ମୁଁ ତ ପଳାଇପାରିବି ନାହିଁ, ବରଂ ମଝିରେ ତୁମେ ଖାଲି ମାରା ପଡ଼ିବ ।

 

ସିଡ଼୍‍ନି ଜୋର୍‍ କରି ଚାର୍ଲସକୁ ଗୋଟାଏ ଟୁଲ ଉପରେ ବସାଇ ଦେଇ ତା’ର ଗୋଡ଼ରୁ ଜୋତା ଖୋଲୁ ଖୋଲୁ କହିଲେ–କିଏ ତୁମକୁ ପଳାଇବା କଥା କହୁଛି ? ଯେତେବେଳେ ମୁଁ ତୁମକୁ ପଳାଇବା କଥା କହିବି, ସେତେବେଳେ ତୁମେ ମୋତେ ପାଗଳ ବୋଲି କହିବ । ଏକ୍ଷଣି ମୁଁ ଯାହା କହୁଛି, ତାହା କର ।

 

ସିଡ଼୍‍ନିଙ୍କର ସବଳ ଆକର୍ଷଣ ଓ କଥା କହିବାର ବଳିଷ୍ଠଭଙ୍ଗୀରେ ଚାର୍ଲସ ଯେମିତି ହଠାତ୍ ଅସହାୟ ହୋଇ ପଡ଼ିଲା । କଳର କଣ୍ଢେଇ ଭଳି ସେ ତାଙ୍କ କଥା ଅନୁଯାୟୀ ତା’ର ପୋଷାକ ଓ ଜୋତା ବଦଳାଇ ପକାଇଲା ।

 

ତା’ ପରେ ସିଡ଼୍‍ନି ତାକୁ ପଚାରିଲେ–ଖଣ୍ଡିଏ ଚିଠି ଲେଖି ପାରିବ ? ଲେଖିଲେ ଦେଖି ।

 

ଚାର୍ଲସ ତାଙ୍କ ନିର୍ଦ୍ଦେଶ ଅନୁସାରେ କଲମ ଉଠାଇ ନେଲା । ଘଟଣା କ’ଣ ସେ ଆଦୌ ବୁଝିପାରୁ ନଥିଲା । ସେ କେବଳ ଏତିକି ମାତ୍ର ବୁଝିଥିଲା ଯେ ଆଜି କୌଣସି ମେତେ ଏହି ଲୋକଟିର ଆଦେଶ ଅବହେଳା କରିହେବ ନାହିଁ । ଏହି ଏହି ମାତାଲ ଓ ଅକର୍ମଣ୍ୟ ଲୋକଟି କେଉଁଠୁ ସହସା ଏମିତି କେଉଁ ଦୈବଶକ୍ତି ଲାଭ କରିଛି, ଯଦ୍ୱାରା ତା’ର ଗୋଟିଏ କଥା ବି ଅମାନ୍ୟ କରି ହେଉ ନାହିଁ ।

 

ଚାର୍ଲସ କହିଲା–କ’ଣ ଲେଖିବି, କୁହନ୍ତୁ । କିନ୍ତୁ ତୁମ ହାତରେ ସେଟା କ’ଣ ? କି ଅସ୍ତ୍ର ତାହା ?

 

ସିଡ଼୍‍ନି ଜବାବ ଦେଲା–ସେଟା କିଛି ନୁହେଁ । ଲେଖ-“ବହୁ ଦିନ ତଳେ, ତୁମକୁ ଯେଉଁ କଥା କହିଥିଲି, ଆଶା କରେ ତୁମେ ତାହା ଭୁଲି ଯାଇ ନାହଁ ।”

 

ଚାର୍ଲସ ବିସ୍ମିତ ହୋଇ ପଚାରିଲା–କାହାକୁ ସମ୍ବୋଧନ କରିବି ?

 

କାହାରିକୁ ନୁହେଁ । ଲେଖ “ ସେହି ଯେଉଁ କଥା ସେ ଦିନ ମୋ ଅନ୍ତର ଭିତରେ ଥିଲା, ତାହା ଆଜି ଏତେ ଦିନ ପରେ ପ୍ରମାଣ କରିଦେଇ ପାରିଲି । ସେଥିପାଇଁ ମୁଁ ନିଜକୁ କୃତାର୍ଥ ମନେ କରୁଛି ।”

 

ଲେଖୁ ଲେଖୁ ଚାର୍ଲସ ମଥା ଟେକି କହିଲା–କିନ୍ତୁ କ’ଣ ଗୋଟାଏ କଦର୍ଯ୍ୟ ଗନ୍ଧ ବାହାରୁଛି, ଠିକ୍ ମଦ ଭଳି କୌଣସି ଜିନିଷର । ସେ କିଛି ନୁହେଁ । ତୁମେ ଲେଖି ଯାଅ ଆଉ ସମୟ ନାହିଁ । ଲେଖ-“ଏବଂ ସେହି ପ୍ରମାଣ ଦେବାକୁ ଆଜି ମୁଁ ତିଳେମାତ୍ର ବେଦନା କି କଷ୍ଟବୋଧ କରୁ ନାହିଁ । ଆଜି ମୁଁ ପ୍ରକୃତରେ ସୁଖୀ ।”

 

ହାତ ଭିତରେ ଥିବା ରୁମାଲ ଖଣ୍ଡିକ ସେ ଚାର୍ଲସର ନାକ ପାଖରେ ଧରିବା ମାତ୍ରେ ସେ କୁଦି ପଡ଼ିଲା । କିନ୍ତୁ ସେ ଗୋଟିଏ ହାତରେ ତାକୁ ଧରି ପକାଇ, ଆର ହାତରେ ରୁମାଲ ଖଣ୍ଡିକ ଜୋର କରି ତା’ ନାକ ଉପରେ ଚାପି ଧରିଲେ । କେତୋଟି ମୁହୂର୍ତ୍ତ ଭିତରେ ଚାର୍ଲସ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା ।

 

ସିଡ଼୍‍ନି ସେତେବେଳେ ଦୃଢ଼ହସ୍ତରେ ଆଉ ଯାହା ପୋଷାକ ବଦଳାଇବାକୁ ବାକି ଥିଲା, ତାହା ବଦଳାଇ ପକାଇଲେ ଏବଂ ତା’ପରେ ନିଜ ମଥାର ବାଳଗୁଡ଼ିକ ଚାର୍ଲସର ବାଳ ପରି କୁଣ୍ଡାଇ ପକାଇ ଚାର୍ଲସର ବାଳଗୁଡ଼ିକ ନିଜ ବାଳ ପରି କରିଦେଲେ । ସବୁ ଠିକ୍ କରି ସେ ଦୁଆର ମୁହକୁ ଯାଇ ମୃଦୁ ସ୍ୱରରେ ଡାକିଲେ – ଠିକ୍ ହୋଇଗଲା, ଏବେ ଆସ ।

 

ଦୁଆର ଖୋଲି ବାର୍ସାଦ୍‍ କୋଠରୀରେ ପ୍ରବେଶ କଲା । ଚାର୍ଲସ ଆଡ଼କୁ ଆଙ୍ଗୁଳି ଦେଖାଇ ସିଡ଼୍‍ନି ତାକୁ ପଚାରିଲେ–କ’ଣ, ଚଳାଇପାରିବ ନାହିଁ ?

 

ବାର୍ସାଦ୍‍ କହିଲା–ଗୋଳମାଳ ଭିତରେ ତାକୁ ବାହାର କରିଦେବା କଠିନ ହେବ ନାହିଁ । କିନ୍ତୁ ଆପଣ ନିଜ ପ୍ରତିଜ୍ଞା ଭୁଲିଯିବେ ନାହିଁ ତ ?

 

ସିଡ଼୍‍ନି ଦୃଢ଼ସ୍ୱରରେ କହିଲେ–ମୃତ୍ୟୁ ପର୍ଯ୍ୟନ୍ତ ମୁଁ ମୋ କଥା ଅକ୍ଷରେ ଅକ୍ଷରେ ଠିକ୍ ପାଳନ କରିବି । ତା’ ପରେ ମୃତ୍ୟୁ ପରେ ତୁମର ଆଉ ଭୟର କାରଣ କ’ଣ ଥାଇପାରେ ?

 

ବାର୍ସାଦ୍‍ ପଚାରିଲା–ତାହାହେଲେ ମୁଁ ଲୋକ ଡାକୁଛି ?

 

ସିଡ଼୍‍ନି କହିଲେ–ହଁ, ଡାକ । ସବୁ କଥା ତୁମର ଠିକ୍ ମନେ ଅଛି ତ ? ସିଡ଼୍‍ନି ଯେତେବେଳେ ତାଙ୍କ ବନ୍ଧୁଙ୍କୁ ଦେଖିବାକୁ ଆସନ୍ତି, ସେତେବେଳେ ତାଙ୍କର ଅବସ୍ଥା ଖୁବ୍ ଖରାପ ଥିଲା । ତା’ ପରେ ବିଦାୟର ଧକ୍କା ସେ ଆଉ ସମ୍ଭାଳି ପାରିଲେ ନାହିଁ । ସେ ଅଜ୍ଞାନ ହୋଇଯାଇଛନ୍ତି । ବୁଝିଲ ତ ? ତୁମେ ନିଜେ ତାକୁ ବାହାର କରିନେଇ ଯାଇ ମିଷ୍ଟର ଲରୀଙ୍କ ପାଖରେ ପହଞ୍ଚାଇ ଦେବ ଏବଂ ତାଙ୍କୁ ତାଙ୍କ ପ୍ରତିଜ୍ଞା ବିଷୟ ସ୍ମରଣ କରାଇ ଦେଇ ସେହି ମୁହୂର୍ତ୍ତରେ ତାଙ୍କୁ ଯାତ୍ରା କରିବାକୁ କହିଦେବ । ବୁଝିଲତ ସବୁ ?

 

ବାର୍ସାଦ୍‍ କହିଲା–ସେ ସବୁ ଠିକ୍ ହେବ । କିନ୍ତୁ ଆପଣ ଯେମିତି ଧରାପକାଇ ନ ଦିଅନ୍ତି-

 

ସିଡ଼୍‍ନି ଅସହିଷ୍ଣୁ ଭାବରେ କହିଲେ–ଏବେ ବି ତୁମର ଭୟ ଦୂର ହେଲା ନାହିଁ ? ମୋତେ ଦେଖିଲେ କ’ଣ ତୁମର ସେୟା ମନେ ହେଉଛି ?

 

ବାର୍ସାଦ୍‍ ତତ୍‍କ୍ଷଣାତ ବାହାରକୁ ଯାଇ ଲୋକମାନଙ୍କୁ ଡାକି ଆଣିଲା ଏବଂ ତା’ ପରେ ସିଡ଼୍‍ନି ନାମଧାରୀ ଚାର୍ଲସର ମୂର୍ଚ୍ଛିତ ଦେହ ବହିନେଇ ଚାଲିଗଲା ।

 

ତା’ ପରେ ସିଡ଼୍‍ନି ସେହି ଅନ୍ଧକାର କୋଠରୀ ଭିତରେ ବସିରହି ପ୍ରଶାନ୍ତ ଭାବରେ ନିଜ ମୃତ୍ୟୁର ପ୍ରତୀକ୍ଷା କରିବାକୁ ଲାଗିଲେ ।

 

ଅଳ୍ପସମୟ ପରେ ଜଣେ ପ୍ରହରୀ ଆସି ତାଙ୍କୁ ବାହାରକୁ ଡାକି ନେଇଗଲା । ଯେଉଁ ବାବନ ଜଣ ଲୋକଙ୍କର ସେହି ଦିନ ପ୍ରାଣଦଣ୍ଡ ହେବାର ଥିଲା, ବାହାରେ ଗୋଟାଏ ବଡ଼ ହଲରେ ସେମାନଙ୍କୁ ସମସ୍ତଙ୍କୁ ଏକାଠି କରାଗଲା । ସିଡ଼୍‍ନିଙ୍କୁ ବି ସେଠାରେ ଅପେକ୍ଷା କରିବାକୁ ଆଦେଶ ଦିଆଗଲା ।

 

ସେମାନଙ୍କ ଭିତରୁ ଜଣେ ଅଳ୍ପ–ବୟସୀ ଶୀର୍ଣ୍ଣା ବାଳିକା ସିଡ଼୍‍ନିଙ୍କୁ ପ୍ରବେଶ କରିବାର ଦେଖି ତାଙ୍କ ପାଖକୁ ଆସି ତାଙ୍କୁ ପଚାରିଲା, ଏଭାରମଣ୍ଡ, ତୁମେ ପରା ସେ ଦିନ ଛାଡ଼ ପାଇଥିଲ ?

 

ସିଡ଼୍‍ନି ମୃଦୁ ସ୍ୱରରେ କହିଲେ–ପାଇଥିଲି, କିନ୍ତୁ ମୋତେ ପୁଣି ଧରିଆଣି ପ୍ରାଣଦଣ୍ଡ ଦେଇଛନ୍ତି ।

 

ବାଳିକାଟି ପୁଣି କହିଲା–ମୋତେ ତୁମର ମନେ ପଡ଼ୁନାହିଁ ବୋଧହୁଏ ! ମୁଁ ଲା-ପୋର୍ସର କାରାଗାରରେ ତୁମ ସାଙ୍ଗରେ ପରା ବନ୍ଦୀ ହୋଇଥିଲି ।

 

ସିଡ଼୍‍ନି ଟିକିଏ ବିବ୍ରତ ଭାବରେ ଜବାବ ଦେଲେ-ହଁ, ମନେ ଅଛି । କିନ୍ତୁ ତୁମ ଅପରାଧଟା ମୋର ମନେ ନାହିଁ । ବାଳକଟି ଜବାବ ଦେଲା–ଷଡ଼ଯନ୍ତ୍ର ! କିନ୍ତୁ ଭଗବାନ ଜାଣନ୍ତି, ମୁଁ କାହାରି ସହିତ କିଛି ଷଡ଼ଯନ୍ତ୍ର କରିଥିଲି କି ନା । ମୋ ଭଳି ଗରୀବ ଓ ଦୁର୍ବଳ ଲୋକ ସାଙ୍ଗରେ କିଏ ବା ଷଡ଼ଯନ୍ତ୍ର କରିବାକୁ ଆସିବ ? ଦରଜି ଦୋକାନରେ ସିଲାଇ କାମ କରି ଅତିକଷ୍ଟରେ ମୋତେ ଦିନ ନେବାକୁ ହୁଏ । ତେଣୁ ଷଡ଼ଯନ୍ତ୍ର କରିବା ପାଇଁ ମୋର ବା ସମୟ କାହିଁ ।

 

ତା’ ପରେ ଗୋଟାଏ ମୃଦୁ ଦୀର୍ଘଶ୍ୱାସ ପକାଇ ସେହି ବାଳିକାଟି କହିଲା–ମୋ ଜୀବନ ପାଇଁ ମୁଁ ଚିନ୍ତିତ ନୁହେଁ । ମୋ ଭଳି ଜଣେ ଲୋକର ମୃତ୍ୟୁରେ ଯଦି ଆମ ସାଧାରଣତନ୍ତ୍ରର କୌଣସି କଲ୍ୟାଣ ହୁଏ ତ ହେଉ । ତଥାପି ମୁଁ ଭାରି ଦୁର୍ବଳ । ତୁମେ ମୋ କତିରେ ଟିକିଏ ରହିଥିବ ତ, ଏଭାରମଣ୍ଡ ? ଏତେବେଳେ ଯାଏ ବାଳିକାଟି ଅନ୍ୟ ଆଡ଼କୁ ଚାହିଁ କଥା କହୁଥିଲା । ଏଥର ସେ ଧୀରେ ଧୀରେ ତାଙ୍କୁ ମୁହଁ ଆଡ଼କୁ ଚାହିଁ ଚମକି ପଡ଼ିଲା । ସିଡ଼୍‍ନି ତତ୍‍କ୍ଷଣାତ୍‍ ତା’ ହାତ ଧରିପକାଇ ଟିକିଏ ଟିପିଦେଇ ତାକୁ ସତର୍କ କରିଦେଲେ । ସେତେବେଳେ ସେ ଧୀରେ ଧୀରେ ତାଙ୍କୁ ପଚାରିଲା–ତୁମେ ବୋଧହୁଏ ତାଙ୍କ ପାଇଁ ପ୍ରାଣ ଦେବ ?

 

ସିଡ଼୍‍ନି ତାକୁ ସତର୍କ କରିଦେଲେ–ଚୁପ୍ ! ହଁ, ଆଉ ତା’ ସ୍ତ୍ରୀ ଓ ପୁଅଝିଅ ପାଇଁ ।

 

ବାଳିକାଟି ସଜଳ ନୟନତେ ତା’ ଆଡ଼କୁ ଚାହିଁ କହିଲା, ତୁମେ ବୀର ! ତୁମେ ଯଦି ଦୟାକରି ମୋ ନିକଟରେ ଟିକିଏ ରୁହ, ମୋ ହାତ ଧର, ତାହାହେଲେ ମୁଁ ଭରସା ପାଇବି । ମୋ କତିରେ ରହିଥିବ ତ ?

 

ସିଡ଼୍‍ନି କହିଲେ–ହଁ, ଭଉଣୀ ! ମୁଁ ତ ତୁମରି ପାଖରେ ଅଛି, ଆଉ ଥିବି ମଧ୍ୟ ।

 

ଊଣାଇଶ

 

ସେତେବେଳକୁ ମିଷ୍ଟର ଲରୀଙ୍କର ଗାଡ଼ି ଡାକ୍ତର ମ୍ୟାନେଟ, ଚାର୍ଲସ, ଲୁସୀ ଓ ତା’ ପୁଅଝିଅଙ୍କୁ ନେଇ ପ୍ୟାରିସ ଛାଡ଼ି ଚାଲି ଗଲାଣି । ଶେଷ ବାଧା ଯେଉଁଠାରେ ଥିଲା, ତାହାକୁ ସେମାନେ ନିର୍ବିଘ୍ନ ଓ ନିରାପଦରେ ପାର ହୋଇଗଲେ ।

 

ଏକା ସଙ୍ଗରେ ସମସ୍ତେ ଯିବା ଭଲ ନୁହେଁ ବୋଲି ମିସ୍ ପ୍ରସ୍ ଓ ଜେରୀ ପରେ ଯିବାପାଇଁ ସ୍ଥିର ହୋଇଥିଲା । ସେହି ବ୍ୟବସ୍ଥା ଅନୁଯାୟୀ ସେମାନେ ଦୁହେଁ ଘରେ ରହିଥିଲେ ।

 

ତିନିଟା ବାଜିବା ପୂର୍ବରୁ ମିସ୍ ପ୍ରସ୍ ଜେରୀକୁ ଗାଡ଼ି ଠିକ୍ କରିବା ପାଇଁ ପଠାଇଦେଲା । କାଥା ରହିଲା, ସେ ଏକବାର ରାସ୍ତାରେ ସେ ମୁଣ୍ଡରେ ଗାଡ଼ି ଧରି ତା’ ପାଇଁ ଅପେକ୍ଷା କରିଥିବ ।

 

ଆଉ କିଛି ସମୟ ପରେ ସେ ବାହାରିବା ପାଇଁ ପ୍ରସ୍ତୁତ ହେବାକୁ ଯାଉଛି, ଏମିତି ସମୟରେ ମୂର୍ତ୍ତିମତୀ ମୃତ୍ୟୁ ଭଳି ମାଡାମ ଡେଫାର୍ଜ ଘର ଦୁଆର ମୁହରେ ଆସି ଦେଖାଦେଲା ।

 

ମନ ବୋଧହୁଏ ଅନ୍ତର୍ଯ୍ୟାମୀ । ତେଣୁ ସଦଳବଳେ ପ୍ରାଣଦଣ୍ଡ ଦେଖିବାକୁ ଯିବା ସମୟରେ ହଠାତ୍ ମାଡାମ ଡେଫର୍ଜର ମନ ଭିତରେ କେମିତି ସନ୍ଦେହ ଜାତ ହେଲା, ଯେ ସେମାନେ ସମସ୍ତେ ଭଲରେ ଅଛନ୍ତି କି ନା ଥରେ ଦେଖିବା ପ୍ରୟୋଜନ । କେବଳ ସେତିକି ନୁହେଁ ସ୍ୱାମୀଙ୍କ ମୃତ୍ୟୁ ସମୟରେ ଲୁସୀ ନିଶ୍ଚୟ ତାଙ୍କ ପାଇଁ କନ୍ଦାକଟା କରିବ ଏବଂ ଖୁବ୍‍ ସମ୍ଭବ ସାଧାରଣତନ୍ତ୍ରକୁ ଗାଳିମନ୍ଦ ଦେବ । ତେଣୁ ତାହା ନିଜ କାନରେ ଶୁଣି ଆସିପାରିଲେ ସବୁ କନ୍ଦଳ ତୁଟିଯିବ ଏବଂ ଆଉ କୌଣସି ଅପରାଧ ଦରକାର ହେବ ନାହିଁ ।

 

ତେଣୁ ଯାଉଁ ଯାଉଁ ସେ ରହିଯାଇ ଭେନ୍‌ଜେନ୍ସକୁ କହିଲା, ତୁମେ ସବୁ ଚାଲ ? ମୁଁ ଯାଏଁ ସେମାଙ୍କୁ ଟିକିଏ ଦେଖିଆସେ । ଖୁବ ଶୀଘ୍ର ଫେରି ଆସିବି । ମୋ ପାଇଁ ଟିକିଏ ଜାଗା ରଖିଥିବ ।

 

ଭେନ୍‍ଜେନ୍ସ କହିଲା–କିନ୍ତୁ ଗାଡ଼ି ଆସିବା ପୂର୍ବରୁ ଯେମିତି ଫେରି ଆସ ।

 

ନିଶ୍ଚୟ, ନିଶ୍ଚୟ । ଏହି ଆସିଲି ବୋଲି ଜାଣ ।

 

ତାକୁ ଦେଖି ମିସ୍ ପ୍ରସ୍ ତା’ର ମତଲବଟା ବୁଝିପାରିଥିଲା । ସେ ଠିକ୍ କ’ଣ କରିବ ତାହା ବୁଝି ନଥିଲେ ସୁଦ୍ଧା, ତା’ର ଉଦ୍ଦେଶ୍ୟଟା ଯେ ଶୟତାନୀରେ ପୂର୍ଣ୍ଣ ତା’ମୁହଁ ଦେଖି ସେ ତାହା ନିଶ୍ଚୟ କରିପାରିଥିଲା । ଆଉ ଯାହା ହେଉ, ଏମାନେ ଯେ ନାହାନ୍ତି, ଏହି କଥାଟା ଯେମିତି ତାକୁ ଜାଣବାକୁ ଦିଆଯିବ ନାହିଁ ।

 

ସେ ଦୌଡ଼ିଯାଇ ହଲ୍ ଘରୁ ଅନ୍ୟଘରକୁ ଯିବା ପାଇଁ ଯେଉଁ ବାଟ ଅଛି ତାହା ବନ୍ଦ କରିଦେଲା । ତା’ପରେ ମାଡାମ ଡେଫାର୍ଜ ଯେମିତି ହଲ୍ ଘରେ ପ୍ରବେଶ କରିଛି, ସେ ହଲ୍ ଘରୁ ବାହାରିବା ବାଟଟି ଅଟକାଇ ଠିଆ ହେଲା ।

 

ମାଡାମ ଡେଫାର୍ଜ ଭ୍ରୂକୁଞ୍ଚିତ କରି ପଚାରିଲା–ଏମାନେ କୁଆଡ଼େ ଗଲେ ? ମିସ୍ ପ୍ରସ୍ କୁ ଫରାସୀ ଭାଷା ଜଣା ନ ଥିଲା । ସେ ଜବାବ ଦେଲା–ବୁଝିଛି, ବୁଝିଛି ଶୟତାନୀ, ତୋର ମତଲବଟା କ’ଣ । କିନ୍ତୁ ତାହା ହୋଇ ନପାରେ । ମୁଁ ବଞ୍ଚି ଥାଉଁ ଥାଉଁ ତୁ ଝିଅର କୌଣସି ଖବର ପାଇବୁ ନାହିଁ-

 

ମାଡାମ ଡେଫାର୍ଜ ତା’ର ଇଂରେଜା କଥା କିଛି ବୁଝି ନପାରି ରାଗିଯାଇ କହିଲା–ମୋର ଠିଆ ହେବାକୁ ଆଦୌ ସମୟ ନାହିଁ । ଏଭାରମଣ୍ଡଙ୍କ ସ୍ତ୍ରୀ କାହିଁ ? ତା’ ସାଙ୍ଗରେ ଥରେ ଦେଖାକରି ମୁଁ ଚାଲିଯିବି ।

 

ମିସ୍ ପ୍ରସ୍ ବି କଠିନ ସ୍ଥିର ଦୃଷ୍ଟିରେ ତା’ ମୁହଁଆଡ଼କୁ ଅନାଇ କହିଲା–ଯେତେ କଟମଟ କରି ଅନାଅ ପଛକେ, ମୋ ପାଖରୁ ତୁ କିଛି ବିଶେଷ ସୁବିଧା ହାସଲ କରିପାରିବୁ ନାହିଁ ।

 

ମାଡାମ ଡେଫାର୍ଜ ଏଥର ଖୁବ ରାଗିଯାଇ ପାଟି କରି କହିଲା–ଏହି ବୋକା ମାଇକିନାଟାକୁ ନେଇ ତ ବଡ଼ ବିପଦରେ ପଡ଼ିଲି, ଦେଖୁଛି । ଆରେ, ତୋ ପାଖରେ ମୋର କିଛି କାମ ନାହିଁ । ମୁଁ ଡାକ୍ତର ଓ ତା’ ଝିଅକୁ ଚାହେଁ । ସେମାନେ ଅଛନ୍ତି କି ନା କହ । ନ ହେଲେ ଉଠ୍, ମୁଁ ନିଜେ ଯାଇ ଦେଖି ଆସୁଛି ।

 

ମିସ୍ ପ୍ରସ୍ କଥାଟି ବୁଝି ନଥିଲେ ବି ସୁଦ୍ଧା ଭାବଟି ଠିକ୍ ବୁଝିଥିଲା । ସେ ଜବାବ ଦେଲା–ତୁମେ ଯାହା ଜାଣିବାକୁ ଚାହୁଁଛ, ତାହା ମୁଁ ଥାଉଁ ଥାଉଁ ତୁମକୁ ଜାଣବାକୁ ଦେଉ ନାହିଁ । କାରଣ ତୁମେ ଯେତେ ବିଳମ୍ବବରେ ତା’ ଜାଣିବ, ମୋ ଝିଅ ପକ୍ଷରେ ସେତେ ମଙ୍ଗଳ ହେବ । ଆଗେଇ ଆସୁଛି କ’ଣ ? ମୁଁ ଖାଣ୍ଟି ଇଂରେଜର ଝିଅ, ମୋ ଦେହରେ ହାତ ଦେଲେ, ତୁମର ଖଣ୍ଡିଏ ହାଡ଼ ବି ମୁଁ ରଖିବି ନାହିଁ ।

 

ଏତେବେଳ ଯାଏଁ ଦୁହେଁ ଦୁହିଁଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଥିଲେ । କିନ୍ତୁ ମାଡାମ ଡେଫାର୍ଜର ଆଖି ଯେମିତି ଥରେ ଘରର ଆସବାବପତ୍ର ଉପରେ ବୁଲି ଆସିଲା, ସେ ତତ୍‍କ୍ଷଣାତ୍ ଚାରିଆଡ଼େ ଜିନିଷପତ୍ର ବନ୍ଧାବନ୍ଧିର ଚିହ୍ନ ପାଇଗଲା । ତା’ ଛଡ଼ା ଏତେ ଡକାହକା କରିବାସତ୍ତ୍ୱେ ଘର ଲୋକଙ୍କର ପତ୍ତା ମିଳୁନାହିଁ । ବ୍ୟାପାରଟା କ’ଣ ? ତା’ ମନର ସନ୍ଦେହ ଗାଢ଼ ହେଲା । ସେ କହିଲା–ଜିନିଷପତ୍ରଗୁଡ଼ାକ ଏମିତି ଭାବରେ ପଡ଼ିରହିଛି, ଆଉ ଏଣେ ବି ଘରଟା ଫାଙ୍କା ମାଲୁମ ହେଉଛି । ତେଣୁ ଲକ୍ଷଣ ଭଲ ନୁହେଁ । ଶୀଘ୍ର ହଟି ଯା, ମୋତେ ଥରେ ଦେଖିବାକୁ ଦେ, ଘଟଣାଟା କ’ଣ ? ଏକ୍ଷଣି ବି ସମୟ ଅଛି । ସେମାନେ ବେଶୀଦୂର ଯାଇପାରି ନଥିବେ ନିଶ୍ଚୟ । ଏକ୍ଷଣି ସେମାନଙ୍କ ଫେରାଇ ଅଣାଯାଇ ହେବ ।

 

ମିସ୍ ପ୍ରସ୍ ଅଧିକ ଶକ୍ତି ସଞ୍ଚୟ କରି କହିଲା–ଯେତେବେଳେ ଯାଏ ସଠିକ ଖବର ନ ପାଉଛୁ ଯେ ସେମାନେ ପଳାଇ ଯାଇଛନ୍ତି, କି ନା ସେତେବେଳ ଯାଏ ତୁ କିଛି କରିପାରିବୁ ନାହିଁ । ଆଉ ସେହି ଖବର ତୁ ମୋ ଦେହରେ ପ୍ରାଣ ଥିବା ଯାଏଁ ପାଇପାରିବୁ ନାହିଁ ।

 

ଏଥର ମାଡାମ ଡେଫାର୍ଜର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ତାକୁ ଜୋରରେ ହଟାଇ ଦେଇ ଦୁଆର ଖୋଲି ବାହାରିଯିବା ପାଇଁ ଦୌଡ଼ି ଆସିଲା । କିନ୍ତୁ ସେତେବେଳେ ସେ ମିସ୍ ପ୍ରସ୍ କୁ ମଧ୍ୟ ଚିହ୍ନି ନଥିଲା । ଯେମିତି ସେ ଦୁଇ ପାଦ ଆଗେଇ ଯାଇଛି, ମିସ୍ ପ୍ରସ୍ ତାକୁ ଜୋରରେ କୁଣ୍ଡାଇ ଧରିଲା । ମାଡାମ ଡେଫାର୍ଜର ଦେହରେ ବି ଶକ୍ତି କମ୍‍ ନ ଥିଲା । କିନ୍ତୁ ସେ ପ୍ରାଣପଣେ ଚେଷ୍ଟା କରି ସୁଦ୍ଧା ସେ ଭୟଙ୍କର ଆଲିଙ୍ଗନ ଶିଥିଳ କରିପାରିଲା ନାହିଁ । ସେ ଆଞ୍ଚୁଡ଼ି କାମୁଡ଼ି ମିସ୍ ପ୍ରସ୍‍ର ଦେହ ମୁହଁ କ୍ଷତ ବିକ୍ଷତ କରିଦେଲା । ମାତ୍ର ସେ ଯେମିତି ଡେଫାର୍ଜର କମରକୁ ଜୋରରେ ଜାବୁଡ଼ି ଧରିଥିଲା, ଠିକ୍ ସେମିତି ଧରି ରହିଲା । ଅନେକ ବେଳ ଯାଏଁ ଧସ୍ତାଧସ୍ତି କରି ସୁଦ୍ଧା ତାକୁ ଛଡ଼ାଇବାର ଚେଷ୍ଟା ବୃଥା ବୁଝିପାରି ଡେଫାର୍ଜ ସେତେବେଳେ ଅନ୍ୟ ବାଟ ଧରିଲା । ତା’ ଛାତି ପାଖରେ ଜାମା ତଳେ ଗୋଟିଏ ପିସ୍ତଲ ଥିଲା । ସେ ସେଟା ବାହର କରିବା ପାଇଁ ଚେଷ୍ଟା କଲା । ମାତ୍ର ମିସ୍ ପ୍ରସ୍ ଆଗରୁ ତା’ ମତଲବଟା ବୁଝିପାରିଥିଲା । ସେ ପିସ୍ତଲ ସହିତ ତା’ ହାତଟା ଜୋରରେ ଚାପି ଧରିଲା, ଏବଂ ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଶବ୍ଦ କରି ଗୁଳି ଏକବାରେ ଡେଫାର୍ଜର ଛାତି ଫୁଟି ବାହାରି ଗଲା ।

 

ପ୍ରଥମେ କିଞ୍ଚିତ ହତଭମ୍ବ ହୋଇ ମିସ୍ ପ୍ରସ୍ ଛିଡ଼ା ହୋଇଗଲା । ତା’ ପରେ ଧୁଆଁଟା ଏକାବାରେ ପରିଷ୍କାର ହୋଇ ଯିବାକ୍ଷଣି ତା’ ହାତଟା ଛାଡ଼ିଦେଲା । ତତ୍‍କ୍ଷଣାତ୍ ଡେଫାର୍ଜର ପ୍ରାଣହୀନ ରକ୍ତାକ୍ତ ଦେହଟା ମାଟିରେ ଗଡ଼ି ପଡ଼ିଲା ।

 

ମିସ୍ ପ୍ରସ୍‍ର ବାହାରଟା ଯେତେ କଠିନ ହେଉ ପଛକେ, ସେ କେବେ ହେଲେ କାହାରି ଦେହରେ ହାତ ଦେଇ ନଥିଲା । ଆଉ ଆଜି ତା’ରି ହାତରେ ଗୋଟାଏ ନରହତ୍ୟା ହେଲା । ସେ ସେଇଆଡ଼କୁ ଅନାଇପାରୁ ନଥିଲା । ସେହି ଘର ଭିତରେ ଥାଉଁ ଥାଉଁ ଯେମିତି ତା’ର ନିଶ୍ୱାସ ବନ୍ଦ ହୋଇ ଆସୁଥିଲା । ସେ ଶୀଘ୍ର ଶୀଘ୍ର ତା’ ଲୁଗାପଟା ବନ୍ଧାବନ୍ଧି କରି ଘରୁ ବାହାରିପଡ଼ିଲା ଏବଂ ତା’ପରେ ସାବଧାନ ସହକାରେ ଦୁଆରରେ ତାଲା ଦେଇ ସେ ତତ୍‍କ୍ଷଣାତ ଦେରୀର ସନ୍ଧାନରେ ଚାଲିଗଲା ।

 

ସେତେବେଳେ ତାକୁ କାନ୍ଦ ମାଡ଼ୁଥିଲା । ତା’ଛଡ଼ା ତା’ ମୁହଁ ଆଖିର ଯାହା ଅବସ୍ଥା, ଭାଗ୍ୟକୁ ଦେହର ଚାଦରଟା ଓଢ଼ଣୀ ଭଳି କରି ଦେଇ ଥିବାରୁ ରକ୍ଷା ମିଳିଲା । ତା’ ନ ହେଲେ ସେହି ଅବସ୍ଥାରେ ସେ ଏକ ପାହୁଣ୍ଡ ବି ଆଗକୁ ଯାଇପାରିଥାନ୍ତି କି ନା ସନ୍ଦେହ । ପୋଲ ଉପରେ ଯାଉଁ ଯାଉଁ ସେ ଘରର ଚାବି ଜଳକୁ ଫିଙ୍ଗିଦେଲା, ଏବଂ ତା’ପରେ ଏକ ପ୍ରକାର ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ଯାଇ ଜେରୀ ପାଖରେ ପହଞ୍ଚିଲା ।

 

ଜେରୀ ତା’ର ଏମିତି ଅବସ୍ଥା ଦେଖି ଅବାକ୍ ହୋଇଯାଇ ତାକୁ ପଚାରିଲା–ଘଟଣା କ’ଣ-? କ’ଣ ହୋଇଛି କି ?

ମିସ୍ ପ୍ରସ୍‍ର ସେଆଡ଼କୁ କାନ ନଥିଲା । ସେ ପଚାରିଲା–ବାଟରେ କୌଣସି ପ୍ରକାର ଗଣ୍ଡଗୋଳ ଶୁଣିଛ ?

ହଁ, ଶୁଣିଛି । ଯେମିତି ଗଣ୍ଡଗୋଳ ହୁଏ, ସେମିତି ହେଉଛି । କ’ଣ କହୁଛ ? ମୁଁ କିଛି ଶୁଣିପାରିଲି ନାହିଁ ।

ସେ କେମିତିକା କଥା ? ଏହି ଘଣ୍ଟାକ ଭିତରେ ତୁମେ କାଲ ହୋଇଗଲ ନା କ’ଣ ?

ମିସ୍ ପ୍ରସ୍ କେତେକ ପରିମାଣରେ ଯେମିତି ନିଜ ମନେ ମନେ କହିଲା–ବିଦ୍ୟୁତ୍ ଭଳି ଗୋଟାଏ ଆଲୁଅ ଜଳି ଉଠିଲା, ତା’ପରେ ଗୋଟାଏ ବିକଟ ଗର୍ଜନ ହେଲା, ଆଉ ସେତିକିବେଳୁ ମୁଁ ଆଉ କିଛି ଶୁଣିପାରୁ ନାହିଁ ।

ସେତେବେଳେ ଦୂରରେ କୟେଦୀମାନଙ୍କର ଗାଡ଼ିଗୁଡ଼ାକ ଯାଉଥିଲା । ସେହି ଗାଡ଼ିସବୁ ଘେରି ଜନସ୍ରୋତ ଚାଲିଥିଲା । ସେମାନଙ୍କର ବିଭତ୍ସ କୋଳାହଳରେ ଆକାଶ ପରିପୂର୍ଣ୍ଣ ।

ଜେରୀ କହିଲା–ଯଦି ଏତେ ଶବ୍ଦ ତୁମ କାନରେ ନ ପଶୁଛି, ତାହାହେଲେ ଆଉ କିଛି ଶବ୍ଦ କ’ଣ କେଉଁ ଦିନ ତୁମ କାନରେ ଯାଇ ବାଜିବ ?

ପ୍ରକୃତରେ ମିସ୍ ପ୍ରସ୍‍ର କାନରେ ଆଉ କୌଣସି ଶବ୍ଦ କେବେ ପହଞ୍ଚୁ ନଥିଲା ।

 

କୋଡ଼ିଏ

 

ସେତେବେଳେ ପ୍ୟାରିସର ରାଜପଥରେ ଛଅ ଖଣ୍ଡି ଗାଡ଼ି ମଣିଷ ବୋଝାଇ ହୋଇ ମଣିଷର ରକ୍ତ ପିପାସା ମେଣ୍ଟାଇବା ପାଇଁ ଚାଲୁଥିଲା । ଦୁଇପାଖରେ କ୍ଷିପ୍ତ ଜନସ୍ରୋତ ଭେଦ କରି ଛଅ ଖଣ୍ଡି ଗାଡ଼ି ଦୁଇ କଡ଼ରେ ଉତ୍ସୁକ ରକ୍ତ ପିପାସୁ ମୁଖ ହଟାଇ ଯାଉଥିଲା, ଠିକ୍ ଯେମିତି କୃଷକର ଲଙ୍ଗଳ ଚାରିଆଡ଼େ ମାଟି ବିଛୁଡ଼ି ବିଛୁଡ଼ି ଓ ମାଟି କାଟି କାଟି ଆଗକୁ ଯାଏ । କିଛି ଦିନ ତଳେ ଏହିପରି ଭାବରେ ଦୁଇକଡ଼ରେ ଜନସ୍ରେୋତ ଠେଲି ଠେଲି ଓ ଜନତାର ପୂଜା ନେଇ ନେଇ ବଡ଼ଲୋକମାନଙ୍କର ଗାଡ଼ି ଯାଉଥିଲା, ତାହା ବି ଯେମିତି ରହିଲା ନାହିଁ, ଏହା ମଧ୍ୟ ସେମିତି ରହିବ ନାହିଁ । ମହାକାଳ ଯେମିତି ସେହି ଦମ୍ଭ ଚୂର୍ଣ୍ଣ କରିଛି, ଏ ଦମ୍ଭ ବି ସେମିତି ଦିନେ ଚୂର୍ଣ୍ଣ କରିବ । ତଥାପି ବର୍ତ୍ତମାନ ପାଇଁ ଏହାହିଁ ନିୟତି, ଏହାହିଁ ନିଶ୍ଚୟ ଘଟିବ !

ସେହି ଗାଡ଼ି ଭିତରେ କେହି ବା ମୂର୍ତ୍ତିମାନ ହତାଶା ପରି ମୁହଁ ଢାଙ୍କି ବସି ରହିଛି, କେହି ବା ମୂର୍ଚ୍ଛିତ, କେହି ବା ଉନ୍ମାଦ ଆଉ କେହି ବା ଜନତା ନିକଟରେ ଦୟା ଭିକ୍ଷା କରୁଛି, କେହି ବା ସେତେବେଳ ଯାଇ ତା’ର ଜୀବନର ଆଶା ଛାଡ଼ି ନାହିଁ । କିନ୍ତୁ କିଏ ଦୟା କରିବ ? ରକ୍ତ ଲୋଡ଼ା, ନର-ରକ୍ତ ! ମଣିଷର ସମସ୍ତ ବିଭତ୍ସ କଳ୍ପନା ଏକତ୍ର ହାଇ ସେହି ଯେ ଦୈତ୍ୟ ଗଢ଼ି ଉଠିଛି, ସେହି ଗିଲୋଟିନ୍‌, ତା’ର ରକ୍ତ ପିପାସା ଘେନି ସେ ଠିଆ ହୋଇଛି, ତା’ର ଆଜି ଏହି ବାବନ ଜଣଙ୍କର ରକ୍ତ ଲୋଡ଼ା !

ଏଭାରମଣ୍ଡ କାହିଁ ?

ଜନତା ଭିତରେ ଏହି ପ୍ରଶ୍ନ ମଝିରେ ମଝିରେ ଉଠୁଥାଏ ।

ହେଇ ଯେ ଏଭାରମଣ୍ଡ–ଶାନ୍ତ, ଗମ୍ଭୀର ବଦନରେ ଜଣେ ରୋଗଣା ଝିଅର ହାତ ଧରି ସେହି ଯେ ଗାଡ଼ିର ଗୋଟାଏ କୋଣରେ ଠିଆ ହୋଇଛି ।

ଜନ ବାର୍ସାଦ୍‍ ମଧ୍ୟ ଅଧୀର ଆଗ୍ରହରେ ଗୋଟିଏ ପାଖରେ ଠିଆ ହୋଇ ଅପେକ୍ଷା କରୁଥିଲା ।

ତାହାହେଲେ ଏଭାରମଣ୍ଡ କ’ଣ ଆସି ନାହିଁ ? ନା, ସେହି ପରା !

ଜଣେ ପଚାରିଲା–ଏଭାରମଣ୍ଡ କିଏ ?

ବାର୍ସାଦ୍‍ ଅଙ୍ଗୁଳିରେ ଦେଖାଇ ଦେଲା–ସେହି ଯେ !

ପୋଡ଼ି ଯାଉ ! ଏଭାରମଣ୍ଡ ବଂଶ ଜଳିଯାଉ, ଧ୍ୱଂସ ହୋଇଯାଉ ।

ସଙ୍ଗେ ସଙ୍ଗେ ତା’ରିଆଡ଼େ ସେହି ଗର୍ଜନ ଉଛୁଳି ପଡ଼ିଲା–ଏଭାରମଣ୍ଡ ଧ୍ୱଂସ ହେଉ !

ଯାହାକୁ ଉପଲକ୍ଷ୍ୟ କରି ଏହି ଗର୍ଜନ, ସେ ଖାଲି ଟିକିଏ ହସି ମୁଖ ଟେକି ଚାହିଁଲେ, ଏବଂ ମଥା ତଳକୁ କରି ଝିଅଟି ସହିତ ଗପ କରିବାକୁ ଲାଗିଲା ।

ଏଣେ ଭେନ୍‌ଜେନ୍ସ ଅସ୍ଥିର ହୋଇ ପଡ଼ିଲାଣି । ମାଡାମ ଡେଫାର୍ଜ କାହିଁ ? ଗାଡ଼ି ଯେ ଆସି ପହଞ୍ଚିଗଲା ! ତା’ର ତ ଆଦୌ ଭୁଲ୍‍ ହୁଏ ନାହିଁ, ଆଜି କାହିଁକି ଏମିତି ହେଲା ? ତା’ ଚୌକି ଖାଲି ପଡ଼ିଛି, ସେ କାହିଁ ? ଆଜି ଦିନରେ ତା’ର କାହିଁକି ବିଳମ୍ବ ?

ସେହି ରୋଗଣା ଝିଅଟି ପଚାରିଲା–ଏଥର କ’ଣ ସମୟ ହେଲା ? ଆମକୁ କ’ଣ ଯିବାକୁ ହେବ ?

ହଁ, ଭଉଣୀ, ସମୟ ହୋଇଛି ।

ସେ ଏକାନ୍ତ ସହିଷ୍ଣୁତା ସହିତ ଶାନ୍ତ କଣ୍ଠରେ କହିଲା, ମୋର ଗୋଟିଏ ସାନ ଭଉଣୀ ରହିଲା । ହୁଏତ ତାକୁ ଆଉ ସାଧାରଣତନ୍ତ୍ରର ପ୍ରୟୋଜନ ହେବ ନାହିଁ । ହୁଏତ ସେ ଅନେକ ଦିନ ବଞ୍ଚିବ । ସ୍ୱର୍ଗକୁ ଯାଇ ମୁଁ କ’ଣ ତା’ ପାଇଁ ଅପେକ୍ଷା କରିପାରିବି ?କଷ୍ଟ ହେବ ନାହିଁ ?

ନା, ଭଉଣୀ । ସେଠାରେ ସମୟ ନାହିଁ, କି ପ୍ରତୀକ୍ଷା ବି ନାହିଁ । ସେଠାରେ ଅଛି କେବଳ ପରିପୂର୍ଣ୍ଣ ନିବିଡ଼ ଶାନ୍ତି ।

ସେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି କହିଲା–ମୁଁ ମୂର୍ଖ ଝିଅଟିଏ । ସେ ସବୁ କିଛି ଜାଣି ନାହିଁ-। ତାହା ହେଉ, ତାହା ବରଂ ଭଲ ।

ସେମାନେ ମହା ପ୍ରସ୍ଥାନର ପଥରେ ଠିଆ ହୋଇ ଦୁହେଁ ଦୁହିଙ୍କୁ ଚୁମ୍ବନ କଲେ । ଦୁହେଁ ଦୁହିଁଙ୍କୁ ପରସ୍ପର ଶେଷ ଆଶୀର୍ବାଦ ଜଣାଇଲେ, ତା’ ପରେ ଝିଅଟି ଶାନ୍ତ ଧୀର ପଦକ୍ଷେପରେ ଆଗେଇ ଗଲା ମୃତ୍ୟୁ ଆଡ଼କୁ, ଶାନ୍ତି ଆଡ଼କୁ ।

ଭେନ୍‍ଜେନସ୍ ଗଣିଲା–ବାଇଶ !

ଏଥର ତେଇଶ, ସିଡ଼୍‍ନିର ନମ୍ବର !

ତଳେ ଅସଂଖ୍ୟ ମଣିଷ ଉପରକୁ ମୁହଁ ଟେକି ଉତ୍ସୁକ ନୟନରେ ଚାହିଁ ରହିଛନ୍ତି, ଆଉ ଉପରେ ଅସୀମ ନୀଳ ଆକାଶ । ଏହା ଭିତରୁ କୌଣସିଟା ତା’ ଆଖିରେ ପଡ଼ିଲା ନାହିଁ । ସେତେବେଳେ ତା’ର ଚତୁର୍ଦ୍ଦିଗରେ, ସମଗ୍ର ବିଶ୍ୱର ବାୟୁମଣ୍ଡଳ ବ୍ୟାପି ଯେମିତି ଧ୍ୱନିତ ହେଉଥିଲା ପରମ ପୁରୁଷଙ୍କର ସେହି ପରମ ଆଶ୍ୱାସ ବାଣୀ-

“ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେଙ୍କ ଶରଣଂ ବ୍ରଜ,

ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି, ମା ଶୁଚ ।”

ତେଇଶ !

ମଦ ଦୋକାନରେ, ରାସ୍ତାର ବୈଠକରେ ସମସ୍ତେ କୁହାକୁହି ହେଉଥିଲେ ଯେ, ଏମିତି ଗଭୀର ଶାନ୍ତି ଆଭାସ କୌଣସି ମୃତ୍ୟୁ-ପଥ-ଯାତ୍ରୀର ମୁହଁରୁ ସେମାନେ କଦାପି ଶୁଣି ନଥିଲେ ।

ସେହିଦିନ ମୃତ୍ୟୁର ଠିକ୍ ପୂର୍ବରୁ ଜଣେ ମହିଳା ବନ୍ଦୀ ତା’ର ସେତେବେଳେକା ମନୋଭାବ ମରିବା ପୂର୍ବରୁ ଲିପିବଦ୍ଧ କରି ରଖିଯିବ ବୋଲି ଖଣ୍ଡିଏ କାଗଜ ଓ କଲମ ମାଗିଥିଲା । ତାକୁ ଅବଶ୍ୟ ସେହି ସୁଯୋଗ ଦିଆଗଲା ନାହିଁ । ମାତ୍ର ଯଦି ସିଡ଼୍‍ନି ମୃତ୍ୟୁପୂର୍ବରୁ ସେହି ଅନୁରୋଧଟା କରିଥାନ୍ତି, ଏବଂ ତାକୁ କାଗଜ-କଲମ ଦିଆ ହୋଇଥନ୍ତା, ଆଉ ମୃତ୍ୟୁ ମନୁଷ୍ୟ ଦିବ୍ୟଦୃଷ୍ଟି ଲାଭ କରିବା କଥାଟା ଯଦି ସତ୍ୟ ହୋଇଥାନ୍ତା, ତାହାହେଲେ ସିଡ଼୍‍ନି କ’ଣ ଲେଖି ରଖିଯାଇଥାନ୍ତା ଜାଣ ?

ସେ ଲେଖି ଥାଆନ୍ତା–

ଆଜିର ଏହି ଅତ୍ୟାଚାର ଧ୍ୱଂସର ଏହି ତାଣ୍ଡବ ଲୀଲା, ଏହା ସତ୍ୟ ନୁହେଁ । ଏହାରି ଅନ୍ତରାଳରେ ଅଛି ପରମ କଲ୍ୟାଣ । ଏହି ଘୂର୍ଣ୍ଣାବର୍ତ୍ତ ଭିତରୁ ଜାଗି ଉଠିବ ଏକ ମହାନ୍ ଜାତି, ଫ୍ରାନ୍ସର ଭବିଷ୍ୟତ ସନ୍ତାନଗଣ, ଭାବୀ ବଂଶଧରମାନେ ! ବାରମ୍ବାର ସେମାନଙ୍କର ପଦସ୍ଖଳନ ହେବ, ବାରମ୍ବାର ହୁଏତ ସେମାନେ ସତ୍ୟପଥରୁ ଭ୍ରଷ୍ଟ ହୋଇପଡ଼ିବେ, ଭୁଲ୍‍-କରିବେ । ତଥାପି ସେମାନଙ୍କର ଅଭିଯାନ ଦିନେ ସତ୍ୟ ହେବ । ଜୟ ପରାଜୟ ଭିତରେ ଆଜିର ଏହି ଚେଷ୍ଟା ଦିନେ ନା ଦିନେ ସତ୍ୟର ରୂପ ପରିଗ୍ରହ କରିବ ।

ଆଜି ଆଉ ମୋର କୌଣସି ଦୁଃଖ ନାହିଁ । ଜୀବନ ମରଣର ସନ୍ଧିକ୍ଷଣରେ ଠିଆହୋଇ ମୁଁ ଏ କଥା ନିଶ୍ଚିତ ଭାବରେ ଘୋଷଣା କରିପାରେ । ଯେଉଁମାନଙ୍କର ସୁଖର ସଂସାର ମୁଁ ଅକ୍ଷତ ରଖିବାକୁ ଯାଉଛି, ସେମାନଙ୍କ ଜୀବନର ମୂଲ୍ୟ ମୋ’ଠାରୁ ପ୍ରକୃତରେ ଯଥେଷ୍ଟ ବେଶୀ । ଏହି ତ, ମୁଁ ଦିବ୍ୟଚକ୍ଷୁରେ ଦେଖିପାରୁଛି, ଡାକ୍ତର ସୁସ୍ଥ ହୋଇଯାଇ ପୁଣି ଲୋକସେବାରେ ଆତ୍ମନିୟୋଗ କରିଛନ୍ତି । ଏହି ତ, ଲୁସୀ ଓ ଚାର୍ଲସ ସେମାନଙ୍କ ଜୀବନର ପ୍ରତ୍ୟେକ କର୍ତ୍ତବ୍ୟ ଏକାନ୍ତ ନିଷ୍ଠା ସହକାରେ ପାଳନ କରିଯାଉଛନ୍ତି । ସେମାନଙ୍କ ଅନ୍ତରରେ ଚିରକାଳ ଲାଗି ମୋ ସ୍ମୃତିର ଯେଉଁ ପୂଜା ଚାଲିବ, ତା’ର ମୂଲ୍ୟ କ’ଣ ମୋର ଏହି ଅକର୍ମଣ୍ୟ ଦୁର୍ବଳ ଜୀବନ ଠାରୁ ବଡ଼ ନୁହେଁ ?

ଏହାହିଁ ଭଲ, ଏହି ମୋର ଭଲ । ମୋ ଜୀବନରେ ଏହାହିଁ ସର୍ବ ପ୍ରଥମ ଓ ସର୍ବ ଶ୍ରେଷ୍ଠ ସତ୍‍କର୍ମ । ଏହାର ମୂଲ୍ୟ ମୋ ଜୀବନଠାରୁ ଯଥେଷ୍ଟ ଅଧିକ !

Image